Posts tagged ATM

ଓଡ଼ିଶାରୁ କମୁଛି ATM

ୟୁପିଆଇ ଯୁଗରେ ATMର ବ୍ୟବହାର କମୁଛି । ଅନଲାଇନ୍ ପେମେଣ୍ଟ ଯୋଗୁଁ ଲୋକ ATMକୁ ଗୁରୁତ୍ୱ ଦେଉନାହାନ୍ତି । ନଗଦ ବଦଳରେ ଡିଜିଟାଲ ପେମେଣ୍ଟକୁ ବେଶି ଗୁରୁତ୍ୱ ଦେବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ଗୋଟିଏ ପରେ ଗୋଟିଏ ATM ବନ୍ଦ କରୁଛନ୍ତି। ବର୍ଷେ ମଧ୍ୟରେ ଓଡ଼ିଶାରେ ବନ୍ଦ ହୋଇଛି ୭୧୬ଟି ATM ।୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ୬ ହଜାର ୨୫ଟିATM ଥିବାବେଳେ, ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା କମି ୫ ହଜାର ୩୦୯କୁ ଖସିଆସିଛି। ବର୍ଷକ ମଧ୍ୟରେ ଓଡ଼ିଶାରେ ୭୧୬ଟି ATM ବନ୍ଦ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ରୁରାଲ ଏରିଆ ଅପେକ୍ଷା ଅର୍ବାନ୍ ଏରିଆରେ ATM ବେଶୀ ବନ୍ଦ ହେଉଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୬୩ଟି ଏଟିଏମ୍ ବର୍ଷକ ଭିତରେ ବନ୍ଦ ହୋଇଛି। କ୍ୟାପିଟାଲ ଭୁବନେଶ୍ୱରର ଆକାଉଣ୍ଟ ହୋଲ୍ଡର ବି ଏ ଚିଠାରେ ଆସୁଛନ୍ତି । ରାଜଧାନୀରେ ବି କମୁଛି ATMର ବ୍ୟବହାର । ସେହିପରି ଓଡ଼ିଶାର  ପ୍ରମୁଖ ସହର କଟକରେ ବି ସମାନ ଅବସ୍ଥା । ବର୍ଷକରେ କଟକରେ ୫୮ ଟି ATM ବନ୍ଦ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ATMର ଆଦୌ ବ୍ୟବହାର ହେଉ ନଥିବାରୁ ବ୍ୟାଙ୍କକୁ ଏମିତି ନିଷ୍ପତ୍ତି ନେବାକୁ ପଡ଼ିଛି । ସୁନ୍ଦରଗଡ଼ରେ ୪୯, ବାଲେଶ୍ଵରରେ ୪୧, ଗଞ୍ଜାମରେ ୩୧, କେନ୍ଦୁଝରରେ ୩୦, ପୁରୀରେ ୨୩, ଅନୁଗୁଳରେ ୧୯ ଓ ବଲାଙ୍ଗୀରରେ ୧୬ଟି ATM ବନ୍ଦ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ କେବଳ ବୌଦ୍ଧକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ATM ସଂଖ୍ୟା କମିଛି। ଯାହାର ସର୍ବାଧିକ ପ୍ରଭାବ ପଡ଼ିଛି ଖୋର୍ଦ୍ଧା ଓ କଟକରେ।

ଡିଜିଟାଲ ପେମେଣ୍ଟ ବଢ଼ୁଥିଲେ ମଧ୍ୟ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଅନେକ ଲୋକ ଏବେ ବି ନଗଦ ଟଙ୍କା ପାଇଁ ଏଟିଏମ୍ ଉପରେ ନିର୍ଭରଶୀଳ। ଆନୁପାତିକ ଭାବରେ ଦେଖିବାକୁ ଗଲେ ରୁରାଲ ଏରିଆ ବା ଗ୍ରାମାଞ୍ଚଳରେ ଏବେ ବି ନଗଦ ଟଙ୍କା ପାଇଁ ATM ଉପରେ ଲୋକ ନିର୍ଭର କରୁଛନ୍ତି । ଗ୍ରାମାଞ୍ଚଳରେ ଏଟିଏମ ବ୍ୟବହାର ଉପରେ ଏତେଟା ପ୍ରଭାବ ପଡ଼ୁନାହିଁ ।  ତଥାପି ଓଡ଼ିଶାରେ ଦ୍ରୁତ ଗତିରେ ଏଟିଏମ୍ ସଂଖ୍ୟା ହ୍ରାସ ପାଉଛି । ତେବେ ପ୍ରଶ୍ନ ଉଠୁଛି  କାହିଁକି ଏଟିଏମ୍ ବନ୍ଦ କରୁଛନ୍ତି ବ୍ୟାଙ୍କ । ଏକ୍ସପର୍ଟଙ୍କ ମତରେ , ୟୁପିଆଇ ଓ ଡିଜିଟାଲ ପେମେଣ୍ଟର ବଢ଼ୁଥିବା ବ୍ୟବହାର, ଏଟିଏମ୍‌ର କମ୍ ବ୍ୟବହାର ଏବଂ ପରିଚାଳନା ଖର୍ଚ୍ଚ ବଢ଼ିବା ହିଁ ଏହାର ପ୍ରମୁଖ କାରଣ। ଗୋଟାଏ ପଟେATM ସଂଖ୍ୟା କମୁଥିବା ବେଳେ, ଅନ୍ୟପଟେ ବ୍ୟାଙ୍କ  ବ୍ରାଞ୍ଚ ବଢ଼ୁଛି।  ୨୦୨୫ରେ  ଓଡ଼ିଶାରେ ୫ ହଜାର ୮୦୭ଟି ବ୍ୟାଙ୍କ ଶାଖା ଥିବାବେଳେ, ବର୍ଷକ ମଧ୍ୟରେ ୧୭୬ଟି ନୂଆ ଶାଖା ଯୋଡ଼ି ଏହା ୫ ହଜାର ୯୮୩କୁ ପହଞ୍ଚିଛି। ଏଭଳି ସମୟରେ ବର୍ଷକ ମଧ୍ୟରେ ୭୧୬ଟି ଏଟିଏମ୍ ବନ୍ଦ ହେବା ବ୍ୟାଙ୍କିଙ୍ଗ ସେବାର ଉପଲବ୍ଧତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।