Posts tagged Nuapada ByPoll

କଂଗ୍ରେସକୁ ହରାଇଲେ କଂଗ୍ରେସ ନେତା

ନୂଆପଡ଼ାରେ କଂଗ୍ରେସର ପରାଜୟ ପରେ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ କେବଳ ଯେ ବିଭୀଷଣ କହି ଆକ୍ଷେପ କରିଛନ୍ତି ତାହା ନୁହେଁ ବରଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଛି । ନୂଆପଡ଼ା ବାଇ ଇଲେକ୍ସନର ରେଜଲ୍ଟ ଭକ୍ତଙ୍କୁ ନିରାଶ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1, 23, 869 ଭୋଟ ହାତେଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି 40,121 ଭୋଟ୍ । ଯଦିଓ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦୁଇ ନମ୍ବରରେ ରହିଛି କିନ୍ତୁ ନୂଆପଡ଼ା ସିଟ୍ ହାତେଇ ପାରିନି। ଯାହାକୁ ନେଇ ଭକ୍ତ ଦାସ କଂଗ୍ରେସ ପାର୍ଟିର କିଛି ନେତାଙ୍କୁ ଇସାରା କରିଛନ୍ତି । କଂଗ୍ରେସ ଟିକେଟରେ ଲଢିଥିବା ଘାସିରାମ ମାଝୀ ବି ଏ କଥା ସ୍ୱୀକାର କରିଛନ୍ତି କି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାରର ଅଭାବ ସାଙ୍ଗକୁ ଟଙ୍କା ଖର୍ଚ୍ଚ ନ କରିବା କଗ୍ରେସର ଭୋଟ କମାଇଥିଲା । 2024 ନିର୍ବାଚନରେ ସ୍ୱାଧୀନ ଭାବରେ ଲଢି ଘାସିରାମ ମାଝୀ 50 ହଜାରରୁ ଅଧିକ ଭୋଟ ପାଇଥିଲା ବେଳେ ବାଇ ଇଲେକ୍ସନରେ ତାଠାରୁ 10 ହଜାର କମ୍ ଭୋଟ୍ ପାଇଛନ୍ତି ।

କଂଗ୍ରେସର ଭୋଟ କମିବା ପଛରେ କଂଗ୍ରେସ ନେତାଙ୍କର ହିଁ ହାତ ଥିବା କହିଛନ୍ତି ଭକ୍ତ ଦାସ । ସିଧା ସିଧା ନାଁ ନନେଇ ବିଭୀଷଣ ଶବ୍ଦର ବ୍ୟବହାର କରିଛନ୍ତି ।ଦଳରେ ଥାଇ ଆତ୍ମଘାତୀ କାର୍ଯ୍ୟ କରି କ୍ଷତି ପହଞ୍ଚାଇଥିବା ବିଭୀଷଣମାନଙ୍କୁ କଦାପି ବରଦାସ୍ତ କରା‌ଯିବ ନାହିଁ ବୋଲି ଚେତାବନୀ ବି ଦେଇଛନ୍ତି।  ଏମିତିରେ ବି କଂଗ୍ରସର ଷ୍ଟାର ପ୍ରଚାରକ ତାଲିକାରେ କିଛି ପପୁଲାର ଲିଡରଙ୍କର ନାଁ ନଥିବାରୁ ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତ ଦାସ ମାଇଲେଜ୍ ନେବାକୁ ଆଉ କାହାକୁ ଆଗକୁ ଛାଡ଼ୁ ନଥିବା କଥା ମଧ୍ୟ କୁହାଗଲା । ସାମ୍ନାକୁ ନ ଆସିଲେ ମଧ୍ୟ ଅନେକ ବରିଷ୍ଠ ନେତା ଏ କଥାରେ ସହମତ ଥିଲେ । ତେଣୁ ହୁଏତ ଭକ୍ତଙ୍କଠୁ ପ୍ରତିଶୋଧ ନେବାକୁ ନୂଆପଡ଼ା କ୍ଷେତ୍ରରେ ସେମାନେ ଆବଶ୍ୟକୀୟ ସାହାଯ୍ୟ କରି ନଥିଲେ ।  କଂଗ୍ରେସରେ ରହି କଂଗ୍ରେସର ବିଜୟ ଚାହୁଁ ନଥିଲେ । ଏମିତି କିଛି  ଟାର୍ଗେଟ କରି ଭକ୍ତଦାସ କଂଗ୍ରେସ ନେତାଙ୍କୁ  ବିଭୀଷଣ ବୋଳି କହିବା ସହିତ ଦୃଢ କାର୍ଯ୍ୟାନୁଷ୍ଟାନର କଥା ମଧ୍ୟ କହିଛନ୍ତି । ତେଣୁ ଭକ୍ତଙ୍କ ନେତୃତ୍ୱରେ  କଂଗ୍ରେସ ହୁଏତ ଏତର ପ୍ରତିକ୍ରିୟାଶୀଳ ହୋଇ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାର : ନବୀନ କରିବେ କାଉଣ୍ଟର

ନୂଆପଡ଼ାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ସ୍ତ୍ରୀଙ୍କ ପ୍ରଚାରକୁ କରିବେ କାଉଣ୍ଟର ।ବିଧାନସଭା ଯାଉନଥିବା ନବୀନ ଯିବେ ନୂଆପଡ଼ା ।ଥରେ ନୁହେଁ ଥର ଯିବେ ବିଜେଡି ସୁପ୍ରିମୋ ।ନୂଆପଡ଼ା ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ନୂଆପଡ଼ା ଯିବାର ଅଛି BJD ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସାଧାରଣ ସଭା ସହ ରୋଡ ସୋ କରିବେ ଆସନ୍ତା ନଭେମ୍ବର 3ରେ ନବୀନଙ୍କ ପ୍ରଥମ ପ୍ରଚାର ସଭା ହେବ କୋମନା ବ୍ଲକରେ । ଆଉ ଦ୍ୱିତୀୟ ଥର ନଭେମ୍ବର 7ରେ ନୂଆପଡ଼ାରେ ଡେରା ପକାଇବେ BJD ସୁପ୍ରିମୋ। ଖରିଆର ରୋଡ ଠାରୁ ନୂଆପଡ଼ା ଯାଏଁ ରୋଡ ସୋ କରିବେ ନବୀନ ପଟ୍ଟନାୟକ ।

ଧାମନଗରକୁ ଯାଇନଥିଲେ
ତେବେ ନୂଆପଡ଼ା  ଉପନିର୍ବାଚନ ପାଇଁ ଦୁଇ ଦିନ ନବୀନଙ୍କ ପ୍ରଚାର ପ୍ରୋଗ୍ରାମକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଧାମନଗର ଉପନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ। ଭିଡିଓ କନଫରେନ୍ସିଂରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ ସାରି ଦେଇଥିଲେସେଥିପାଇଁ BJDକୁ ଦବାକୁ ପଡ଼ିଥିଲା ବହୁମୂଲ୍ୟ। BJD ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ବାଜି ମାରି ନେଇଥିଲେ BJPର ଯୁବନେତା ସୁରଜ ସୂର୍ଯ୍ୟବଂଶୀ। BJDର ବଡ଼ ଲସ ପରେ ବାଧ୍ୟ ହୋଇ ନବୀନ ପଟ୍ଟନାୟକ ପଦମପୁର ଉପନିର୍ବାଚନରେ BJDର ମଙ୍ଗ ଧରିଥିଲେ। ଆଉ ସେଠାରେ ତତ୍କାଳୀନ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ନବୀନ

BJDର ଟେନସନ୍ କଳ୍ପନା
ଆଉ ଏବେ ପଦମପୁରର ପଡ଼ୋଶି ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ହେଉଛି ଉପନିର୍ବାଚନ। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ ଆଉ ନାହାନ୍ତି BJD ସୁପ୍ରିମୋ ଏପରିକି ନୂଆପଡ଼ାର ପୂର୍ବତନ ବିଧାୟକ ରାଜୁ  ଢୋଲକିଆଙ୍କ ପରିବାର ଏବେ BJP ଶିବିରରେ ଏବେ BJD ପାଖରେ ନା ଅଛି ସିମ୍ପାଥୀ କାର୍ଡ ନା ସରକାରରେ ଅଛି ବିଜୁ ଜନତା ଦଳ । ଅନ୍ୟପଟେ ରାଜୁ ଢୋଲକିଆଙ୍କ ସ୍ତ୍ରୀ କଳ୍ପନା ଢୋଲକିଆ, ପୁଅ ଜୟଙ୍କ ପାଇଁ କଲେଣି ମାରାଥନ ପ୍ରଚାର

ଗୋଟାଏ ପଟେ ସରକାରରେ BJP, ତା ସହ ମାଙ୍କ ପ୍ରଚାର ଜୟଙ୍କ ପାଇଁ ସ୍ଥିତି ସହଜ କରୁଛି । ଅନ୍ୟପଟେ ବିଜୁ ଜନତା ଦଳର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ମାନଙ୍କର ଘେରାବନ୍ଦୀ ଧିରେ ଧିରେ ଦୁର୍ବଳ ହେଉଛି । ଏଥିପାଇଁ ନବୀନ ପଟ୍ଟନାୟକ ନିଜେ ପ୍ରଚାରର ମଙ୍ଗ ଧରିବାକୁ ଯାଉଛନ୍ତି । ତେବେ ବିଧାନସଭାରେ ସମ୍ପୂଣ୍ଣ ଅନୁପସ୍ଥିତ ରହୁଥିବା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଓଡ଼ିଶା ପଲିଟିକ୍ସରେ ପ୍ରାସଙ୍ଗିକତାକୁ ହୁଏତ ନୂଆପଡ଼ା ଉପନିର୍ବାଚନ ବଜାୟ ରଖିପାରେ ।
ଏ ଷ୍ଟୋରୀକୁ ଲେଖିଛନ୍ତି- ବିଜୟ କେତନ ବରାଳ