ଓଡ଼ିଶାରେ ଚିନ୍ତା ବଢାଉଛି ପୋଲିସ ମରୁଡ଼ି। ନାହିଁରେ ନାହିଁରେ ଚାଲିଛି ଥାନା। ଓଡ଼ିଶାରେ୪୨୦୦ କନେଷ୍ଟବଲ ପୋଷ୍ଟ ଫାଙ୍କା ପଡ଼ିଥିଲା ବେଳେ ୯୩୩ ସବ୍ ଇନସ୍ପେକ୍ଟର ପୋଷ୍ଟ ଖାଲି। ୟା ଭିତରୁ ପଶ୍ଚିମ ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ସବ୍ ଇନ୍ସପେକ୍ଟର ପଦ ଖାଲି ପଡ଼ିଛି। କେନ୍ଦ୍ରରେ ପାୱାରଫୁଲ ମିନିଷ୍ଟର ସାଜିଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକସଭା କ୍ଷେତ୍ରର ସ୍ଥିତି ସାଙ୍ଗାତିକ। ସମ୍ବଲପୁର ଜିଲ୍ଲାରେ ୨୫ଟି ଥାନା ଓ ୧୦ଟି ଫାଣ୍ଡି ଥିବା ବେଳେ, ୧୫୨ଟି ସବ୍ଇନ୍ସପେକ୍ଟର ପୋଷ୍ଟ ରହିଛି। ମାତ୍ର ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୫୧ ଜଣ ଏସ.ଆଇ। ଖାଲି ପଡ଼ିଛି ୧୦୧ ପୋଷ୍ଟ। ୩ ଭାଗରୁ ଭାଗେ ଏସ୍ଆଇଙ୍କୁ ନେଇ ଚାଲିଛି ସମ୍ବଲପୁରର ଆଇନଶୃଙ୍ଖଳା ବ୍ୟବସ୍ଥା। କେବଳ ଏସଆଇ ନୁହେଁ,ଏଏସଆଇ କ୍ଷେତ୍ରରେ ବି ସମାନ ଅବସ୍ଥା। ୧୧୮ଟି ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ବା ଏଏସ୍ଆଇ ପୋଷ୍ଟରୁ ୩୨ଟି ଖାଲି ପଡ଼ିଛି। ପଶ୍ଚିମ ଓଡ଼ିଶାକୁ ଅଣଦେଖା କଲେ ଖଣ୍ଡା ବୁଲେଇବାର ଧମକ ଦେଉଥିବା ଜୟନାରାୟଣ ମିଶ୍ର ୟାକୁ ନେଇ ଚୁପ୍ କାହିଁକି?

ସେହିଭଳି ରାଜ୍ୟର ଆଉ ଜଣେ ହେଭିୱେଟ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ବି ସମାନ ଅବସ୍ଥା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସ୍ତ୍ରୀ ସଙ୍ଗୀତା କୁମାରୀ ସିଂହଦେଓ ବଲାଙ୍ଗୀରର MP। ମାତ୍ର ବଲାଙ୍ଗୀର ଜିଲ୍ଲାରେ ୫୨ଟି ଏସ୍ଆଇ ଓ ୮ଟି ଏଏସ୍ଆଇ ପଦ ଖାଲି। ଝାରସୁଗୁଡ଼ାରେ ୪୬ଟି, ବରଗଡ଼ରେ ୩୭ଟି, ସୁବର୍ଣ୍ଣପୁର ଜିଲ୍ଲାରେ ୩୦ଟି ସବ୍ଇନ୍ସପେକ୍ଟର ପୋଷ୍ଟ ଖାଲି ପଡ଼ିଛି। ପଶ୍ଚିମ ଓଡ଼ିଶାରେ ପୋଲିସଙ୍କ ମରୁଡ଼ି ସରକାରଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ।

ରାଜ୍ୟରେ ସବୁ ବିଭାଗରେ ହଜାର ହଜାର ପୋଷ୍ଟ ଖାଲି ପଡ଼ିଥିବା ବେଳେ ପୋଲିସ ଡିପାର୍ଟମେଣ୍ଟରେ ସ୍ଥିତି ସାଙ୍ଘାତିକ ରହିଛି। ଦିନକୁ ଦିନ ଅପରାଧ ବଢୁଥିଲା ବେଳେ ପୋଲିସଙ୍କ ସଂଖ୍ୟା କମିବା ସରକାରଙ୍କ ଅପାରଗତାର ପ୍ରମାଣ ଦେଉଛି। ଏସ ଆଇ ରିକ୍ରୁଟମେଣ୍ଟରେ କେଳେଙ୍କାରୀର ଖିଅ ପାଉନଥିବା ଓଡ଼ିଶା ଗଭମେଣ୍ଟ ପୋଲିସ ପୋଷ୍ଟିଂକୁ ନେଇ ସିରିୟସ୍ ଥିଲା ଭଳି ଲାଗୁନି। ତେବେ ପଶ୍ଚିମ ଓଡ଼ିଶାରେ ଏଭଳି ସାଙ୍ଘାତିକ ସ୍ଥିତି ଥିଲାବେଳେ କାହା ସ୍ୱାର୍ଥରେ ଚୁପ୍ ଅଛନ୍ତି ପଶ୍ଚିମ ଓଡ଼ିଶାର ହେଭିୱେଟ ଲିଡର?