Category News

ବଡ଼ଦାଣ୍ଡରେ ମଦ ମନା

  • ବନ୍ଦ ହେବ ମଦ ହୋମ ଡେଲିଭରି
  • ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଖୋଲା ରହିବ ନାହିଁ 
  • ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ନୂଆ ଅବକାରୀ ନୀତି ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି।ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି। ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ।
  • ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି ହେବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ।
  • IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ବଢିଛି। ଏକ ମୁଖ୍ୟ ସଂରଚନାତ୍ମକ ସଂଶୋଧନ ଭାବେ Minimum Guaranteed Quantity (MGQ) ପ୍ରଣାଳୀରୁ Minimum Guaranteed Excise Revenue (MGER) ପ୍ରଣାଳୀକୁ ଆଣାଯାଇଛି। ସରକାରୀ ରାଜସ୍ୱ ସୁରକ୍ଷିତ ହେବା ସହିତ ବ୍ୟବସାୟୀ ମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ ।
  • ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂତନ OFF, CL କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ। ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ON ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ, କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍‌ ଓ କ୍ଲବ୍‌ରେ ଛାଡ଼ ରହିବ ।
  • ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ‌ଞ୍ଚାଇବାକୁ ଅନୁମତି ଦିଆଯିବ ନାହିଁ। Out-Still (OS) ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନ‌ତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
  • FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ । ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ସରକାର ENA ଗତିବିଧ‌ି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ Track & Trace ପ୍ରଣାଳୀ ପ୍ରବର୍ତନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି ।
  • ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ Iଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନ‌ତ କରାଯିବ।

୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଗଣତି

୪୮ ବର୍ଷ ପରେ କାଳିଆ ସାଆନ୍ତଙ୍କ ରତ୍ନର ହିସାବ ହେଉଛି। ୧୯୭୮ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲିକି ରତ୍ନର ହିସାବ ହୋଇଥିଲା । ସେତେବେଳେ ଆଇନମନ୍ତ୍ରୀ ଥିଲେ ବିଶ୍ୱଭୁଷଣ ହରିଚନ୍ଦନ ଏବେ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ସମାନ ଦାୟିତ୍ୱରେ। ୧୯୭୮ ମସିହା ମେ ୧୩ରୁ ଜୁଲାଇ ୨୩ ଯାଏଁ ୭୨ ଦିନ ଲାଗିଥିଲା । ଆଜିଠୁ ଗଣତି ଆରମ୍ଭ ହେଇଛି। ୧୯୭୮ରେ ଥିଲା ୧୨,୮୩୮ ଭରି ସୁନା, ରତ୍ନଖଚିତ ଅଳଙ୍କାର ଥିଲା । ୪୮ ବର୍ଷ ଭିତରେ ବିଭିନ୍ନ ଭକ୍ତଙ୍କ ଦ୍ୱାରା ବିଭିନ୍ନ ସମୟରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଳଙ୍କାର ଦିଆଯାଇଛି । ଏଥର ମାତ୍ରା ଅଧିକ ଥିବ ବୋଲି ଆଶା କରାଯାଉଛି ।

ଏଥର ସୁପରଭାଇଜିଂ ଟିମ୍‌ ଓ ହାଣ୍ଡେଲିଂ ଟିମର ସମସ୍ତ ସଦସ୍ୟ ରହିଛନ୍ତି। ସୁପରଭାଇଜିଂ ଟିମ୍‌ର ଅଧ୍ୟକ୍ଷ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ଅଛନ୍ତି, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ସଦସ୍ୟ ଓ ଜଣେ ସେବାୟତ ଏଥିରେ ଅଛନ୍ତି। ହ୍ୟାଣ୍ଡଲିଂ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ରତ୍ନବିଜ୍ଞାନୀ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଉପସ୍ଥିତ  ଅଛନ୍ତି । ତେବେ କେବଳ ଗଣା ଯିବ ମୁଲ୍ୟାଙ୍କନ କରାଯିବ ନାହିଁ ।
୧୯୭୮ ମସିହାର ତାଲିକା ସହ ମେଳକ ହେବ। ରତ୍ନଭଣ୍ଡାରରେ କ‘ଣ ରତ୍ନ ଅଛି, ଏ କଥା ଜାଣିବାକୁ ଭକ୍ତଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି। ଆଗରୁ ଭାରତ ବର୍ଷର ବିଭିନ୍ନ ଅଞ୍ଚଳର ରାଜା, ମହାରାଜା, ଜମିଦାର ମହାପ୍ରଭୁଙ୍କୁ ବହୁ ଅଳଙ୍କାର ଦେିଛନ୍ତି ଏବେବି ଅନେକ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ରୁପା ଦାନ କରନ୍ତି।ଏ ସବୁର ହିସାବ ସାମ୍ନାକୁ ଆସିବ ।
୧୯୭୮ ମସିହାରେ ଥିଲା ୪୫୪ ପ୍ରକାର ଅଳଙ୍କାର ଥିଲା
ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ରାଜା ଦିବ୍ୟସିଂହ ଦେବ, ଡ. ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନଗୋ ଆଦି ଉପସ୍ଥିତ ଥିଲେ ।ସେତେବେଳେ ମୋଟ୍ ୪୫୪ ପ୍ରକାରର ସୁନା ଅଳଙ୍କାର ଥିଲା। ଯାହାର ଓଜନ ଥିଲା ୧୨,୮୩୮ ଭରି ୧ ଅଣା। ୨୯୩ ପ୍ରକାରର ରୁପା ସାମଗ୍ରୀ ଭଳିଥିଲା। ଯାହାର ଓଜନ ଥିଲା ୨୨,୧୫୩ ଭରି।
ଭିତର ଅଳଙ୍କାର
ଏ ତାଲିକାରେ ୩୫୭ ପ୍ରକାରର ସୁନା ଅଳଙ୍କାର ଥିଲା ଯାହାର ଓଜନ ଥିଲା ୪୩୬୪ ଭରି । ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ।

ବାହାର ଭଣ୍ଡାର ଅଳଙ୍କାର
୭୯ ପ୍ରଚାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୮୧୭୫ ଭରି, ୪୬୭୧ ଭରି ଓଜନର ୩୯୯ ପ୍ରକାରର ରୁପା ଅଳଙ୍କାର ଥିଲା । ଦୈନନ୍ଦିନ ନୀତି ପାଇଁ ୮ ପ୍ରକାରର ସୁନା ଅଳଙ୍କାର ଏହାର ଓଜନ ଥିଲା ୨୫୯ ଭରି ୧ ଅଣା ୨୩ ପ୍ରକାରର ରୁପା ସାମଗ୍ରୀ ରହିଥିଲା ଏହାର ଓନନ ଥିଲା ୨୬୦୩ ଭରି ୮ ଅଣା ୨୦୧୮ ମସିହା ମାର୍ଚ୍ଚରେ  ଚାବି ହଜିବା ହେତୁ ରତ୍ନ ଭଣ୍ଡାର ଗଣତି ମଣତି ହେଇ ପାରିନଥିଲା । ୨୦୨୪ ମସିହା ଫେବ୍ରୁଆରିରେ ପୁଣି ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବେ ଏ କାମକୁ ତ୍ୱରାନ୍ୱୀତ କରାଯାଉଛି।

 

BMC ପାଇଁ ୫ କୋଟି ବର୍ବାଦ!

ଭୁବନେଶ୍ୱରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୨୦୧୬ ମସିହାରେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିଲା ୱାଟର୍ ଏଟିଏମ୍ ଓ ଆରଓ ପ୍ଲାଣ୍ଟ ପ୍ରୋଜେକ୍ଟ। ସୌର ଶକ୍ତି ଭିତ୍ତିକ ଏହି ବ୍ୟବସ୍ଥାରେ ସହରର ୪୦ଟି ସ୍ଥାନରେ ୱାଟର୍ ATM ସ୍ଥାପିତ ହୋଇଥିଲା। ଭୁବନେଶ୍ୱରର ଅନେକ ଅଫିସ ଓ ଛକରେ ଲୋକଙ୍କୁ ଏ ସୁବିଧା ମିଳୁଥିଲା । ଜଳଯୋଗାଣ ସହିତ ୱାଟର ପ୍ୟୁରିଫାଏ ପାଇଁ ୪ଟି ROପ୍ଲାଣ୍ଟ ଲାଗିଥିଲା । ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ସହ ବୁକ୍ତି କରିଥିଲା BMC । ୪ କୋଟି ୭୫ଲକ୍ଷ ୯୨ହଜାର ଟଙ୍କା  ଖର୍ଚ୍ଚ କରିଥିଲେ ସରକାର । ପାଣି ପିଇବା ପାଇଁ କାର୍ଡ ସିଷ୍ଟମ୍ ଥିଲା । ୩୦ ପଇସାରେ ମିଳୁଥିଲା ଲିଟରେ ପାଣି କଏନ୍ ପକାଇ  ମଧ୍ୟ ଲୋକ ପାଣିର ସୁବିଧା ପାଉଥିଲେ ।

୨୦୨୩ ଅକ୍ଟୋବରରେ ପିରାମଲ୍ ୱାଟର ପ୍ରାଇଭେଟ୍ ଲିମିଟେଡ୍ ପ୍ରୋଜେକ୍ଟ ଚଲାଉଥିଲା। ୨୦୨୪ରେ ଆଉଟସୋର୍ସିଂ ସଂସ୍ଥା ପରିଚାଳନା ଦାୟିତ୍ୱ ନେଲା।  ମାତ୍ର ବାରମ୍ବାର ଏହି ପ୍ରକଳ୍ପ ଅଚଳ ହେଲା । ନା ପାଣି ପ୍ୟୁରିଫାଏ ହେଲା ନା ଲୋକଙ୍କୁ ପାଣି ମିଳିଲା । ଧିରେ ଧିରେ ପ୍ରୋଜେକ୍ଟ ଅକାମୀ ହୋଇଗଲା। ଛକ ବଜାରରେ ଲଶଗିଥିବା ମେସିନ୍ ଅକାମୀ ହୋଇ ପଡ଼ିଛି। ଯତ୍ନ ଓ ମରାମତି ଅଭାବରୁ ମେସିନଖରାପ ହୋଇ ଚାଲିବା ଅବସ୍ଥାରେ ନାହିଁ । ରାଜ୍ୟ ସରକାର ଯେଉଁ ଲକ୍ଷ୍ୟରେ ଏହି ପ୍ରକଳ୍ପ ସବୁ କରିଥିଲେ ତାହା ପୂରଣ ହେଉନି  କି ଲୋକଙ୍କ କାମରେ ଲାଗୁନି। ଯେଉଁଥିପାଇଁ ଶାଗ ମାଛ ଦରରେ ଏବେ ଏସବୁ ନିଲାମ ହେବାକୁ ଯାଉଛି । ବର୍ତ୍ତମାନ ସହରରେ ପାଇପ୍ ଜଳ ଯୋଗାଣ ମାଧ୍ୟମରେ ବିଶୁଦ୍ଧ ଜଳ ମିଳୁଥିବାରୁ ଆରଓ ପ୍ଲାଣ୍ଟର ଆବଶ୍ୟକତା ନାହିଁ ବୋଲି ମତ ରଖୁଛନ୍ତି ୱାଟକୋ ଅଧିକାରୀ । କୋଟି କୋଟି ଟଙ୍କାର ପ୍ରୋଜେକ୍ଟ କାମରେ ନ ଆସିବା ନେଇ ପ୍ରଶ୍ନ ଉଠୁଛି ।  ତେବେ କେବଳ ଏଇ ଗୋଟାଏ ନୁହେଁ ରାଜ୍ୟର ଅନେକ ପ୍ରକଳ୍ପ ଏମିତି ପରିଚାଳନା ଅଭାବରୁ ସଫଳ ହେଇପାରୁନି। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବର୍ବାଦ ହେଉଛି। ପ୍ରପର ପ୍ଲାନିଂ ସହ ପ୍ରୋଜେକ୍ଟର ପରିଚାଳନା ହୋଇଥିଲେ ଆଜି ହୁଏତ 5 କୋଟି ଟଙ୍କା ପାଣିରେ ପଡ଼ି ନ ଥାଆନ୍ତା।

ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କମିବ !

ସୁଭଦ୍ରା ଭଳି ‘ଲଡ଼କି ବହେନ’ ଯୋଜନାରେ ମହିଳାଙ୍କୁ ଟଙ୍କା ବାଣ୍ଟୁଛନ୍ତି ମହାରାଷ୍ଟ୍ର ସରକାର। ଓଡ଼ିଶାରେ 21 ବର୍ଷରୁ 60 ବର୍ଷର ମହିଳାଙ୍କୁ ବର୍ଷକୁ 10 ହଜାର ଟଙ୍କା ମିଳୁଛି । ମହାରାଷ୍ଟ୍ର ସରକାର ବର୍ଷକୁ ଦେଉଛନ୍ତି 18 ହଜାର ଟଙ୍କା। ଏବେ କିନ୍ତୁ ‘ଲଡ଼କି ବହେନ’ ଯୋଜନାକୁ କାଣ୍ଟଛାଣ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍। 2024ରୁ ଆରମ୍ଭ ହୋଇଥିବା ‘ଲଡ଼କି ବହେନ’ ସ୍କିମରୁ 90 ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । 2 କୋଟି 6 ଲକ୍ଷ ହିତାଧିକାରୀଙ୍କ ସଂଖ୍ୟା ଏବେ 1 କୋଟି 53 ଲକ୍ଷରେ ପହଞ୍ଚିଛି । ଏବେ ଆଶଙ୍କା, ଓଡ଼ିଶାରୁ ହଟିବେ କି ଅଯୋଗ୍ୟ ସୁଭଦ୍ରା ହିତାଧିକାରୀ?

 

ଓଡ଼ିଶାରେ ଏବେ 1,02,12,665 ହିତାଧିକାରୀଙ୍କୁ ମିଳୁଛି ସୁଭଦ୍ରା ଟଙ୍କା। ଏ ବାବଦକୁ ବର୍ଷକୁ 10 ହଜାର 212କୋଟି 66ଲକ୍ଷ 50 ହଜାର ଟଙ୍କା ଖର୍ଚ୍ଚ ହେଉଛି । ପ୍ରଶ୍ନ ଉଠୁଛି କଣ କେବଳ ମହାରାଷ୍ଟ୍ରରେ ଅଯୋଗ୍ୟ ହିତାଧିକାରୀ ଥିଲେ? ଓଡ଼ିଶାର 1କୋଟି 2ଲକ୍ଷ 12ହଜାର 665  ହିତାଧିକାରୀଙ୍କ ଭିତରୁ କଣ କେହି ଆର୍ଥିକ ସମୃଦ୍ଧ ନୁହନ୍ତି?
ଯଦି ଓଡ଼ିଶାର ଜନସଂଖ୍ୟକୁ ଆକଳନ କରିବା ତେବେ 21ରୁ 60 ବର୍ଷ ମଧ୍ୟରେ ଥିବା ମହିଳାଙ୍କ ସଂଖ୍ୟା ପ୍ରାୟ 1 କୋଟି 32 ଲକ୍ଷ ହେବ ।  ସେହି ସଂଖ୍ୟାର 77 % ମହିଳାଙ୍କୁ ମିଳୁଛି ସୁଭଦ୍ରା ଟଙ୍କା। ଏବେ ଚର୍ଚ୍ଚା, ଟଙ୍କା ପାଉଥିବା 77% ମହିଳାଙ୍କ ଭିତରେ କଣ କେହି ଚାକିରିଆ, ଧନୀ ଶ୍ରେଣୀର ନୁହଁନ୍ତି? ଓଡ଼ିଶାର 77% ମହିଳା ଏବଂ ସେମାନଙ୍କର ପରିବାର କଣ ଆର୍ଥିକ ଅନଗ୍ରସର?

ଯଦି ମୋହନ ମାଝୀଙ୍କ ସରକାର ମହାରାଷ୍ଟ୍ର ଟ୍ରିକ୍ ଆପ୍ଲାଏ କରନ୍ତି ତେବେ ସୁଭଦ୍ରାରୁ ହଟିପାରନ୍ତି ଅଯୋଗ୍ୟ। E-KYC ପରେ ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀ ସହ ବାଂଲାଦେଶୀ ହଟିଲା ପରି ସୁଭଦ୍ରାରୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ। ଏମିତିରେ ବି ମାଗଣା ସ୍କିମ୍ ପାଇଁ ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ଅବସ୍ଥା ଦେଖି ଲାଗୁଛି ହୁଏତ ଭବିଷ୍ୟତରେ ସୁଭଦ୍ରାକୁ ନେଇ ଷ୍ଟ୍ରିକ୍ଟ ହୋଇପାରନ୍ତି ଓଡ଼ିଶା ସରକାର । ସୁଭଦ୍ରାରୁ ହଟି ପାରନ୍ତି ଅଯୋଗ୍ୟ ହିତାଧିକାରୀ!

ସରକାରୀ ପ୍ରେସକୁ ସରକାରଙ୍କ ଅଣଦେଖା

୧୯୩୬ ମସିହାରେ ପ୍ରତିଷ୍ଠା ହୋଇଥିଲା କଟକ ସରକାରୀ ପ୍ରେସ୍। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ସହ ଭାଷା ସମ୍ବନ୍ଧୀୟ କାମ ପାଇଁ ପ୍ରେସ ବି ସ୍ୱତନ୍ତ୍ର ପାଲଟିଥିଲା । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ମଧ୍ୟ ରହିଥିଲା ।  କଟକ ମଧୁପାଟଣାରେ ଥିବା ଓଡ଼ିଶା ସରକାରୀ ପ୍ରେସ୍‌ ଧୀରେ ଧୀରେ ଅକାମୀ ହେଉଥିବା ଅଭିଯୋଗ ଆସୁଛି। ସ୍ୱାଧିନତା ପୂର୍ବରୁ ଯେଉଁଠି ୧୩୮୦ ଜଣ କର୍ମଚାରୀ କାମ କରୁଥିଲେ, ଏବେ ଅଛନ୍ତି ମାତ୍ର ୫ଶହ କର୍ମଚାରୀ। କର୍ମଚାରୀ ଅଭାବରୁ ଅନେକ କାମ ଘରୋଇ ସଂସ୍ଥାଙ୍କୁ ଦିଆଯାଉଛି । ଚଢାଦରରେ ସେଠି କାମ କରୁଥିଲେ ବି ସଂସ୍ଥାକୁ ସଜାଡ଼ିବାକୁ ସରକାରଙ୍କ ଆଗ୍ରହ ନାହିଁ।

୧୯୩୬ ମସିହାରେ ସ୍ଥାପିତ ହୋଇଥିବା  ଓଡ଼ିଶା ସରକାରୀ ପ୍ରେସ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ବିଭିନ୍ନ ଦଫ୍ତରକୁ ପ୍ରିଣ୍ଟିଂ ସାମଗ୍ରୀ ଓ ଅଫିସ୍‌ ଷ୍ଟେସନାରି ଯୋଗାଇବା। ୧୯୭୭ ମସିହାରେ ଆବଶ୍ୟକତାକୁ ଅନୁଭବ କରି  କଟକ ମଧୁପାଟଣାର ୮୧ ଏକର ଜମିରେ ଅଫିସ ସ୍ଥାନାନ୍ତର ହୋଇଥିଲା। ସେତେବେଳେ କମ୍ପୋଜିଂ, ଲେଟର୍ ପ୍ରେସ୍‌ ଓ ମନୋ ଭଳି ଅନେକ ଟ୍ରେଡ୍‌ରେ କାମ ହେଉଥିଲା। କିନ୍ତୁ ଏବେ ସେଗୁଡିକ ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ କେବଳ ଡିଟିପି, ପ୍ରୁଫ୍‌ରିଡିଂ, ଅଫସେଟ୍‌, ପ୍ଲେଟ୍‌ମେକିଂ ଓ ବାଇଣ୍ଡିଂ ଭଳି କିଛି ଟ୍ରେଡ୍‌ ଚାଲୁ ରହିଛି। ସରକାରୀ ପ୍ରେସ୍‌ରେ ପୂର୍ବରୁ ତିନି ହଜାରରୁ ଅଧିକ ସରକାରୀ ଫର୍ମ, ଓଡ଼ିଶା ବଜେଟ୍‌, ଓଡ଼ିଶା ଗେଜେଟ୍‌, ବିଧାନସଭା ପ୍ରଶ୍ନପତ୍ର, ନିର୍ବାଚନ ସଂପର୍କିତ କାଗଜପତ୍ର ଓ ଓଡ଼ିଶା ହାଇକୋର୍ଟର ଫର୍ମ ଛପାଯାଉଥିଲା। ଏହା ସହ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ପେନ୍‌, କାଗଜ, ପିନ୍‌ ଭଳି ଷ୍ଟେସନାରି ସାମଗ୍ରୀ ମଧ୍ୟ ଏଠାରୁ ପଠାଯାଉଥିଲା। ପ୍ରାୟ ୧୫ ବର୍ଷ ହେଲା ଷ୍ଟେସନାରି ପଠାଇବା ବନ୍ଦ ରହିଛି।

ପ୍ରେସ୍‌ରେ ମୋଟ ୧୩୮୦ ପୋଷ୍ଟ ଥିଲା ବେଳେ ଏବେ ପ୍ରାୟ ୭୫ ପ୍ରତିଶତ ଖାଲି । ସ୍ଥାୟୀ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦ ଜଣ କର୍ମଚାରୀ କାମ କରୁଛନ୍ତି। ପ୍ରତିମାସ ଅବସର ଓ ସ୍ୱେଚ୍ଛା ଅବସର ନେବାରୁ କର୍ମଚାରୀ ସଂଖ୍ୟା ଆଉ କମୁଛି। ଏହାର ପ୍ରଭାବରେ ଦୈନିକ କାର୍ଯ୍ୟ ବି ପ୍ରଭାବିତ ହେଉଛି ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଅଧିକ ଖର୍ଚ୍ଚରେ ଘରୋଇ ଫାର୍ମରେ କରାଯାଉଛି।ଘରୋଇ ସଂସ୍ଥାଙ୍କୁ କାମ ଦିଆଯାଉଥିବାରୁ ଗୋପନୀୟତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି  । ଜାଗା ଜବରଦଖଲ ମଧ୍ୟ ସମସ୍ୟା ବଢାଉଛି । କେବେକି ସରକାରୀ କାର୍ଯ୍ୟର ମୁଖ୍ୟ କେନ୍ଦ୍ର ଥିବା ପ୍ରେସ୍‌ କର୍ମଚାରୀ ଅଭାବ ଓ ପ୍ରଶାସନିକ ଅବହେଳାରେ ଦୁର୍ଦ୍ଦଶାରେ ପହଞ୍ଚିଛି। ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ଭବିଷ୍ୟତରେ ସରକାରୀ ପ୍ରେସ୍‌ ବନ୍ଦ ହୋଇପାରେ ।