AI ୟୁନିଭରସିଟି ପାଇଁ ଚର୍ଚ୍ଚାରେ ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶର ଉନ୍ନାଓରେ ଭାରତର ପ୍ରଥମ ବେସରକାରୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ସମନ୍ୱିତ ବହୁ-ବିଷୟକ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ ହୋଇଛି। ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା AI ୟୁନିଭରସିଟି ପ୍ରତିଷ୍ଠା ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିଛନ୍ତି । ରାଜ୍ୟରେ ଶିକ୍ଷା, ସୁରକ୍ଷା, କୃଷି, ପ୍ରଶାସନ ଏବଂ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ କାର୍ଯ୍ୟକାରୀ କରିବାକୁ ଏଭଳି ନିଆରା ୟୁନିଭରସିଟି ସ୍ଥାପନ କରାଯାଇଛି। ରାଜ୍ୟରେ ବୈଷୟିକ କୌଶଳର ବିକାଶକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏ ୟୁନିଭରସିଟି ପ୍ରତିଷ୍ଠା ହୋଇଛି । ଏଥିପାଇଁ ସରକାର “AI ପ୍ରଜ୍ଞା” ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ବ୍ୟବହାରରେ ଶିକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ଯାଉଛନ୍ତି ଉତ୍ତରପ୍ରଦେଶ ସରକାର।

“AI ପ୍ରଜ୍ଞା” ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ପ୍ରଶିକ୍ଷିତ କରିବା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁବକ, ଶିକ୍ଷକ, ଗ୍ରାମର ମୁଖିଆ, ସରକାରୀ କର୍ମଚାରୀ ଏବଂ କୃଷକମାନଙ୍କୁ ସାମିଲ କରାଯିବ। ଏହି ପ୍ରଶିକ୍ଷଣ ମାଇକ୍ରୋସଫ୍ଟ, ଇଣ୍ଟେଲ, ଗୁଗଲ୍ ଏବଂ ଗୁଭି ଭଳି ପ୍ରମୁଖ କମ୍ପାନିଗୁଡ଼ିକର ସହଭାଗିତାରେ ପ୍ରଦାନ କରାଯିବ। ପ୍ରତି ମାସରେ ୧.୫ ଲକ୍ଷ ଲୋକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। କେବଳ ଶିକ୍ଷା ନୁହେଁ କୃଷି କ୍ଷେତ୍ରରେ ମଧ୍ୟ AIର ପ୍ରୟୋଗ କରିବ ଉତ୍ତରପ୍ରଦେଶ। ୱାର୍ଲ୍ଡ ବ୍ୟାଙ୍କ ସହାୟତାରେ ୪,୦୦୦ କୋଟି ଟଙ୍କାର ୟୁପି-ଏଗ୍ରିସ୍ ପରିଯୋଜନା ମାଧ୍ୟମରେ ୧୦ ଲକ୍ଷ କୃଷକଙ୍କୁ AI-ଆଧାରିତ ସମାଧାନ ଯୋଗାଇ ଦିଆଯାଉଛି। ଏଥିରେ ସ୍ମାର୍ଟ ଜଳସେଚନ ପ୍ରଣାଳୀ, ଡ୍ରୋନ୍-ଆଧାରିତ ଜମି ମାନଚିତ୍ର ଏବଂ କୀଟ ଚିହ୍ନଟ ଉପକରଣ ଭଳି ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ହୋଇଛି। ଏହି ପ୍ରକଳ୍ପ ୧୦,୦୦୦ ମହିଳା ଗୋଷ୍ଠୀଙ୍କୁ ସଂଯୁକ୍ତ କରିବା ସହିତ ଏବଂ କୃଷକ-ଉତ୍ପାଦକ ସଂଗଠନଗୁଡ଼ିକୁ ଡିଜିଟାଲ୍ ବଜାର ସହ ଯୋଡ଼ିବାରେ ସାହାଯ୍ୟ କରୁଛି।