ଆମେ ଅନେକ ସମୟରେ କହୁ,ଏବେ ପୁଅ ଆଉ ଝିଅଙ୍କ ଭିତରେ କିଛି ବି ତଫାତ୍ ନାହିଁ।ଝିଅମାନେ ଜଳରେ ବୁଡ଼ିବାଠୁ ଆରମ୍ଭ କରି ଆକାଶରେ ଉଡ଼ିବା ଯାଏଁ ସବୁଥିରେ ଆଗୁଆ। ମାତ୍ର ବାସ୍ତବରେ କେତେ ସତ ଏ କଥା?ସତରେ କଣ ଗୋଟାଏ ଝିଅ ପାଇଁ ଏ ସମାଜ,ସମ୍ବିଧାନ ବ୍ୟବସ୍ଥା ସେତିକି ସମ୍ବେଦନଶୀଳ। ସତରେ କଣ ଆମ ବିଧି ବ୍ୟବସ୍ଥାରେ ଝିଅଟେପାଇଁ ସେତିକି ଗ୍ରହଣୀୟତା ଅଛି?କଣ ଏବେବି ଏ ମାନସିକତାକୁ ସମାଜ ତା ମୁଣ୍ଡରୁ କାଢିଦେଇଛି,ଯୋଉ ସମୟର ଶୀର୍ଷକ ହେଉଛି ସତସତିକା ସମାନତା। ଯଦି ହଁ ତେବେ ଝିଅଟେକୁ ନେଇ ଏତେ ପ୍ରତିବନ୍ଧକ କାହିଁକି?ତାର ଅନେକ ସ୍ୱପ୍ନରେ କାହିଁକି ବନ୍ଧା ପଡ଼ୁଛି ବେଡି?କାହିଁକି ତାର ଅନେକ ଇଛା ଡେଇଁପାରୁନି ପ୍ରତିବନ୍ଧକର ଲକ୍ଷ୍ମଣରେଖା।କାହିଁକି ତାର ଇଛାର ତଣ୍ଟିଚିପି ଦିଆଯାଉଛି,କାହିଁକି ସ୍ୱପ୍ନ ପୁରଣ କରିବା ପୂର୍ବରୁ ଗଦାଗଦା ଅସୁବିଧାରେ ତାକୁ ପଛକୁ ଠେଲିଦିଆଯାଉଛି।ଏ ସବୁ କଥା ଯାହାପାଇଁ କୁହାଯାଉଛି,ସେ ସବୁ ପ୍ରକାର ସାମର୍ଥ୍ୟ ଥାଇ ପଛରେ ରହିଯାଇଥିବା ଜଣେ ଝିଅର କାହାଣୀ। ନୂଆ ଇତିହାସ ଲେଖିବାକୁ ଯାଇ ବର୍ତ୍ତମାନ ଆଗରେ ହାରିଯାଇଥିବା ଜଣେ ଖେଳାଳୀଙ୍କ କାହାଣୀ।ନୂଆ ଆରମ୍ଭର ଆଶା ରଖି ବାଧ୍ୟ ହୋଇ ନିଜ ହାତରେ ସବୁକିଛି ଶେଷ କରିଦେଇଥିବା ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ସୁମୋ ପହିଲମାନଙ୍କ କାହାଣୀ।

ଖେଳକୁ ନେଇ ସତରେ କେତେ ସିରିୟସ୍ ସରକାର?ଖେଳାଳୀଙ୍କ ଭବିଷ୍ୟତ ପାଇଁ ଯୋଜନାର ମୂଲ୍ୟ କେତେ?ଅଲମ୍ପିକରେ ପଦକ ଆଶା ରଖୁଥିବା ଦେଶ କେତେ ବୁଝେ ଖେଳାଳୀଙ୍କ ମନକୁ? ୱାର୍ଲ୍ଡ ରେକର୍ଡ ଆଶା ରଖୁଥିବା ସରକାର ଖେଳାଳୀଙ୍କ ପ୍ରତି କେତେ ଚିନ୍ତାଶୀଳ?ହକିକୁ ନେଇ ତ ଅନେକ ସ୍ପୋସ୍ନରସିପ୍ ମିଳୁଛି,ଏପରିକି ସରକାରୀ ପ୍ରୋତ୍ସାହନ ବି ମିଳୁଛି। କ୍ରିକେଟକୁ ନେଇ ତ କ୍ରେଜ୍ କହିଲେ ନ ସରେ।ତାହେଲେ କଣ ଅନ୍ୟ ଖେଳର ଭବିଷ୍ୟତ ବୋଲି କିଛି ନାହିଁ। ଯଦି ଅଛି ତେହେଲେ କାହିଁକି ସାମର୍ଥ୍ୟ ଥାଇ ହାରିଗଲେ ଭାରତର ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ସୁମୋ? ଯାହାକୁ ନା ସରକାର ପ୍ରୋତ୍ସାହନ ଦେଲେ ନା କୌଣସି ପ୍ରାଇଭେଟ ଅର୍ଗାନାଇଜେସନ। ମହିଳାଙ୍କ ପାଇଁ ନୁଆ ଧାଡି ଆରମ୍ଭ କରିବାକୁ ଯାଇ ନିଜେ ଧାଡ଼ିରୁ ହଟିବାକୁ ବାଧ୍ୟ ହେଲେ।

ତେବେ ରିଂରେ ଗୋଲ ଏବଂ ମୋଟା ଶରୀରର ସୁମୋ ପହିଲମାନେ ଲଢ଼ୁଥିବା ଆପଣମାନେ ଦେଖିଥିବେ ନିଶ୍ଚୟ। ମୋଟା ଲୋକଙ୍କ ଏ ଫାଇଟ୍ ଦେଖିବାକୁ ଭାରି ଖୁସି ଲାଗେ। କିନ୍ତୁ ସବୁ ଫିଲ୍ଡରେ ଆଗରେ ରହୁଥିବା ମହିଳାମାନେ, ସୁମୋ ଆଖଡ଼ାକୁ ଓହ୍ଲାଇବା ଏତେଟା ସହଜ ନୁହେଁ। କିନ୍ତୁ ଲୋକଙ୍କ ଉପହାସକୁ ଖାତିରି ନ କରି ଏ କଣ୍ଟକିତ ରାସ୍ତାକୁ ବାଛିଥିଲେ ହେତଲ ଦବେ। ଆଉ ସେ ପାଲଟିଗଲେ ଭାରତର ପ୍ରଥମ ଏବଂ ଏକମାତ୍ର ସୁମୋ ପହିଲମାନ। ତାଙ୍କ କାହାଣୀ ଦଙ୍ଗଲର ପହିଲମାନ ଗୀତା ଫୋଗଟଙ୍କ ପରି। ଅନେକ ବାଧାବିଘ୍ନ ସତ୍ତ୍ୱେ ନିଜ ପାଇଁ ଲକ୍ଷ୍ୟ ସ୍ଥିର କରିଥିଲେ।

ଦେଶର ପ୍ରଥମ ମହିଳା ସୁମୋ ଫାଇଟର। ଦିନ ଥିଲା ତାଙ୍କର ମୋଟା ଶରୀର ପାଇଁ ସମ୍ପର୍କୀୟଙ୍କ ଠାରୁ ନେଇ ସାଙ୍ଗସାଥୀ, ସମସ୍ତେ ତାଙ୍କୁ ଚିଡ଼ାଉଥିଲେ। ମୋଟି କହି ଉପହାସ ମଧ୍ୟ କରୁଥିଲେ। କିନ୍ତୁ ପିଲାବେଳୁ ବାପା ସୁଧୀର ଦବେଙ୍କ ଅଣ୍ଟାରେ ସେ ସୁମୋ ବେଲ୍ଟ ପିନ୍ଧୁଥିବାର ଦେଖି ସେ ବାପାଙ୍କ ପରି ହେବାକୁ ସ୍ୱପ୍ନ ଦେଖିଥିଲେ। ପରିବାରର ବୋଝ ପାଇଁ ତାଙ୍କ ବାପା ସୁମୋ ରେସଲିଂରେ ଆଗକୁ ବଢ଼ି ପାରିନଥିଲେ। ବାପାଙ୍କ ଅଧୁରାସ୍ୱପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ହେତଲ।ଝିଅର ଆଗ୍ରହ ଦେଖି ହେତଲକୁ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଲେ ସୁଧୀର ଦବେ।

ଭାରତରେ ସୁମୋ ଖେଳର ସେତେଟା ଲୋକପ୍ରିୟତା ନଥିବାରୁ ପ୍ରଥମେ ହେତଲଙ୍କ ପାଇଁ କୋଚ୍ ମିଳିବା କଷ୍ଟକର ହେଲା। ଶେଷରେ ଝିଅ ପାଇଁ ଚାକିର ଛାଡ଼ି ନିଜେ କୋଚିଂ ଦେବା ଆରମ୍ଭ କଲେ ସୁଧୀର ଦବେ। ସମୟ ବଢ଼ିବା ସହ ଧୀରେ ଧୀରେ ସୁମୋ ପ୍ରତି ହେତଲଙ୍କର ଆଗ୍ରହ ବଢ଼ିବାରେ ଲାଗିଲା। ଏମିତି ଦିନେ ରିସର୍ଚ୍ଚ କରୁ କରୁ ଜାଣିବାକୁ ପାଇଲେ ଏହି ଖେଳ ଇତିହାସରେ ଭାରତୀୟ ମହିଳାଙ୍କ ନାଁ ନାହିଁ। ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସେ ମୁମ୍ବାଇର କୁସ୍ତି ସଂଘ ସହ ଯୋଗାଯୋଗ ତ କଲେ।କିନ୍ତୁ ଏ ଖେଳରେ କୌଣସି ଭବିଷ୍ୟତ ନଥିବା କହି ତାଙ୍କ କଥାକୁ କେହି ଗୁରୁତ୍ୱ ଦେଲେ ନାହିଁ। ସରକାରଙ୍କର ପକ୍ଷରୁ ମଧ୍ୟ ସହଯୋଗ ମିଳୁନଥିଲା। ତଥାପି ଯଦି ସେ ଏହି କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହାନ୍ତି, ତେବେ ନିଜ ପାଇଁ ସ୍ପୋନ୍ସର ଖୋଜିବା ପାଇଁ ପରାମର୍ଶ ଦିଆଗଲା। ଏ ସବୁ ସମୟ ସହ ଗତି କରୁଥିବା ହେତଲ ଷ୍ଟୋନିଆରେ ହେବାକୁ ଥିବା ୨୦୦୮ର ବିଶ୍ୱ ଚାମ୍ପିଅନସିପ୍ ରେ ଭାଗ ନେବାକୁ ଚାହିଁଲେ।କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ହେତଲଙ୍କୁ ସ୍ପନ୍ସର ମିଳୁନଥିଲେ। ହେତଲ କିନ୍ତୁ ହାର ନମାନି ପରିଶ୍ରମ ଜାରି ରଖିଥିଲେ। କିଛି ଦିନ ପରେ ସାହାଯ୍ୟର ହାତ ବଢ଼ିଥିଲା। ୨୦୦୮ର ବିଶ୍ୱ ଚାମ୍ପିଅନସିପରେ ଭାଗ ନେବା ପାଇଁ ହେତଲ ଯେତେବେଳେ ଷ୍ଟୋନିଆ ପହଞ୍ଚିଲେ,ତାଙ୍କୁ ଦେଖି କରତାଳିରେ କମ୍ପି ଉଠିଲା ଷ୍ଟାଡିୟମ୍। ତାଙ୍କୁ ଛାଡ଼ି ଆଉ କୌଣସି ଭାରତୀୟ ମହିଳା, ସୁମୋ କୁସ୍ତିରେ ଭାଗ ନେଇନଥିଲେ। ଏହି ଚାମ୍ପିଅନସିପରେ ଟପ୍ ୧୦ ସୁମୋ ରେସଲର୍ସଙ୍କ ମଧ୍ୟରେ ତାଙ୍କ ନାମ ଆସିଲା।

ସେହିପରି ୨୦୦୯ର ୱାଲ୍ଡ ଗେମ୍ସରେ, ଭାରତର ଏକମାତ୍ର ମହିଳା ଆଥଲେଟ୍ ଥିଲେ ହେତଲ। ତେବେ ୨୦୧୨ ପର ଠାରୁ ହେତଲଙ୍କୁ କୌଣସି ସ୍ପୋନ୍ସର ମିଳିଲେ ନାହିଁ। ଫଳରେ ବାଧ୍ୟ ହୋଇ ସୁମୋ କୁସ୍ତିରୁ ସନ୍ୟାସ ନେଇଛନ୍ତି ହେତଲ।ଏବେ ସିନା ଖେଳକୁ ନେଇ ଦିଆଯାଉଥିବା ପ୍ରୋତ୍ସାନରାଶି ବଢିଲାଣି କିନ୍ତୁ 12 ବର୍ଷ ପୂର୍ବରୁ ଯଦି ସରକାର ସେତିକି ଚିନ୍ତାଶୀଳ ଥାଆନ୍ତେ ତାହେଲେ ହୁଏତ ହେତଲଙ୍କ ପରି ଆହୁରି ଅନେକ ମହିଳା କୁସ୍ତିରେ ଭାଗ ନେଇ ନିଆରା ରେକର୍ଡ କରି ପାରି ଥାଆନ୍ତେ। ମାତ୍ର ଦୁର୍ଭାଗ୍ୟ, ନାରୀଙ୍କୁ ନେଇ କୁହାଯାଉଥିବା ଅନେକ ସୁଯୋଗ ତାଙ୍କ ଭାଗ୍ୟରେ ନ ଥାଏ।