Posts tagged Ganesh Pooja

ଛଡ଼ା ଫୁଲରୁ ଧୂପ ତିଆରି କରିବ BMC

ଭୁବନେଶ୍ୱରରେ ଆରମ୍ଭ ହେବ ନୂଆ ଯୋଜନା। ଗଣେଶ ପୂଜାରୁ ଏକ ନୂଆ ପ୍ରୋସେସ ଆପଣେଇବ ଭୁବନେଶ୍ୱର ମହାନଗର ନିଗମ (BMC) । ପୂଜା ହେଇସାରିଥିବା ଫୁଲରୁ ତିଆରି ହେବ ଧୂପକାଠି । ବଳିଥିବା ପୂଜା ଦ୍ରବ୍ୟକୁ ସଂଗ୍ରହ କରି ଧୂପକାଠି ତିଆରି କରିବାକୁ ବଡ଼ ପଦକ୍ଷେପ ନେବ ଭୁବନେଶ୍ୱର ମହାନଗର ନିଗମ। ଠାକୁରଙ୍କ ପୂଜାରେ ଲାଗିବ ପୂଜା ହେଇସାରିଥିବା ଫୁଲ ଆଗକୁ ଗଣେଶ ପୂଜା ଆସୁଛି, ଭୁବନେଶ୍ୱରରେ ଧୁମଧାମରେ ଏ ପର୍ବ ପାଳନ ହେବ ଭୁବନେଶ୍ୱରର ଅନେକ ଜାଗାରେ ପୁଜା ହେଉଥିବାରୁ ବହୁତ ପରିମାଣରେ ପୁଜାଫୁଲ ସହ ଅନେକ ପୁଜା ଉପକରଣ ବଳିବ । ଯାହାକୁ ଫିଙ୍ଗି ନଦେଇ ସେଥିରୁ ପୂଜା ଉପକରଣ ତିଆରି କରାଯିବା ଭଳି ଅଭିନବ ପଦକ୍ଷେପ ନିଆଯିବ । ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ପରେ  ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିବା ସହ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ପରିବେଶର ସ୍ୱଚ୍ଛତା ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ  ଭୁବନେଶ୍ୱର ମହାନଗର ନିଗମ ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସଂଗୃହୀତ ବର୍ଜ୍ୟରୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦର ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ଏହି ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ।

କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବ ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ। ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ କରି ଧୁପ ତିଆରି କରାଯିବ। ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା ରହିଛିସାନିଟାରୀ ଷ୍ଟାଫ୍ ଏବଂ ଏନ୍. ଜି. ଓ. ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର  ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

ଏଥିପାଇଁ ବି ଏମ ସି ତରଫରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ବି  ଜାରି ହୋଇଛି ।୧୯୨୯ରେ କଲ୍ କରି ଏହି ସେବାର ଲାଭ ଉଠାଇପାରିବେ । ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥର ଗଣେଶ ପୂଜାରେ ଏମିତି କିଛି ନୂଆ ପ୍ରୟାସରେ ଯୋଡ଼ି ହୁଅନ୍ତୁ,ଭୁବନେଶ୍ୱରକୁ ଆହୁରି ସୁନ୍ଦର କରନ୍ତୁ।