Posts tagged MP

ସାଂସଦଙ୍କ ପାଇଁ ମାସକୁ ସରକାରଙ୍କ ଖର୍ଚ୍ଚ କେତେ?

ରାଜନୀତି ବର୍ତ୍ତମାନ ସମୟର ସବୁଠୁ ଲାଭଜନକ ବ୍ୟବସାୟ। ଅନେକଙ୍କ ପାଇଁ ତ ଏହା ଲୁଟି ଖାଇବାର ବଳିଷ୍ଠ ମାଧ୍ୟମ। ପଲିଟିକ୍ସରେ ଏଣ୍ଟ୍ରି କରିଥିବା ପ୍ରତିଟି ଲୋକଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ମିଳେ। ତେବେ ବିଧାୟକ ମାନେ ଯଦିଓ ଗୋଟାଏ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ସାଂସଦଙ୍କୁ କିନ୍ତୁ ଅନେକ ନିର୍ବାଚନ ମଣ୍ଡଳୀ ସହ ଯୋଡ଼ି ହେଇ ରହିବାକୁ ପଡ଼େ। ତେବେ ଆପଣ ଜାଣନ୍ତି କି ସାଂସଦଙ୍କର ଦରମା କେତେ। ଦରମା ବ୍ୟତିତ ମାସକୁ ଜଣେ ସାଂସଦଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରନ୍ତି ସରକାର।

ଭାରତର ସଂସଦରେ ଦୁଇଟି ଗୃହ ରହିଛି। ଗୋଟାଏ ହେଉଛି ଲୋକସଭା, ଅନ୍ୟଟି ରାଜ୍ୟସଭା। ରାଜ୍ୟସଭାକୁ ଅପର ହାଉସ ଏବଂ ଲୋକସଭାକୁ ଲୋୟର ହାଉସ୍ କୁହାଯାଏ। ରାଜ୍ୟସଭାରେ ମୋଟ ୨୫୦ ଟି ଆସନ ଅଛି,ଯେଉଁଥିରେ ୨୩୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧୀ ଅଛନ୍ତି। ଯେଉଁମାନେ ରାଜନୈତିକ ଦଳ ଦ୍ୱାରା ମନୋନୀତ ହୋଇଛନ୍ତି। ଏହା ବ୍ୟତୀତ କ୍ରୀଡା, କଳା, ଜାତୀୟ ସେବା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅସାଧାରଣ ଅବଦାନ ରଖିଥିବା ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି।

ସେହିପରି ଲୋକସଭାର ମୋଟ ଆସନ ସଂଖ୍ୟା ୫୫୦। ଜନସାଧାରଣ ଭୋଟ ମାଧ୍ୟମରେ ଲୋକସଭାର ସାଂସଦ ଚୟନ କରି ଏଠାକୁ ପଠାନ୍ତି।ବର୍ତ୍ତମାନ ଲୋକସଭାରେ ୫୪୩ ଜଣ ସଦସ୍ୟ ଅଛନ୍ତି। ଦୁଇଟି ଗୃହର ସାଂସଦମାନଙ୍କୁ ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ଭତ୍ତା ପ୍ରଦାନ କରାଯାଏ।  ଯେଉଁଥିରେ ସ୍ୱାସ୍ଥ୍ୟ ଭତ୍ତା ଠାରୁ ଆରମ୍ଭ କରି ଘର ଭତ୍ତା ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ। ତେବେ ଜଣେ ସାଂସଦଙ୍କ ପିଛା ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି,ଆସନ୍ତୁ ଜାଣିବା ?

ସାଂସଦମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଦରମା  ପ୍ରଦାନ କରାଯାଏ। ରାଜ୍ୟସଭା ହେଉ କି ଲୋକସଭା କିମ୍ବା ବଡ ସହର ତଥା ଛୋଟ ସହରର ଜନପ୍ରତିନିଧି,ସମସ୍ତ ସାଂସଦଙ୍କ ସମାନ ଦରମା। ଏହା ବ୍ୟତୀତ ଯେତେବେଳେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଯାଏ,ତାଙ୍କୁ ପ୍ରତି ମାସରେ ୨୫ ହଜାର ଟଙ୍କା ପେନସନ୍ ମଧ୍ୟ ଦିଆଯାଏ।ଆଜିକାଲି ସମସ୍ତ ମୋବାଇଲରେ ଅସୀମିତ କଲିଂ ସୁବିଧା ଥିବା ସତ୍ତ୍ୱେ ସମସ୍ତ ସାଂସଦଙ୍କୁ ସରକାର ମୋବାଇଲ୍ ଖର୍ଚ୍ଚ ହିସାବରେ ପ୍ରତିବର୍ଷ ୧.୫ ଲକ୍ଷ ଟଙ୍କା ଭତ୍ତା ପ୍ରଦାନ କରନ୍ତି।ଏଥିରେ ଇଣ୍ଟରନେଟ୍ ଏବଂ ବ୍ରଡବ୍ୟାଣ୍ଡ ପାଇଁ ଦେୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସାଂସଦମାନଙ୍କୁ ଅଫିସ୍ ଖର୍ଚ୍ଚ ପାଇଁ ପ୍ରତି ମାସରେ ୬୨ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଏ।

କୌଣସି ରୋଗବ୍ୟାଧିରେ ପଡ଼ିଲେ ଜଣେ ସାଂସଦ କିମ୍ବା ତାଙ୍କ ପରିବାର ବର୍ଗଙ୍କୁ ଚିକିତ୍ସା ଖର୍ଚ୍ଚ ବିଷୟରେ ଚିନ୍ତା କରିବାକୁ ପଡ଼େନି।କାରଣ ସବୁ ସାଂସଦଙ୍କୁ ମିଳେ ଚିକିତ୍ସା ଭତ୍ତା,ଯଦ୍ୱାରା ମାଗଣାରେ ଚିକିତ୍ସା ସୁବିଧା ଉଠାଇ ପାରନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭତ୍ତାର କୌଣସି ଲିମିଟ୍ ଅର୍ଥାତ ସୀମା ନାହିଁ।ସାଂସଦମାନଙ୍କୁ ରହିବାକୁ ସରକାରଙ୍କ ପକ୍ଷରୁ ଘର ପ୍ରଦାନ କରାଯାଏ।ଆଉ ବ୍ୟବହାର ପାଇଁ ଏକ ବର୍ଷରେ ୫୦,୦୦୦ ୟୁନିଟ୍ ବିଦ୍ୟୁତ୍ ମଧ୍ୟ ମାଗଣାରେ ଉପଲବ୍ଧ କରାଯାଏ।ଏହା ସହିତ ସେମାନଙ୍କୁ ମାଗଣା ୪୦ ଲକ୍ଷ ଲିଟର ପାଣି ବ୍ୟବହାର ପାଇଁ ମଧ୍ୟ ଦିଆଯାଏ।କେବଳ ଏତିକି ନୁହେଁ ସାଂସଦଙ୍କୁ ଟ୍ରେନରେ ଫାଷ୍ଟ ଏସି ଟିକେଟ ସବୁବେଳେ ମାଗଣାରେ ମିଳେ।ସେ ଯେତେଥର ଚାହିଁବେ ଟ୍ରେନର ପ୍ରଥମ ଏସିରେ ମାଗଣାରେ ଯାତ୍ରା କରିପାରିବେ।ଏହା ବ୍ୟତୀତ ସେ ପ୍ରତି ମାସରେ ତିନୋଟି ମାଗଣା ବିମାନ ଯାତ୍ରା ସୁବିଧା ମଧ୍ୟ ପାଆନ୍ତି।ତେବେ  ସାଂସଦଙ୍କ ପାଇଁ ଘରୋଇ ବିମାନରେ ଏହି ସୁବିଧା ଉପଲବ୍ଧ।

ଦରମା ବ୍ୟତୀତ ସାଂସଦମାନେ ମୋବାଇଲ୍ ଭତ୍ତା,ଅଫିସ୍ ଭତ୍ତା ଏବଂ ସ୍ୱାସ୍ଥ୍ୟ ଭତ୍ତା ମଧ୍ୟ ପାଇଥାନ୍ତି। ଏହା ବ୍ୟତୀତ ଟ୍ରେନ୍ ଯାତ୍ରା ଏବଂ ସମସ୍ତ ସୁବିଧା ମଧ୍ୟ ରହିଛି। ହିସାବ ଅନୁସାରେ ସରକାର ପ୍ରତି ମାସରେ ଜଣେ ସାଂସଦଙ୍କ ପାଇଁ ପ୍ରାୟ ୬ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି।