Posts tagged Shree Jagannath

ଶ୍ରୀଜଗନ୍ନାଥଙ୍କ ନାଁରେ ପର୍ଯ୍ୟାପ୍ତ ସଂପତ୍ତି, କିନ୍ତୁ ସରକାରୀ ଅନୁଦାନ ଭରସାରେ ଶ୍ରୀମନ୍ଦିର ପ୍ରଶାସନ

  • ସମ୍ପତ୍ତି ଥାଇ ବି ସରକାରଙ୍କ ଉପରେ ନିର୍ଭରଶୀଳ ଶ୍ରୀମନ୍ଦିର ପ୍ରଶାସନ
  • ହୁଣ୍ଡିରୁ ଆଦାୟ ହେଉଛି କୋଟି କୋଟି ଟଙ୍କା, ତଥାପି ସରକାରଙ୍କ ହାତଟେକାକୁ ଭରସା
  • ଜବର ଦଖଲରେ ଜଗନ୍ନାଥଙ୍କର ଶହ ଶହ ଏକର ଜମି
  • ପ୍ରଶାସନ ପାଖରେ ନାହିଁ ଅଧାରୁ ଅଧିକ ଜମିର ସତ୍ୱଲିପି
  • ଭାଗଚାଷୀଙ୍କ ଠାରୁ ମିଳୁନି ଦେବସ୍ୱ
  • ଖଣି ମାଫିଆଙ୍କ କବଜାରେ ଶ୍ରୀମନ୍ଦିର ସମ୍ପତ୍ତି
    ଶ୍ରୀମନ୍ଦିର ନାଁରେ ରହିଛି ପର୍ଯ୍ୟାପ୍ତ ଧନ ସମ୍ପତ୍ତି। ଓଡ଼ିଶାର ୨୩ଟି ଜିଲ୍ଲାରେ ଶ୍ରୀମନ୍ଦିର ନାଁରେ ଅଛି ୬୦ ହଜାର ୪୧୦ ଏକର ଏବଂ ୬ଟି ବାହାର ରାଜ୍ୟରେ ୩୯୫ ଏକର ୨୫୨ ଡିସିମିଲି ଭୂସମ୍ପତ୍ତି ରହିଛି
  • ରାଜା ରାଜୁଡା ଓ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରାୟ ୬୦,୮୦୫ ଏକର ଜମି ବ୍ୟବସ୍ଥା କରିଥିବା ବେଳେ ଏଥିରୁ ଅଧାରୁ ଅଧିକ ଜମିର କାଗଜପତ୍ର ପ୍ରଶାସନ ପାଖରେ ନାହିଁ।
  • ମହାପ୍ରଭୁଙ୍କ ଜମିରୁ ଖଣିଜ ଲୁଟ ବି ଚାଲିଛି
  • ଗ୍ରିନ୍‍ ଟ୍ରିବ୍ୟୁନାଲ ଭଳି ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ କ୍ଷତିପୂରଣ ପାଇଁ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି
    କଥା ହେଉଛି ରାଜସ୍ୱ ବିଭାଗ ଚାହିଁଲେ ରାଜ୍ୟର ୨୩ଟି ଜିଲ୍ଲାରେ ଥିବା ଜଗନ୍ନାଥଙ୍କ ଭୂସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିପାରିବ। ସରକାର ଚାହିଁଲେ ୬ଟି ରାଜ୍ୟରେ ଥିବା ଭୂସମ୍ପତ୍ତିରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରିପାରିବେ।

 ୧୯୯୯ରୁ ୨୦୧୬ ମସିହା ଭିତରେ ୩୦୦ ଏକରରୁ ଅଧିକ ଜମି ବିକ୍ରି କରାଯାଇ ୧୦କୋଟିରୁ ଅଧିକ ଅର୍ଥ ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ରଖାଯାଇଛି

  • ଯେଉଁ ଭୂସମ୍ପତ୍ତି ଜବର ଦଖଲରେ ଅଛି, ସେଗୁଡିକୁ ମଧ୍ୟ ବିକ୍ରି କରି କର୍ପସ ପାଣ୍ଠି ବୃଦ୍ଧି କରାଯାଇ ପାରନ୍ତା।
  • ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଶ୍ରୀମନ୍ଦିରର ଯେଉଁ ଅମୃତ ମଣୋହି ଜମି ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟରେ ନାକଚ ହେଲା ପରେ ଏବେ ଶ୍ରୀମନ୍ଦିର ଖାତାକୁ ଫେରିବା କଥା।
  • ସେପଟେ ୧୯୮୩ ମସିହାରୁ ଶ୍ରୀମନ୍ଦିରରେ ହୁଣ୍ଡି ବସା ଯିବା ସହ ସ୍ୱତନ୍ତ୍ର ଅଧିନିୟମ ବଳରେ ଫାଉଣ୍ଡେସନ୍ ଫଣ୍ଡର ବ୍ୟବସ୍ଥା ହୋଇଛି ତଥ୍ୟ କହୁଛି ଗତ 3ଟି ଆର୍ଥିକ ବର୍ଷରେ ହୁଣ୍ଡି, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସୂତ୍ରରୁ 113 କୋଟି 2 ଲକ୍ଷ 55 ହଜାର 889 ଟଙ୍କା ଆଦାୟ ହୋଇଛି।

ସେହିପରି ଦାନ ସୂତ୍ରରେ ଗତ 3ଟି ଆର୍ଥିକ ବର୍ଷରେ 12 କେ.ଜି 284 ଗ୍ରାମ୍ ସୁନା ଅଳଙ୍କାର ମିଳିଥିବା ବେଳେ ରୂପା ଅଳଙ୍କାର ମିଳିଛି 214 କେ.ଜି 130 ଗ୍ରାମ୍। ହୁଣ୍ଡି ଟଙ୍କା ବ୍ୟାଙ୍କରେ ରଖି ସୁଧ ମଧ୍ୟ ଆସୁଛି । ତଥାପି ସ୍ଥିତି ସୁଧୁରୁନି ।
ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ରୁହନ୍ତା, ତାହେଲେ ଭୂସମ୍ପତ୍ତିରୁ     ଯଥେଷ୍ଟ ଆୟ ଆସନ୍ତା। ଆଉ ସରକାରଙ୍କ ହାତଟେକାକୁ ଭରସା ନକରି ଶ୍ରୀମନ୍ଦିର ବ୍ୟବସ୍ଥା ନିଜ ସମ୍ପତ୍ତିରେ ଚାଲନ୍ତା।

ଆସୁଛି SOP, ଶ୍ରୀମନ୍ଦିର ବାହାରେ ପୂଜା କରିବେନି ସେବାୟତ

ଦୀଘାରେ ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଧିରେଧିରେ ଉଗ୍ର ରୂପ ନେବାରେ ଲାଗିଛି । ରାଜନୈତିକ ତୁମ୍ବି ତୋଫାନର ବେଗ ମଧ୍ୟ ବଢିବାରେ ଲାଗିଛି । ଗୋଟାଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀକ୍ଷେତ୍ରକୁ ପୁରୀ ମନ୍ଦିର ଓ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହି ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ କରିଥିଲା ବେଳେ ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଲେଣି ମମତା ବାନାର୍ଜୀ ହିନ୍ଦୁ ବିରୋଧି,ତାଙ୍କ ଭକ୍ତି କେତେ ମୁଁ ଜାଣିଛି । ରାମକୃଷ୍ଣ ଦାସ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେଣି ଶ୍ରୀମନ୍ଦିର ସେବାୟତ ବାହାରକୁ ଯାଇ ପୂଜା କରିବା ଠିକ୍ ନୁହେଁ, ଏନେଇ ମୁକ୍ତିମଣ୍ଡପ ସଭାରେ ଆଲୋଚନା କରି ଜାରି ହେବ ମାର୍ଗଦର୍ଶିକା ।
ମମତାଙ୍କ ପ୍ରଶ୍ନ-ଏତେ ରାଗ କାହିଁକି?
ଦୀଘାର ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ବଢୁଥିଲା ବେଳେ ନିଆଁରେ ଘିଅ ଢାଳିଛନ୍ତି ମମତା ବାନାର୍ଜୀ । ଚକ୍ରାନ୍ତ କରି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା ଓ ଶ୍ରୀମନ୍ଦିର ଆସିବାକୁ ବଙ୍ଗୀୟ ଭକ୍ତଙ୍କୁ ଅଟକାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ତିଆରି କରିବା ସହ ଚାରିଧାମ ମଧ୍ୟରେ ଥିବା ଶ୍ରୀମନ୍ଦିରକୁ ହାଇଜାକ କରିବାକୁ ନାଁ ଦେଇଛନ୍ତି ‘ଦୀଘା ଜଗନ୍ନାଥ ଧାମ’। ଦୀଘା ମନ୍ଦିରକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରତିକ୍ରିୟାଶୀଳ ହେଉଥିଲା ବେଳେ ନିଜ ଉଗ୍ର ମାନସିକତାର ପରିଚୟ ଦେଇ ମମତା କହିଛନ୍ତି “ପୁରୀ ମନ୍ଦିରକୁ ଆମେ ଇଜ୍ଜତ ଦେଉ,ଜଗନ୍ନାଥ ଧାମକୁ ବି ଇଜ୍ଜତ ଦେଉ । କାଳୀ ମନ୍ଦିର,ଶିବ ମନ୍ଦିର ସବୁଠି ଅଛି ସବୁ ମନ୍ଦିର ସବୁ ଜାଗାରେ ଅଛି ବିଜେପି କଲାବେଳେ ତ ଆମେ ବିରୋଧ କରୁନୁ,ତ ଏତେ ରାଗ କାହିଁକି?’’
ମମତା ବାନାର୍ଜୀ ହିନ୍ଦୁ ବିରୋଧି-ସୁରେଶ ପୁଜାରୀ
ପଶ୍ଚିମବଙ୍ଗର ଦୀଘାକୁ ଜଗନ୍ନାଥ ଧାମ ଭାବେ ମମତା ବାନାର୍ଜୀ ସମ୍ବୋଧନ କଲା ପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁରେଶ ବାନାର୍ଜୀ । ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଥିବା ମନ୍ତବ୍ୟ ଦେଇଛନ୍ତି ସୁରେଶ । ମମତାଙ୍କ ମନ୍ତବ୍ୟକୁ ବିରୋଧ କରି ସୁରେଶ ପୁଜାରୀ କହିଛନ୍ତି
‘‘ମମତା ବାନାର୍ଜୀ କେତେ ଜଗନ୍ନାଥ ଭକ୍ତ ମୁଁ ଦେଖିଛି,
-ମୁଁ 6 ବର୍ଷ ପଶ୍ଚିମବଙ୍ଗର ପ୍ରଭାରୀ ଭାବରେ କାମ କରିଛି
-ସେ ଜଣେ ହିନ୍ଦୁ ବିରୋଧି ମୁଖ୍ୟମନ୍ତ୍ରୀ
-ସତ କହିବାର ସାହସ ତାଙ୍କର ନାହିଁ
-ଗଣତନ୍ତ୍ରକୁ  ମମତା ବାନାର୍ଜୀ ରକ୍ତାକ୍ତ କରୁଛନ୍ତି
-ପଶ୍ଚିମବଙ୍ଗରେ କେତେ ଯେ ସୁଭଦ୍ରା କ୍ଷତିଗ୍ରସ୍ତ ହେିଛନ୍ତି ତାର ହିସାବ ନାହିଁ,ମମତାଙ୍କୁ ଲୋକ କ୍ଷମା ଦେବେ ନାହିଁ ।’’

ବାହାରେ ପୁଜା କରିପାରିବେନି ଶ୍ରୀମନ୍ଦିର ସେବାୟତ-ପୃଥ୍ୱୀରାଜ ହରିଚନ୍ଦନ
ରାମକୃଷ୍ଣ ଦାସ ମହାପାତ୍ର ନବକଳେବର ସମୟର ବଳକା ଦାରୁରେ ପଶ୍ଚିମବଙ୍ଗରେ ବିଗ୍ରହ ନିର୍ମାଣ କଥା ମିଛ ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରେସମିଟରେ ପୃଥ୍ୱୀରଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି କି-
’’ଧାମ ଶବ୍ଦ କେବଳ ଚାରି ଧାମରେ ଲାଗି ପାରିବ,ଆଉ କୌଣସି ଜାଗାରେ ଲାଗି ପାରିବ ନାହିଁ ।
-ସେ ଦୃଷ୍ଟିରୁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଧାମ ଶବ୍ଦର ବ୍ୟବହାର ନ କରିବା ପାଇଁ କହିବୁ।
-ଦୀଘାରେ ଯୋଉ ବେଳାଭୂମି ଅଛି ତାକୁ ମହୋଦଧି କହିବା ବନ୍ଦ କରନ୍ତୁ
-ଏ ବାବଦରେ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ ।
-ଯଦି ଏ କଥାକୁ ଅସ୍ୱୀକାର କରନ୍ତି ବା ଗ୍ରହଣ ନ କରନ୍ତି ତେବେ ଆମେ ଆଇନଗତ ଦିଗକୁ ବିଚାର ବିମର୍ଷ କରିବୁ
-ସେବକମାନେ ହେଉଛନ୍ତି ଜଗନ୍ନାଥଙ୍କ ସେବାୟତ,ସେମାନେ ଅନ୍ୟ ଜାଗାକୁ ଯିବାର ବିଧି ନାହିଁ । ଏ ବାବଦରେ ମୁକ୍ତିମଣ୍ଡପରେ ଆଲୋଚନା କରି ଏକ ମାର୍ଗଦର୍ଶିକା ଜାରୀ କରାଯିବ । ଶ୍ରୀମନ୍ଦିର ସେବାୟତ ମାନେ କୋଉଠିକୁ ଯାଇ ପାରିବେ କୋଉଠିକୁ ଯାଇ ପାରିବେ ନାହିଁ ସେ ଦିଗରେ ସ୍ପଷ୍ଟ କରାଯିବ ।
-ପୁରୀରୁ ଦାରୁ ଯାଇ ପଶ୍ଚିମବଙ୍ଗରେ ଦିଅଁ ନିର୍ମାଣ ହେବା କଥା ମିଛ ବୋଲି ସ୍ପଷ୍ଟ ହୋଇଛି। ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ଆଗରେ ନିଜର ତଥ୍ୟ ଉପସ୍ଥାପନ କରିଛନ୍ତି। ବଳକା ଦାରୁରେ ଫଶ୍ଚିମବଙ୍ଗର ବିଗ୍ରହ ନିର୍ମାଣ ହୋଇ ନାହିଁ । ଭୁବନେଶ୍ୱରର ସୁଦର୍ଶନ ମହାରଣାଙ୍କ ଠାରୁ ସେ ବିଗ୍ରହ ନିର୍ମାଣ କରି ନେଇଛନ୍ତି । ମନ୍ଦିର  ପ୍ରଶାସନ ପାଖରୁ ଏ ନେଇ ତଦନ୍ତ ମଧ୍ୟ ହୋଇଥିଲା । ସୁଦର୍ଶନ ମହାରଣା ଏ କଥା ସ୍ୱିକାର କରିଛନ୍ତି । ଲିମ୍ବ କାଠରେ ସେ ପଶ୍ଚିମବଙ୍ଗ ମନ୍ଦିର ପାଇଁ ବିଗ୍ରହ ତିଆରି କରିଛନ୍ତି । ଏହା ଦାରୁର ଅଂଶ ବିଶେଷ ନୁହେଁ । ଧର୍ମୀୟ ଭାବନାକୁ କୁଠାରଘାତ କରିବା ନେଇ ଦେଇଥିବା ମନ୍ତବ୍ୟ ବିଷୟରେ ତାଙ୍କୁ ତଥ୍ୟ ମଗାଯାଇଛି, ଉତ୍ତରରେ ସନ୍ତୁଷ୍ଟ ନ ହେଲେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ ।
– ଦାରୁକାଠ ବାବଦରେ ମହାରଣା ସେବକଙ୍କ ସହ ଆଲୋଚନାରୁ ଯାହା ଜଣା ପଡ଼ିଛି ବଳକା କାଠ ଯୋଉ ଥାଏ ସେଥିରେ ଅଢେଇ ଫୁଟର ମୂର୍ତ୍ତି ନିର୍ମାଣ କରିବା ସମ୍ଭବ ନୁହେଁ । ସତ୍ତ୍ୱଲିପି ଅନୁସାରେ ମହାପ୍ରଭୁଙ୍କ ବଳକା କାଠ ଦାରୁଘରେ ରହେ । 1996 ରେ ସରକାରଙ୍କ ଗୋଟାଏ ଭୁଲ୍ ନିଷ୍ପତ୍ତି କ୍ରମେ ସେଥିରୁ କିଛି କାଠ ଦଇତାପତି ନିଯୋଗରେ ରଖାଯାଇଥିଲା । ଏବେ ସବୁ କାଠର ଗଣନା କରାଯାଇ କାଠକୁ ଆଣି ଦାରୁଘରେ ରଖାଯିବ । କୌଣସି କାଠ ଦାରୁଘର ବାହାରେ ରହିବ ନାହିଁ । ଛତିଶା ନିଯୋଗ ସହ ଆଲୋଚନା ହେଇଛି  । 
– ଶ୍ରୀମନ୍ଦିରକୁ ନେଇ କୌଣସି ସେବାୟତ ବେପରୁଆ ମନ୍ତବ୍ୟ ଦେଇ ପାରିବେ ନାହିଁ ।
 

ଜଗନ୍ନାଥଙ୍କ ଉପରେ, ମମତାଙ୍କ ଆଖି

ପଟ୍ଟଚିତ୍ର, କେବଳ ଚିତ୍ରକଳା ନୁହେଁ ବରଂ ଓଡ଼ିଆଙ୍କ ଭାବର ଉତ୍ତରଣ, ଆବେଗର ସଂସ୍କରଣ, କଳା କ୍ଷେତ୍ରରେ ନିଆରା ପାହାଚର ଆରୋହଣ। ତାଳପତ୍ର ଉପରେ ଆମ ଐତିହ୍ୟର ଖୋଦେଇ ପଟ୍ଟଚିତ୍ର, ବସ୍ତ୍ର ଉପରେ ଆମ କାରୁକାର୍ଯ୍ୟର କଳାତ୍ମକ ଦିଗ ଆମ ପଟ୍ଟଚିତ୍ର ଆମ କୀର୍ତ୍ତିର କୀର୍ତ୍ତନ ସାଙ୍ଗକୁ ମହାନତାର ମୃଦଙ୍ଗର ଆଭୂଷଣ ଆମ ପଟ୍ଟଚିତ୍ର ଆବେଗ, ଭାବାବେଗର କଳା-କୋଣାର୍କ ଆମ ପଟ୍ଟଚିତ୍ର। କିନ୍ତୁ ଏବେ ପ୍ରଶ୍ନଘେରରେ ପଟ୍ଟଚିତ୍ର ରସଗୋଲା କାହାର ଭଳି ଏବେ ପରବର୍ତ୍ତୀ ପ୍ରସଙ୍ଗ ପାଲଟିଛି ପଟ୍ଟଚିତ୍ର କାହାର ଚିତ୍ର? ଓଡ଼ିଶାର କୀର୍ତ୍ତି, ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନିଜ ନାଁରେ କରାଇ ନେବାରେ ପାରଙ୍ଗମ ପଶ୍ଚିମବଙ୍ଗ।
ଅଣସର ଘରେ ଦାରୁ ବିଗ୍ରହ, ଦର୍ଶନ ଦିଅନ୍ତି ପଟ୍ଟ ଦିଅଁ
ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ତ ପଟ୍ଟଚିତ୍ରର ସଂପର୍କ ଅତି ନିବିଡ଼, ଏକଥା ବୋଧହୁଏ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଜଣା ! ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ଜ୍ୱରରେ ପଡନ୍ତି ଚତୁର୍ଦ୍ଧା ମୂରତି । ସେ ସମୟରେ ୧୫ ଦିନ ଯାଏଁ ଅଣସର ଘରେ ଚାଲେ, ମହାପ୍ରଭୁଙ୍କ ଉପଚାର। ଶ୍ରଦ୍ଧାଳୁମାନେ ଦାରୁ ବିଗ୍ରହଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ବିଶ୍ୱ ନିଅନ୍ତା, ସେ ସମୟରେ ପଟ୍ଟ ଦିଅଁ ବେଶରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ । ଆଉ ଅଧା ଗଢ଼ା ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା, ହାତ-ଗୋଡ଼ ଥାଇ ପଟ୍ଟଚିତ୍ରରେ ଶୋଭା ପାଆନ୍ତି। ହାତରେ ଶଙ୍ଖ-ଚକ୍ର-ଗଦା ପଦ୍ମର ଆୟୁଧରେ ଦୃଶ୍ୟମାନ ହୁଅନ୍ତି ଭାଇ-ଭଉଣୀ। ଦାରୁ ବିଗ୍ରହଙ୍କୁ ପଟ୍ଟଚିତ୍ରରେ ଆଙ୍କିଥାନ୍ତି ଚିତ୍ରକର ସେବାୟତ । ପୁରୀ ଦୋଳମଣ୍ଡପ ସାହି ଓ ବାସେଳୀ ସାହିର ରହିଛି ଚିତ୍ରକର ସେବାୟତଙ୍କ ସ୍ୱତନ୍ତ୍ର ସାହି। ଛତି-ଚାମର, ତୂରୀ ଏବଂ ବଜ୍ରନ୍ତ୍ରୀ ଧରି ଚିତ୍ରକର ସେବାୟତଙ୍କ ଘରକୁ ପ୍ରତିବର୍ଷ ଶ୍ରୀମନ୍ଦିରରୁ ଆସିଥାଏ ଆଜ୍ଞାମାଳ। ପୂଜାର୍ଚ୍ଚନା ପରେ ପଟ୍ଟଚିତ୍ରରେ ଅଙ୍କିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ନେଇ ଶ୍ରୀମନ୍ଦିର ଫେରିଥାନ୍ତି ସେବାୟତ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ତ ପଟ୍ଟଚିତ୍ରର ସଂପର୍କ ତ ଯୁଗ ଯୁଗର।

କେବେ ଗୀତ ଗୋବିନ୍ଦକୁ ନିଜର ବୋଲି ଦାବି କରୁଥିବା ପଶ୍ଚିମବଙ୍ଗ ପୁଣି କେବେ ଜୟଦେବଙ୍କୁ ନିଜ ମାଟିର ବୋଲି କହିଛି ପଶ୍ଚିମବଙ୍ଗର ଚକ୍ରାନ୍ତର ଜହର ଏତେ ଯେ, ମିଠାରେ ବି ସେ ତିକ୍ତ ଲଢେଇ କରିଛି । ଚଞ୍ଚକତା କରି ରସଗୋଲାରେ GI ଟ୍ୟାଗ୍ ବି ହାସଲ କରିଥିଲା ପଶ୍ଚିମବଙ୍ଗ । ଯଦିଓ ପରବର୍ତ୍ତୀ ପରିସ୍ଥିତିରେ ଦୀର୍ଘ ବର୍ଷର ଲଢେଇ ପରେ ୨୦୧୯ ମସିହା ଜୁଲାଇ ୨୯ ରେ ଓଡ଼ିଶାକୁ ରସଗୋଲା କ୍ଷେତ୍ରରେ GI ଟ୍ୟାଗ୍ ମିଳିଥିଲାକିନ୍ତୁ ପଶ୍ଚିମବଙ୍ଗ ୨୦୧୭ ମସିହାରେ GI ଟ୍ୟାଗ୍ ହାସଲ କରି ସାରିଥିଲା। ୧୯୬୮ ମସିହାରେ ପଶ୍ଚିମବଙ୍ଗରୁ ହିଁ ରସଗୋଲାର ଉତ୍ପତ୍ତି ବୋଲି କହି ଅଜବ ଯୁକ୍ତି କରିଥିଲେ। ଯେତେବେଳେ କି ୫୦୦ ବର୍ଷ ପୂର୍ବର ଦାଣ୍ଡି ରାମାୟଣରେ ରସଗୋଲାର ବର୍ଣ୍ଣନା ଅଛି । ମାଦଳା ପାଞ୍ଜିରେ ବି ଏ କଥା ଉଲ୍ଲେଖ ଅଛି ରଥଯାତ୍ରା ଯେବେଠୁ, ରସଗୋଲା ସେବେଠୁ ପରୋକ୍ଷ ଭାବେ ଜଗନ୍ନାଥଙ୍କ ଠାରୁ ପଶ୍ଚିମବଙ୍ଗର ରସଗୋଲା ବେଶୀ ପୁରୁଣା ବୋଲି ପ୍ରମାଣ କରିବାକୁ ଚାହୁଁଥିଲା।
ପଟ୍ଟଚିତ୍ରର ଜିଆଇ ଟ୍ୟାଗ୍
୨୦୦୮ରେ ଓଡ଼ିଶାର ପଟ୍ଟଚିତ୍ରକୁ GI ଟ୍ୟାଗ୍ ମିଳିଲା। ମିଳିବା ବି ସ୍ୱାଭାବିକ କଥା ପଟ୍ଟଚିତ୍ରର କ୍ଷେତ୍ର ଓଡ଼ିଶା। ପୁରୀ ଜିଲ୍ଲା ରଘୁରାଜପୁରରେ ଖୁନ୍ଦି ହୋଇଛି ପଟ୍ଟଚିତ୍ରର ଚିତ୍ରଶିଳ୍ପ ପତ୍ର ଉପରେ କଅଁଳି ଆସିଛି, ଅନନ୍ୟ କଳାର ବୀଜପତ୍ର କାହିଁ କେବେଠାରୁ । କପଡ଼ାରେ କମ୍ପମାନ ହୋଇଛି ଆମ ପଟ୍ଟଚିତ୍ର । ମାତ୍ର, ଫର୍ଜରି କରି ଏ ରେକର୍ଡ ବି ହାତେଇ ନେଇଛି ପଶ୍ଚିମବଙ୍ଗ। ଆମର ଅପାରଗତା କହିବା ଅଥବା ପଶ୍ଚିମବଙ୍ଗର ଚକ୍ରାନ୍ତ କହିବା..
   ୨୦୧୮ ରେ ପଟ୍ଟଚିତ୍ର କ୍ଷେତ୍ରରେ
GI ଟ୍ୟାଗ୍ ହାସଲ କରିଛି ପଶ୍ଚିମବଙ୍ଗ। ସେ ପୁଣି ଇଂରାଜୀରେ ଓଡ଼ିଆ ପଟ୍ଟଚିତ୍ର ଶବ୍ଦ ସହ ବନାନଗତ ସାମଞ୍ଜସ୍ୟତାରେ ସାମାନ୍ୟ ବିଚ୍ୟୁତି କରି। ଅର୍ଥାତ୍ ଓଡ଼ିଶାର ପଟ୍ଟଚିତ୍ର (Pattachitra) GI ଟ୍ୟାଗ୍ ହାସଲ କରିଛି । କିନ୍ତୁ ଇଂରାଜୀ ଅକ୍ଷର Tର ଅପବ୍ୟବହାର କରି  Patchitra GI ଟ୍ୟାଗ୍ ହାସଲ କରିଛି ପଶ୍ଚିମବଙ୍ଗ
ତେବେ ପ୍ରସଙ୍ଗ ହେଉଛି ପଟ୍ଟଚିତ୍ର କାହାର ? ସମାନ ନାଁରେ କାହିଁକି ପଶ୍ଚିମବଙ୍ଗ GI ଟ୍ୟାଗ୍ ନେଇଛି ? ଯେତେବେଳେ ଆମେ କୌଣସି ପ୍ରସଙ୍ଗରେ ସମ୍ମାନ ହାସଲ କରିବାକୁ ଚାହୁଁ ସବୁତକ ତଥ୍ୟ, ଉପାଦାନ ଆମର ନିଜସ୍ୱ ହେବା ଜରୁରୀ। ନିଜସ୍ୱ ହେଲେ ହିଁ  ଏଥିରେ ସ୍ୱଚ୍ଛତା ଆସେ। ଯଦି ସେ ଦୃଷ୍ଟିରୁ ବିଚାର କରାଯାଏ ତେବେ ପଟ୍ଟଚିତ୍ରର କଳାକୃତି ଓ ନାଁର ଆକୃତ୍ତି ଓଡ଼ିଶାର ନିଜସ୍ୱ। ପଶ୍ଚିମବଙ୍ଗ ଯେଉଁ କ୍ଷେତ୍ରରେ ଟ୍ୟାଗ୍ ହାସଲ କରିଛି ସେ ପଟ୍ଟଚିତ୍ର ନୁହେଁ ବରଂ ପଟ୍ ଚିତ୍ର (Pot, Patua Art)ଯଦି ବି ପଶ୍ଚିମବଙ୍ଗ GI ଟ୍ୟାଗ୍ ପାଇଁ ଆବେଦନ କଲା ତେବେ ପଟ୍ଟଚିତ୍ର ନାଁରେ ଟ୍ୟାଗ୍ କାହିଁକି ? Bengal Scroll Paintings, ପଟ୍ଟୱା ନାଁରେ ବି GI ଟ୍ୟାଗ୍ ପାଇଁ ଆବେଦନ କରି ହୋଇଥାଆନ୍ତା । ସ୍ଥାନୀୟ ଅଞ୍ଚଳରେ ତ ଏହି ନାଁ ହିଁ ପରିଚୟ । କିନ୍ତୁ ନା! ପଶ୍ଚିମବଙ୍ଗର ଆଖି ତ ଓଡ଼ିଶାର କଳାକୀର୍ତ୍ତି ଉପରେ। ସେ ରସଗୋଲା ହେଉ, କି ପଟ୍ଟଚିତ୍ର ।
        ପଟ୍ଟଚିତ୍ରକୁ ସାରା ବିଶ୍ୱରେ ଚିହ୍ନେଇ ଥିବା ଓଡ଼ିଶାର ଚିହ୍ନକୁ ହଜେଇ ଦେବା ପାଇଁ ବଡ଼ ଧରଣର ଚକ୍ରାନ୍ତ ଚାଲିଛି । 10 ବର୍ଷ ହେବ କେବଳ ପଟ୍ଟଚିତ୍ରର ପ୍ରମୋସନ୍ କରିବା ପାଇଁ ପଶ୍ଚିମବଙ୍ଗ ପଟ୍ଟୀଗାନ, ପଟ୍ଟମାୟା ଭଳି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାର ଐତିହ୍ୟର ଇତି କ୍ଷେତ୍ରରେ ଚକ୍ରାନ୍ତ ରଚୁଛନ୍ତି ପଶ୍ଚିମବଙ୍ଗ ସରକାର। ଆମର ନିଷ୍କ୍ରିୟତା ଓ ନିଷ୍ପ୍ରଭ ମନୋଭାବ ଯୋଗୁଁ କୁମ୍ଭୀରକୁ ଗୋଳିଆ ପାଣି ସୁହାଇଲା ଭଳି ପଶ୍ଚିମବଙ୍ଗକୁ GI ଟ୍ୟାଗ୍ ମିଳିଯାଉଛି
  ଭକ୍ତି ନୁହେଁ, ବ୍ୟବସାୟ
କେବଳ ଏତିକି ନୁହେଁ ଦୀଘାରେ ଜଗନ୍ନାଥ ମନ୍ଦିର କରିବା ବି ପଶ୍ଚିମବଙ୍ଗର ଚକ୍ରାନ୍ତର ଚକ୍ରି । ଜଗନ୍ନାଥ ବିଶ୍ୱର ଦେବତା। ପୁର-ପଲ୍ଲୀରୁ ବିଶ୍ୱର କୋଣ ଅନୁକୋଣରେ ମହାପ୍ରଭୁ ସର୍ବପୂଜ୍ୟ। ଆଉ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିରୋଧାଭାସର ପ୍ରଶ୍ନ ଉଠୁନି ମାତ୍ର ଜଗନ୍ନାଥଙ୍କ ଭକ୍ତି ଅପେକ୍ଷା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନରେ ରହିଛି ଚକ୍ରାନ୍ତର ଅପଢା ଉକ୍ତି । ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ, ଯୋଉ ବଙ୍ଗୀୟ ଭକ୍ତମାନେ ଓଡ଼ିଶା ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ଓଡ଼ିଶା ଆସିବାରୁ ଅଟକେଇବା। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା। ସେଥିପାଇଁ ଦୀଘା ସମୁଦ୍ର କୂଳରେ ଅବିକଳ ମନ୍ଦିର ଗଢି ଦେଲେ, ବଙ୍ଗୀୟ ଶ୍ରଦ୍ଧାଳୁ ପୁରୀ ନଆସି ସେଠାକୁ ଯିବେ, ଆଉ ସେଠାକାର ପର୍ଯ୍ୟଟନ ଶିଳ୍ପ ବଢିବ ବାସ୍ତବରେ ମମତାଙ୍କ ଚକ୍ରାନ୍ତର ଦୈର୍ଘ୍ୟ ଢେର୍ ଲମ୍ବା।
           ନିଜ ରାଜ୍ୟର ବିକାଶ କରିବା ଭଲ କଥା, ପର୍ଯ୍ୟଟନ କ୍ଷେତ୍ର ବି ବଢୁ, ସେଥିରେ କିଛି କହିବାର ନାହିଁ। ମାତ୍ର ଅବିକଳ ଜଗନ୍ନାଥ ମନ୍ଦିର ଗଢ଼ିବା, ଶ୍ରୀମନ୍ଦିରର ଅବିକଳ ରୀତିନୀତି କରିବା ପଛରେ କି ଉଦ୍ଦେଶ୍ୟ ଅଛି ? ଏ ମନ୍ଦିର ପ୍ରତିଷ୍ଠା ପାଇଁ କିଛି ପୁରୀ ସେବକ ବଡ଼ ପଟୁଆରରେ ବି ଗଲେ ହଁ ଯିବାଟା ସ୍ୱାଭାବିକ କଥା, ଭରପୁର ଟଙ୍କା ମିଳିବ, ଦିଅଁଙ୍କ କଥା କିଏ ପଚାରେ ଯେ ?

ରାମଙ୍କ ନାଁ ଶୁଣିଲେ ରାଗନ୍ତି
ଦୁଃଖ ତ ଏତିକି, ମମତା ବାନାର୍ଜୀଙ୍କ ଭଳି ଜଣେ ହିନ୍ଦୁ ବିରୋଧୀ ନେତ୍ରୀ ଯିଏ ରାମ ନାମ ଶୁଣିଲେ ଚିହିଁକି ଉଠୁଛନ୍ତି ହିନ୍ଦୁ ବିରୋଧୀ ମାନସିକତା ରଖୁଥିବା ଥିବା ମମତା, ମୁର୍ଶିଦାବାଦରେ ହିନ୍ଦୁ ନରସଂହାର ବେଳେ  ଚୁପ୍ ରହିଲେ, ସେ ପୁଣି କୋଉ ଭକ୍ତି ଭାବରେ ଜଗନ୍ନାଥ ମନ୍ଦିର ଗଢ଼ିଛନ୍ତି ?ଆମକୁ ମନେ ରଖିବାକୁ ହେବ, ଜଗନ୍ନାଥ ବିଶ୍ୱର ଦେବତା, ବିଷର ନୁହେଁ । ସକାଳ ଧୂପର ଧୂଆଁ ଠାରୁ ସନ୍ଧ୍ୟା ଦୀପର ନିଆଁରେ ଏ ଜାତି ଯାହାକୁ ଆରାଧନା କରେ ସେ ଶ୍ରୀଜଗନ୍ନାଥ। ସେ ଖାଲି ଆମ ଆରାଧ୍ୟ ନୁହଁନ୍ତି ବରଂ ଆମ ଅସରନ୍ତି ଅଧ୍ୟାୟଆମକୁ ସଚେତନ ରହିବାକୁ ପଡ଼ିବ, ନଚେତ ରସଗୋଲା ଓ ପଟ୍ଟଚିତ୍ରକୁ ନେଇ ପଶ୍ଚିମବଙ୍ଗ ଯୋଉ ଚକ୍ରାନ୍ତ କରିଛି, କିଏ ଜାଣେ କେତେବେଳେ ସେମାନଙ୍କ ପାଇଁ ଏ ପ୍ରସଙ୍ଗ ବି ଆସିପାରେ ଯାହାର ଶୀର୍ଷକ ଥିବ ‘ଜଗନ୍ନାଥ କାହାର ?’