ପାକିସ୍ତାନର ଭରସା, ଚୀନର ଡୁପ୍ଲିକେଟ ଅସ୍ତ୍ର

ଠକିଗଲା ପାକିସ୍ତାନ। ଚୀନ୍ ସହ ବନ୍ଧୁତା କରି ଯୁଦ୍ଧ କ୍ଷେତ୍ରରେ ଧୋକା ଖାଇଛି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଭାରତକୁ ସାମ୍ନା କରିବାକୁ ପ୍ରୟୋଗ କରୁଥିବା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାକୁ ଖୁବ୍ କମ୍ ସମୟ ଲାଗୁଛି।  ପାକିସ୍ତାନକୁ ତା ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ କରାଯାଇଛି। ଏହି ଘଟଣା ପାକିସ୍ତାନର ସାମରିକ କ୍ଷମତା ଏବଂ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପାକିସ୍ତାନ ଚାଇନା ନିର୍ମିତ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ଜମ୍ମୁ, ପଠାନକୋଟ, ଚଣ୍ଡୀଗଡ଼ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣର ଚେଷ୍ଟା କରିଥିଲା। କିନ୍ତୁ ଭାରତର ଅତ୍ୟାଧୁନିକ S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ DRDO ଦ୍ୱାରା ବିକଶିତ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି ଏହି ସମସ୍ତ ଡ୍ରୋନ ଏବଂ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଛି।

ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଏହି ଡ୍ରୋନଗୁଡ଼ିକ ଅତ୍ୟନ୍ତ ଉନ୍ନତ ଏବଂ ଉଚ୍ଚ ଶକ୍ତିସମ୍ପନ୍ନ ଥିଲା ବୋଲି ଦାବି କରାଯାଉଥିଲେ ବି ଅସଲରେ ଏସବୁ ଡୁପ୍ଲିକେଟ। ଭାରତର ରାଡାର ସିଷ୍ଟମ ଏବଂ ଇନଟରସେପ୍ଟର ମିସାଇଲ ଏହାକୁ ସହଜରେ ଚିହ୍ନଟ କରି ନଷ୍ଟ କରିଦେଇଛି। ଏହି ଘଟଣା ପାକିସ୍ତାନକୁ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତାର ଏକ ବଡ଼ ଝଟକା ଦେଇଛି।ଏହି ଘଟଣା ଚାଇନା-ପାକିସ୍ତାନ ବନ୍ଧୁତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଚାଇନାର ଟେକ୍ନୋଲୋଜି ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆଗରେ ଫେଲ୍ ମାରିବା ପାକିସ୍ତାନକୁ ଏକ ବଡ଼ ଧୋକା ବୋଲି କୁହାଯାଉଛି ।

ଯୁଦ୍ଧ ପାଇଁ IPL ସ୍ଥଗିତ

ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇକୁ ନେଇ ଅନେକ କିଛି ପରିବର୍ତ୍ତନ ଘଟୁଛି। ଭାରତର ଅତର୍କିତ ଆକ୍ରମଣରେ ଛାନିଆ ପାକିସ୍ତାନ। ଯଦିଓ ଭାରତର ସାମର୍ଥ୍ୟ ଆଗରେ ପାକିସ୍ତାନର ସତ୍ତା ନାହିଁ, ତଥାପି ପାଲଟା ଆକ୍ରମଣର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଏ ସବୁ ପରିସ୍ଥିତିକୁ ଅନୁଧ୍ୟାନ କରି  IPL ସିଜିନ 18 ବନ୍ଦ ହୋଇଛି। ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର IPL ୨୦୨୫ ଉପରେ BCCI ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ବାହାର ଦେଶର ପ୍ଲେୟର ନିଜ ଦେଶକୁ  ଫେରିବାକୁ ଚାହୁଁଛନ୍ତି। BCCI ବିଦେଶୀ ଖେଳାଳିମାନଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ପ୍ରାଥମିକତା ଦେଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବୁଧବାର ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚକୁ ମଝିରେ ବାତିଲ କରାଯାଇଥିଲା। ଏହା ସହିତ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମକୁ ଖାଲି କରାଯାଇଥିଲା। ଖେଳାଳିମାନଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଯାଇଛି। ଖେଳାଳି ଏବଂ ସହାୟକ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଆଣିବା ପାଇଁ BCCI ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା କରିଛି।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, ସେଥିପାଇଁ ଆମେ ମେ ୮ତାରିଖର ମ୍ୟାଚ୍ ବାତିଲ କରିଛୁ । ପଡ଼ୋଶୀ ଦେଶ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚେଷ୍ଟା କରୁଛି । ଖେଳାଳି, ଦର୍ଶକ ଏବଂ ସହାୟକ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା । ଆମେ ଜାତିର ସର୍ବୋତ୍ତମ ସ୍ୱାର୍ଥ ପାଇଁ  ନିଷ୍ପତ୍ତି ନେଇଛୁ।’’

 

୪୮ ଘଣ୍ଟାରେ ଶେଷ ହେଇଯିବ ପାକିସ୍ତାନ

ପହେଲଗାମ ଆକ୍ରମଣର ପ୍ରତିଶୋଧ ନବାକୁ ଯାଇ ଅପରେସନ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତ। 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରି ହାସଲ କରିଛି ବଡ଼ ସଫଳତା । ଏ ସବୁକୁ ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ହସ୍ତଗତ ହେଉଥିଲା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ଯୁଦ୍ଧ ହେବାର 48 ଘଣ୍ଟା ଭିତରେ ପାକିସ୍ତାନ ମାଟିରେ ମିଶିଯିବ ବୋଲି କହିଛନ୍ତି ଜୟନାରାୟଣ ।

ପାକିସ୍ତାନ ପାଗଳ ହେଇ ଗଲାଣି
ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ଶକ୍ତି ଓ ସାମର୍ଥ୍ୟକୁ ନେଇ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ । ପାକିସ୍ତାନକୁ ନଙ୍ଗା ଭୁଖାର ଦେଶ ବୋଲି କହି ଯୁଦ୍ଧ କରିବାକୁ ସେ ଅକ୍ଷମ ବୋଲି ଉପହାସ ବି କରିଛନ୍ତି । ଏଥିସହିତ ପାକିସ୍ତାନ ପାଗଳ ହୋଇଗଲାଣି ବୋଲି ବି କହିଛନ୍ତି । ଚାଇନା ବଳରେ ସେ ଯେତେ ଡେଇଁଲେ ବି ଦୁର୍ବଳ । ଯୁଦ୍ଧ ହେଲେ 48 ଘଣ୍ଟା ଭିତରେ ପୃଥିବୀପୃଷ୍ଠରୁ ପାକିସ୍ତାନ ଲୋପ ପାଇଯିବ। ଭୂଗୋଳରୁ ହଟିକି ଇତିହାସକୁ ପଳେଇବ। ୪୮ ଘଣ୍ଟା ବି ତିଷ୍ଠିବନି।
ତାଙ୍କର ସୈନ୍ୟ ବାହିନୀକୁ ଆମେ ମାରିନୁ, ଉଗ୍ର ପନ୍ଥୀଙ୍କୁ ମାରିଛୁ ସେ ଆମର ସାଧାରଣ ଲୋକଙ୍କୁ ମାରିଛନ୍ତି । ବିମାନ ତ ଯାଇନି,କୋଉ ଯୁଦ୍ଧ ବିମାନ ସେ ଖସେଇଛନ୍ତି କୁହନ୍ତୁ ବୋଲି କହି ମିଛୁଆ ପାକିସ୍ତାନ ମୁଖ୍ୟଙ୍କୁ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ ।

ଅପରେସନ ସିନ୍ଦୂର, କିଏ ଦେଇଥିଲା ଆତଙ୍କିଙ୍କ ଠିକଣା

ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଆକ୍ରମଣ କରି ପାକିସ୍ତାନ ଏବଂ ପିଓକେରେ 9ଟି ଆତଙ୍କବାଦୀ ଆଡ୍ଡା ନଷ୍ଟ କରିବା ସହ ପ୍ରାୟ ୮୦ ରୁ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ହୋଇଛି।ପହେଲଗାମ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କିଙ୍କ ଆଡ୍ଡା ନଷ୍ଟ ହୋଇଛି ।ତେବେ  ଏହାରି ମଧ୍ୟରେ, ଏହା ମଧ୍ୟ ଜଣାପଡିଛି ଯେ, ଭାରତ ଆତଙ୍କବାଦୀଙ୍କ ବିଷୟରେ ଏତେ ସଠିକ୍ ସୂଚନା କିପରି ପାଇଲା।

ଆତଙ୍କି ଆଡ୍ଡାକୁ ଧ୍ୱଂସ କରିବା ପଛରେ National Technical Research Organisation (NTRO)ର ପ୍ରମୁଖ ଭୂମିକା ରହିଛି । ପାକିସ୍ତାନ ଏବଂ PoKରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟ୍ରାକ୍ କରିଥିଲା NTRO । ଗୁଇନ୍ଦା ସଂସ୍ଥା NTRO ନିଜେ ଭାରତକୁ ଆତଙ୍କବାଦୀଙ୍କ ବିଷୟରେ ନିଶ୍ଚିତ ସୂଚନା ଦେଇଥିଲା। ଭାରତର ଏହି ଆକ୍ରମଣରେ ଶୀର୍ଷ ଆତଙ୍କବାଦୀ କମାଣ୍ଡରମାନେ ନିହତ ହେବାର ସମ୍ଭାବନା ରହିଛି। NTRO ହେଉଛି ଭାରତର ଏକ ବୈଷୟିକ ଗୁଇନ୍ଦା ସଂସ୍ଥା, ଯାହା 2004 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ବ୍ୟବହାର ଭାରତର ଜାତୀୟ ସୁରକ୍ଷା ପାଇଁ, ବିଶେଷକରି ଆତଙ୍କବାଦ, ସାଇବର ଆକ୍ରମଣ ଏବଂ ସୀମାପାର ବିପଦର ମୁକାବିଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆତଙ୍କବାଦୀଙ୍କୁ ଠାବ କରିବାରେ NTRO ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ବ୍ୟବହାରରେ NTRO ଆତଙ୍କି ଠାବରେ ସଫଳ ହୋଇଛି ।

ରୋହିତଙ୍କ ଅବସର ପଛରେ କିଏ?

ଆଉ ଧଳା ଡ୍ରେସରେ ନଜର ଆସିବେନି ସଫଳ କ୍ୟାପ୍ଟେନ୍ । ଅଧିନାୟକ ଭାବେ ଟେଷ୍ଟ ଫର୍ମାଟରୁ ବିଦାୟ ନେଇଛନ୍ତି ହିଟ୍‌ମ୍ୟାନ୍ ରୋହିତ ଶର୍ମା । ୩୮ ବର୍ଷ ବୟସରେ କରିଛନ୍ତି ଟେଷ୍ଟକୁ ଅଲବିଦା । ରୋହିତଙ୍କ ଫ୍ୟାନ୍ସ ଏ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ନାହାନ୍ତି । ତେବେ ବହୁତ ଭଲ ରେକର୍ଡ ଥାଇ ରୋହିତ ଶର୍ମା କାହିଁକି କ୍ୟାପ୍ଟେନସିପ୍ ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା । 
                             ଟେଷ୍ଟରେ ରୋହିତ ଶର୍ମା ଟ୍ରାକ୍ ରେକର୍ଡ ଯଦିଓ ବେଶ୍‌ ଭଲ ରହିଥିଲା । କିନ୍ତୁ କିଛି ଦିନ ହେଲା ଫର୍ମକୁ ନେଇ ସେ ସଂଘର୍ଷ କରୁଥିଲେ । ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ BCCI କାଳେ ଟେଷ୍ଟ ଫର୍ମାଟରେ ନେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । ସେହି କାରଣରୁ ହୁଏତ ହଠାତ୍ ଟେଷ୍ଟରୁ ଅବସର ନେଇଥାଇପାରନ୍ତି ରୋହିତ ।

ଟେଷ୍ଟ ରେକର୍ଡ
ଭାରତ ପାଇଁ ମୋଟ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ଶର୍ମା ୪୦.୫୭ ହାରରେ ମୋଟ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ୍ । ଏହା ଛଡା ଗୋଟିଏ ଓ୍ୱିକେଟ ବି ନେଇଛନ୍ତି । ରୋହିତ ମୋଟ ୧୫୯ଟି T-20 ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ମୋଟ ୪୨୩୧ ରନ୍ କରିଛନ୍ତି । ଆଉ ଏହି ରନ୍ ମଧ୍ୟରେ ୫ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ରହିଛି । ଟି୨୦ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୨୧ ରନ୍ । ଓ୍ୱାନଡେରେ ହିଟମ୍ୟାନ୍‌ଙ୍କ ସର୍ବାଧିକ ସ୍କୋର ହେଉଛି ୨୬୪ ରନ୍ । ଯାହାକି ଏବେ ବି କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି ।