Posts tagged Heritage

କାହିଁକି ପାଳନ ହୁଏ ଅକ୍ଷୟ ତୃତୀୟା

 କୃଷିପ୍ରଧାନ ରାଜ୍ୟ ଓଡ଼ିଶା । କୃଷି ହେଉଛି କୃଷକର ପରିଚୟ । ଓଡି଼ଶାରେ ଏହି ପବିତ୍ର ଦିନଠାରୁ ଆରମ୍ଭ ହୁଏ ଖରିଫ୍ ଫସଲ । ଏହିଦିନ ମାଟି ମାଆଙ୍କୁ ପୂଜାକରି କୃଷକମାନେ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି । ତେବେ କେବଳ କୃଷି ନୁହେଁ ବିଭିନ୍ନ ଦିଗରୁ ଅକ୍ଷୟ ତୃତୀୟାର ଗୁରୁତ୍ତ୍ୱ ଓ ମହାତ୍ମ୍ୟ ରହିଛି।

ଅଖିମୁଠି ଅନୁକୁଳ
 ଭଲ ଅମଳ ଆଶାରେ କୃଷକମାନେ ଅକ୍ଷୟ ତୃତୀୟାର ଅମୃତବେଳାରେ ତାଙ୍କର କ୍ଷେତରେ ହଳ ବୁଲାଇଥାନ୍ତି । ଅଖି ମୁଠିଭରା ଧାନ ବିହନକୁ ଗଉଣୀରୁ କାଢ଼ି ବିଲର ପ୍ରତ୍ୟେକଟି ଜାଗାରେ ପକାଇଥାନ୍ତି । ଏହିଦିନ ଚାଷକାର୍ଯ୍ୟ ଆରମ୍ଭ କଲେ ଭଲ ଅମଳ ହୁଏ ବୋଲି ବିଶ୍ୱାସ ରହିଛି । ପୁରାଣଶାସ୍ତ୍ର ଅନୁସାରେ ଏହିଦିନ ଶୁଭକର୍ମ ଅନୁଷ୍ଠିତ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ପ୍ରାଣୀ ଓ ଜୀବଜନ୍ତୁମାନଙ୍କର ପରିପାଳନ ନିମିତ୍ତ ପ୍ରଥମେ ମର୍ତ୍ତ୍ୟମଣ୍ଡଳରେ ଯବ ଶସ୍ୟ ଉତ୍ପାଦନ କରିଥିଲେ । ତେଣୁ ଏକ ବିଧି ରହିଛି, ଯିଏ ଅକ୍ଷୟ ତୃତୀୟା ଦିନ ଯବ ଶସ୍ୟରେ ପୁରୁଷୋତ୍ତମ ଶ୍ରୀ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ସହିତ ବିଭିନ୍ନପ୍ରକାର ପ୍ରାର୍ଥନା କରି ତାଙ୍କୁ ସନ୍ତୁଷ୍ଟ କରିଥାଏ ସେ ଅକ୍ଷୟଫଳ ଲାଭକରେ । ଏହିଦିନ ମଧ୍ୟ ପତିତପାବନୀ ଗଙ୍ଗାଙ୍କର ଆବିର୍ଭାବ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏହିଦିନ ରଥକାଠର ଅନୁକୂଳ ମଧ୍ୟ ହୋଇଥାଏ ।

କୁହାଯାଏ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଏହିଦିନ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ, ଯେଉଁ ଅକ୍ଷୟ ପାତ୍ର ଦ୍ୱାରା ସେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ । ଗୋଟିଏ କ୍ଷୁଦ୍ର ଅନ୍ନକଣିକା ରହିଯାଇଥିଲା ସେହି ଅନ୍ନକଣିକାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସେ ସମର୍ପଣ କରିଥିଲେ ସେତେବେଳେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟମଣ୍ଡଳୀଙ୍କର କ୍ଷୁଧା ମେଣ୍ଟିଯାଇଥିଲା । ସେଥିପାଇଁ  ଅକ୍ଷୟ ତୃତୀୟାର ମହାତ୍ମ୍ୟ ଢେର୍ ବେଶୀ ।