ଆସୁଛି SOP, ଶ୍ରୀମନ୍ଦିର ବାହାରେ ପୂଜା କରିବେନି ସେବାୟତ

ଦୀଘାରେ ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଧିରେଧିରେ ଉଗ୍ର ରୂପ ନେବାରେ ଲାଗିଛି । ରାଜନୈତିକ ତୁମ୍ବି ତୋଫାନର ବେଗ ମଧ୍ୟ ବଢିବାରେ ଲାଗିଛି । ଗୋଟାଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀକ୍ଷେତ୍ରକୁ ପୁରୀ ମନ୍ଦିର ଓ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହି ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ କରିଥିଲା ବେଳେ ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଲେଣି ମମତା ବାନାର୍ଜୀ ହିନ୍ଦୁ ବିରୋଧି,ତାଙ୍କ ଭକ୍ତି କେତେ ମୁଁ ଜାଣିଛି । ରାମକୃଷ୍ଣ ଦାସ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେଣି ଶ୍ରୀମନ୍ଦିର ସେବାୟତ ବାହାରକୁ ଯାଇ ପୂଜା କରିବା ଠିକ୍ ନୁହେଁ, ଏନେଇ ମୁକ୍ତିମଣ୍ଡପ ସଭାରେ ଆଲୋଚନା କରି ଜାରି ହେବ ମାର୍ଗଦର୍ଶିକା ।
ମମତାଙ୍କ ପ୍ରଶ୍ନ-ଏତେ ରାଗ କାହିଁକି?
ଦୀଘାର ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ବଢୁଥିଲା ବେଳେ ନିଆଁରେ ଘିଅ ଢାଳିଛନ୍ତି ମମତା ବାନାର୍ଜୀ । ଚକ୍ରାନ୍ତ କରି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା ଓ ଶ୍ରୀମନ୍ଦିର ଆସିବାକୁ ବଙ୍ଗୀୟ ଭକ୍ତଙ୍କୁ ଅଟକାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ତିଆରି କରିବା ସହ ଚାରିଧାମ ମଧ୍ୟରେ ଥିବା ଶ୍ରୀମନ୍ଦିରକୁ ହାଇଜାକ କରିବାକୁ ନାଁ ଦେଇଛନ୍ତି ‘ଦୀଘା ଜଗନ୍ନାଥ ଧାମ’। ଦୀଘା ମନ୍ଦିରକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରତିକ୍ରିୟାଶୀଳ ହେଉଥିଲା ବେଳେ ନିଜ ଉଗ୍ର ମାନସିକତାର ପରିଚୟ ଦେଇ ମମତା କହିଛନ୍ତି “ପୁରୀ ମନ୍ଦିରକୁ ଆମେ ଇଜ୍ଜତ ଦେଉ,ଜଗନ୍ନାଥ ଧାମକୁ ବି ଇଜ୍ଜତ ଦେଉ । କାଳୀ ମନ୍ଦିର,ଶିବ ମନ୍ଦିର ସବୁଠି ଅଛି ସବୁ ମନ୍ଦିର ସବୁ ଜାଗାରେ ଅଛି ବିଜେପି କଲାବେଳେ ତ ଆମେ ବିରୋଧ କରୁନୁ,ତ ଏତେ ରାଗ କାହିଁକି?’’
ମମତା ବାନାର୍ଜୀ ହିନ୍ଦୁ ବିରୋଧି-ସୁରେଶ ପୁଜାରୀ
ପଶ୍ଚିମବଙ୍ଗର ଦୀଘାକୁ ଜଗନ୍ନାଥ ଧାମ ଭାବେ ମମତା ବାନାର୍ଜୀ ସମ୍ବୋଧନ କଲା ପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁରେଶ ବାନାର୍ଜୀ । ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଥିବା ମନ୍ତବ୍ୟ ଦେଇଛନ୍ତି ସୁରେଶ । ମମତାଙ୍କ ମନ୍ତବ୍ୟକୁ ବିରୋଧ କରି ସୁରେଶ ପୁଜାରୀ କହିଛନ୍ତି
‘‘ମମତା ବାନାର୍ଜୀ କେତେ ଜଗନ୍ନାଥ ଭକ୍ତ ମୁଁ ଦେଖିଛି,
-ମୁଁ 6 ବର୍ଷ ପଶ୍ଚିମବଙ୍ଗର ପ୍ରଭାରୀ ଭାବରେ କାମ କରିଛି
-ସେ ଜଣେ ହିନ୍ଦୁ ବିରୋଧି ମୁଖ୍ୟମନ୍ତ୍ରୀ
-ସତ କହିବାର ସାହସ ତାଙ୍କର ନାହିଁ
-ଗଣତନ୍ତ୍ରକୁ  ମମତା ବାନାର୍ଜୀ ରକ୍ତାକ୍ତ କରୁଛନ୍ତି
-ପଶ୍ଚିମବଙ୍ଗରେ କେତେ ଯେ ସୁଭଦ୍ରା କ୍ଷତିଗ୍ରସ୍ତ ହେିଛନ୍ତି ତାର ହିସାବ ନାହିଁ,ମମତାଙ୍କୁ ଲୋକ କ୍ଷମା ଦେବେ ନାହିଁ ।’’

ବାହାରେ ପୁଜା କରିପାରିବେନି ଶ୍ରୀମନ୍ଦିର ସେବାୟତ-ପୃଥ୍ୱୀରାଜ ହରିଚନ୍ଦନ
ରାମକୃଷ୍ଣ ଦାସ ମହାପାତ୍ର ନବକଳେବର ସମୟର ବଳକା ଦାରୁରେ ପଶ୍ଚିମବଙ୍ଗରେ ବିଗ୍ରହ ନିର୍ମାଣ କଥା ମିଛ ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରେସମିଟରେ ପୃଥ୍ୱୀରଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି କି-
’’ଧାମ ଶବ୍ଦ କେବଳ ଚାରି ଧାମରେ ଲାଗି ପାରିବ,ଆଉ କୌଣସି ଜାଗାରେ ଲାଗି ପାରିବ ନାହିଁ ।
-ସେ ଦୃଷ୍ଟିରୁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଧାମ ଶବ୍ଦର ବ୍ୟବହାର ନ କରିବା ପାଇଁ କହିବୁ।
-ଦୀଘାରେ ଯୋଉ ବେଳାଭୂମି ଅଛି ତାକୁ ମହୋଦଧି କହିବା ବନ୍ଦ କରନ୍ତୁ
-ଏ ବାବଦରେ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ ।
-ଯଦି ଏ କଥାକୁ ଅସ୍ୱୀକାର କରନ୍ତି ବା ଗ୍ରହଣ ନ କରନ୍ତି ତେବେ ଆମେ ଆଇନଗତ ଦିଗକୁ ବିଚାର ବିମର୍ଷ କରିବୁ
-ସେବକମାନେ ହେଉଛନ୍ତି ଜଗନ୍ନାଥଙ୍କ ସେବାୟତ,ସେମାନେ ଅନ୍ୟ ଜାଗାକୁ ଯିବାର ବିଧି ନାହିଁ । ଏ ବାବଦରେ ମୁକ୍ତିମଣ୍ଡପରେ ଆଲୋଚନା କରି ଏକ ମାର୍ଗଦର୍ଶିକା ଜାରୀ କରାଯିବ । ଶ୍ରୀମନ୍ଦିର ସେବାୟତ ମାନେ କୋଉଠିକୁ ଯାଇ ପାରିବେ କୋଉଠିକୁ ଯାଇ ପାରିବେ ନାହିଁ ସେ ଦିଗରେ ସ୍ପଷ୍ଟ କରାଯିବ ।
-ପୁରୀରୁ ଦାରୁ ଯାଇ ପଶ୍ଚିମବଙ୍ଗରେ ଦିଅଁ ନିର୍ମାଣ ହେବା କଥା ମିଛ ବୋଲି ସ୍ପଷ୍ଟ ହୋଇଛି। ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ଆଗରେ ନିଜର ତଥ୍ୟ ଉପସ୍ଥାପନ କରିଛନ୍ତି। ବଳକା ଦାରୁରେ ଫଶ୍ଚିମବଙ୍ଗର ବିଗ୍ରହ ନିର୍ମାଣ ହୋଇ ନାହିଁ । ଭୁବନେଶ୍ୱରର ସୁଦର୍ଶନ ମହାରଣାଙ୍କ ଠାରୁ ସେ ବିଗ୍ରହ ନିର୍ମାଣ କରି ନେଇଛନ୍ତି । ମନ୍ଦିର  ପ୍ରଶାସନ ପାଖରୁ ଏ ନେଇ ତଦନ୍ତ ମଧ୍ୟ ହୋଇଥିଲା । ସୁଦର୍ଶନ ମହାରଣା ଏ କଥା ସ୍ୱିକାର କରିଛନ୍ତି । ଲିମ୍ବ କାଠରେ ସେ ପଶ୍ଚିମବଙ୍ଗ ମନ୍ଦିର ପାଇଁ ବିଗ୍ରହ ତିଆରି କରିଛନ୍ତି । ଏହା ଦାରୁର ଅଂଶ ବିଶେଷ ନୁହେଁ । ଧର୍ମୀୟ ଭାବନାକୁ କୁଠାରଘାତ କରିବା ନେଇ ଦେଇଥିବା ମନ୍ତବ୍ୟ ବିଷୟରେ ତାଙ୍କୁ ତଥ୍ୟ ମଗାଯାଇଛି, ଉତ୍ତରରେ ସନ୍ତୁଷ୍ଟ ନ ହେଲେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ ।
– ଦାରୁକାଠ ବାବଦରେ ମହାରଣା ସେବକଙ୍କ ସହ ଆଲୋଚନାରୁ ଯାହା ଜଣା ପଡ଼ିଛି ବଳକା କାଠ ଯୋଉ ଥାଏ ସେଥିରେ ଅଢେଇ ଫୁଟର ମୂର୍ତ୍ତି ନିର୍ମାଣ କରିବା ସମ୍ଭବ ନୁହେଁ । ସତ୍ତ୍ୱଲିପି ଅନୁସାରେ ମହାପ୍ରଭୁଙ୍କ ବଳକା କାଠ ଦାରୁଘରେ ରହେ । 1996 ରେ ସରକାରଙ୍କ ଗୋଟାଏ ଭୁଲ୍ ନିଷ୍ପତ୍ତି କ୍ରମେ ସେଥିରୁ କିଛି କାଠ ଦଇତାପତି ନିଯୋଗରେ ରଖାଯାଇଥିଲା । ଏବେ ସବୁ କାଠର ଗଣନା କରାଯାଇ କାଠକୁ ଆଣି ଦାରୁଘରେ ରଖାଯିବ । କୌଣସି କାଠ ଦାରୁଘର ବାହାରେ ରହିବ ନାହିଁ । ଛତିଶା ନିଯୋଗ ସହ ଆଲୋଚନା ହେଇଛି  । 
– ଶ୍ରୀମନ୍ଦିରକୁ ନେଇ କୌଣସି ସେବାୟତ ବେପରୁଆ ମନ୍ତବ୍ୟ ଦେଇ ପାରିବେ ନାହିଁ ।
 

Visited 12 times, 1 visit(s) today
Share this post

Leave A Comment

Your email address will not be published. Required fields are marked *