Posts tagged Mamata Banarjee

ବୁମେରାଂ ମନ୍ଦିର ରାଜନୀତି : ଶାସକ ଦଳଙ୍କୁ ଝଟକା !

ଭାରତୀୟ ରାଜନୀତିରେ ମନ୍ଦିରକୁ କେନ୍ଦ୍ର କରି ଭୋଟ୍ ରାଜନୀତି କରିବା କିଛି ନୂଆ କଥା ନୁହେଁ । କିନ୍ତୁ ସବୁବେଳେ ଏହା ପଲିଟିକାଲ ପ୍ରଫିଟ ଦେଇ ନଥାଏ । ଧର୍ମକୁ ଆଧାର କରି ରାଜନୀତି କରି କିଏ ସଫଳ ହୋଇଛି ତ ପୁଣି କିଏ ବିଫଳ । ଗତ 2 ବର୍ଷର ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଏ କଥା ସ୍ପଷ୍ଟ ହୁଏ ଯେ ମନ୍ଦିର ରାଜନୀତି ଶାସକ ଦଳ ପାଇଁ ବୁମେରାଂ ହେଉଛି। ଦୀର୍ଘଦିନରେ ଶାସନରେ ଥିବା ଶାସକଦଳ ମନ୍ଦିର ରାଜନୀତି କରି ଚିତପଟାଙ୍ଗ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ଦୀର୍ଘ ବର୍ଷର ଶାସନ କ୍ଷମତାରୁ ବିଚ୍ୟୁତ ହୋଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ ପରାଜିତ ହେବା ସହ ଦିଦିଙ୍କୁ ମଧ୍ୟ କ୍ଷମତଚ୍ୟୁତ ହେବାକୁ ପଡ଼ିଛି।

ଯୋଗୀଙ୍କୁ କାଳ ହେଲା ରାମମନ୍ଦିର ରାଜନୀତି
2024 ଜାନୁଆରି 22ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା । ତିନି ମାସ ପରେ  ଏପ୍ରିଲରେ ଲୋକସଭା ନିର୍ବାଚନ ହେଲା । ବିଜେପି ଓ ଏନଡିଏ ସାଂସଦଙ୍କ ସଂଖ୍ୟା 36କୁ କମିଗଲା । 2019ରେ ବିଜେପି ସାଂସଦ ସଂଖ୍ୟା 62 ଥିଲାବେଳେ 2024 ରେ ଏହା ବଢିବା ପରିବର୍ତ୍ତେ ଅଧାରେ ରହିଗଲା ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥାଟି ହେଉଛି ଫୈଜାବାଦ ଲୋକସଭା ଆସନ, ଯାହା ଅଧୀନରେ ଅଯୋଧ୍ୟା ରାମମନ୍ଦିର ରହିଛି ସେଠାରେ ମଧ୍ୟ ବିଜେପି ପ୍ରାର୍ଥୀ ଲଲୁ ସିଂହ ପରାଜିତ ହୋଇଛନ୍ତି । ଦେଶରେ ୪୦୦ରୁ ଅଧିକ ଆସନ ପାଇବାକୁ ଆଶା ରଖି ଅବ୍ କୀ ବାର୍ ୪୦୦ ପାର୍ ସ୍ଲୋଗାନ ଦେଉଥିବା ଦଳର ଆସନ ସଂଖ୍ୟା ୨୪୦ରେ ସୀମିତ ରହିଯାଇଥିଲା

ବିଜେପି ରାମମନ୍ଦିରକୁ ନେଇ ରାଜନୀତି କଲା ପରେ ରେସରେ ଯୋଡ଼ି ହେଲେ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ । ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ର କରି ରାଜନୈତିକ ଗୋଟି ଚଲାଗଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସହ ଗାଁ ଗାଁରେ ଅର୍ପଣ ରଥ ନାଁ ରେ ରାଜନୀତି ଚାଲିଲା । ମହାପ୍ରଭୁଙ୍କୁ ଘରଘର ବୁଲାଇଲା ବିଜେଡି।  ମାତ୍ର ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିଲା। ନିରବଚ୍ଛିନ ଭାବେ ଓଡ଼ିଶାର ଶାସନ ଗାଦୀରେ ବସିଥିବା ନବୀନପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରୁ ହଟିଲେ। ଏପରିକି ନିଜେ କଣ୍ଟାବାଞ୍ଜି ଆସନରୁ ପରାଜୟର ସ୍ୱାଦ ଚାଖିଲେ। ବିଧାନସଭାରେ 51 ଆସନରେ ସୀମିତ ରହିଥିବା ବିଜେଡି ଲୋକସଭାରେ ଖାତା ଖୋଲି ପାରିଲା ନାହିଁମମତା ବାନାର୍ଜୀଙ୍କର ମଧ୍ୟ ସମାନ ଅବସ୍ଥା। ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନ କରି ଧାର୍ମିକ ଭାବନାକୁ ଆକର୍ଷିତ କରିବାର ଚେଷ୍ଟା କରିଥିଲା। ‘‘ଜଗନ୍ନାଥ ଧାମ” ଭାବେ ଦୀଘାକୁ ଘୋଷଣା କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପଣ୍ଡିତମାନେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଏହି ପଦବୀ ଦିଆଯିବାକୁ ବିରୋଧ କରିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଭାରି ଝଟକା ଖାଇଛି। ୧୫ ବର୍ଷର ଶାସନ ପରେ ଦଳ କ୍ଷମତାରୁ ବଞ୍ଚିତ ହୋଇଛି।ଦୀଘା ଅଞ୍ଚଳ ଅଧୀନରେ ପଡ଼ୁଥିବା ରାମନଗର ଆସନରେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଛନ୍ତି। TMC ପ୍ରାର୍ଥୀ ଅଖିଲ ଗିରିଙ୍କୁ ପରାସ୍ତ କରିଛନ୍ତି BJP ପ୍ରାର୍ଥୀ ଚନ୍ଦ୍ର ଶେଖର ମଣ୍ଡଳ। ଧର୍ମୀୟ ଭାବନାକୁ ଭୋଟ୍ ରାଜନୀତିରେ ବ୍ୟବହାର କରିବା ସବୁବେଳେ ସଫଳ ହୁଏ ନାହିଁ, ବରଂ ବେଳେବେଳେ ଏହା ଶାସକ ଦଳ ପାଇଁ ବିପରୀତ ପରିଣାମ ବି ଆଣିଥାଏ। 

 

ଜଗନ୍ନାଥ ଧାମ-ଆଦି ଶଙ୍କରାଚାର୍ଯ୍ୟଙ୍କୁ ମମତାଙ୍କ ଅପମାନ

ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି, ବିବାଦ ସେତିକି । କାରଣ ସନାତନୀ ମାନଙ୍କର ଚାରି ଧାମ ଯଥା ଜଗନ୍ନାଥ, ବଦ୍ରିନାଥ, ଦ୍ୱାରକାନାଥ ଏବଂ ରାମେଶ୍ୱର ଧାମର ଗରିମା ପ୍ରତି ଏବେ ପ୍ରଶ୍ନ ଉଠିଛି । ଏହି ଚାରି ଧାମକୁ ପ୍ରତିଷ୍ଠା କରିଥିଲେ ଆଦି ଶଙ୍କରାଚାର୍ଯ୍ୟ। କିନ୍ତୁ ସନାତନୀ ବିରୋଧି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ମନ୍ଦିର ସହ ଜଗନ୍ନାଥ ଧାମ ଶବ୍ଦ ଯୋଡ଼ିଲେଣି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ବିରୋଧ କରୁଛନ୍ତି। କାରଣ ଶ୍ରୀକ୍ଷେତ୍ର ବା ପୁରୀକୁ ଜଗନ୍ନାଥ ଧାମ ଭାବରେ ପ୍ରତିଷ୍ଠା କରାଇଛନ୍ତି ଆଦି ଶଙ୍କରାଚାର୍ଯ୍ୟ। କିନ୍ତୁ ମମତା ମାଡାମ୍ କହିଲେଣି ଦୀଘା ହେଉଛି ଜଗନ୍ନାଥ ଧାମ। ଏହାକୁ ନେଇ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
ମନ୍ଦିର ନୁହେଁ, ସାଂସ୍କୃତିକ କେନ୍ଦ୍ର
କେବଳ ଯେ ଓଡ଼ିଶାବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ତାହା ନୁହେଁ, ବଙ୍ଗଳାରେ ମଧ୍ୟ ଏହାକୁ ନେଇ ବିରୋଧାଭାଷ ଶୁଭିଲାଣି। ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଲେଣି, ମମତା ବାନାର୍ଜୀ ଦୀଘାରେ ଯେଉଁ ମନ୍ଦିର ତୋଳିଛନ୍ତି, ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସରକାରୀ ଟଙ୍କାରେ କୌଣସି ହିନ୍ଦୁ ମନ୍ଦିର ତିଆରି ହୁଏ ନାହିଁ । 250 କୋଟି ଟଙ୍କା ଖର୍ଚ୍ଚ କରି ଜଗନ୍ନାଥ ମନ୍ଦିର ତିଆରି କରିବା ପଛରେ ଭୋଟ୍ ରାଜନୀତି ରହିଛି । ମୁର୍ଶିଦାବାଦର ହିନ୍ଦୁ ନରସଂହାରରେ ଚୁପ୍ ଥିବା ମମତାଙ୍କ ଏ ମନ୍ଦିର ନିର୍ମାଣ ଏକ ଚକ୍ରାନ୍ତ । ଏହା ମନ୍ଦିର ନୁହେଁ। ଏହା ଏକ କଲ୍ଚରାଲ ସେଣ୍ଟର ବା ସାଂସ୍କୃତିକ କେନ୍ଦ୍ର ।

ଟିକିପୁଅଙ୍କ ପାଇଁ ନେତା ବଡ଼
ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦରେ ଫସିଲେଣି ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ(ଟିକିପୁଅ) ଦାସ ମହାପାତ୍ର। ଯଦିଓ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ, ମହାସୁଆର ସେବାୟତ, ସିଂହାରୀ ସେବକଙ୍କୁ, ଦୀଘା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବାକୁ ବାରଣ କରାଯାଇଥିଲା। କିନ୍ତୁ ଶ୍ରୀମନ୍ଦିରର କିଛି ସେବକ, ଅର୍ଥ ଲୋଭରେ ସେହି ନିର୍ଦ୍ଦେଶକୁ ଅବମାନନା କରିଛନ୍ତି । ମମତା ବାନାର୍ଜୀଙ୍କ ଦ୍ୱାରା ନିର୍ମିତ ମନ୍ଦିର, ଜଗନ୍ନାଥ ମନ୍ଦିରର ପରମ୍ପରା ବିରୋଧି ଜାଣି ମଧ୍ୟ ଦୀଘା ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପାଦନ କରିଛନ୍ତି । ନିଜକୁ ଜଗନ୍ନାଥଙ୍କ ସାନଭାଇ କହୁଥିବା ଟିକିପୁଅ, ମମତାଙ୍କ ଟେକ ରଖିବାକୁ ଯାଇ ନିମ୍ନସ୍ତରକୁ ଖସି ଯାଇଛନ୍ତି । ଶ୍ରୀମନ୍ଦିରର ଚତୁର୍ଦ୍ଧା ମୂରତିଙ୍କ ନବକଳେବର ପାଇଁ ବ୍ୟବହୃତ ଦାରୁରୁ ଦୀଘା ମନ୍ଦିରର ଶ୍ରୀବିଗ୍ରହ ନିର୍ମାଣ ହୋଇଛି ବୋଲି ବଙ୍ଗଳା ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି ଟିକିପୁଅ।
ଅବଶ୍ୟ ଟିକି ପୁଅଙ୍କର ଜଗନ୍ନାଥ ସଂସ୍କୃତି ବିରୋଧି କାର୍ଯ୍ୟକଳାପ ପୂର୍ବରୁ ଦୃଶ୍ୟମାନ ହୋଇଛି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଖୁସି କରାଇବା ପାଇଁ ଟିକିପୁଅ, ପୂର୍ବରୁ ଜଗନ୍ନାଥ ସଂସ୍କୃତି ବିରୋଧି କାମ କରିଛନ୍ତି । 2015 ମସିହାର ନବକଳେବର ସମୟରେ ଦାରୁ ସଂଗ୍ରହ ପାଇଁ ସେବାୟତମାନେ ଯାଇଥିଲେ। ସେହି ସମୟରେ ବିଜୁ ଜନତା ଦଳର ନେତା ଟିକିପୁଅ, ସେବାୟତଙ୍କ ବିଶ୍ରମାସ୍ଥଳୀରେ ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାରୁ ସଂଗ୍ରହକାରୀ ଦଇତାପତିଙ୍କ ଗହଣରେ ଶୁଆଇ ଥିଲେ। ଯାହାକୁ ନେଇ ବହୁତ ବିବାଦ ହୋଇଥିଲା। କିନ୍ତୁ ସେ ସମୟରେ ନବୀନ ପଟ୍ଟନାୟକ ସରକାର, ଟିକିପୁଅ ଏବଂ ଅରୁଣ ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
କିନ୍ତୁ ଏବେକାର ବିଜେପି ସରକାର ପ୍ରତିକ୍ରିୟାଶୀଳ । ନବକଳେବର ଦାରୁ ପଶ୍ଚିମବଙ୍ଗକୁ ଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବେ ପ୍ରଶ୍ନ ଘେରରେ। ମହାପ୍ରଭୁଙ୍କ ଦାରୁ ଅପ-ବ୍ୟବହାରର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜଗନ୍ନାଥଙ୍କ ଦାରୁ ଦୀଘାକୁ କିପରି ଗଲା, ତାହର ତଦନ୍ତ ଆରମ୍ଭ ହେଲାଣି।

ପ୍ରଦୀପଙ୍କ ବିରୋଦ୍ଧ, ଗଜପତିଙ୍କୁ ଚିଠି
ଦୀଘା ଜଗନ୍ନାଥ ମନ୍ଦିରକୁ କୌଣସି ମତେ ମମତା ବାନାର୍ଜୀ, ଜଗନ୍ନାଥ ଧାମ କହି ପାରିବେ ନାହିଁ ବୋଲି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହୁଛନ୍ତି। ଯଦିଓ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ଏତେଟା ବିରୋଧ ହୋଇନାହିଁ ମାତ୍ର ଚାରି ଧାମ ମଧ୍ୟରେ ପୁରୀର ସ୍ୱତନ୍ତ୍ର ସ୍ଥାନ ରହିଥିଲା ବେଳେ ମମତା ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବେ ନାମିତ କରିବାକୁ ସେ ବିରୋଦ୍ଧ କରିଛନ୍ତି । ବାଲୁକାଶୀଳ୍ପି ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି।
ତେବେ ଚକ୍ରାନ୍ତ କରି ଓଡ଼ିଶାର ରସଗୋଲା ଓ ପଟ୍ଟଚିତ୍ର ଉପରେ ଜିଆଇ ଟ୍ୟାଗ୍ ନେଲା ପରେ ଜଗନ୍ନାଥ ଧାମଙ୍କୁ ହାଇଜାକ୍ କରିବାକୁ ଚାହୁଁଥିବା ମମତାଙ୍କୁ ଜଗନ୍ନାଥ ପ୍ରେମୀ ବିରୋଦ୍ଧ କରୁଛନ୍ତି । କିନ୍ତୁ ନିଜକୁ ମହାପ୍ରଭୁଙ୍କ ସାନଭାଇ କହୁଥିବା ଟିକିପୁଅ, କିଛି ଅର୍ଥ ପାଇଁ ଅନର୍ଥ କରୁଛନ୍ତି। ଏବେ ଲୋକେ କହିଲେଣି ଏଇଟା ଦଇତାପତି ନା’ କଳାପାହାଡ଼?