Posts tagged CycloneArnab

ବାତ୍ୟାରେ OCS ପରୀକ୍ଷା : ରିସ୍କ ନେଇ ଝଟକା ଖାଇବେ କି ସରକାର ?

ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର 31 ତାରିଖରେ ଓଡ଼ିଶା ସିଭିଲ ସର୍ଭିସର ମେନ୍ ଏକଜାମ୍ କରିଛନ୍ତି ଏକ-ଜିଦିଆ ଓଡ଼ିଶା ସରକାର। OPSC ଦ୍ୱାରା ଆୟୋଜିତ Odisha Civil Services ପରୀକ୍ଷାରେ କୌଣସି କାଣ୍ଟଛାଟ ହେଲା ନାହିଁ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରୀକ୍ଷାର୍ଥୀଙ୍କର ସ୍ୱାର୍ଥକୁ  ଅଣଦେଖା କରାଯାଇଥିବା ଅଭିଯୋଗ। ନା’ କଂଗ୍ରେସ ସାଂସଦଙ୍କ ଦାବି ଶୁଣିଲେ, ନା’ ନିଜ ପାର୍ଟିର ଏମପିଙ୍କ କଥାକୁ ଗୁରୁତ୍ୱ ଦେଲେ ଓଡ଼ିଶାର ବିଜେପି ସରକାର। ବରଂ ପରୀକ୍ଷାର୍ଥୀଙ୍କର ନେବା-ଆଣିବା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରି କ୍ରେଡିଟ୍ ନେବାକୁ ଚେଷ୍ଟା କରୁଛନ୍ତି ମୋହନ ମାଝୀ ସରକାର। ସରକାରଙ୍କ ଏକ ଜିଦିଆ ଆଟିଚୁଡ୍ କଣ ପାଇଁ ? ଯେଉଁଠି ବିନା ହେଲିକପ୍ଟରରେ ବାତ୍ୟାର ସ୍ଥିତି ସମୀକ୍ଷା କରିବା ସମ୍ଭବ ହେଉନି। ସେଠି ପାଣିଭର୍ତ୍ତି ଅଞ୍ଚଳରୁ ପରୀକ୍ଷାର୍ଥୀ ଆସିବେ କେମିତି? ସରକାରଙ୍କ ହେଲ୍ପ-ଲାଇନ୍ ନମ୍ବର କେବଳ ଧର୍ମକୁ ଆଖିଠାର ନୁହେଁ ତ? କାରଣ ବାତ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରୁ ୩୨୫ଜଣ ଓଡ଼ିଶା ସିଭିଲ୍ ସର୍ଭିସର ମେନ୍ ଏକଜାମ୍ ଦେବାର ଥିଲା । ସେହିଭଳି ଗଜପତି, ରାୟଗଡ଼ା, କୋରାପୁଟ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ଭୂସ୍ଖଳନ ସହ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ସେହି ସବୁ ଜିଲ୍ଲାରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ। ପରିସ୍ଥିତି ଏମିତି ଯେ ଅନେକ ରାସ୍ତାଘାଟ ବିଚ୍ଛିନ୍ନ, ଟ୍ରେନ୍ ବସ୍ ସବୁ ବାତିଲ୍। ଭୟାନକ ପରିସ୍ଥିତିକୁ ଆଖିରେ ରଖି ବ୍ରହ୍ମପୁରର ବିଜେପି ସାଂସଦ ପ୍ରଦୀପ ପାଣୀଗ୍ରାହୀ ଏକ୍ଜାମ୍ ପୋଷ୍ଟପନ୍ କରିବାକୁ OPSCକୁ ସୋସିଆଲ ମିଡିଆ ମାଧ୍ୟମରେ ରିକ୍ୟୁଏଷ୍ଟ କଲେ।

ବିଜୁ ଜନତା ଦଳ ଏବଂ କଂଗ୍ରେସ ତରଫରୁ ମଧ୍ୟ ଏପରି ପରିସ୍ଥିତିରେ ପରୀକ୍ଷା ନ କରିବାକୁ ଦାବି କରାଗଲା । ଅନ୍ୟପଟେ ଯାତାୟାତ ଦାୟିତ୍ଵ ରାଜ୍ୟ ସରକାର ନେବେ କହି ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ନିଜ ନିଜ ବ୍ଳକର ବିଡିଓଙ୍କ ସହ କଣ୍ଟାକ୍ଟ କରିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କିନ୍ତୁ ବାତ୍ୟା ଯୋଗୁଁ ବହୁ ଟ୍ରେନ୍ ବାତିଲ ହେବା ସହ ବସ୍ ଚଳାଚଳ ମଧ୍ୟ ହୋଇପାରୁନି। ଅନେକ ଆଶାୟୀ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ନେଇ ଆଶଙ୍କାରେ ।ହେଲେ ସରକାରଙ୍କ ଏକା ଜିଦ୍, ଅକ୍ଟୋବର ୩୧ରୁ ନଭେମ୍ବର୭ ମଧ୍ୟରେ ଓସିଏସ୍ ମେନ୍ ପରୀକ୍ଷା ହେବ  । ଅପର ପକ୍ଷରେ ପରୀକ୍ଷା ନ କରିବାକୁ ଦାବି କରିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ଉକାକାଙ୍କର କହିବା କଥା ହେଲା, ବିନା ହେଲିକପ୍ଟରରେ ଯଦି ସରକାର ବାତ୍ୟାର ସ୍ଥିତି ସମୀକ୍ଷା କରି ପାରୁନାହାନ୍ତି ସେହି ସମୟରେ ପରୀକ୍ଷା ଦେବାକୁ କେମିତି ଆସିବେ ପରୀକ୍ଷାର୍ଥୀ? ପାଣିଭର୍ତ୍ତି ଅଞ୍ଚଳରୁ ପରୀକ୍ଷାର୍ଥୀଙ୍କୁ ଆଣିବାରେ ସରକାର ସଫଳ ହେଉଛନ୍ତି ନା’ ରିସ୍କ ନେଇ ଝଟକା ଖାଉଛନ୍ତି ?