ଯେତେବେଳେ କୌଣସି ପିଲାଙ୍କୁ ପ୍ରଶ୍ନ କରାଯାଏ, ବଡ଼ ହୋଇ କ’ଣ କରିବାକୁ ଚାହଁ, ପ୍ରାୟ ସମସ୍ତଙ୍କ ଉତ୍ତର ଥାଏ. . . ବଡ଼ ହୋଇ ମୁଁ ଡାକ୍ତର ହେବି . . ରୋଗୀ ସେବା କରିବି । କାରଣ ଡାକ୍ତର ହେବା ଏକ ସମ୍ମାନ ଜନକ କାର୍ଯ୍ୟ । ସେମାନେ ଜୀବନଦାତା ନୁହନ୍ତି ସତ, କିନ୍ତୁ ସେମାନଙ୍କ ଭୂମିକା ଜୀବନ ଦାତାଙ୍କ ଠାରୁ କୌଣସି ଗୁଣରେ କମ୍ ବି ନୁହେଁ । ସେଥିପାଇଁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ମଧ୍ୟ କୁହାଯାଏ। ହେଲେ ଡାକ୍ତର ହେବା ଏତେ ସହଜ ନୁହେଁ । କଠିନ ପରିଶ୍ରମ ପରେ ହିଁ ଜଣେ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ହୋଇଥାଏ ।
ଭାରତରେ ଡାକ୍ତର ହେବାକୁ ହେଲେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡ଼ିବ । ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିବା ପାଇଁ ପରୀକ୍ଷା ଦିଅନ୍ତି, ଯେଉଁଥିରୁ ଅଳ୍ପ ପିଲା MBBS ପଢ଼ିବା କ୍ୱାଲିଫାୟ୍ କରନ୍ତି। ଆସନ୍ତୁ ଜାଣିବା ଭାରତର କେଉଁ ରାଜ୍ୟରୁ ସର୍ବାଧିକ ଡାକ୍ତର ହେଉଛନ୍ତି। ଆଉ ସେହି ରାଜ୍ୟକୁ ଡାକ୍ତରଙ୍କ କାରଖାନା କାହିଁକି କୁହାଯାଏ
ଭାରତରେ ସର୍ବାଧିକ MBBSରେ ଆଡମିସନ୍ ନିଅନ୍ତି କର୍ଣ୍ଣାଟକର ଛାତ୍ରଛାତ୍ରୀ।କାରଣ ଦେଶର ସର୍ବାଧିକ MBBS ସିଟ୍ କର୍ଣ୍ଣାଟକରେ ରହିଛି। ରାଜ୍ୟସଭାର ତଥ୍ୟ ଅନୁଯାୟୀ କର୍ଣ୍ଣାଟକରେ ୧୧, ୭୪୫ MBBS ସିଟ୍ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଏ ସଂଖ୍ୟା ଖୁବ ଅଧିକ । ଏହି କାରଣରୁ ଅଧିକାଂଶ ଡାକ୍ତର କର୍ଣ୍ଣାଟକରୁ ଆସନ୍ତି । ଏହି କାରଣରୁ କର୍ଣ୍ଣାଟକକୁ ଡାକ୍ତରଙ୍କ କାରଖାନା ମଧ୍ୟ କୁହାଯାଏ।ତାମିଲନାଡୁ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ତାମିଲନାଡୁରେ ମୋଟ ୧୧, ୬୫୦ MBBS ସିଟ୍ ଅଛି । ୧୦,୮୪୫ ସିଟ୍ ସହ ମହାରାଷ୍ଟ୍ର, ତାଲିକାର ତୃତୀୟରେ ଅଛି ।ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଆସେ ଉତ୍ତର ପ୍ରଦେଶ, ଯେଉଁଠାରେ MBBS ସିଟ୍ ସଂଖ୍ୟା ୯, ୯୦୩, ତେଲେଙ୍ଗାନା ୫ମ ସ୍ଥାନରେ ଥିବା ସହ ସେଠାରେ ଅଛି ମୋଟ ୮, ୪୯୦ MBBS ସିଟ୍ ।
ଅନ୍ୟପଟେ ଏହି ତାଲିକାରେ ଷଷ୍ଠ ସ୍ଥାନରେ ଗୁଜରାଟ, ସପ୍ତମରେ ଆନ୍ଧ୍ରପ୍ରଦେଶ, ଅଷ୍ଟମରେ ରାଜସ୍ଥାନ, ନବମରେ ମଧ୍ୟପ୍ରଦେଶ ଓ ଦଶମରେ ରହିଛି ବିହାର ।ଏହାରି ଭିତରେ ଡାକ୍ତରୀ ସେବାରେ ଉନ୍ନତି ଆଣିବା ପାଇଁ ଆମ ରାଜ୍ୟରେ ମଧ୍ୟ 9ଟି ନୂଆ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଫଳରେ ଓଡ଼ିଶାରେ ଥିବା AIIMS ଓ 12ଟି ସରକାରୀ ମେଡିକାଲ କଲେଜ ଏବଂ 5ଟି ଘରୋଇ ମେଡିକାଲ କଲେଜରେ ପ୍ରତିବର୍ଷ 2,575 ଜଣ MBBS ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ଯାହାକି ଆସନ୍ତା ଶିକ୍ଷାବର୍ଷ ବେଳକୁ ଓଡ଼ିଶାର MBBS ସିଟ୍ ସଂଖ୍ୟା 3 ହଜାରରୁ ଅଧିକ ହେବାର ସମ୍ଭାବନା ରହିଛି।