ଚା’ ପିଇବା ଭାରତୀୟ ଘରର ଏକ ନିତିଦିନିଆ ଅଭ୍ୟାସ। କପେ ଚା’ରୁ ହିଁ ଦିନଚର୍ଯ୍ୟା ଆରମ୍ଭ ହୁଏ।ଘରକୁ ଅତିଥି ଆସନ୍ତୁ କିମ୍ବା କୌଣସି ପାର୍ଟି ଫଙ୍ଗସନ, ଚା’ ନିହାତି ଦରକାର। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚା’ ଆପଣଙ୍କ ପାଇଁ ବିପଦଜନକ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି,ଟି ବ୍ୟାଗର ବାହାରୁଥିବା ମାଇକ୍ରୋପ୍ଲାଷ୍ଟିକ୍ କର୍କଟ ଏବଂ ବାଞ୍ଝପଣ ଭଳି ଗୁରୁତର ରୋଗର କାରଣ ହୋଇପାରେ।ବାର୍ସିଲୋନା ୟୁନିଭରସିଟିରା ବୈଜ୍ଞାନିକମାନେ ଟି- ବ୍ୟାଗକୁ ନେଇ ଏକ ଅଧ୍ୟୟନ କରିଥିଲେ। ଗରମ ପାଣିରେ ଟି ବ୍ୟାଗ ବୁଡ଼ାଇବା ଦ୍ୱାରା ଲକ୍ଷ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ ନିର୍ଗତ ହେଉଥିବା ଜଣାପଡ଼ିଛି। ଆଉ ଏହି ଛୋଟ ଛୋଟ ପ୍ଲାଷ୍ଟିକ କଣିବା ମାନବ ଶରୀରକୁ ପ୍ରବେଶ କରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସୃଷ୍ଟି କରିପାରେ।

ବୈଜ୍ଞାନିମାନେ ତିନି ପ୍ରକାରର ଟି ବ୍ୟାଗକୁ ନେଇ ଅଧ୍ୟୟନ କରିଥିଲେ -ନାଇଲନ୍, ପଲିପ୍ରୋପିଲିନ ଏବଂ ଦୋକାନ ବଜାରରେ ଉପଲବ୍ଧ ନିୟମିତ ଟି ବ୍ୟାଗ ।ଏହି ଚା ବ୍ୟାଗଗୁଡିକୁ ୯୫ ଡିଗ୍ରି ସେଣ୍ଟିଗ୍ରେଟରେ ପାଣିରେ ରଖାଗଲା।ଅଧ୍ୟୟନରୁ ଜଣାପଡ଼ିଛି ପଲିପ୍ରୋପିଲିନ ଟି ବ୍ୟାଗଗୁଡିକ ସବୁଠାରୁ ବିପଜ୍ଜନକ ଅଟେ, ଯାହା ମିଲିଲିଟର ପ୍ରତି ୧.୨ ବିଲିୟନ ମାଇକ୍ରୋପ୍ଲାଷ୍ଟିକ୍ ଛାଡିଥାଏ। ସେହିପରି ନାଇଲନ୍ ଟି ବ୍ୟାଗଗୁଡିକ ମିଲିଲିଟର ପିଛା ୮.୧୮ ମିଲିୟନ୍ ମାଇକ୍ରୋପ୍ଲାଷ୍ଟିକ୍ ନିର୍ଗତ କରିଥିଲା।

ମାଇକ୍ରୋପ୍ଲାଷ୍ଟିକ୍ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଜମା ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି।ଏହି କଣିକାଗୁଡ଼ିକ ଅନ୍ତନଳୀ କାନ୍ଥକୁ ନଷ୍ଟ କରି କୋଷରେ ପ୍ରବେଶ କରି ଡିଏନଏକୁ ପ୍ରଭାବିତ କରିପାରନ୍ତି। ଏହି କଣିକା ଗୁଡ଼ିକ କର୍କଟ, ବନ୍ଧ୍ୟାକରଣ ଏବଂ ଅନ୍ତନଳୀ ରୋଗ ସୃଷ୍ଟି କରିବାର ଅନେକ ଆଶଙ୍କା ଥିବାର ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ।କେବଳ ଏତିକି ନୁହେଁ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଖାଦ୍ୟ ଅନ୍ତନଳୀରେ ପ୍ରତିରକ୍ଷା ସ୍ତରକୁ ଦୁର୍ବଳ କରିପାରେ ଏବଂ କର୍କଟ କୋଷର ବିସ୍ତାରକୁ ତ୍ୱରାନ୍ୱିତ କରିପାରେ।ଏହା ବ୍ୟତୀତ ମାଇକ୍ରୋପ୍ଲାଷ୍ଟିକ୍ ପୁରୁଷମାନଙ୍କର ଶୁକ୍ରାଣୁକୁ ପ୍ରଭାବିତ କରିବା ସହ ସେମାନଙ୍କର ଗତିଶୀଳତା ହ୍ରାସ କରିଥାଏ।