ରାୟଗଡ଼ା ରାଜନୀତିରେ ହଲଚଲ। BJDରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଏନ୍ ଭାସ୍କର ରାଓ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ତାଙ୍କ ସହ ଲାଲ ବିହାରୀ ହିମରିକା ମଧ୍ୟ ଇସ୍ତଫା ଦେଇଛନ୍ତି । 2016 ରୁ 2022 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ଏନ୍ ଭାସ୍କର ରାଓ । ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସେ ଦଳ ଛାଡ଼ିଛନ୍ତି । ବିଜୁ ସ୍ୱାଭିମାନ ମଞ୍ଚ ଗଢି ରାୟଗଡ଼ାର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏନ୍ ଭାସ୍କର ରାଓଙ୍କ ଇସ୍ତଫା ରାୟଗଡ଼ା ବିଜେଡିକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି ।

ନବୀନଙ୍କୁ ଛାଡ଼ିଲେ, ବିଜୁଙ୍କ ନାଁରେ ଦଳ ଗଢିଲେ
‘ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ। କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । କଂଗ୍ରେସ ବିରୋଧରେ ଆମେ ଲଢେଇ କରୁଥିଲୁ । ହେଲେ ଏସବୁକୁ ଅଣଦେଖା କରାଗଲା ’ । ରାଜନୀତି ପଛ ଜିଲ୍ଲା ଲୋକଙ୍କ କଥା ଆଗ ଏମିତି କିଛି କହି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଏନ୍ ଭାସ୍କର ରାଓ । ବିଜେଡିର କାର୍ଯ୍ୟକଳାପକୁ ନେଇ ଭାସ୍କର ରାଓ ଅସନ୍ତୁଷ୍ଟ ଥିଲେ । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘‘ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । ଏଭଳି ନିଷ୍ପତ୍ତି ନିଆଯିବ ବୋଲି କେହି ଭାବିନଥିଲେ ।’’

BJDରେ ମର୍ଯ୍ୟାଦା ମିଳିଲା ନାହିଁ
BJDରେ ମର୍ଯ୍ୟାଦା ମିଳି ନଥିବା ଏନ୍ ଭାସ୍କର ରାଓ ପ୍ରକାଶ କରିଛନ୍ତି । ଲୋକଙ୍କ ପାଇଁ ସେ ଯାହା ଚାହିଁଛନ୍ତି ତାହା କରିବାରେ ତାଙ୍କୁ ଦଳ ପୂର୍ଣ୍ଣ ସ୍ୱାଧିନତା ଦେଇ ନଥିବା କହିଛନ୍ତି । ବିଜୁ ଜନତା ଦଳ ତାଙ୍କର ସ୍ୱାଧିନତାକୁ ସଙ୍କୁଚିତ କରିଛି ବୋଲି ପ୍ରକାଶ କରିବା ସହିତ ଜିଲ୍ଲା ବିଜେଡିରେ ତାଙ୍କ ଗୁରୁତ୍ତ୍ୱ କମୁ ଥିବାରୁ ସେ ଇସ୍ତଫାର ନିଷ୍ପତ୍ତି ନେଇଛନ୍ତି । ତେବେ ନବୀନଙ୍କଠାରୁ ଅଲଗା ହୋଇ ବିଜୁ ପଟ୍ଟନାୟକଙ୍କ ନାଁ ରେ ଗଢିଥିବା ବିଜୁ ସ୍ୱାଭିମାନ ମଞ୍ଚ କେତେଦିନ ତିଷ୍ଠିବ?