ମନ୍ଦିର ସହିତ ଅର୍ଥନୀତିର ରହିଛି ଗଭୀର ସଂପର୍କ । ବିଶ୍ୱାସରେ ଭଗବାନଙ୍କୁ ଭକ୍ତଟିଏ ଅର୍ପଣ କରୁଥିବା ଧନ-ସଂପତ୍ତିରେ କେବଳ ମନ୍ଦିରର ବିକାଶ ହୁଏନାହିଁ, ଅଞ୍ଚଳର ହେଉଛି ସାମଗ୍ରିକ ବିକାଶ। ସରକାରଙ୍କ ନିୟନ୍ତ୍ରଣରେ ରହୁଥିବା ବିଭିନ୍ନ ମନ୍ଦିରର ଆୟରୁ କେବଳ ହିନ୍ଦୁଙ୍କର ନୁହେଁ, ଅନ୍ୟ ଧର୍ମର ଲୋକମାନଙ୍କର ହେଉଛି ବିକାଶ। ରାୟଗଡ଼ାର ମା‘ ମଝିଘରିଆଣୀ ମନ୍ଦିର ଭକ୍ତଙ୍କ ଆସ୍ଥା ଓ ସମର୍ପଣ ସାଙ୍ଗକୁ ଟେମ୍ପଲ୍ ଇକୋନୋମୀର ବଳିଷ୍ଠ ପ୍ରମାଣ।

ରାୟଗଡ଼ା ସହର ଉପକଣ୍ଠରେ ବୋହି ଯାଉଥିବା ନାଗାବଳୀ ନଦୀ କୂଳରେ ପୂଜା ପାଉଛନ୍ତି ମା ମଝିଘରିଆଣୀ । ସେହି ମନ୍ଦିର ଦାନହୁଣ୍ଡିରୁ ମିଳିଛି ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଏବଂ ୨୫୦୫ ଗ୍ରାମ ରୂପା। ଇୟ ଏମିତି ଏକ ମନ୍ଦିର, ଯୋଉଠି କେବଳ ଓଡ଼ିଶାର ଭକ୍ତ ନୁହେଁ, ବରଂ ବିଦେଶୀ ଭକ୍ତଙ୍କର ମଧ୍ୟ ଭିଡ଼ ଜମୁଛି । ହୁଣ୍ଡିରୁ ମିଳିଛି ୫ଟି ଦେଶର ୧୨ ଟି ବିଦେଶୀ ନୋଟ୍ ।ପୂର୍ବରୁ ଗତ ଜାନୁୟାରୀ ୨୭‘ରେ ହୁଣ୍ଡିରୁ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୂପା ବାହାରିଥିଲା। ୧୨ ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା। ଏ ହିସାବ ଦୃଷ୍ଟିରୁ ଦେଖିବାକୁ ଗଲେ ମନ୍ଦିରର ବାର୍ଷିକ ଆୟ ପାଖାପାଖି ୪ କୋଟି ଛୁଇଁଛି । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ୨ କୋଟି ୧୫ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିଲା ବେଳେ ଆହୁରି ଅଧା ସମୟ ବାକି ଅଛି। ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି ହୁଏ। ହୁଣ୍ଡି ଟଙ୍କା ବ୍ୟାଙ୍କରେ ଜମା ହେଉଛି । ଆଉ ସୁନା ଓ ରୂପା ଜିଲ୍ଲା ଟ୍ରେଜେରୀରେ ରଖାଯାଉଛି ।
ଏ ଟଙ୍କା ମନ୍ଦିରର ବିକାଶ ସାଙ୍ଗକୁ ଆଞ୍ଚଳିକ ସମୃଦ୍ଧିରେ ମଧ୍ୟ ସହାୟକ ହେଉଛି ।