Posts tagged Chandan Nayak

ମନିଷାଙ୍କୁ ତ ବିଦା କଲେ,ଆଉ ଏ ଲାଞ୍ଚୁଆ ବାବୁଙ୍କୁ…

ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ମନୀଷା ମିଶ୍ର। ଆଶା ଥିଲା ହୁଏତ ଅଫିସରଙ୍କ ଲାଞ୍ଚଖୋର ମନୋଭାବରେ ବ୍ରେକ୍ ଲାଗିବ। କିନ୍ତୁ ସେମିତି କଛି ବି ହେଲା ନାହିଁ। ଲାଞ୍ଚ ନନେବାକୁ ରାଜସ୍ୱ ବିଭାଗର ସଚିବ ଚିଠି ଲେଖି ସତର୍କ କଲାପରେ ବି ସମାନ ଅବସ୍ଥା। ଲାଞ୍ଚ ନେବାରେ ବ୍ରେକ୍ ଲାଗୁନି। କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ ନେଇ ତହସିଲଦାରଙ୍କ ସହ ଡ୍ରାଇଭର ମଧ୍ୟ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ସହ ଡ୍ରାଇଭର ପଙ୍କଜ ସିପ୍‌କାଙ୍କୁ ମଧ୍ୟ ଭିଜିଲାନ୍ସ ଧରିଛି। ଜମିର କିସମ ପରିବର୍ତ୍ତନ କରିବା ସହ ସଂଶୋଧିତ ରେକର୍ଡ ଅଫ୍ ରାଇଟ୍ସ (ROR) ବା ପଟ୍ଟା ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ଉଭୟେ ୧୨ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ନିଜ ପାଇଁ ୧୦ ହଜାର ଟଙ୍କା ଏବଂ ନିଜ ଡ୍ରାଇଭର ପଙ୍କଜ ସିପ୍‌କାଙ୍କ ପାଇଁ ଅତିରିକ୍ତ ୨ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏପଟେ ସାଧାରଣରେ ଚର୍ଚ୍ଚା, ଲାଞ୍ଚ ନେଇ ORS ମନୀଷା ବରଖାସ୍ତ ହେଲେ ଆଉ ଏ ବାବୁଙ୍କର ହେବ କ’ଣ? ମନୀଷାଙ୍କ ଭଳି ସିଧା ଚାକିରିରୁ ବିଦା ନା OAS ଅଶ୍ୱିନୀ କୁମାର ପଣ୍ଡାଙ୍କ ଭଳି କିଛିଦିନ ପାଇଁ ସସପେଣ୍ଡ କରିବେ ସରକାର। ନା IAS ଧିମନ ଚକମାଙ୍କ ଭଳି ମିଳିପାରେ ପ୍ରମୋସନ୍। ନା ଲାଇଭଷ୍ଟକ୍ ଇନସପେକ୍ଟର ବିଦ୍ୟାଭାରତୀଙ୍କ ଭଳି ଆରେେଷ୍ଟ ହେଲା ପରେ ବି ଚାକିରିରେ କେହି ହାତ ହିଁ ମାରିପାରିବେନି।

ଏମିତିରେ ତ ସରକାର ପଦକ୍ଷେପକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ଗ୍ରେଡ୍ ଦେଖି ନିଆଯାଉଛି ଷ୍ଟେପ୍। ବଡ଼ ଅଫିସର ହେଲେ ଲାଞ୍ଚ ପରେ ପ୍ରମୋସନ୍ ଆଉ ଛୋଟ ଅଫିସରଙ୍କୁ ଚାକିରିରୁ ବିଦା। ତେବେ OAS ଅଫିସରଙ୍କୁ ନେଇ ସରକାର ଟିକେ କୋହଳ ମନୋଭାବ ଦେଖାଉଛନ୍ତି। ଲାଞ୍ଚ ନେବା ଘଟଣାରେ OAS ଅଶ୍ୱିନୀ ପଣ୍ଡାଙ୍କୁ କେବଳ ସସପେଣ୍ଡ କରାଯାଇଛି । ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଥିବା ସମୟରେ 10000 ଟଙ୍କା ଲାଞ୍ଚ ନେବା ଅଭିଯୋଗରେ 2025 ସେପ୍ଟେମ୍ବର 16 ତାରିଖରୁ ସସପେଣ୍ଡ ହୋଇଛନ୍ତି ଅଶ୍ୱିନୀ। ମାତ୍ର, 7000 ଲାଞ୍ଚ ନେଇଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର୍ ORS ମନୀଷା ମିଶ୍ରଙ୍କୁ ସରକାର ଚାକିରିରୁ ବହିଷ୍କାର କଲେ, କିନ୍ତୁ 10 ଲକ୍ଷ ଲାଞ୍ଚ ନେଇଥିବା IAS ଅଫିସର ଧିମନ ଚକମାଙ୍କୁ ରେଭେନ୍ୟୁ ଡିପାର୍ଟମେଣ୍ଟର ଡେପୁଟି ସେକ୍ରେଟାରୀ ପଦରେ ନିଯୁକ୍ତି ଦେଲେ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପ-ଜିଲାପାଳ ଥିଲାବେଳେ IAS ଧୀମନ ଚକମା 10ଲକ୍ଷ ଟଙ୍କା ଲାଞ୍ଚ ନେଇ ଆରେଷ୍ଟ ହୋଇଥିଲେ। 2025 ଜୁନ 8 ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ି ଆରେଷ୍ଟ ହୋଇଥିବା ଧିମନଙ୍କୁ 2026 ମେ 21ରେ ପୁନଃନିଯୁକ୍ତି ଦେଇ ରେଭେନ୍ୟୁ ଡିପାର୍ଟମେଣ୍ଟର ଡେପୁଟି ସେକ୍ରେଟାରୀ କରିଛନ୍ତି। ତେବେ ଦେଖାଯାଉ ଲାଞ୍ଚ ନେଇ ଗିରଫ ହୋଇଥିବା ଏ ବାବୁ ଜଣଙ୍କ ମନିଷାଙ୍କ ପରି ବିଦା ହେଉଛନ୍ତି, ନା ଅଶ୍ୱିନୀ ପଣ୍ଡାଙ୍କ ପରି ସସପେଣ୍ଡ । ନା ଧିମାନ ଚକମାଙ୍କ ପରି ପାୱାରଫୁଲ ପ୍ରମୋସନ୍…