ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କୁ ନେଇ ରହିଛି ସ୍ୱତନ୍ତ୍ର ଅନୁଭବ। ମହାଭାରତର ମହାନାୟକଠୁ ଆରମ୍ଭ କରି ଗୀତାର ବକ୍ତା ଭାବେ ହିନ୍ଦୁ ଧର୍ମାବଲମ୍ବୀ ଶ୍ରୀକୃଷ୍ଣଙ୍କ ନାମ ଜପ କରନ୍ତି। ତେବେ ହିନ୍ଦୁ ଧର୍ମରେ ରହିଥିବା ପ୍ରତିଷ୍ଠିତ ଚାରିଧାମ ଭିତରୁ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ ଥିବା ଧାମ ବି ରହିଛି। ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ଦ୍ୱାରକା ଧାମକୁ ଶ୍ରୀକୃଷ୍ଣଙ୍କ ନଗରୀ କୁହାଯାଏ। ଗୁଜରାଟର କାଠିଆୱାଡ଼ ଅଞ୍ଚଳର ଆରବ ସାଗର ନିକଟରେ ରହିଛି ଦ୍ୱାରକା ଧାମ। କିନ୍ତୁ ସେ ନଗରୀ ଆଉ ନାହିଁ। ପ୍ରଭୂ ଶ୍ରୀକୃଷ୍ଣଙ୍କ ଏହି ବିଶାଳ ନଗରୀ ଜଳରେ ଲୀନ ହୋଇ ଯାଇଥିବା ଅନେକ ପୌରାଣିକ ଗ୍ରନ୍ଥରୁ ଜଣାପଡ଼େ। ଏ ସ୍ୱତନ୍ତ୍ର ଉପସ୍ଥାପନାରେ ଆସନ୍ତୁ ଜାଣିବା, ଭଗବାନଙ୍କ ଦ୍ୱାରକା ନଗରୀ ବୁଡ଼ିଯିବା ପଛର ରହସ୍ୟ କ’ଣ ? କାହିଁକି ଜଳରେ ଲୀନ ହୋଇଗଲା ଶ୍ରୀକୃଷ୍ଣଙ୍କ ନଗରୀ।
ଦ୍ୱାରକା ନଗରୀ ବୁଡ଼ିବାର ଦୁଇଟି ମୁଖ୍ୟ କାରଣ….
ପ୍ରଥମ କାରଣଟି ହେଉଛି ଗାନ୍ଧାରୀଙ୍କ ଅଭିଶାପ। ମହାଭାରତ ଯୁଦ୍ଧରେ କୌରବ ବଂଶର ନାଶ ହୋଇଥିଲା। ଏହା ପରେ ହସ୍ତିନାପୁରରେ ଯେତେବେଳେ ଯୁଧିଷ୍ଠିରଙ୍କର ରାଜ୍ୟାଭିଷେକ ଚାଲିଥିଲା, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ମହାଭାରତ ଯୁଦ୍ଧ ପାଇଁ ଶ୍ରୀକୃଷ୍ଣଙ୍କୁ ଦୋଷୀ କହି ଗାନ୍ଧାରୀ ଅଭିଶାପ ଦେଇଥିଲେ। ମୋ ଆଖି ସାମ୍ନାରେ ମୋ ପୁଅମାନଙ୍କ ମୃତ୍ୟୁ ହେଲା, ତୁମ ଆଖି ସାମ୍ନାରେ ବି ତୁମ ବଂଶ ନାଶ ହୋଇଯିବ ବୋଲି ଅଭିଶାପ ଦେଇଥିଲେ ଗାନ୍ଧାରୀ। ଆଉ ସେହି କାରଣରୁ ଦ୍ୱାରକା ନଗରୀ ପାଣିରେ ବୁଡ଼ି ଯାଇଥିବା କୁହାଯାଏ।
ସେହିପରି ଦ୍ୱାରକା ନଗରୀ ଧ୍ୱଂସ ହୋଇଯାଉ ବୋଲି ଋଷି ବିଶ୍ୱାମିତ୍ର ଅଭିଶାପ ଦେଇଥିଲେ। ଥରେ ମହର୍ଷି ବିଶ୍ୱାମିତ୍ର, ଦେବ ଋଷି ନାରଦଙ୍କ ସହ ଦ୍ୱାରିକା ଯାଇଥିଲେ। ସେତେବେଳେ ଯଦୁ ବଂଶର କିଛି ବାଳକ, ବିଶ୍ୱମିତ୍ରଙ୍କୁ ଉପହାସ କରିଥିଲେ। କୃଷ୍ଣଙ୍କ ପଅ ଶାମ୍ବଙ୍କୁ ସ୍ତ୍ରୀ ବେଶରେ ସଜାଇ, ଋଷିଙ୍କୁ କହିଥିଲେ ଇଏ ଗର୍ଭବତୀ ଅଛନ୍ତି। ଗର୍ଭସ୍ଥ ଶିଶୁ କେବେ ଜନ୍ମ ହେବ ବୋଲି ପଚାରି ଥିଲେ। ଏସବୁ ଦେଖି ଭୀଷଣ ରାଗିଯାଇ ବିଶ୍ୱାମିତ୍ର ସେଦିନ ଅଭିଶାପ ଦେଇଥିଲେ। ଏହି ଗର୍ଭରୁ ଏକ ମୂଷଳ ଉତ୍ପର୍ଣ୍ଣ ହେବ ଓ ସମସ୍ତ ଯଦୁକୂଳ ଧ୍ୱଂସ ପାଇଯିବ ବୋଲି ବିଶ୍ୱାମିତ୍ର ଅଭିଶାପ ଦେଇଥିଲେ।
ଅଭିଶାପ ଦେବାର କିଛି ଦିନ ମଧ୍ୟରେ ଯଦୁବଂଶୀ ନିଜ ନିଜ ମଧ୍ୟରେ ଲଢ଼େଇ କରିବାରେ ଲାଗିଲେ। ସମସ୍ତ ଯଦୁବଂଶୀଙ୍କ ମୃତ୍ୟୁରେ ବଳରାମ ବି ଶରୀର ତ୍ୟାଗ କରିଥିଲେ। ଶ୍ରୀକୃଷ୍ଣଙ୍କୁ ହରିଣ ଭାବି ଜରାଶବର ଶରବିଦ୍ଧ କରିଥିଲେ, ଯାହା ପରେ ସେ ସ୍ୱର୍ଗଲୋକ ଚାଲି ଯାଇଥିଲେ। ସେପଟେ ଦ୍ୱାରକାରେ ଏପରି ବିପଦ ପଡ଼ିଥିବା ଶୁଣି ଅର୍ଜୁର୍ ଆସି ଶ୍ରୀକୃଷ୍ଣଙ୍କ ବାକି ବଞ୍ଚିଥିବା ପରିଜନକୁ ନିଜ ସାଥୀରେ ଇନ୍ଦ୍ରପ୍ରସ୍ଥ ନେଇ ଯାଇଥିଲେ। ଏହା ପରେ ଦେଖୁ ଦେଖୁ ଦ୍ୱାରିକାନଗରୀ ରହସ୍ୟମୟୀ ଭାବରେ ସମୁଦ୍ରରେ ବୁଡ଼ି ଯାଇଥିଲା।