Category News

ବିଜ୍ଞପ୍ତିକୁ ୬ ମାସ, ଘୋଷଣାରେ ଅଟକିଛି ସାଇବର ଥାନା

ଓଡ଼ିଶାରେ ଦିନକୁ ଦିନ ସାଇବର କ୍ରାଇମ୍  ସହ ଅର୍ଥନୈତିକ ଅପରାଧ ବୃଦ୍ଧି ପାଉଛି । ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଓଡ଼ିଶାର ୧୪ଟି ଜିଲ୍ଲାରେ ସାଇବର୍ ଥାନା ରହିଛି । ଫଳରେ ଅପରାଧିଙ୍କୁ ଧରିବାରେ ଥାନା ସାଙ୍ଗକୁ କର୍ମଚାରୀଙ୍କ ଅଭାବ ଦେଖାଯାଉଛି । ଏ ସବୁକୁ ଲକ୍ଷ କରି ଓଡ଼ିଶା ସରକାର ଗତ ଏପ୍ରିଲ ମାସରେ ୨୦ ଟି ନୂଆ ସାଇବର ଥାନା ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବା ସତ୍ତ୍ୱେ ଏଯାଏଁ ନୂଆ ସାଇବର ଥାନା ଖୋଲା ଯାଇ ପାରିନି । ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ଫଳ ଶୂନ ।

ସାଇବର୍ ଠକେଇ ଓ ଅର୍ଥନୈତିକ ଅପରାଧ ବଢୁଥିବାରୁ ୨୦ଟି ନୂତନ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।DSPଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର, SI, ASI ଓ ଅନ୍ୟ କର୍ମଚାରୀ ନିଯୁକ୍ତି ଲାଗି ଅର୍ଥ ବିଭାଗ ଅନୁମୋଦନ ମଧ୍ୟ ଦେଇଛି। ବିଜ୍ଞପ୍ତିକୁ ଇତିମଧ୍ୟରେ ୬ ମାସ ପୂରି ଥିଲେ ସୁଦ୍ଧା ଥାନା ଖୋଲିବାରେ ସରକାର ବିଫଳ ହୋଇଛନ୍ତି । ଅପରାଧ ବୃଦ୍ଧି ପାଉଥିବାରୁ ଆଉ ୨୦ଟି ପୁଲିସ ଜିଲ୍ଲାରେ ନୂଆ ଥାନା ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଥିଲେ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୋନପୁର, ନୂଆପଡ଼ା ଓ ଭଦ୍ରକରେ ନୂଆଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏ ଯାଏଁ ଜାଗା ଚିହ୍ନଟ ହୋଇପାରିନଥିଲା ବେଳେ ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ ।
               ନୂଆ ଓ ପୁରୁଣା ଥାନାରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତରେ ପୁଲିସ ଅଫିସରଙ୍କୁ ସହାୟତା କରିବା ଲାଗି ୨ ଜଣ ଫରେନସିକ୍ ଏକ୍ସପର୍ଟ, ୨ ଜଣ ଆଇଟି ଏକ୍ସପର୍ଟ ଓ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟଙ୍କୁ ନିୟୋଜିତ କରାଯିବା ଲାଗି ବ୍ୟବସ୍ଥା ହୋଇଛି। ଏପରି ୬୮ ଜଣ ଆଇଟି ଏକ୍ସପର୍ଟ, ୪୮ ଜଣ ସାଇବର୍ ଫରେନସିକ୍ ଏକ୍ସପର୍ଟ, ୪୮ ଜଣ ଫାଇନାନ୍ସ ଓ ଆକାଉଣ୍ଟସ୍ ଆନାଲିଷ୍ଟ୍ ମିଶି ୧୭୦ ଜଣଏକ୍ସପର୍ଟ ଘରୋଇ ସଂସ୍ଥାରୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସବୁ ନିଷ୍ପରି କାର୍ଯ୍ୟକାରୀ ହୋଇପାରିନାହିଁ। ଏଯାଏଁ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ । SP ମାନଙ୍କୁ ଅଫିସ ଘର ଯୋଗାଡ଼ ପାଇଁ ନିର୍ଦ୍ଦେଶ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗର ଏ ଖାମଖିଆଲି ମନୋଭାବ ପାଇଁ ବିଜ୍ଞପ୍ତିକୁ ୬ ମାସ ବିତି ଯାଇଥିଲେ ବି ସାଇବର ଥାନା ଖୋଲି ପାରୁ ନାହିଁ ।

ଜୟଙ୍କୁ BJP ଟିକେଟ, ପାୱାର ରେସରେ ପଛରେ ରହିବେ କି ପଣ୍ଡା ଫ୍ୟାମିଲି

ନୂଆପଡ଼ା ଉପନିର୍ବାଚନ ପାଇଁ BJPର ପ୍ରାର୍ଥୀ ଘୋଷଣା ସରିଛି । ଜୟ ଢୋଲକିଆଙ୍କୁ  BJP ଟିକେଟ ଦେଇଛି । ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ  ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଜୟଙ୍କ ପାଇଁ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ବିଜେପିରୁ ଜୟ, କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଥିଲା ବେଳେ ବିଜେଡିର ପ୍ରାର୍ଥୀ ଗଣିତ ଛିଡ଼ୁନି । ତେବେ ଗତ ନିର୍ବାଚନରେ ବିଜେପି ଟିକେଟରୁ ଲଢିଥିବା ଅଭିନନ୍ଦନ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେପ୍ଟେମ୍ବର 8 ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି । ନଭେମ୍ବର 11 ତାରିଖରେ ଏ ସିଟ୍ ପାଇଁ ଉପନିର୍ବାଚନ ହେବ । ରାଜୁ ଢୋଲକିଆ ବିଜୁ ଜନତା ଦଳରୁ ବିଧାୟକ ଥିଲେ, ତାଙ୍କର ଦେହାନ୍ତ ପରେ ପୁଅ ଜୟ ଢୋଲକିଆଙ୍କୁ ଅସ୍ତ୍ର କରି ନିର୍ବାଚନ ପାର ହେବାର ସ୍ୱପ୍ନ ଦେଖିଥିଲା ବିଜେଡି । ମାତ୍ର ଅକ୍ଟୋବର ୧୧ ତାରିଖରେ ନୂଆପଡ଼ା ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମିଳିଥିଲା। ନୂଆପଡ଼ା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ପ୍ରଚାର କରୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପିରେ ଯୋଗ ଦେଇଥିଲେ। ନୂଆପଡ଼ା ଉପନିର୍ବାଚନରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ନିଶ୍ଚିତ କରିଥିଲା ଓ କେବଳ ଘୋଷଣା ବାକି ଥିଲା। କିନ୍ତୁ ଜୟ ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଥିଲେ। ବିଜେପିରେ ସେ ମିଶିବା ଦିନଠୁ ହିଁ ତାଙ୍କୁ ଟିକେଟ ମିଳିବା ନେଇ ଅନୁମାନ କରାଯାଉଥିଲା । ଯାହା ସତରେ ପରିଣତ ହୋଇଛି । ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ କରିବାରେ ସଫଳ ହୋଇଛି ବିଜେପି। ସେ ସିଟରୁ 2024 ନିର୍ବାଚନରେ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରତିଦ୍ୱନ୍ଦିତା କରିଥିଲା ବେଳେ ଉପନିର୍ବାଚନରେ ବିଜେପି ଟିକେଟରୁ ଲଢିବେ ଦିବଂଗତ ବିଜେଡି ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ।

ନୂଆପଡ଼ାରେ ପ୍ରାର୍ଥୀ ଘୋଷଣାରେ ସବୁଠୁ ଆଗରେ ରହିଛି କଂଗ୍ରେସ। 2024 ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ଦୁଇ ନମ୍ବରରେ ଥିବା  ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନୂଆପଡ଼ାର 2024 ଇଲେକ୍ସନ୍ ରେଜଲ୍ଟ ଅନୁସାରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ 61,822 ଭୋଟ୍ ମିଳିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଘାସିରାମଙ୍କୁ 50,941 ଭୋଟ୍ ମିଳିଥିଲା । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ 44,814 ଭୋଟ୍ ମିଳିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ 15,501  ଭୋଟରେ ସୀମିତ ଥିଲେ । ସ୍ୱାଧିନ ପ୍ରାର୍ଥୀ ଭାବେ ଘାଷୀରାମ 50 ହଜାରରୁ ଅଧିକ ଭୋଟ୍ ହାତେଇଥିଲା ବେଳେ କଂଗ୍ରେସର ସମର୍ଥନ ତାଙ୍କର ଭୋଟ୍ ବଢେଇପାରେ  । ଅନ୍ୟ ପାର୍ଶ୍ୱରେ ଢୋଲକିଆଙ୍କ ଫ୍ୟାମିଲି ଭୋଟ୍ ସାଙ୍ଗକୁ ସିମ୍ପାଥୀ ଭୋଟ ହାତେଇବେ ଜୟ ଢୋଲକିଆ । ବିଜେପି ସରକାରରେ ଥିବା ହେତୁ ଗତ ନିର୍ବାଚନ ଅପେକ୍ଷା ଏଥର ଭୋଟ୍ ବଢିବାର ସମ୍ଭାବନା ବେଶୀ  । ତେବେ ଏ ପରିସ୍ଥିତିରେ ବିଜେଡି ପ୍ରାର୍ଥୀ ଅଙ୍କ ଛିଡ଼ୁ ନଥିଲା ବେଳେ ନୂଆପଡ଼ା ସିଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା । ଯଦିବା ସେଠି ବିଜେପି ଜିତୁଛି ତେବେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ପଲିଟିକାଲ କ୍ୟାରିୟର କେଉଁ ମୋଡ଼ ନେବ ତାହା ଏବେ ବସନ୍ତ ପଣ୍ଡାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ନୂଆପଡ଼ାରେ ବିଜେପିର ମଙ୍ଗ ଧରିଥିବା ପଣ୍ଡା ପରିବାର ଢୋଲକିଆ ଫ୍ୟାମିଲିଙ୍କ ଆଗରେ ପାୱାର ରେସରେ ପଛରେ ରହି ଯିବେନି ତ?

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେଡ୍ ମାଷ୍ଟର ଅଭାବ

  • ଓଡ଼ିଶାରେ ଶିକ୍ଷାର ବିକଳ ଚିତ୍ର
  • ୮୦% ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ
  • ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଚାଲିଛି ବିଦ୍ୟାଳୟ
  • ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବାକୁ ରାଜି ନୁହନ୍ତି ଶିକ୍ଷକ
  • ବିନା ପ୍ରଧାନ ଶିକ୍ଷକରେ ଚାଲୁଛି, ୧୮, ୨୦୯ ସ୍କୁଲ
    ବିଜେଡି ସରକାର ହେଉ କି, ବିଜେପିର ସରକାର, ଓଡ଼ିଶାର ଶିକ୍ଷାର ବିକଳ ଚିତ୍ରରେ ସୁଧାର ଆସୁନି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ୪୫୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାରେ ୩୦୦ ହେଡମାଷ୍ଟର ପୋଷ୍ଟ ପାଙ୍କା ପଡ଼ିଛି । ଓଡ଼ିଶାର ୮୦ ପ୍ରତିଶତରୁ ଅଧିକ ପ୍ରାଥମିକ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ I ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ସ୍କୁଲ ଚାଲିଛି। ଶିକ୍ଷକଙ୍କୁ ବରିଷ୍ଠତା ଆଧାରରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଉ ଥିଲାବେଳେ ଅନେକ ସ୍ଥାନରେ ୱାର୍କ ଲୋଡ୍ ପାଇଁ  ଦାୟିତ୍ଵ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ମେ ୩୧ ତାରିଖ ସୁଦ୍ଧା ପ୍ରାଥମିକ ବିଦ୍ୟାଳୟରେ ୬୭୮ଟି ବରିଷ୍ଠ ପ୍ରଧାନ ଶିକ୍ଷକ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଉଚ୍ଚ ପ୍ରାଥମିକରେ ୧୨, ୫୨୫ଟି, ପ୍ରାଥମିକ ସ୍କୁଲରେ ୫୦୦୬ଟି ପ୍ରଧାନ ଶିକ୍ଷକ ପଦ ଖାଲି ରହିଛି । ମୋଟ ୧୮ ହଜାର ୨୦୯ଟି ପ୍ରଧାନଶିକ୍ଷକ ପୋଷ୍ଟ ଖାଲି ପଡ଼ିଛି । ଓଡ଼ିଶାରେ ୪୫ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି । ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଏବଂ ମାଧ୍ୟମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁଠି ହାଇସ୍କୁଲ ରହିଛି ସେଠାରେ ଅଧିକାଂଶ ସ୍କୁଲରେ ସ୍ୱତନ୍ତ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଶିକ୍ଷା ସେବା ରାଙ୍କର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଯେଉଁ ସ୍କୁଲ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ମିଶି ରହିଛି ସେ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷକ ଅଛନ୍ତି। ପ୍ରାଥମିକ, ଭଚ୍ଚ ପ୍ରାଥମିକ ସ୍କୁଲର ସ୍ୱତନ୍ତ୍ର ପ୍ରାଥମିକ ଶିକ୍ଷକ ନାହାନ୍ତି। ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଧାନଶିକ୍ଷକ ନିଯୁକ୍ତିର ପ୍ରାବଧାନ ନାହିଁ।

ଅନ୍ୟପଟେ ଓଟିଇଟି  ପାସ୍ କରି ପାରୁନଥିବାରୁ  ହେଡ୍ ସାର ପୋଷ୍ଟକୁ ପ୍ରମୋସନ୍ ହୋଇପାରୁନାହିଁ । ଅନେକ ସ୍ଥାନରେ ତ ବୁଝାଶୁଝା କରି ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବାକୁ ରାଜି କରିବାକୁ ପଡ଼ୁଛି । ଅନେକ ସ୍କୁଲରେ ଗଣ ଶିକ୍ଷକ, ଶିକ୍ଷା ସହାୟକଙ୍କୁ ଏ ଗୁରୁ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି।

ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ୍, ମୋଦିଙ୍କୁ କରିଦେଲା ମୁଖ୍ୟମନ୍ତ୍ରୀ

ଅକ୍ଟୋବର 7, ଇଏ ହେଉଛି ସେହି ତାରିଖ ଯେଉଁ ତାରିଖରେ ଗୁଜୁରାଟର CM ସିଟରେ ବସିଥିଲେ ଜଣେ 51 ବର୍ଷିୟ ନେତା । ବିନା ବିଧାୟକରେ ମୁଖ୍ୟମନ୍ତ୍ରୀ ସିଟରେ ବସିଥିବା ଏହି ନେତା ଜଣଙ୍କ ଆଉ କେହି ନୁହନ୍ତି ବରଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆସନରେ ବସିବାର 24 ବର୍ଷ ବିତିଗଲାଣି । ତଥାପି ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କାହାଣୀରେ ଏବେ ବି ଚାର୍ମ ଅଛି । ଅନ୍ତିମ ସଂସ୍କାରରେ ସେ ଯୋଗ ଦେଲାବେଳେ ଆସିଥିଲା ମୁଖ୍ୟମନ୍ତ୍ରୀ ସିଟର ଅଫର । ତତ୍କାଳିନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫୋନ୍ କଲ ପରେ ବଦଳି ଯାଇଥିଲା ନରେନ୍ଦ୍ର ମୋଦିଙ୍କ ଭାଗ୍ୟ।

ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି
ଗୁଜୁରାଟର ସେ ସମୟର ମୁଖ୍ୟମନ୍ତ୍ରୀ  କେଶୁ ଭାଇ ପଟେଲଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଗୁଜୁରାଟରେ 2001 ମସିହାରେ ବଡ଼ ଧରଣର ଭୂମିକମ୍ପରେ ପାଖାପାଖି 20 ହଜାର ଲୋକଙ୍କ ଦେହାନ୍ତ ସାଙ୍ଗକୁ ନିଜ କର୍ତ୍ତବ୍ୟରେ ଅବହେଳା, ବିକାଶରେ ବିଳମ୍ବ ଆଦି କେଶୁଭାଇ ପଟେଲଙ୍କୁ ବ୍ୟାକଫୁଟକୁ ଟାଣିନେଲା । ଜନଅସନ୍ତୋଷକୁ ଏଡ଼ାଇବାକୁ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ କେଶୁଭାଇ ପଟେଲ। ଗାନ୍ଧୀ ଜୟନ୍ତୀରେ ନିଜେ ମୁଖ୍ୟମନ୍ତ୍ରୀ ଆସନରୁ ହଟିଥିଲେ ।
ଆଉ ଏହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଭରସା ଜିତିଥିଲେ ମୋଦି।

ଗୁଜୁରାଟ BJPର ବୈଷ୍ଣବ ନେତା ହୋତୀ ସିଂହଙ୍କ ଅନ୍ତିମ ସଂସ୍କାରରେ ଥିଲାବେଳେ ଆସିଥିଲା ଅଟଳଙ୍କ ଫୋନ୍ କଲ୍ । ମୋଦିଙ୍କ ପ୍ରମୋସନ୍ କରି ତାଙ୍କୁ ଦେଇଥିଲେ CM ସିଟର ଗିଫ୍ଟ । ଗାନ୍ଧୀନଗରରେ ପହଞ୍ଚି ସଂନ୍ଧ୍ୟା 6 ଟାରେ ମିଟିଂ ପରେ ନିଆଯାଇଥିଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି। 7 ଅକ୍ଟୋବର 2001ରେ
ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେତେବେଳେ ସେ ବିଧାୟକ ମଧ୍ୟ  ନଥିଲେ। ମଣିନଗର ବିଧାନସଭା ମଣ୍ଡଳୀରୁ ଉପନିର୍ବାଚନ ଲଢି 2002ରେ ବିଧାୟକ ହେଲେ, ଯାହା ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ଆଇନଗତ ଭାବେ ମଜବୁତ କରିଥିଲା । ପରେପରେ 2002, 2007 ଓ 2012 ରେ ମଣିନଗରରୁ ତିନିଥର ନିର୍ବାଚନ ଜିତି ବିଧାୟକ ହେବାସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଛନ୍ତି ମୋଦି। 7 ଅକ୍ଟୋବର 2001ରୁ 22 ମେ 2014 ପର୍ଯ୍ୟନ୍ତ 13 ବର୍ଷ 7 ମାସ ମୁଖ୍ୟମନ୍ତ୍ରୀ ଥିଲେ। ମୋଦିଙ୍କର ମୁଖ୍ୟମନ୍ତ୍ରୀ ହେବାର ଘଟଣା ଏହିପରି ଗଟିଥିଲା । ଯେଉଁଥିରେ ବିନା ନିର୍ବାଚନ ଲଢି ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ।

ମଧ୍ୟସ୍ଥତା ଆଇନ 2023 : ବିବାଦ ସମାଧାନର ମହୌଷଧି !      

ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜୁଥିବା ବିବାଦର ସମାଧାନ, ମଧ୍ୟସ୍ଥତା ମାଧ୍ୟମରେ କରାଯିବାର ଆବଶ୍ୟକତା ଅଛି କି ? ବିବାଦ ସମାଧାନରେ ଆଇନଜୀବୀଙ୍କ କେଉଁ ଭୂମିକା ରହିବା ଉଚିତ ? ଭାରତର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ କହିଲେଣି ଯେ ଶହେରୁ ଅନେଶତଟି ମଧ୍ୟସ୍ଥତା ପ୍ରକ୍ରିୟା ସଫଳ ହେଉନାହିଁ । ଏଥିପାଇଁ ସେ ନ୍ୟାୟିକ ପ୍ରକ୍ରିୟାକୁ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା 15 ସେପ୍ଟେମ୍ବର 2023ରେ ପ୍ରଣିତ ମେଡିଏସନ୍ ବା ମଧ୍ୟସ୍ଥତା ଆଇନର ସଫଳତା ସମ୍ପର୍କରେ ବିଚାର କରାଯିବାର ଆବଶ୍ୟକତା ରହିଛି।
ମଧ୍ୟସ୍ଥତା ସ୍ୱେଚ୍ଛାକୃତ, ବାଧ୍ୟତା ମୂଳକ ନୁହେଁ (କେତେକ କମର୍ସିଆଲ ମାମଲା ବ୍ୟତୀତ)
ସିଙ୍ଗାପୁର କନଭେନସନ୍-2019ରେ ଭାରତ ପ୍ରଥମ ରାଷ୍ଟ୍ର ଭାବରେ ସ୍ୱାକ୍ଷର କଲା ପରେ ମେଡିଏସନ୍ ବା ମଧ୍ୟସ୍ଥତା ଆଇନକୁ ନେଇ ଅନେକ ଆଶା କରାଯାଉଥିଲା। ଏହି ଆଇନରେ ମଧ୍ୟସ୍ଥତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ବୋଲି ବିବେଚନା କରାଯାଇଛି । ଅର୍ଥାତ୍ କୌଣସି ବ୍ୟକ୍ତି ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ ଭାବେ ଗ୍ରହଣ କରିବାର ଆବଶ୍ୟକତା ନାହିଁ । ପୂର୍ବରୁ ଦେୱାନୀ ଓ କମର୍ସିଆଲ ବିବାଦ ପାଇଁ, ନିର୍ଦ୍ଧିଷ୍ଟ ମୂଲ୍ୟର ବିବାଦ ନିମନ୍ତେ ମଧ୍ୟସ୍ଥତା ବାଧ୍ୟତା ମୂଳକ ଥିଲା। ଯାହାର ଫଳସ୍ୱରୂପ, ଯେଉଁ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଅର୍ଥାତ୍ କମ୍ ସମୟ ମଧ୍ୟରେ କମର୍ସିଆଲ ବିବାଦ ଗୁଡ଼ିକର ସମାଧାନ ପାଇଁ କମର୍ସିଆଲ କୋର୍ଟ ଆଇନ ପ୍ରଣୟନ କରାଯାଇଥିଲା, ସେଗୁଡ଼ିକର ସମାଧାନ ପାଇଁ ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ କରିବା ଫଳରେ ଦୀର୍ଘ ବର୍ଷ ଧରି କମର୍ସିଆଲ ବିବାଦ ଗୁଡ଼ିକ ମଧ୍ୟ ସଠିକ୍ ସମୟରେ ସମାଧାନ ହୋଇ ପାରୁନାହିଁ ।

ସମୟ ସୀମା : ମୂଳ 120 ଦିନ + ଅତିରିକ୍ତ 60 ଦିନ (ସମ୍ମତି ଅନୁସାରେ)
ସଠିକ୍ ସମୟରେ ମଧ୍ୟସ୍ଥତାକୁ ଶେଷ କରିବା ଲାଗି ନୂଆ ଆଇନରେ 120 ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ଉଭୟ ପକ୍ଷର ସମ୍ମତି କ୍ରମେ ଏହି ସମୟ ସୀମା ମଧ୍ୟ ଆଉ 60 ଦିନ ବୃଦ୍ଧି କରା ଯାଇପାରେ । କେଉଁ ମାମଲା ଗୁଡ଼ିକ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ ନୁହେଁ ସେଥିପାଇଁ ଏହି ଆଇନରେ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି।
ଅପରାଧିକ, ଟ୍ୟାକ୍ସ, ପରିବେଶ, ଜମି ଅଧିଗ୍ରହଣ ମାମଲାକୁ ବାଦ
ଅପରାଧ ମୂଳକ ବିବାଦ କିମ୍ବା କୌଣସି ସରକାରୀ କିମ୍ବା ଆଇନତଃ ଅଧିକୃତ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିବାଦ କିମ୍ବା କୌଣସି ବିବାଦ ଯେଉଁଥିରେ ତୃତୀୟ ପକ୍ଷର ଅଧିକାରର ଉଲ୍ଲଙ୍ଘନ ହେବ, ସେଗୁଡ଼ିକୁ ଏହି ମଧ୍ୟସ୍ଥତା ଆଇନର ପରିଧିରୁ ବାଦ୍ ଦିଆଯାଇଛି। ପରିବେଶ ସମ୍ପର୍କୀୟ ମାମଲା, ଟିକସ ସମ୍ପର୍କୀୟ ମାମଲା, ଇଲେକ୍ଟ୍ରିସିଟି ସମ୍ପର୍କୀୟ ଓ ଜମି ଅଧିଗ୍ରହଣ ସମ୍ପର୍କୀୟ ମାମଲା ଗୁଡ଼ିକୁ ମଧ୍ୟସ୍ଥତା ଅଯୋଗ୍ୟ ବିବାଦ ବୋଲି ଏହି ଆଇନରେ ଉଳ୍ଲେଖ କରାଯାଇଛି।
ଲୋକ ଅଦାଲତରେ ଲାଗୁ ନୁହେଁ
ଏହି ଆଇନ ଲୋକ ଅଦାଲତ କିମ୍ବା ଚିରସ୍ଥାୟୀ ଲୋକ ଅଦାଲତରେ କୌଣସି ବିଚାର କ୍ଷେତ୍ରରେ ଲାଗୁ ହେବନାହିଁ । କିନ୍ତୁ ଏହି ନୂଆ ଆଇନକୁ ଅଧିକ ବିଶ୍ୱସନୀୟ କରିବା ପାଇଁ ସରକାରୀ ବିବାଦ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦୀୟ କମିଟି ଦେଇଥିବା ପ୍ରସ୍ତାବକୁ ଏହି ଆଇନରେ ଆଂଶିକ ଭାବରେ ଗ୍ରହଣ କରାଯାଇଛି।
ଏହି ଆଇନ କେବଳ ସରକାରଙ୍କ ବାଣିଜ୍ୟିକ ବିବାଦ ଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ । କୋର୍ଟ କିମ୍ବା ଟ୍ରିବ୍ୟୁନାଲ୍ ଚାହିଁଲେ କୌଣସି ମାମଲାକୁ ମଧ୍ୟ ମକଦ୍ଦମାର ଶୁଣାଣୀର ଯେ କୌଣସି ସମୟରେ ଏହାକୁ ମଧ୍ୟସ୍ଥତା ଆଇନ 2023କୁ ବ୍ୟବହାର କରି ମଧ୍ୟସ୍ଥତା ପାଇଁ ପଠାଇ ପାରିବେ । ସେ କ୍ଷେତ୍ରରେ କୋର୍ଟ ଗୁଡ଼ିକ ମଧ୍ୟ ଅନ୍ତରୀଣ ଆଦେଶ ନେଇ କୌଣସି ପକ୍ଷରୁ ଏହି ମଧ୍ୟସ୍ଥତାକୁ ମାନି ନେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଏହି ଆଇନ୍ ଅନୁଯାୟୀ ଭାରତରେ ଗୋଟାଏ ମଧ୍ୟସ୍ଥତା ପରିଷଦ ଓ ରାଜ୍ୟସ୍ତରରେ ମଧ୍ୟ ମଧ୍ୟସ୍ଥତା ପରିଷଦ ଗଠନର ପରିକଳ୍ପନାକୁ ସ୍ଥାନ ଦିଆଯାଇଛି ।

ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା
ମଧ୍ୟସ୍ଥତା ଆଇନ, 2023 ଅନୁଯାୟୀ, ଜଣେ ଭାରତୀୟ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିପାରିବେ, କିନ୍ତୁ ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ । ଏହି ଆଇନ ଅନୁଯାୟୀ ମଧ୍ୟସ୍ଥତା ସେବା ପ୍ରଦାନ କରୁଥିବା ଏକ ମେଡିଏସନ୍ ସର୍ଭିସ ପ୍ରୋଭାଇଡର ଥାଏ ଯେଉଁଠାରେ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସହଯୋଗ କରିଥାନ୍ତି। ମଧ୍ୟସ୍ଥତା ସ୍ୱେଚ୍ଛାମୂଳକ ହେବା ଦରକାର ଓ ତାହା ଲିଖିତ ଆକାରରେ ହେବ । ମଧ୍ୟସ୍ଥିଙ୍କୁ ମଧ୍ୟ ବିବାଦ ସହ ନିଜ ସ୍ୱାର୍ଥ ନଥିବା ବିଷୟରେ ଲିଖିତ ଘୋଷଣା ଦେବାକୁ ପଡିବ।
180 ଦିନ ମଧ୍ୟରେ ଅପିଲ/ଚ୍ୟାଲେଞ୍ଜ
ମଧ୍ୟସ୍ଥତାର ଫଳାଫଳ ଏକ ଚୁକ୍ତିନାମା ଭାବରେ ବିଚାର ହେବ ଓ ଏହାକୁ କୋର୍ଟର ଡିଗ୍ରୀ ବା ଜଜମେଣ୍ଟ ଭାବରେ ମାନ୍ୟତା ମିଳିପାରିବ। ଏହି ଚୁକ୍ତିନାମା କେବଳ ଠକେଇ, ଦୁର୍ନୀତି ବା ଅଯୋଗ୍ୟତା ଆଧାରରେ 180 ଦିନ ମଧ୍ୟରେ ଚ୍ୟାଲେଞ୍ଜ କରିହେବ।
ଆଇନ କାର୍ଯ୍ୟକାରିତା ନିରୀକ୍ଷଣ ସଂସ୍ଥାର ଆବଶ୍ୟକତା
ଏହି ଆଇନ ଗୋଷ୍ଠୀଗତ ବିବାଦ (ଅଞ୍ଚଳ, ପରିବାର ବିବାଦ) ପାଇଁ ମଧ୍ୟ ସମ୍ମାନିତ ବ୍ୟକ୍ତି ବା ନିରପେକ୍ଷ ମଧ୍ୟସ୍ଥି ଦ୍ୱାରା ସମାଧାନର ଅବଧାନ ରଖେ। 15 ସେପ୍ଟେମ୍ବର 2023ରେ ଗେଜେଟରେ ପ୍ରକାଶିତ ହେଲେ ମଧ୍ୟ, ଏହାର କାର୍ଯ୍ୟକାରିତା ଉପରେ ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି। ଫଳରେ, ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଅନ୍ୟ ଦେଶ ଗୁଡିକ ଯେପରି ଆଇନର କାର୍ଯ୍ୟକାରିତା ଉପରେ ନିରୀକ୍ଷଣ କରୁଥାନ୍ତି, ଭାରତରେ ମଧ୍ୟ ସେଭଳି ସଂସ୍ଥାର ଆବଶ୍ୟକ।
ଏ ଲେଖାଟି -ବିଭୁପ୍ରସାଦ ତ୍ରିପାଠୀ
(ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ)