ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ଠପ୍ ହେବାକୁ ବସିଛି ସରକାରୀ ବସ୍ ସେବା। ତେଲ ବିଲ୍ ବାକି ରହିବାରୁ କେନ୍ଦୁଝରର ବିଭିନ୍ନ ରୁଟ୍ରେ ଓଏସଆରଟିସି ବସ୍ ଚଳାଚଳ ପ୍ରଭାବିତ ହୋଇଛି। ତେଲ ଟାଙ୍କିରେ ପ୍ରାୟ ୪୦ ଲକ୍ଷ ଟଙ୍କାର ବକେୟା ରହିଥିବା ଅଭିଯୋଗ ହୋଇଛି।ବକେୟା ଟଙ୍କା ପୈଠ ହୋଇନଥିବାରୁ ସରକାରୀ ବସ୍ଗୁଡ଼ିକୁ ତେଲ ଯୋଗାଇବାକୁ ଟାଙ୍କି କର୍ତ୍ତୃପକ୍ଷ ମନା କରିଦେଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ କେନ୍ଦୁଝରରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ହୋଇଛି। କଲିକତା, ଭଞ୍ଜନଗର, ବଲାଙ୍ଗୀର, ଜଳେଶ୍ବର, ଆଖଣ୍ଡଳମଣୀ, ପୁରୀ, ଭୁବନେଶ୍ଵର ଏବଂ ଉପାନ୍ତ ଅଞ୍ଚଳ କୁହାଯାଉଥିବା ତେଲକୋଇ ବ୍ଳକର କାଳିଆହୋତାକୁ ନିୟମିତ ଯତାୟାତକରିଥାଏ । କେନ୍ଦୁଝରରୁ ପ୍ରାୟ ୧୩ଟି ଓଏସଆରଟିସି ବସ୍ ବିଭିନ୍ନ ରୁଟ୍ରେ ଯାତାୟାତ କରୁଥିବା ବେଳେ ଏବେ ତେଲ ସମସ୍ୟା ଯୋଗୁଁ ଅନେକ ରୁଟ୍ରେ ସେବା ବନ୍ଦ ହୋଇଥିବା କୁହାଯାଉଛି।

ଦିନକୁ ଦରକାର ୭୦ରୁ ୮୦ ହଜାର ଟଙ୍କାର ତେଲ
ବସ୍ଗୁଡ଼ିକର ଦୈନିକ ଚଳାଚଳ ପାଇଁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କାର ତେଲ ଆବଶ୍ୟକ ହୋଇଥାଏ। ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନେବା ପରେ ମାସିକ ବିଲ୍ ପୈଠ କରାଯାଏ। ତେବେ ଏହି ବିଲ୍ର ଅର୍ଥ ପୈଠରେ ବିଳମ୍ବ ହେଉଥିବାରୁ ବକେୟା ପରିମାଣ ବଢ଼ିଥିବା ଅଭିଯୋଗ ହୋଇଛି।
ଜିଲ୍ଲାରୁ ରାଜ୍ୟସ୍ତରକୁ ଗଲା ପରିଚାଳନା, ବଢ଼ିଲା ସମସ୍ୟା
ପୂର୍ବରୁ ବସ୍ ପରିଚାଳନାର ଦାୟିତ୍ୱ ଜିଲ୍ଲାସ୍ତରରେ ରହୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବସ୍ ପରିଚାଳନା ଦାୟିତ୍ୱ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଯିବା ପରେ ପେଟ୍ରୋଲ ଓ ଡିଜେଲ ବିଲ୍ ବକେୟା ରହୁଥିବା ନେଇ ଅଭିଯୋଗ ଉଠିଛି।ଏବେ ପ୍ରାୟ ୪୦ ଲକ୍ଷ ଟଙ୍କାର ତେଲ ବିଲ୍ ବାକି ରହିଥିବାରୁ ଟାଙ୍କି କର୍ତ୍ତୃପକ୍ଷ ତେଲ ଯୋଗାଇବାକୁ ରାଜି ନଥିବା କୁହାଯାଉଛି। ବସ୍ ଚଳାଚଳ ବନ୍ଦ ହେବାର ସିଧାସଳଖ ପ୍ରଭାବ ପଡ଼ିଛି ଯାତ୍ରୀଙ୍କ ଉପରେ। ଅନେକ ଯାତ୍ରୀ ଅନଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ମଧ୍ୟ ବସ୍ ବାତିଲ୍ ହୋଇଯାଇଥିବାରୁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଛି। ଅନ୍ୟପଟେ, ତେଲ ସମସ୍ୟା ନୁହେଁ, ବରଂ ବସ୍ ମରାମତି ପାଇଁ ସର୍ଭିସ୍ ବନ୍ଦ ଥିବା ନେଇ କେନ୍ଦୁଝର ସଡ଼କ ପରିବହନ ବିଭାଗର କର୍ତ୍ତୃପକ୍ଷ ମତ ରଖିଥିବା ସୂଚନା ମିଳିଛି। ତେବେ ଏହି ସବୁ ଦାବି ଓ ପ୍ରତିଦାବି ମଧ୍ୟରେ ବଡ଼ ପ୍ରଶ୍ନ ହେଉଛି- ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଯଦି ସରକାରୀ ବସ୍ ସେବା ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହେଉଛି, ତେବେ ରାଜ୍ୟର ଅନ୍ୟ ଜିଲ୍ଲାରେ ସରକାରୀ ପରିବହନ ବ୍ୟବସ୍ଥାର ସ୍ଥିତି କ’ଣ?