Date Archives May 2025

ସରିଲା ଟ୍ରମ୍ପ-ଏଲନ୍ ମସ୍କ ଯୋଡ଼ି

ଏଲନ୍ ମସ୍କ ଓ ଟ୍ରମ୍ପଙ୍କ ଯୋଡ଼ିରେ ଫାଟ। ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କଙ୍କ ଯୋଡ଼ି । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ। ଏନେଇ x ରେ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ଏଲନ୍ ଲେଖିଛନ୍ତି, ଟ୍ରମ୍ପ ପ୍ରଶାସନ ସହିତ ମୋର ସମୟ ଶେଷ ହେଲା। DOGE ବା Department of Government Efficiencyର ମୁଖ୍ୟ ପଦ ସମ୍ଭାଳିଥିଲେ ଏଲନ୍ ମସ୍କ । ଟ୍ରମ୍ପଙ୍କ ବଜେଟ୍ ବିଲକୁ ସମାଲୋଚନା କରିଥିଲେ ଏଲନ୍ ମସ୍କ । ବଜେଟ୍ ବିଲକୁ ସମାଲୋଚନା କରିବା ପରେ ସେ ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ।

ଟ୍ରମ୍ପ ଦ୍ୱିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ DOGE ର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା। ମସ୍କ ଏହି ବିଭାଗର ଦାୟିତ୍ୱ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବା ବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା।ଏବେ ଉକ୍ତ ପଦବିକୁ ବାଏ ବାଏ କରିଛନ୍ତି ମସ୍କ। କୁହାଯାଉଛି, ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ବେଶ ବିବାଦୀୟ ହେଉଛି। ଆଉ ଏହି କାରଣରୁ ମସ୍କ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଯୁବରାଜଙ୍କ ପାଇଁ ସକ୍ସେସ୍ ଶୁଭମନ୍ ଗିଲ୍!

ଇଣ୍ଡିଆ ଟେଷ୍ଟ ଟିମର କ୍ୟାପ୍ଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଶୁଭମନ ଗିଲ୍। ରୋହିତ୍ ଶର୍ମାଙ୍କ ପରେ ଶୁଭମନଙ୍କୁ ମିଳିଛି ଗୁରୁଦାୟିତ୍ୱ। ଟେଷ୍ଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କିଏ ରିପ୍ଲେସ୍ କରିପାରିବେ ସେ ନେଇ ଯୋଗ୍ୟତା ଓ ଦକ୍ଷତାର କଥା ଉଠିଥିଲା ବେଳେ ଉଭୟରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣ କରି ଶୁଭମନ୍ ଗିଲ୍ କ୍ୟାପ୍ଟେନସିପ୍ ହାତେଇଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜ ସିଂଙ୍କ ହାତ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂହ। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଥିବା କହିଛନ୍ତି ୟୋଗରାଜ।

ଯୁବରାଜଙ୍କ ପାଇଁ ସଫଳ ଗିଲ୍

ଶୁଭମନ୍ ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି ୟୋଗରାଜ ସିଂ। ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିକେଟର ୟୋଗରାଜ ସିଂ ଭାରତୀୟ ଟେଷ୍ଟ ଦଳର ନବନିଯୁକ୍ତ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ‘‘ଶୁଭମନ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିବେ। ତେବେ ଜଣେ ସଫଳ କ୍ରିକେଟର ହେବାକୁ ଯେଉଁ ଦିଗଦର୍ଶନ ଆବଶ୍ୟକ ତାହା ଯୁବରାଜଙ୍କ ଠାରୁ ପାଇଥିବା କାରଣରୁ ଗିଲ ଏତେ ବାଟ ଆସି ପାରିଛନ୍ତି।ଯୁବରାଜ ଜଣେ ଅତ୍ୟନ୍ତ ବୁଦ୍ଧିମାନ କ୍ରିକେଟର। ସେ ଗିଲଙ୍କୁ ନିଜ ଅଧୀନରେ ନେବା କାରଣରୁ ହିଁ ସେ ଜଣେ ଭଲ ଖେଳାଳି ଓ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଗିଲ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ଓ ଟେକନିକ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି।‘‘ ୨୫ ବର୍ଷୀୟ ଗିଲ ଟେଷ୍ଟ ଟିମର ଅଧିନାୟକ ଭାବେ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ସେ ସଫଳ ହେବା ନେଇ ୟୋଗରାଜ ଆଶା କରିଛନ୍ତି। ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଗିଲ ଭାରତର କ୍ୟାପଟେନ ରହିଥିଲେ ଶୁଭମନ୍ ଗିଲ୍। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି। ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପ୍ଟେନ୍ ରେସରେ ଥିବା ସମସ୍ତଙ୍କୁ ପଛରେ ପକାଇ ଶୁଭମନ୍ ଏ ସଫଳତା ହାସଲ କରିଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜଙ୍‌କ ପ୍ରମୁଖ ଭୂମିକା ଥିବା ୟୋଗରାଜଙ୍କ ଷ୍ଟେଟମେଣ୍ଟକୁ ନେଇ ଏବେ କ୍ରିକେଟ ମହଲରେ ଚର୍ଚ୍ଚା।

 

ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା କେତେ ଭୁଲ କରିବେ?

ସରକାରୀ କ୍ୟାଲେଣ୍ଡରରେ ଛୁଟିକୁ ନେଇ ବାରମ୍ବାର ନିଷ୍ପତ୍ତି ବଦଳାଯାଉଛି। ଏମିତି ଲାଗୁଛି ଯେମିତି କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ଆଦୌ ପ୍ରସ୍ତୁତ ନ ହୋଇ କ୍ୟାଲେଣ୍ଡର ପ୍ରକାଶ କରିଦେଇଛନ୍ତି। ‘ସାବିତ୍ରୀ ବ୍ରତ’ ଛୁଟି ତାରିଖକୁ ନେଇ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମେ ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା ଛୁଟି ଥିଲାବେଳେ ଏବେ କିନ୍ତୁ ତାରିଖରେ ପରିବର୍ତ୍ତନ ହୋଇଛି। ଛୁଟି ତାରିଖର ଠିକ୍ ୪ ଦିନ ପୂର୍ବରୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି। ମେ ୨୭ ପରିବର୍ତ୍ତେ ୨୬ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ହେବ। ପୂର୍ବରୁ ଘୋଷଣା ହୋଇଥିବା ଛୁଟି ତାରିଖରେ ଅଫିସ୍ ଯିବେ ସରକାରୀ କର୍ମଚାରୀ। ତେବେ ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ ଚଳିତ ମାସ ୨୬ ତାରିଖରେ ‘ସାବିତ୍ରୀ ବ୍ରତ’ ପାଳନ ହେବ। କିନ୍ତୁ ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରରେ ମେ ୨୭ ତାରିଖରେ ‘ସାବିତ୍ରୀ ବ୍ରତ’ ଲେଖାଯାଇ ସରକାରୀ ଛୁଟି ଘୋଷଣା ହୋଇଥିଲା ସାବିତ୍ରୀ ଅମାବାସ୍ୟାର ଗୋଟାଏ ଦିନ ପରେ ଥିଲା ସାବିତ୍ରୀ ଛୁଟି। ସରକାରୀ କ୍ୟାଲେଣ୍ଡରରେ ତ୍ରୁଟି ଯୋଗୁଁ ବାଧ୍ୟ ହୋଇ ଛୁଟି ତାରିଖ ବଦଳାଇଛନ୍ତି ସରକାର। ତେବେ କଥା ହେଉଛି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ଧ୍ୟାନ କୁଆଡ଼େ? କାହିଁକି ବୁଝି ବିଚାରି ସେ କ୍ୟାଲେଣ୍ଡର ପ୍ରକାଶ କରୁନାହାନ୍ତି? ସରକାରୀ କ୍ୟାଲେଣ୍ଡର ପ୍ରିଣ୍ଟ୍ ହେବା ପୂର୍ବରୁ ପ୍ରସ୍ତୁତକର୍ତ୍ତାମାନେ, ଶ୍ରୀମନ୍ଦିର ଦ୍ୱାରା ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ କାହିଁକି ଅଣଦେଖା କରୁଛନ୍ତି? ଯଦି ସେ ପଞ୍ଜିକାକୁ ଅନୁକରଣ କରି ଥାଆନ୍ତେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାଆନ୍ତା।

ବାରମ୍ବାର ବଦଳୁଛି ଛୁଟି ତାରିଖ
ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ତାଲିକାରେ ପରିବର୍ତ୍ତନ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ପଞ୍ଚାୟତିରାଜ ଦିବସକୁ ନେଇ ମଧ୍ୟ ଛୁଟି ପ୍ରସଙ୍ଗରେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ଚଳିତ ବର୍ଷ ୫ ମାର୍ଚ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଉଲ୍ଲେଖ କରି ଛୁଟି ଘୋଷଣା ହୋଇଥିଲା।  କିନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନରେ ୫ ମାର୍ଚ୍ଚକୁ ଛୁଟିଦିନ ନୁହେଁ ବୋଲି ଓଡ଼ିଶା ସରକାର ଘୋଷଣା କଲେ।ମାର୍ଚ୍ଚରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସକୁ ଭାବେ ପାଳନ ନକରିବା ଏବଂ ଛୁଟି ବାତିଲକୁ ନେଇ ବିବାଦ ହୋଇଥିଲା। ଛୁଟି ଘୋଷଣା ହେଇ ସାରିଥିବା ତାରିଖରେ ବି ଅଫିସ୍ ଆସିଥିଲେ ସରକାରୀ କର୍ମଚାରୀ। ଏବେ ପୁଣି ସେହି ଭୁଲର ରିପିଟ ଟେଲିକାଷ୍ଟ ଦେଖିବାକୁ ମିଳିଛି। ମେ ୨୭ ରେ ପ୍ରକାଶିତ ହୋଇଥିବା ସାବିତ୍ରୀ ବ୍ରତଛୁଟି ୨୬ ରେ ମିଳିବ। ଯାହା ଜଣାପଡ଼ୁଛି ଓଡ଼ିଶା ସରକାରଙ୍କ ପ୍ରକାଶିତ ସରକାରୀ କ୍ୟାଲେଣ୍ଡର ଆଦୌ ପଞ୍ଜିକାର ଅନୁଶୀଳନରେ କରାଯାଇ ନାହିଁ। ନହେଲେ ହୁଏତ ଦୁଇ ଦୁଇ ଥର ଛୁଟି ତାରିଖ ବଦଳେଇବାକୁ ପଡ଼ି ନଥାଆନ୍ତା। ଅବଶ୍ୟ ସରକାରଙ୍କ ଏ ନିଷ୍ପତ୍ତିରେ ସରକାରୀ କର୍ମଚାରୀଙ୍କୁ ଲଗାତର ତିନି ଦିନର ଛୁଟି ମିଳିଗଲା। ମେ ୨୪ଚତୁର୍ଥ ଶନିବାର, ୨୫ ରବିବାର ଓ ୨୬ ରେ ସାବିତ୍ରୀ ଛୁଟି ମିଳିଲା ପରେ ଲଗାତର ତିନିଦିନର ଛୁଟି ପାଇ ସିନା ସରକାରୀ କର୍ମଚାରୀ ଖୁସ୍ କିନ୍ତୁ କ୍ୟାଲେଣ୍ଡରରେ ବାରମ୍ବାର ତ୍ରୁଟି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣୁଛି। ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି ଆଉ କେତେ ଭୁଲ କରିବେ ସରକାରୀ କ୍ୟାଲେଣ୍ଡର ପ୍ରସ୍ତୁତକର୍ତ୍ତା ?

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ IPL ଫାଇନାଲ

ଅପରେସନ୍ ସିନ୍ଦୂରକୁ ନେଇ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ହଟିଲା ପରେ ପୁଣି ଆରମ୍ଭ ହୋଇ ଯାଇଛି ସ୍ଥଗିତ ହୋଇଥିବା IPL । ଚଳିତ ଥର IPL ଫାଇନାଲ ମ୍ୟାଚ୍ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ହେବ। ତୃତୀୟ ଥର ପାଇଁ ଅହମଦାବାଦ IPL ଫାଇନାଲ ଆୟୋଜନ କରିବାକୁ ଯାଉଛି। ୨୦୨୨ ଓ ୨୦୨୩ ଆଇପିଏଲର ଫାଇନାଲ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା। ଭାରତ-ପାକିସ୍ତାନ ବିବାଦ ଯୋଗୁ IPL ପ୍ରାୟ ୧୦ ଦିନ ବନ୍ଦ ରହିଥିଲା। ଶନିବାର ଠାରୁ ବଳକା ମ୍ୟାଚ୍‌ଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି।

 ପ୍ଲେ ଅଫ ଓ ଫାଇନାଲ କେଉଁଠି ଖେଳାଯିବ, ସେକଥା ଘୋଷଣା ହୋଇନଥିଲା। BCCI ଜୁନ ୩ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖେଳାଯିବ ବୋଲି ଘୋଷଣା କରିଛି।ପ୍ରକୃତରେ ୨୦୨୫ ଆଇପିଏଲର ଫାଇନାଲ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାର ଥିଲା। କିନ୍ତୁ କୋଲାକତାରେ ଜୁନ ମାସ ବେଳକୁ ବର୍ଷାର ଆଶଙ୍କା ରହିଛି। ତେଣୁ BCCI ଫାଇନାଲ ଭେନ୍ୟୁକୁ ବଦଳାଇ ଦେଇଛି।

ଏନକାଉଣ୍ଟରରେ ସଫା ମାଓବାଦୀ ସେଣ୍ଟ୍ରାଲ୍ କମିଟି ମୁଖ୍ୟ

ମାଓ ଦମନକୁ ଗୁରୁତ୍ତ୍ୱ ଦେଉଛନ୍ତି ସରକାର। ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। 2026 ସୁଦ୍ଧା ଭାରତ ଆତଙ୍କବାଦ ମୁକ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପହେଲଗାମ ଆକ୍ରମଣର ପାଲଟା ଆକ୍ରମଣ କରି ପାକିସ୍ତାନକୁ ଉଚିତ ଜବାବ ଦେଇଥିବା ଭାରତ ଏବେ ମାଓବାଦୀଙ୍କ ଦମନରେ ମଧ୍ୟ ସଫଳତା ହାସଲ କରିଛି। ବିଭିନ୍ନ ରାଜ୍ୟରୁ, ବିଭିନ୍ନ ଅପରେସନ୍ ମାଧ୍ୟମରେ ମାଓବାଦୀଙ୍କୁ ଦମନ କରିବା କ୍ଷେତ୍ରରେ ଭାରତ ଢେର୍ ସଫଳତା ହାସଲ କରିଛି । ଅପରେସନ୍ ବ୍ଲାକ୍ ଫରେଷ୍ଟ ମାଧ୍ୟମରେ ମାଓ ନିପାତର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି।

ଏନକାଉଣ୍ଟରରେ 30 ମାଓବାଦୀ ସଫା
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କୁ ଦମନ କରିବା ପାଇଁ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ମାଓ ମୁକାବିଲା ସହିତ ମାଓବାଦୀଙ୍କ ମୂଳ ନିପାତ ପାଇଁ ହୋଇଛି ବଡ଼ ଧରଣର ଅପରେସନ୍। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ବାସବରାଜର  ମୃତ୍ୟୁ ହୋଇଛି । ବାସବରରାଜ ହେଉଛି ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ  ତା ନିର୍ଦ୍ଦେଶରେ ମାଓବାଦୀ ବିଭିନ୍ନ ହିଂସାମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ।  ବାସବରାଜଙ୍କୁ ଧରାଇଦେବାକୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। 30 ମାଓବାଦୀଙ୍କ ସହିତ ମାଓବାଦୀ ସେଣ୍ଟ୍ରାଲ କମିଟିର ମୁଖ୍ୟ ବାସବରାଜର ଏନକାଉଣ୍ଟର ମାଓବାଦୀଙ୍କ ମୂଳୋତ୍ପାଟନରେ ଏକ ବଡ଼ ଧରଣର ସଫଳତା ।