ଆଜିକାଲି ପିଲା ଠାରୁ ବୁଢ଼ା ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍,ତା’ ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍ ସହ ଅଧିକାଂଶ ଲୋକ ତ ଏବେ ୫ଜି ସେବାର ଲାଭ ଉଠାଉଛନ୍ତି। ଅନେକ ସମୟରେ ଆପଣ ଦେଖିଥିବେ ଇଣ୍ଟରନେଟ୍ ସ୍ପିଡ କମ୍ ହୋଇଗଲେ, ଲୋକେ ଯେପରି କିଛି ମୂଲ୍ୟବାନ ଜିନିଷ ହରେଇ ଦେବା ପରି ବ୍ୟସ୍ତ ହୋଇଡ଼ନ୍ତି। କୁନି କୁନି ପିଲାଙ୍କୁ ତ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ବିନା ମୋବାଇଲ୍ କିମ୍ବା ଇଣ୍ଟରନେଟରେ ତାଙ୍କୁ ସମ୍ଭାଳିବା ମୁସ୍କିଲ୍। ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ତାଙ୍କୁ ଦରକାର ମୋବାଇଲ୍।

ତେବେ ହାଇସ୍ପିଡ୍ ଇଣ୍ଟରନେଟର ଅନେକ ଲାଭ ମଧ୍ୟ ରହିଛି। ସମଗ୍ର ବିଶ୍ୱର ଖବର ଗୋଟିଏ କ୍ଲିକରେ ଆମେ ଜାଣି ପାରୁଛନ୍ତି। ଏହା ବ୍ୟତୀତ ସମସ୍ତ ମନୋରଞ୍ଜନର ମାଧ୍ୟମ ବର୍ତ୍ତମାନ ସେମାନଙ୍କ ଆଙ୍ଗୁଠି ଟିପରେ ଅଛି। ଡିଜିଟାଲ୍ ଯୁଗରେ ଇଣ୍ଟରନେଟ୍ ବ୍ୟବହାର ଯୋଗୁଁ ସୁବିଧା ଯେତିକି,ଅସୁବିଧା ତା’ଠାରୁ ଅଧି !ଅଧ୍ୟୟନ ଅନୁସାରେ ହାଇସ୍ପିଡ୍ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ଯୋଗୁଁ ଲୋକେ ଶୀଘ୍ର ମାରାତ୍ମକ ରୋଗ ମୁହାଁ ହେଉଛନ୍ତି। ବିଶେଷ କରି ମେଦ-ବହୁଳତାର ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଇଣ୍ଟରନେଟରେ ସମୟ ଅତିବାହିତ ହେତୁ ଲୋକମାନେ ଶାରୀରିକ କାମରୁ ଦୂରେଇ ଯାଉଛନ୍ତି। ଫଳରେ ସେମାନଙ୍କର ଓଜନ ବଢ଼ୁଛି। ଏହା ବ୍ୟତୀତ ଡାଇବେଟିସ୍, ହାଇ-ବ୍ଲଡ ପ୍ରେସର ଏବଂ ହୃଦରୋଗ ଭଳି ରୋଗ ମଧ୍ୟ ବୃଦ୍ଧି ପାଉଛି।

ମୋନାଶ ବିଶ୍ୱବିଦ୍ୟାଳୟ, ମେଲବୋର୍ଣ୍ଣ ୟୁନିଭରସିଟି ଏବଂ RMIT ବିଶ୍ୱବିଦ୍ୟାଳୟର ଅଧ୍ୟୟନରେ, ଅଷ୍ଟ୍ରେଲିଆରେ ବୃଦ୍ଧି ପାଉଥିବା ମେଦବହୁଳତା ରୋଗର ବିଶ୍ଳେଷଣ କରାଯାଇଥିଲା। ଜଣା ପଡିଲା ମେଦବହୁଳତାର ବଡ କାରଣ ହେଉଛି ହାଇସ୍ପିଡ୍ ଇଣ୍ଟରନେଟ୍।ଅଧ୍ୟୟନରେ ଅନୁସାରେ ହାଇସ୍ପିଡ୍ ଇଣ୍ଟରନେଟ ଯୋଗୁଁ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପର ହ୍ରାସ ଘଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ଥିର କରାଯାଇଥିବା ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ ସୀମା ଅନୁସରଣ କରିବାକୁ ସକ୍ଷମ ନୁହଁନ୍ତି ଲୋକେ। ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ଲୋକଙ୍କୁ ମାନସିକ ସ୍ତରରେ ବ୍ୟସ୍ତ ରଖେ, ଯେଉଁ କାରଣରୁ ସେମାନେ ବ୍ୟାୟାମ ପାଇଁ ସମୟ ଖୋଜି ପାରନ୍ତି ନାହିଁ । ଲୋକମାନେ ମୋବାଇଲ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ଉପକରଣରେ ଘଣ୍ଟା ଘଣ୍ଟା ବ୍ୟସ୍ତ ରୁହନ୍ତି ଏବଂ ଏହି କାରଣରୁ ସେମାନେ ସେମାନଙ୍କର ଶାରୀରିକ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆରେ ଜାତୀୟ ବ୍ରଡବ୍ୟାଣ୍ଡ ବେଗରେ ପ୍ରତି ୧ ପ୍ରତିଶତ ବୃଦ୍ଧି ଯୋଗୁଁ ଲୋକଙ୍କ ଶରୀରର ମାସ ଇଣ୍ଡେକ୍ସ ୧.୫୭ କିଲୋଗ୍ରାମ/ ମିବ୍ଧ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତିଙ୍କ ପ୍ରତି ୧୦୦ ସେଣ୍ଟିମିଟର ଉଚ୍ଚତା ପାଇଁ ଓଜନ ୧.୫୭ କିଲୋଗ୍ରାମ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗୁଁ ଶାରୀରିକ କାର୍ଯ୍ୟକଳାପ ଏବଂ ଖାଇବା ଅଭ୍ୟାସରେ ପ୍ରତିକୂଳ ପ୍ରଭାବ ପଡ଼ିଛି।

ସବୁବେଳେ ଅନଲାଇନ୍ ରହିବାର ଅଭ୍ୟାସ ଲୋକଙ୍କ ଜୀବନଶୈଳୀକୁ ନିଷ୍କ୍ରିୟ କରିବାକୁ ବସିଛି,ଯେଉଁଥିପାଇଁ ସେମାନଙ୍କର ମେଟାବୋଲିକ୍ ହାର ହ୍ରାସ ପାଇଛି। ଏଥିଯୋଗୁଁ ମେଦବହୁଳତା ରୋଗର ବୃଦ୍ଧି ଘଟୁଛି। ବିଶେଷକରି କମ୍ପ୍ୟୁଟର କିମ୍ବା ଲାପଟପ୍ ରେ କାମ କରିବା ସମୟରେ ଲୋକେ ଭୋକ ହେଉନଥିଲେ ସୁଦ୍ଧା କିଛି ନା କିଛି ଖାଉଥିବା ଆପଣ ଦେଖିଥିବେ। ପ୍ରାୟତଃ ଦୀର୍ଘ ସମୟ ଧରି ଲାପଟପରେ ବସି କାର୍ଯ୍ୟ କରିବା ସମୟରେ ଲୋକେ ସ୍ନାକ୍ସ ଖାଇବା ଅଭ୍ୟାସରେ ପଡ଼ିଯାଆନ୍ତି, ଯାହା ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ।