ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ତ ବିଜେପି ସରକାରକୁ ଟାର୍ଗେଟ କରୁଥିଲେ,ଏବେ କେନ୍ଦ୍ର ସରକାର ବି ଆଙ୍ଗୁଳି ଉଠେଇଲେଣି। ରାଜ୍ୟର ଆଇନ ଶୁଙ୍ଖଳା ପରିସ୍ଥିତିର ତଥ୍ୟ ଭିତ୍ତିକ ରିପୋର୍ଟ ଦେବାକୁ କେନ୍ଦ୍ର ଗୃହ ବିଭାଗ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଓଡ଼ିଶାର ହାଜତ ହିଂସା, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭଳି ମାମଲାରେ ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (NCBI) ପକ୍ଷରୁ କେନ୍ଦ୍ର ହୋମ୍ ଡିପାର୍ଟମେଣ୍ଟର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏ ବିଷୟରେ ଗତ ସେପ୍ଟେମ୍ବର ୧୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଜବାବ ମଗାଯାଇଛି । ତେବେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅତି ହାଲୁକା ଭାବେ ନେଉଥିଲା ଭଳି ମନେ ହେଉଛି । ନହେଲେ କେନ୍ଦ୍ର ଗୃହ ବିଭାଗ ଠାରୁ ଚିଠି ପାଇବାର ମାସକ ପରେ ଅର୍ଥାତ ଅକ୍ଟୋବର ୧୬ ତାରିଖରେ ତତ୍ପର ହୋଇନଥାନ୍ତେ ଓଡ଼ିଶା ପ୍ରଶାସନ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ତଥ୍ୟ ଭିତ୍ତିକ ରିପୋର୍ଟ ସଂଗ୍ରହ ପାଇଁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଗତ ଅକ୍ଟୋବର ୧୬ ତାରିଖରେ ରାଜ୍ୟର ଡିଜି ପୋଲିସଙ୍କୁ ଚିଠି ଲେଖିଲେ।

ଅନ୍ୟପଟେ 28 ମାସର ବିଜେପି ସରକାରରେ ଓଡ଼ିଶାରେ ଆଇନ ଶୃଙ୍ଖଳା ବିଗିଡିଛି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଗତ ମାର୍ଚ୍ଚ ମାସ 25 ତାରିଖରେ ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ବା White Paper ସ୍ପଷ୍ଟ କରିଛି ଯେ ଓଡ଼ିଶାରେ ଅପରାଧିକ ହାର ବୃଦ୍ଧି ପାଉଛି। 2024 ତୁଳନାରେ 2025 ମସିହାରେ ଓଡ଼ିଶାରେ ଅପରାଧିକ ହାର 7 ଦଶମିକ 3 ପ୍ରତିଶତ ବୃଦ୍ଧି ପାଇଛି । 2025 ମସିହାରେ ହତ୍ୟାକାଣ୍ଡ ହାର 3 ଦଶମିକ 6 ପ୍ରତିଶତ ବୃଦ୍ଧି ପାଇଛି। 2025ରେ 1304 ଜଣଙ୍କର ବିଭିନ୍ନ ହତ୍ୟାକାଣ୍ଡରେ ପ୍ରାଣ ଯାଇଛି । ଅର୍ଥାତ ପ୍ରତ୍ୟେକ ଦିନ 4 ଜଣ ଲୋକ ବିଭିନ୍ନ ହତ୍ୟାକାଣ୍ଡରେ ଜୀବନ ହରାଇଲେ ।ଏପରିକି 2026 ମସିହାରେ ମଧ୍ୟ ସମାନ ଅବସ୍ଥା। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ GRP କନେଷ୍ଟବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପୋଲିସ ସାମ୍ନାରେ ହତ୍ୟା, ଗଞ୍ଜାମ ଜିଲ୍ଲାରେ ସୁଧୀର ପାତ୍ରଙ୍କ କିଡନାପ ପରେ ହତ୍ୟା, କଣାସରେ ମୃତ୍ୟୁଞ୍ଜୟଙ୍କୁ ରାସ୍ତା ଉପରେ ପନିକିରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ ଭଳି ଅନେକ ଘଟଣା ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତିର ସତ ସାମ୍ନାକୁ ଆଣିଛି।ଗୋଟିଏ ପଟେ ରାଜ୍ୟରେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଅନ୍ୟପଟେ ପୋଲିସ ପ୍ରଶାସନରେ 33,000 କର୍ମଚାରୀ ପଦ ଫାଙ୍କା ପଡିଛି । ଅନ୍ୟପଟେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା, ଶିଳ୍ପ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହ ଇପିକଲ୍ ଦାୟିତ୍ୱରେ ଅଛନ୍ତି । କହିବାକୁ ଗଲେ ଓଡ଼ିଶାରେ ପୂର୍ଣ୍ଣକାଳୀନ ଗୃହ ସଚିବ ମଧ୍ୟ କେହି ନାହାଁନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ଆଇନ ଶୃଙ୍ଖଳା ବିଗିଡ଼ିବା ନେଇ କେନ୍ଦ୍ର ସରକାରଙ୍କୁ କି ଉତ୍ତର ଦେବେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ