Posts tagged health

ଟି ବ୍ୟାଗରୁ ହୋଇପାରେ କ୍ୟାନ୍ସର

ଚା’ ପିଇବା ଭାରତୀୟ ଘରର ଏକ ନିତିଦିନିଆ ଅଭ୍ୟାସ। କପେ ଚା’ରୁ ହିଁ ଦିନଚର୍ଯ୍ୟା ଆରମ୍ଭ ହୁଏ।ଘରକୁ ଅତିଥି ଆସନ୍ତୁ କିମ୍ବା କୌଣସି ପାର୍ଟି ଫଙ୍ଗସନ, ଚା’ ନିହାତି ଦରକାର। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚା’ ଆପଣଙ୍କ ପାଇଁ ବିପଦଜନକ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି,ଟି ବ୍ୟାଗର ବାହାରୁଥିବା ମାଇକ୍ରୋପ୍ଲାଷ୍ଟିକ୍ କର୍କଟ ଏବଂ ବାଞ୍ଝପଣ ଭଳି ଗୁରୁତର ରୋଗର କାରଣ ହୋଇପାରେ।ବାର୍ସିଲୋନା ୟୁନିଭରସିଟିରା ବୈଜ୍ଞାନିକମାନେ ଟି- ବ୍ୟାଗକୁ ନେଇ ଏକ ଅଧ୍ୟୟନ କରିଥିଲେ। ଗରମ ପାଣିରେ ଟି ବ୍ୟାଗ ବୁଡ଼ାଇବା ଦ୍ୱାରା ଲକ୍ଷ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ ନିର୍ଗତ ହେଉଥିବା ଜଣାପଡ଼ିଛି। ଆଉ ଏହି ଛୋଟ ଛୋଟ ପ୍ଲାଷ୍ଟିକ କଣିବା ମାନବ ଶରୀରକୁ ପ୍ରବେଶ କରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସୃଷ୍ଟି କରିପାରେ।

ବୈଜ୍ଞାନିମାନେ ତିନି ପ୍ରକାରର ଟି ବ୍ୟାଗକୁ ନେଇ ଅଧ୍ୟୟନ କରିଥିଲେ -ନାଇଲନ୍, ପଲିପ୍ରୋପିଲିନ ଏବଂ ଦୋକାନ ବଜାରରେ ଉପଲବ୍ଧ ନିୟମିତ ଟି ବ୍ୟାଗ ।ଏହି ଚା ବ୍ୟାଗଗୁଡିକୁ ୯୫ ଡିଗ୍ରି ସେଣ୍ଟିଗ୍ରେଟରେ ପାଣିରେ ରଖାଗଲା।ଅଧ୍ୟୟନରୁ ଜଣାପଡ଼ିଛି ପଲିପ୍ରୋପିଲିନ ଟି ବ୍ୟାଗଗୁଡିକ ସବୁଠାରୁ ବିପଜ୍ଜନକ ଅଟେ, ଯାହା ମିଲିଲିଟର ପ୍ରତି ୧.୨ ବିଲିୟନ ମାଇକ୍ରୋପ୍ଲାଷ୍ଟିକ୍ ଛାଡିଥାଏ। ସେହିପରି ନାଇଲନ୍ ଟି ବ୍ୟାଗଗୁଡିକ ମିଲିଲିଟର ପିଛା ୮.୧୮ ମିଲିୟନ୍ ମାଇକ୍ରୋପ୍ଲାଷ୍ଟିକ୍ ନିର୍ଗତ କରିଥିଲା।

ମାଇକ୍ରୋପ୍ଲାଷ୍ଟିକ୍ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଜମା ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି।ଏହି କଣିକାଗୁଡ଼ିକ ଅନ୍ତନଳୀ କାନ୍ଥକୁ ନଷ୍ଟ କରି କୋଷରେ ପ୍ରବେଶ କରି ଡିଏନଏକୁ ପ୍ରଭାବିତ କରିପାରନ୍ତି। ଏହି କଣିକା ଗୁଡ଼ିକ କର୍କଟ, ବନ୍ଧ୍ୟାକରଣ ଏବଂ ଅନ୍ତନଳୀ ରୋଗ ସୃଷ୍ଟି କରିବାର ଅନେକ ଆଶଙ୍କା ଥିବାର ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ।କେବଳ ଏତିକି ନୁହେଁ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଖାଦ୍ୟ ଅନ୍ତନଳୀରେ ପ୍ରତିରକ୍ଷା ସ୍ତରକୁ ଦୁର୍ବଳ କରିପାରେ ଏବଂ କର୍କଟ କୋଷର ବିସ୍ତାରକୁ ତ୍ୱରାନ୍ୱିତ କରିପାରେ।ଏହା ବ୍ୟତୀତ ମାଇକ୍ରୋପ୍ଲାଷ୍ଟିକ୍ ପୁରୁଷମାନଙ୍କର ଶୁକ୍ରାଣୁକୁ ପ୍ରଭାବିତ କରିବା ସହ ସେମାନଙ୍କର ଗତିଶୀଳତା ହ୍ରାସ କରିଥାଏ। 

ମେଡିକାେଲ୍ ରେପ୍ କଣ?ଯୋଉଥିପାଇଁ ପିଲା ସହ ମିଶୁନି ବାପାଙ୍କ DNA

ମନେ କରନ୍ତୁ ଆପଣଙ୍କ ବୟସ ୩୮ ବର୍ଷ । ଆଉ ୩୮ ବର୍ଷ ପରେ ଜାଣିବାକୁ ପାଇଲେ ଏତେ ବର୍ଷ ଯାହାଙ୍କ ଛତ୍ରଛାୟା ତଳେ ରହି ଏଡ଼ୁଟିଏ ହୋଇଛନ୍ତି, ଯାହାଙ୍କ ହାତ ଧରି ବାଟ ଚାଲି ଶିଖିଛନ୍ତି, ସେ ଆପଣଙ୍କ ବାପା ନୁହଁନ୍ତିି। ବରଂ ଆପଣଙ୍କ ପ୍ରକୃତ ବାପା ଆଉ କେହି ଜଣେ,ଯାହାକୁ ନା ଆପଣ ଜାଣିଛନ୍ତି,ନା ଚିହ୍ନିଛନ୍ତି।ଆପଣଙ୍କୁ କିପରି ଅନୁଭବ ହେବ?ଏପରି କଥା ଶୁଣିଲେ କାହାର ବି ପାଦତଳୁ ମାଟି ଖସିଯିବା ସ୍ୱଭାବିକ। ଆଇଭିଏଫ୍ ମାଧ୍ୟମରେ ଜନ୍ମ ହୋଇଥିବା ପିଲାଙ୍କ ସହ ଏପରି କିଛି ଘଟିଛି।

ବିଜ୍ଞାନ ଭାଷାରେ ଏହାକୁ ମେଡିକାଲ ରେପ କୁହାଯାଏ।କାଲିଫର୍ଣ୍ଣିଆର ଦମ୍ପତିଙ୍କ ସହ ହୋଇଛି ମେଡିକାଲ ରେପ।ବଲିଉଡ ଫିଲ୍ମ ଗୁଡ୍ ନ୍ୟୁଜରେ କରୀନା କପୁର ଏବଂ ଅକ୍ଷୟ କୁମାରଙ୍କ ସହିତ ଯେପରି ଘଟିଥିଲା, ସେହିପରି ଏ ଦମ୍ପତି ପ୍ରତାରଣାର ଶିକାର ହୋଇଛନ୍ତି । ୪୧ ବର୍ଷ ପରେ ମେଡିକାଲ ରେପ ସମ୍ପର୍କରେ ଜାଣିବା ପରେ ଦମ୍ପତିଙ୍କ ହୋସ ଉଡ଼ିଯାଇଛି।

ବିବାହର ଅନେକ ବର୍ଷ ପରେ ମଧ୍ୟ କାଲିଫର୍ଣ୍ଣିଆର ଦମ୍ପତି ଜେନ ଓ ଜନ ରୋଙ୍କୁ ସନ୍ତାନ ସୁଖ ମିଳିନଥିଲା।ଡାକ୍ତରଖାନା ଦୌଡ଼ି ଦୌଡ଼ି ଶେଷରେ ଆଇଭିଏଫ ଉପାୟରେ ପିଲା ଜନ୍ମ ପାଇଁ ମନସ୍ତ କରିଥିଲେ।୧୯୮୩ ମସିହାରେ ସେମାନେ ଲସ୍ ଆଞ୍ଜେଲସର ଜଣେ ଆଇଭିଏଫ୍ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିଥିଲେ।ହେଲେ ଅନେକ ଥର ଆଇଭିଏଫ୍ କରିବା ପରେ ମଧ୍ୟ ଦମ୍ପତିଙ୍କ କୋଳକୁ ପିଲାଟିଏ ଆସି ନଥିଲା। ଶେଷରେ ୧୯୮୬ରେ ଭଗବାନ ତାଙ୍କ ଡାକ ଶୁଣିଥିଲେ, ଆଇଭିଏଫ୍ ସଫଳ ହେବା ସହ ଦମ୍ପତିଙ୍କର ଜାଆଁଳା ପିଲା ହୋଇଥିଲା। ତା’ପରେ ପରିବାର ହସଖୁସିରେ ପୂରି ଉଠିଥିଲା।ସବୁ କିଛି ଠିକଠାକ ଚାଲିଥିଲା।ଜାନୁୟାରୀ ୨୦୨୩ରେ ଦମ୍ପତିଙ୍କ ଝିଅ କୌଣସି କାରଣ ଯୋଗୁଁ ନିଜର ଡିଏନଏ ପରୀକ୍ଷା କରାଇଥିଲେ।ହେଲେ ରେଜଲ୍ଟ ଦେଖି ସମସ୍ତଙ୍କ ମୁଣ୍ଡ ଘୂରି ଯାଇଥିଲା। କାରଣ ମା’ଙ୍କ ସହ ଝିଅର ଡିଏନଏ ମେଳ ଖାଉଥିଲା ସିନା ବାପାଙ୍କ ସହ ନୁହେଁ।

ମା’କୁ ଏସମ୍ପର୍କରେ ପଚାରିବା ପରେ ମା’ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଦମ୍ପତିଙ୍କ ସମ୍ମତି ବିନା ଆଇଭିଏଫ୍ ବିଶେଷଜ୍ଞ ଜଣକ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଅନ୍ୟ ଜଣେ ପୁରୁଷର ଶୁକ୍ରାଣୁ ବ୍ୟବହାର କରିଥିବା କଥା ସେମାନେ ଜାଣିନଥିଲେ।ଏହି ମାମଲାର ଖୁଲସା ପରେ ଦମ୍ପତି ଅପରାଧୀ ଆଇଭିଏଫ ବିଶେଷଜ୍ଞଙ୍କ ବିରୋଧରେ ମେଡିକାଲ ରେପର ଅଭିଯୋଗ ଆଣିଛନ୍ତି।କେବଳ ଏହି ଦମ୍ପତିଙ୍କ ସହ ନୁହେଁ, ଆଉ ୧୬ ଦମ୍ପତିଙ୍କ ସହ ଆଇଭିଏଫ ବିଶେଷଜ୍ଞ ମେଡିକାଲ ରେପ୍ କରିଥିବା ଯାଂଚରୁ ଜଣାପଡ଼ିଛି।ବର୍ତ୍ତମାନ ଏହି ମାମଲା କାଲିଫର୍ଣ୍ଣିଆ କୋର୍ଟରେ ବିଚାରାଧୀନ ଅଛି।

ମଦ ପିଇଲେ ହୁଏ,୬ ପ୍ରକାର କ୍ୟାନସର

ମଦ ସ୍ୱାସ୍ଥ୍ୟପକ୍ଷେ ହାନିକାରକ।ଏହି ନିଶା ପାଇଁ କେତେ ଯେ ଘର ଉଜୁଡ଼ି ଯାଉଛି କହିବା ମୁସ୍କିଲ।କେବଳ ଏତିକି ନୁହେଁ ଦେଶରେ ଅନେକ ସମୟରେ ମଦମୃତ୍ୟୁର ଅନେକ ମାମଲା ଆସୁଛି। ମଦ ପିଇବା ଦ୍ୱାରା ପରିବାର ତଥା ସମାଜରେ ଅଶାନ୍ତି ସୃଷ୍ଟି ହେଉଛି ବୋଲି ଦାବି କରି ଅନେକ ସାମାଜିକ ସଂଗଠନ ମଦ ବନ୍ଦ କରିବାକୁ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି। ହେଲେ ନିଜେ ସଚେତନ ନହେଲେ ନା କୌଣସି ସାମାଜିକ ସଂଗଠନ ନା କୌଣସି ପରିବାର ଲୋକ କାହାର ନିଶା ଛଡ଼ାଇ ପାରିବେ।ଏ ନିଶା ପାଇଁ ଜାଣିଶୁଣି ଲୋକେ ମରଣ ମୁହଁକୁ ଠେଲି ହୋଇଯାଉଛନ୍ତି।

ମଦ୍ୟପାନ କରୁଥିବା ଲୋକଙ୍କୁ କ୍ୟାନସରର ଅଧିକ ଭୟ ଥାଏ।ନିକଟରେ ଆମେରିକାରେ ଏହି ବିଷୟରେ ଏକ ଅଧ୍ୟୟନ କରାଯାଇଛି।ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ରିପୋର୍ଟ ୨୦୨୪ ଅନୁଯାୟୀ,କର୍କଟ ରୋଗର ସମସ୍ତ ପ୍ରକାର କେସରୁ ୫% ମଦ୍ୟପାନ ସହିତ ଜଡିତ।ମଦ୍ୟପାନ କରିବା ଦ୍ୱାରା ୬ ପ୍ରକାରର କର୍କଟ ରୋଗ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଠିକ ସମୟରେ ଏହି ନିଶାରୁ ନିଜକୁ ମୁକ୍ତ କଲେ,ମଦ୍ୟପାନ ସମ୍ବନ୍ଧୀୟ କର୍କଟ ରୋଗ ହେବାର ଆଶଙ୍କା ୮% ପର୍ୟ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି।

ଆମେରିକାନ ଆସୋସିଏସନ ଫର କ୍ୟାନସର ରିସର୍ଚ୍ଚ ରିପୋର୍ଟ ଅନୁସାରେ,ମଦ ପିଇବା ଦ୍ୱାରା ମସ୍ତିଷ୍କ, ଗଳା, ସ୍ତନ,ମଳାଶୟ, ଯକୃତ ଓ ଖାଦ୍ୟ ନଳୀ କର୍କଟ ହେବାର ଆଶଙ୍କା ଅଧିକ ରହିଛି। ଯେଉଁ ଲୋକମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଫ୍ୟାଟି ଲିଭରର ସମସ୍ୟା ବଢ଼ି ଯାଇଥାଏ। ସବୁଠାରୁ ଆଶ୍ଚର୍ୟ୍ୟଜନକ ଏବଂ ଚିନ୍ତାଜନକ ବିଷୟ ହେଉଛି ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ଯେଉଁମାନେ ଭାବନ୍ତି ଯଦି ଆମେ କମ୍ ମଦ୍ୟପାନ କରୁ,ତେବେ ଆମ ସହିତ କିଛି ହେବ ନାହିଁ। ଏହା ଭାବିବା ଭୁଲ ବୋଲି ଏକ୍ସପର୍ଟ କହିଛନ୍ତି। ମଦ୍ୟପାନ ଏତେ ବିପଜ୍ଜନକ ଯେ ଏହା ଏହାର ପ୍ରଥମ ସିପ୍ରେ ପ୍ରଭାବ ଦେଖାଇବା ଆରମ୍ଭ କରେ।ମଦରେ ଥିବା ଆଲ୍କହଲ୍ ମାତ୍ରା ଶରୀରରେ ଗ୍ୟାଷ୍ଟ୍ରିକ୍ ଏସିଡ୍ ସୃଷ୍ଟି କରିଥାଏ। 

ସେହିପରି ଯକୃତର କାମ ହେଉଛି ଶରୀରର ମଇଳାକୁ ସଫା କରିବା। ସଠିକ୍ ହଜମ ପ୍ରକ୍ରିୟା,ମେଟାବୋଲିଜିମ୍,ବିଷାକ୍ତ ପଦାର୍ଥ ଅପସାରଣ ଏବଂ ପୁଷ୍ଟିକର ସଂରକ୍ଷଣରେ ସାହାଯ୍ୟ କରେ ଲିଭର। ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରଭାବିତ କରିବାରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଯଦି ପ୍ରତିଦିନ ମଦ୍ୟପାନ ଦ୍ୱାରା ଯକୃତକୁ ସିଧାସଳଖ କ୍ଷତି ପହଞ୍ଚେ। ଆଉ ଧୀରେ ଧୀରେ ସମସ୍ତ ପ୍ରକାର ରୋଗ ସୃଷ୍ଟି ହେବା ଆରମ୍ଭ ହୁଏ। ଆଉ ଧୀରେ ଧୀରେ ସବୁ ଅଙ୍ଗକୁ ମାଡ଼ିଯାଏ।

କୋରୋନାଠୁ ଅଧିକ ଭୟଙ୍କର ଭାଇରସ୍

ଚିନ୍ତା ବଢାଉଛି ଭାଇରସ।ମାରବର୍ଗ ଭାଇରସର ବିପଦ ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।ଯାହାକୁ ଦୃଷ୍ଟି ରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସତର୍କ ସୂଚନା ଜାରି କରିଛି। କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବିବେଚନା କରାଯାଉଥିବା ଏହି ଭାଇରସ ଶରୀରରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି।ଏଭଳି ସ୍ଥିତିରେ ସମସ୍ତେ ସାବଧାନତାର ସହିତ ରହିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ମାରବର୍ଗ ଭାଇରସକୁ ବ୍ଲିଡିଂ ଆଇ ଭାଇରସ୍ ମଧ୍ୟ କୁହାଯାଏ। ଏହି  ଭାଇରସ ବର୍ତ୍ତମାନେ  ସବୁଠାରୁ ଘାତକ  ପ୍ରମାଣିତ ହୋଇଛି।ଆଫ୍ରିକାର ସତରଟି ଦେଶରେ ଦୃତ ଗତିରେ  ସଂକ୍ରମିତ ହେବାରେ ଲାଗିଛି  ମାରବର୍ଗ ଭାଇରସ।ଏହି ରୋଗରେ ସଂକ୍ରମିତ ହେଉଥିବା ପଚାଶ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି ।ଏହି ରୋଗରୁ   ସୁସ୍ଥ ହେବା ପରେ ମଧ୍ୟ୍ୟ ଏହାର ଭୂତାଣୁ   ଅନେକ ବର୍ଷ ପର୍ଯ୍ୟନ୍ତ ଶରୀରର ବିଭିନ୍ନ ସ୍ଥାନରେ ଲୁଚି ରହିଥାଏ।

ମାରବର୍ଗ ମଣିଷଙ୍କ ଶରୀରରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର  ଭାଇରସ ଅଟେ। 1967 ମସିହାରେ ଜର୍ମାନୀର ମାରବର୍ଗ ଏବଂ ଫ୍ରାଙ୍କଫୋର୍ଟ୍ ସହରର ଲାବୋରେଟୋରୀରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା। ସଂକ୍ରମିତ ବ୍ୟକ୍ତି କିମ୍ବା ଜିନିଷକୁ ସ୍ପର୍ଶ କଲେ ଏହି ଭାଇରସ ବ୍ୟାପିଥାଏ। ଏହାର ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ନାକରୁ ରକ୍ତ ପଡିବା, ବାନ୍ତି ରକ୍ତ ଝାଡ଼ା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଯାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମାରବର୍ଗ ଜୀବାଣୁ ପୁରୁଷଙ୍କ ଟେଷ୍ଟିକଲରେ ରହିପାରେ। କିନ୍ତୁ ଏନେଇ ଅଧ୍ୟୟନ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହେଇ ନାହିଁ। WHO ପକ୍ଷରୁ କୁହାଯାଇଛି ଯେ ଜଣେ ବ୍ୟକ୍ତି ଏହି ଜୀବାଣୁରୁ ସୁସ୍ଥ ହେବାର 7 ସପ୍ତାହ ପରେ ମଧ୍ୟ ଭାଇରାସ ଜଣଙ୍କ ପାଖରୁ ଅନ୍ୟଜଣଙ୍କୁ ଡେଇଁପାରେ।

ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ କ୍ୟାନ୍ସର!

ଖାଦ୍ୟରେ ଲୁଣ ପଡ଼ିନଥିଲେ ଖାଇବାର ସ୍ୱାଦ ବୋଲି କିଛି ନଥାଏ। ବିନା ଲୁଣରେ ଆଜି ଜୀବନର ପରିକଳ୍ପନା କରିବା ବି ଅସମ୍ଭବ। ଲୁଣ ପାଇଁ ଭାରତରେ ଦିନେ ହୋଇଥିଲା ଦେଶବ୍ୟାପୀ ଆନ୍ଦୋଳନ। ଏହାକୁ ଆପଣ ଦାଣ୍ଡି ଯାତ୍ର ବା ଲବଣ ସତ୍ୟାଗ୍ରହ ରୂପରେ ଜାଣନ୍ତି। ଏଥିରୁ ଜାଣି ପାରିବେ ଲୁଣ କେତେ ଜରୁରୀ। ତେବେ ଲୁଣ ଶରୀର ପାଇଁ ଯେତିକି ଜରୁରୀ, ସେତିକି ଭୟଙ୍କର ମଧ୍ୟ । କାରଣ ଅଧିକ ମାତ୍ରାରେ ଲୁଣ ସେବନ ମୃତ୍ୟୁର କୋଳକୁ ଟାଣି ନିଏ। ଲାଟେଷ୍ଟ ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଲୁଣ ପାଇଁ ପ୍ରତିବର୍ଷ  ପ୍ରାୟ ୧୯ ଲକ୍ଷ ଲୋକରୁ ଅଧିକଙ୍କ ଜୀବନ ଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡ଼ିଛି।

ମଣିଷ ଶରୀରର ସକ୍ରିୟ କୋଷିକା ଗୁଡ଼ିକ ପାଇଁ ଲୁଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। World Health Oranisationର ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ୫ ଗ୍ରାମ ଲୁଣ ଖାଇବା ଜରୁରୀ। ୫ ଗ୍ରାମ ଲୁଣରେ ପାଖାପାଖି ୨ ଗ୍ରାମ ସୋଡିୟମ ଥାଏ, ଯାହା ଏକ ଚାମଚ ସହ ସମାନ। ତେବେ ଲୋକମାନେ ଏହାର ଦୁଇ ଗୁଣ ଲୁଣ ସେବନ କରୁଥିବା କଥା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଲୋକମାନେ ପ୍ରତିଦିନ ୧୧ ଗ୍ରାମ ଲୁଣ ସେବନ କରନ୍ତି। ଆଉ ଏହି କାରଣରୁ ହୃଦରୋଗ, ଗ୍ୟାଷ୍ଟ୍ରିକ, କ୍ୟାନସର, ଓଷ୍ଟିଓ ପୋରସିସି, ମେଦ ବହୁଳତା, କିଡନୀ ରୋଗର ଭୟ ବଢ଼ିଯାଏ।

ଲୁଣ ପାଇଁ ପ୍ରତି ବର୍ଷ ୧୮.୯ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଜଣାପଡ଼ିଛି । ସିଧାସଳଖ ଲୁଣ ସହିତ ଏହି ମୃତ୍ୟୁ ଜଡ଼ିତ ନଥିଲେ ସୁଦ୍ଧା ଲୁଣ ଅଧିକ ଖାଇଲେ ଯେଉଁ ରୋଗର ସମ୍ଭାବନା ଥାଏ, ସେଥିରେ ଏହି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଆବଶ୍ୟକ ମାତ୍ରାରେ ଲୁଣ ସେବନ କରିବା ପାଇଁ ସବୁବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।