ଇଂରାଜୀରେ କୁହାଯାଏ କୁଇଡ୍ ପ୍ରୋ କୋ, ଯାହାର ଅର୍ଥ ହେଲା ନେଣଦେଣ। ଅର୍ଥାତ କିଛି ଦେଲେ, କିଛି ମିଳେ । ମୋହନ ମାଝୀ ସରକାରଙ୍କ ବିରୁଦ୍ଧରେ ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି । ଓଡ଼ିଶାରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ ଏକ ବୁଝାମଣାପତ୍ର ବା MOU ସ୍ୱାକ୍ଷର ହୋଇଛି । ଅଭିଯୋଗ ଆସିଛି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀ ଜଡିତ ଥିବା ସଂସ୍ଥା ବିରୋଧରେ। ଯେଉଁ ଏନ୍ଜିଓ ସହ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀ ଜଡ଼ିତ ସେହି ସଂସ୍ଥା ସହ ଓଡ଼ିଶା ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବା କେତେ ଯୁକ୍ତିସଂଗତ ? କ’ଣ ପାଇଁ ଦ କନଭର୍ଜେନ୍ସ ଫାଉଣ୍ଡେସନ TCF ସହ MOU ସ୍ୱାକ୍ଷରିତ ହୋଇଛି ? ଯେଉଁ ସଂସ୍ଥା ସହ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀଙ୍କ ସମ୍ପର୍କ ଅଛି ସେହି ସଂସ୍ଥା ସହ ରାଜିନାମା ବିବାଦ ସୃଷ୍ଟି କରିବ ନାହିଁ କି ?

କୃଷି ଉତ୍ପାଦନ ବୃଦ୍ଧି, ଜୀବିକାରେ ଉନ୍ନତି ଏବଂ ମହିଳାଙ୍କୁ ପାଇଁ ନିରନ୍ତର ନିଯୁକ୍ତି ମିଳିବା ଲକ୍ଷ୍ୟରେ ଗତ ଫେବ୍ରୁଆରୀ 13 ତାରିଖରେ MOU ସ୍ୱାକ୍ଷର ହେଲା। ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, TCFର ଆଶିଷ ଧାଓ୍ୱନଙ୍କ ଉପସ୍ଥିତିରେ ଓଡ଼ିଶା ସରକାର,TCF ସହ MOU ସ୍ୱ।କ୍ଷର ହେଲା। ରାଜ୍ୟର ବିକାଶ ଏବଂ ନିଯୁକ୍ତି ବୃଦ୍ଧି ଦିଗରେ TCF ଉପାଦେୟ ସମର୍ଥନ ଯୋଗାଇ ଦେବ ବୋଲି କୁହାଗଲା। କିନ୍ତୁ ବିବାଦର ବିନ୍ଦୁଟି ହେଲା, TCF ଏବଂ ଦ ଉଦଇତି ଫାଉଣ୍ଡେସନ୍ ପରସ୍ପର ସହ ଜଡ଼ିତ । TCFର ଏକ ଶାଖା ହେଉଛି ଦ ଉଦଇତି । ମହିଳାଙ୍କ ଆର୍ଥିକ ସଶକ୍ତି କରଣରେ କାର୍ଯ୍ୟ କରୁଥିବା ଦ ଉଦଇତି ସଂସ୍ଥାର ପରାମର୍ଶଦାତା ବୋର୍ଡର ସଦସ୍ୟା ହେଲେ ଆରତୀ ଆହୂଜା। ଆରତୀ ହେଉଛନ୍ତି ଭାରତ ସରକାରଙ୍କ ପୂର୍ବତନ ଶ୍ରମ ଓ ନିଯୁକ୍ତି ସଚିବ। କିନ୍ତୁ ଆରତୀଙ୍କ ବଡ଼ ପରିଚୟ ହେଲା ସେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସ୍ତ୍ରୀ ।

ଦ ଉଦଇତି ୱେବ୍ସାଇଟ୍ରେ ଉଲ୍ଲେଖ ଅଛି ଯେ ଏହି ସଂସ୍ଥାଟି ଓଡ଼ିଶା ସରକାରଙ୍କ ସହିତ କାର୍ଯ୍ୟ କରୁଛି। ମହିଳା ନିଯୁକ୍ତି ସଶକ୍ତି କରଣ ବ୍ୟାପାରରେ ମହାରାଷ୍ଟ୍ର, ଓଡ଼ିଶା ଏବଂ ଉତ୍ତର ପ୍ରଦେଶଙ୍କ ସହ କାର୍ଯ୍ୟ କରୁଛି ଦ ଉଦଇତି । TCF ଓ ଦ ଉଦଇତି ଅଭିନ୍ନ। ନୀତି ଓ ନିୟତ ଠିକ ନରହିଲେ ବିବାଦ ସୃଷ୍ଟି ହେବ। ଆଉ ମୁଖ୍ୟ ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଅଡୁଆରେ ପଡ଼ି ପାରନ୍ତି।