ସଚିନ ତେନ୍ଦୁଲକର କ୍ରିକେଟ ଜଗତର ଗଡ ଭାବରେ ବେଶ୍ ଜଣାଶୁଣା । ନିଜର ନିଆରା ରେକର୍ଡ ପାଇଁ ସେ ସବୁବେଳେ କ୍ରିକେଟ ଜଗତରେ ସ୍ୱତନ୍ତ୍ର ସ୍ଥାନ ପାଇ ଆସିଛନ୍ତି । ୱାର୍ଲ୍ଡକପ୍ ହେଉ ବା ୱାନଡେ ମ୍ୟାଚ୍, ସବୁ କ୍ଷେତ୍ରରେ ସଚିନଙ୍କ ଅବଦାନ ସ୍ୱତନ୍ତ୍ର । ପିଲାଟି ଦିନୁ କ୍ରିକେଟ ପ୍ରତି ଅହେତୁକ ଆଗ୍ରହ ରଖିଥିବା ସଚିନ ଦିନକୁଦିନ ରେକର୍ଡର ପାହାଚ ଚଢି ଷ୍ଟାର ପାଲଟି ଯାଇଥିଲା ବେଳେ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କିନ୍ତୁ ପୂରା ଫ୍ଲପ୍ । ବାପାଙ୍କ ରେକର୍ଡରୁ କାଣିଚାଏ ବି ହାସଲ କରି ପାରି ନାହାନ୍ତି ଅର୍ଜୁନ । କେବଳ ବାପାଙ୍କ ନେମ୍ ଫେମକୁ ୟୁଜ୍ କରି କ୍ରିକେଟ ଫିଲ୍ଡରେ ଜାଗା ମାଡ଼ିଥିବା ଅର୍ଜୁନ ପାଲଟି ଯାଇଛନ୍ତି ଷ୍ଟାର ବାପାଙ୍କ ଫ୍ଲପ୍ ପୁଅ
୩ ବର୍ଷରେ ୧୩ ରନ୍
ସଚିନ ତେନ୍ଦୁଲକର IPLରେ ମୁମ୍ୱାଇ ଇଣ୍ଡିଆନ୍ସରେ ସଦସ୍ୟ ଥିଲେ । ଦଳ ପାଇଁ ତାଙ୍କର ଅନେକ ଅବଦାନ ବି ରହିଛି । ସେ ଏବେ ଦଳରେ ନାହାନ୍ତି, କିନ୍ତୁ ତାଙ୍କ ପୁଅ ଦଳର ସଦସ୍ୟ ରହିଛନ୍ତି । ମାତ୍ର ଆଜି ଯାଏଁ ସେ କୌଣସି ଚମତ୍କାର ପ୍ରଦର୍ଶନ କରିପାରିନାହାନ୍ତି । ତେଣୁ ଦଳରେ ତାଙ୍କୁ ସୁଯୋଗ ବି ମିଳିପାରୁନାହିଁ । ବେଞ୍ଚରେ ବସି ବସି ଯାଉଛନ୍ତି ଅର୍ଜୁନ୍ । ଅର୍ଜୁନ ତେନ୍ଦୁଲକର ୨୦୨୧ରୁ ମୁମ୍ୱାଇ ଇଣ୍ଡିଆନ୍ସ ଦଳରେ ରହିଛନ୍ତି । ଆହତ କାରଣରୁ ଏହି ସିଜିନରେ ସେ ଖେଳିପାରିନଥିଲେ । ଏହାପରେ ୨୦୨୨ରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା । ୨୦୨୩ରେ ସେ ଡେବ୍ୟୁ କରିଥିଲେ, ଆଉ ୪ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୪ରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ । ଏହି ୩ ବର୍ଷରେ ସେ ମାତ୍ର ୫ ମ୍ୟାଚ ଖେଳି ୩ ଓ୍ବିକେଟ ନେବା ସହ ୧୩ ରନ କରିଛନ୍ତି ।
୫ଟି ସିଜିନରେ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ କରୁଛି ସତ କିନ୍ତୁ କମ ସୁଯୋଗ ଦେଉଛି । ଏହାକୁ ନେଇ ବର୍ତ୍ତନମାନ ପ୍ରଶ୍ନ ଉଠୁଛି, ଯଦି ଅର୍ଜୁନଙ୍କ ପ୍ରଦର୍ଶନ ଭଲ ନାହିଁ କାହିଁକି ଦଳ ତାଙ୍କୁ ୫ ବର୍ଷ ହେବ ଟିମରେ ସାମିଲ କରୁଛି? କଣ ସଚିନ ତେନ୍ଦୁଲକରଙ୍କ ପାଇଁ ମୁମ୍ୱାଇ ଅର୍ଜୁନଙ୍କୁ ଦଳରେ ରଖୁଛି? ୨୦୨୧ରେ ମୁମ୍ୱାଇ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଏହାପରେ ୪ଟି ସିଜିନରେ ୩୦ ଲକ୍ଷ ଟଙ୍କାରେ ମୁମ୍ୱାଇ ତାଙ୍କୁ ଦଳରେ ସାମିଲ କରିଛି । ପ୍ରତ୍ୟକ ବର୍ଷ ଆଇପିଏଲରେ ନୂଆ ନୂଆ ଷ୍ଟାର ବାହାରୁଛନ୍ତି । ଚମତ୍କାର ପ୍ରଦର୍ଶନ କରି ରାତାରାତି ହିରୋ ହୋଇଯାଉଛନ୍ତି । ବିଶ୍ୱ କ୍ରିକେଟର ବଡ଼ ଚେହେରା ସଚିନ ତେନ୍ଦୁଲକରଙ୍କ ପୁଅ କିନ୍ତୁ ବହୁ ପଛରେ ପଡ଼ିଯାଇଛନ୍ତି ।