ଜମ୍ମୁ-କାଶ୍ମୀର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି । ଏହି ଆକ୍ରମଣରେ ୨୭ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଯେଉଁଥିରେ ଜଣେ ଓଡ଼ିଆ ଅଛନ୍ତି। ଅନେକ ପର୍ଯ୍ୟଟକ ଆହତ ହୋଇ ପହଲଗାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏ ଘଟଣା ପରେ ଏବେ ପୂରା ଭାରତ ରକ୍ତ ଚାଉଳ ଚୋବାଉଛି ।ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀ ମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ହିନ୍ଦୁଙ୍କୁ ମାରିବା ଘଯଣାକୁ ଦୃଢ ନିନ୍ଦା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜରୁରୀକାଳୀନ ବୈଠକ ହୋଇଛି । ଏ ଘଟଣା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି । କିଛି ଆତଙ୍କୀଙ୍କ ସ୍କେଚ୍ ଜାରୀ କରାଯାଇଛି,ଆତଙ୍କୀଙ୍କ ନିପାତ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ସରକାର ।

ଆକ୍ରମଣ ପଛରେ କିଏ?
ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟି କରିଛି ଆତଙ୍କୀ ସଂଗଠନ TRF । TRFର ଅମାନବୀୟ,ଅମାନୁଷିକ କାର୍ଯ୍ୟକୁ ଯେତେ ନିନ୍ଦା କଲେ ବି କମ୍ ପଡ଼ିଯିବ । ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏମାନେ ଧର୍ମ ଆଧାରରେ ଯୋଉଭଳି ଭାବରେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି ସେଥିରୁ ଘୃଣ୍ୟ ମାନସିକତାର ପ୍ରମାଣ ମିଳିଛି ।ଖୁବ୍ ଶୀଘ୍ର ଆତଙ୍କୀଙ୍କ ନିପାତ ପାଇଁ ଚାଲିଛି ବ୍ଲୁପ୍ରୀଣ୍ଟ
କେମିତି ଗଠନ ହୋଇଥିଲା TRF
୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବା ପାକିସ୍ତାନୀ ଆତଙ୍କୀଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା ।ସେଥିପାଇଁ ହାଫିଜ୍ ସଇଦର ଲସ୍କର-ଏ-ତୋଏବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି ଟିଆରଏଫ୍ ଗଠନ କରିଥିଲେ । ଏହି ଆତଙ୍କୀ ସଂଗଠନ ଗଠନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଏକ ବଡ଼ ଭୂମିକା ରହିଛି । ଟିଆରଏଫ୍ ପ୍ରଥମ ଆତଙ୍କୀ ସଂଗଠନ , ଯାହାର ନାଁ ଇଂରାଜୀରେ ରହିଛି । ନଜରରୁ ବଞ୍ଚିବା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ । ଏହି ସଂଗଠନର ସବୁ ଆତଙ୍କବାଦୀ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶରେ କାମ କରନ୍ତି ।
କେମିତି କାମ କରେ TRF ?
ସଂଗଠନରେ ସାମିଲ ହେବା ପରେ ଆତଙ୍କବାଦୀଙ୍କୁ ପ୍ରଥମେ ସୀମାପାର କରି ପରେ ତାଲିମ ଦିଆଯାଇଥାଏ ଟିଆରଏଫ୍ ଆତଙ୍କବାଦୀମାନେ ସନ୍ଦେଶ ପାଇବା ପରେ ଆତଙ୍କୀ ଗ୍ୟାଙ୍ଗରେ ସାମିଲ ହୁଅନ୍ତି ଏବଂ ପରେ ଆକ୍ରମଣ କରନ୍ତି ।ଆକ୍ରମଣ କରିବା ପରେ ଧରାପଡ଼ିବା ଭୟରେ ଦୂରଦୂରାନ୍ତକୁ ଚାଲିଯାଆନ୍ତି ।ଟିଆରଏଫର ସବୁ କମାଣ୍ଡରକୁ ପାକିସ୍ତାନରୁ ନିର୍ଦ୍ଦେଶ ମିଳିଥାଏ ।
TRFର ଆକ୍ରମଣ ଚିଠା
ମାନବିକତା ନାଁରେ କଳଙ୍କ TRF ବର୍ବରତାର ସବୁ ସୀମା ଡେଇଁ ସାରିଛି । ବିଭିନ୍ନ ସମୟରେ ଆକ୍ରମଣ କରି ଅନେକଙ୍କର ଜୀବନ ନେଇଛି ।
୨୦୨୪, ନଭେମ୍ବର ୪, ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ ଆକ୍ରମଣ, ୧୪ ଆହତ
୨୦୨୪, ଜୁଲାଇ ୯, କାଠୁଆରେ ଆର୍ମି କନଭେ ଉପରେ ଆକ୍ରମଣ, ୫ ମୃତ
୨୦୨୪, ଜୁନ ୯, ରଷେଇରେ ଯାତ୍ରୀବାହୀ ବସ ଉପରେ ଆକ୍ରମଣ, ୯ ମୃତ
୨୦୨୩, ଡିସେମ୍ବର ୨୧, ରାଜୌରୀରେ ଆଇଡି ବ୍ଲାଷ୍ଟ , ୫ ମୃତ
୨୦୨୩, ମେ ୫, ଲୁଚିକରି ଆର୍ମି ଗାଡି ଉପରେ ଆକ୍ରମଣ, ୫ ମୃତ
୨୦୨୩, ଏପ୍ରିଲ ୨୦, ଲୁଚିକରି ଆର୍ମି ଗାଡି ଉପରେ ଆକ୍ରମଣ, ୫ ମୃତ
୨୦୨୩, ଜାନୁଆରୀ ୧, ରାଜୌରୀରେ ସାଧାରଣ ଲୋକଙ୍କୁ ଆକ୍ରମଣ, ୪ ମୃତ
୨୦୨୨, ଅଗଷ୍ଟ ୧୧, ରାଜୌରୀରେ ଆତ୍ମଘାତୀ ବିସ୍ଫୋରଣ, ୫ ମୃତ
୨୦୨୧, ଡିସେମ୍ବର ୧୨, ଶ୍ରୀନଗରରେ ପୁଲିସ ଗାଡି ଉପରେ ଆକ୍ରମଣ, ୩ ମୃତ
୨୦୨୦, ଅକ୍ଟୋବର ୨୯, ବିଜେପି କର୍ମୀଙ୍କୁ ଆକ୍ରମଣ, ୩ ମୃତ
୨୦୨୦, ଜୁଲାଇ ୮ , ବିଜେପି ନେତାଙ୍କ ଉପରେ ଆକ୍ରମଣ, ୩ ମୃତ
୨୦୨୦, ମେ ୪, ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ, ୩ ମୃତ
୨୦୧୯, ଫେବୃଆରୀ ୧୪, ପୁଲୱାମାରେ ଯବାନଙ୍କ ଗାଡି ବିସ୍ଫୋରଣ, ୪୧ ମୃତ
ଏଭଳି ଅନେକ ଆକ୍ରମଣ କରିଥିବା ଆତଙ୍କବାଦୀ ସଂସ୍ଥା TRFର ଅମାନବୀୟ କାର୍ଯ୍ୟକଳାପକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ପହଲଗାମରେ ଆକ୍ରମଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ବଡ଼ଧରଣର ପଦକ୍ଷେପ ନେବାକୁ ଦାବି ।