ପୂରଣ ହେଉନି ପୃଥ୍ୱୀରାଜଙ୍କ ପ୍ରତିଶ୍ରୁତି, କେବେ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୂର୍ବ ସରକାରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରହସନ ହେଇଥିଲା ବେଳେ ବିଜେପି ସରକାରରେ ବି କିଛି କମ୍ ପ୍ରହସନ ହେଇନି । ରଥଯାତ୍ରାରେ ବଳଭଦ୍ରଙ୍କ ବିଗ୍ରହ ଖସି ପଡ଼ିବା ସହ ଚଳିତ ବର୍ଷ ରଥଯାତ୍ରାରେ ଦଳଚକଟାରେ ଭକ୍ତଙ୍କ ମୃତ୍ୟୁର କଳଙ୍କ ଲାଗିଛି । ଯଦିଓ ସରକାରକୁ ଆସିବା ପରେ ପ୍ରାଥମିକତା ଦେଇ ଚାରିଦ୍ୱାର ଖୋଲିବାର କାମ ବିଜେପି ସରକାର କରିଛି କିନ୍ତୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହୋଇପାରୁନି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ନା କାମ ସରୁଛି, ନା ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଦର୍ଶନ କରିବାକୁ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରୁଛନ୍ତି।

ଆଗକୁ କାର୍ତ୍ତିକ ମାସ ଆସୁଛି, ଏ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଗହଳି ହେବ । ତେବେ ଏ ସମସ୍ୟାର ସମାଧାନ ପାଇଁ  କେବେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ସେନେଇ ପ୍ରଶ୍ନ ଉଠୁଛି। କାର୍ତ୍ତିକ ମାସରେ  ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଦର୍ଶନ ହୋଇପାରିଲା ନାହିଁ । ଜାନୁଆରିରୁ ପୁରୀରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । 7 ମାସ ବିତିଯାଇଥିଲେ ବି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେଇପାରିଲାନି । ଜାନୁଆରି ସରି ସେପ୍ଟେମ୍ବର ହେବାକୁ ବସିଲାଣି, ତଥାପି ଧାଡ଼ି ବ୍ୟବସ୍ଥା ହୋଇପାରିଲାନି । ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ କୁହାଯାଉଥିଲା। ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ।  ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ। କିନ୍ତୁ ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯଦିଓ ସେପ୍ଟେମ୍ବର 15 ସୁଦ୍ଧା ଧାଡ଼ି ଦର୍ଶନର ବ୍ୟବସ୍ଥା ହେବା କଥା କୁହାଯାଉଛି ।ତଥାପି ପୁର୍ବ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଏ କଥା ମଧ୍ୟ ଭରସାଯୋଗ୍ୟ ନୁହେଁ । ଭିତର ଦର୍ଶନରେ ସମସ୍ୟା ଯୋଗୁଁ ଭକ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ତେବେ କେବେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ବ୍ୟବସ୍ଥା ଲାଗୁ ହେଉଛି ଏବଂ ଦେଇଥିବା କଥାକୁ ସରକାର କେବେ ପୂରଣ କରୁଛନ୍ତି ତାକୁ ହିଁ ଅପେକ୍ଷା  ।

 

Visited 5 times, 1 visit(s) today
Share this post

Leave A Comment

Your email address will not be published. Required fields are marked *