IPS କେ.କେଙ୍କ ପାଇଁ ଟଳିଗଲା ବଡ଼ ଅଘଟଣ। ସାଂପ୍ରଦାୟିକ ହିଂସା ବିଶାଳ ରୂପ ନେବା ପୂର୍ବରୁ, କଥା କଥାରେ ସମ୍ଭାଳି ନେଲେ ଏସପି ବାବୁ। ହିଂସାକୁ କେବଳ ହିଂସାରେ ନୁହେଁ ଅହିଂସାରେ ମଧ୍ୟ ଜିତିହୁଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସିଂଘମ୍ IPS କେ.କେ ବିଷ୍ଣୋଇ। ସବୁବେଳେ କଠୋର ପଦକ୍ଷେପ କିମ୍ବା ଲାଠି ଚାର୍ଜ କାମରେ ଆସେନି। କେବେ କେବେ କାମ ହାସଲ ପାଇଁ ନଇଁବାକୁ ମଧ୍ୟ ପଡ଼େ। ଉପଦ୍ରବୀଙ୍କ ସମ୍ମୁଖକୁ ବିନା ଅସ୍ତ୍ରଶସ୍ତ୍ରରେ ଯାଇ ବୁଝାଇ ସୁଝାଇ ହିଂସାକୁ କମ୍ କରିପାରିଛନ୍ତି IPS କେ.କେ।

ଆପଣ ଜାଣିଥିବେ ଉତ୍ତର ପ୍ରଦେଶର ସମ୍ଭଲ ସ୍ଥିତ ଜୁମା ମସ୍ଜିଦ ପରିସରର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିଆଉର୍ ରହମନ ବର୍କ ଏବଂ ବିଧାୟକ ଇକ୍ବାଲ ମହମଦଙ୍କ ପୁଅ ନଓ୍ୱାବ ସୁହେଲ ଇକ୍ୱାଲଙ୍କୁ ହିଂସା ଘଟଣାରେ ଅଭିଯୁକ୍ତ କରାଯାଇଛି। ତେବେ ଏହି ଅରାଜକତା ମାହୋଲ ଭିତରେ ଉପଦ୍ରବୀଙ୍କୁ ବୁଝାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ବର୍ଦ୍ଦି ପିନ୍ଧିଥିବା ଜଣେ ବ୍ୟକ୍ତି ଉପଦ୍ରବୀ ଯୁବଗୋଷ୍ଠୀଙ୍କୁ ବୁଝାଇ କହୁଥିଲେ, ଏ ନେତାଙ୍କ ଚକ୍କରରେ ପଡ଼ି ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଅନି । ଏହି ସ୍ୱର ଥିଲା ସମ୍ଭଲର ଏସପି କୃଷ୍ଣ କୁମାର ବିଷ୍ଣୋଇଙ୍କର। ସମ୍ଭଲରେ ହିଂସାକୁ ନିୟନ୍ତ୍ରଣ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଇପିଏସ ଆଜି ତାଙ୍କ କାମ ପାଇଁ ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଏସପି ରୂପରେ ସମ୍ଭଲରେ ପ୍ରଥମ ଥର ପାଇଁ ପୋଷ୍ଟିଂ ହୋଇଛି କେକେ ବିଷ୍ଣୋଇଙ୍କର। ଲୋକଙ୍କୁ ବୁଝାଇ ସୁଝାଇ ହିଂସାରୁ ନିବୃତ୍ତ କରିଥିବାରୁ ଦେଶରେ ଏବେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

2018 ମସିହା ୟୁପି କ୍ୟାଡର କେ.କେ, ୩୦ ଲକ୍ଷ ଟଙ୍କା ପ୍ୟାକେଜର ଚାକିରି ଛାଡିଛନ୍ତି, କେବଳ IPS ହେବା ପାଇଁ..। ଜାତିସଂଘ ଟ୍ରେଡ ସେଣ୍ଟରରେ ବାର୍ଷିକ ୩୦ଲକ୍ଷ ଟଙ୍କା ପ୍ୟାକେଜରେ କେ.କେଙ୍କୁ ନିଯୁକ୍ତ ମିଳିଥିଲା। ସେଠାରେ ଗୋଟିଏ ବର୍ଷ କାମ କରି ଭାରତକୁ ଫେରି ଜେଏନୟୁରୁ MPhil ଡିଗ୍ରୀ ହାସଲ କଲେ । ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କଲେ। ହେଲେ ମନ ମାନିଲାନି କେ.କେଙ୍କର। ନିଷ୍ପତ୍ତି କଲେ ମାଟିଆ ବର୍ଦ୍ଦି ପିନ୍ଧି ଲୋକଙ୍କର ସେବା କରିବେ। IPS ଅଫିସର ହେବେ। ବିନା କୋଚିଂରେ ସେକେଣ୍ଡ ଆଟେମ୍ପେଟରେ UPSC ଏକ୍ସାମରେ କ୍ୱାଲିଫାଏ୍ କରି IPS ଅଧିକାରୀ ହେଲେ କୃଷ୍ଣ କୁମାର ବିଷ୍ଣୋଇ। ଗୋରଖପୁରରେ ପୋଷ୍ଟିଂ ବେଳେ ଅନେକ ମାଫିଆଙ୍କୁ ସାବାଡ଼ କରିବା ସହ ୮୦୩ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଛନ୍ତି କେ.କେ.। ତାଙ୍କ କାର୍ଯ୍ୟକାଳ ସମୟରେ ଅପରାଧୀ ଭୟରେ ସହର ଛାଡ଼ି ପଳାଉଥିଲେ। ସମ୍ଭଲରେ ପ୍ରଥମ ଥର ପାଇଁ ତାଙ୍କୁ ଏସପି ରୂପରେ ପୋଷ୍ଟିଂ ମିଳିଛି।

ରାଜସ୍ଥାନର ବାଡ଼ମେର ନିବାସୀ କେ.କେ.ବିଷ୍ଣୋଇ ୬ ଭାଇ-ଭଉଣୀ ମଧ୍ୟରେ ସାନ । ସେ ଗାଁର ପ୍ରାଥମିକ ବିଦ୍ୟାଳୟରୁ ଅଧ୍ୟୟନ ଆରମ୍ଭ କରିଥିଲେ। ପରେ ସିକରର ଏକ ଘରୋଇ ସ୍କୁଲରୁ ଦଶମରେ ଫାଷ୍ଟ କ୍ଲାସରେ ପାସ୍ କରି ଦ୍ୱାଦଶ ପଢ଼ା ପାଇଁ ସେଣ୍ଟ୍ରାଲ ସ୍କୁଲରେ ନାମ ଲେଖାଇଥିଲେ। ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ସ୍ନାତକ ହାସଲ କରିଥିଲେ। ଫ୍ରାନ୍ସ ସରକାରଙ୍କ ଛାତ୍ରବୃତ୍ତିରେ ସେ ପ୍ୟାରିସ୍ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସରୁ ଇଣ୍ଟର ନ୍ୟାସନାଲ ସିକ୍ୟୁରିଟ୍ କ୍ଷେତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।