Posts tagged Grey Divorce

କାହିଁକି ବଢୁଛି ଗ୍ରେ ଡିଭୋର୍ସ

ବିବାହ ଏକ ପବିତ୍ର ସଂପର୍କ। ହୋମ, ଅଗ୍ନି, ଘୃତ,ଦୀପ ଓ ଦଶ ଦିଗପାଳକୁ ସାକ୍ଷୀ ରଖି ଦୁଇ ଜଣ ଅତୁଟ ବନ୍ଧନରେ ବାନ୍ଧି ହୁଅନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା, ଥଟ୍ଟା-ମଜା ଓ ଝଗଡ଼ା ସାଧାରଣ କଥା। ହେଲେ ଛୋଟ ଝଗଡ଼ା କେବେ ଯେ ଛାଡ଼ପତ୍ରରେ ପହଞ୍ଚିଯାଏ ଜଣା ପଡ଼େନି। ଇଣ୍ଟରନେଟ ଯୁଗରେ ଛାଡପତ୍ର ବଦଳରେ ଗ୍ରେ ଡିଭୋର୍ସକୁ ନେଇ ଚର୍ଚ୍ଚା। Music Director ଏଆର ରେହମାନ ନିକଟରେ ଛାଡ଼ପତ୍ର ନେଇଛନ୍ତି। ଏହାକୁ ଗ୍ରେ ଡିଭୋର୍ସ, ବୋଲି କୁହାଯାଉଛି।

ଗ୍ରେ ଡିଭୋର୍ସକୁ ସିଲଭର ସ୍ପ୍ଲିଟର୍ସ କିମ୍ବା ଡାଇମଣ୍ଡ ଡିଭୋର୍ସ ମଧ୍ୟ କୁହାଯାଏ। ଏହାର ଅର୍ଥ, ଦମ୍ପତି ୫୦ବର୍ଷ ବୟସ କିମ୍ବା ତା’ଠାରୁ ଅଧିକ ବୟସ ପର୍ଯ୍ୟନ୍ତ ଏକାଠି ରହି, ହଠାତ୍ ଛାଡପତ୍ର ନିଅନ୍ତି। ଏହାକୁ ଗ୍ରେ ଡିଭୋର୍ସ କୁହାଯାଏ। ବିବାହର ୧୫-୨୦ ବର୍ଷ ପରେ ବିଚ୍ଛେଦକୁ ମଧ୍ୟ ଗ୍ରେ ଡିଭୋର୍ସ କୁହାଯାଏ। ଏହାର ଅର୍ଥ ହେଲା ପରିଣତ ବୟସ ବା କେଶ ଧଳା ହେବା ପରେ ଛାଡ଼ପତ୍ର ନେଇ ଅଲଗା ରହିବା।

ଅନେକ ସେଲିବ୍ରିଟି ଗ୍ରେ ଡିଭୋର୍ସ ନେଇଛନ୍ତି। ବଲିଉଡରେ ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କ ଛାଡପତ୍ରକୁ ଗ୍ରେ ଡିଭୋର୍ସ ମଧ୍ୟ କୁହାଯାଏ। କାରଣ ବିବାହର ୧୯ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହା ବ୍ୟତୀତ କିରଣ ରାଓ ଏବଂ ଆମୀର ଖାନ, ଫରହାନ ଅଖତର ଏବଂ ଅଧୁନା ଅଖତର, ଅର୍ଜୁନ ରାମପାଲ ଏବଂ ମେହେର ଜେସିଆ,ଏଆର ରେହମାନ ଓ ସାଇରା ବାନୋଙ୍କ ଛାଡ଼ପତ୍ର ଏହି କାଟାଗୋରୀରେ ଅନ୍ତର୍ଭୁକ୍ତ। ଆମୀରଙ୍କ ଛାଡପତ୍ର ୧୫ ବର୍ଷ ପରେ, ଫରହାନଙ୍କ ୧୬ ବର୍ଷ ପରେ, ଅର୍ଜୁନ ରାମପାଲଙ୍କ ୨୧ ବର୍ଷ ପରେ ହୋଇଥିଲା। ସେହିପରି ରେହମାନଙ୍କ ଛାଡପତ୍ର ୨୯ ବର୍ଷ ପରେ ହୋଇଛି।

ପାଶ୍ଚାତ୍ୟ ଦେଶରେ ସାଧାରଣତଃ ଗ୍ରେ ଡିଭୋର୍ସ ମାମଲା ଅଧିକ । ବିବାହର ଅନେକ ବର୍ଷ ପରେ ଛାଡ଼ପତ୍ରର ମୁଖ୍ୟ କାରଣ ହେଲା ଜୀବନରେ ଏକଲା ପଣ। ଉଭୟଙ୍କ ମଧ୍ୟରେ ଆକର୍ଷଣ ଶେଷ ହୋଇଗଲେ ପ୍ରାୟ ଛାଡ଼ପତ୍ର ହୋଇଥାଏ। ଏପରି ସ୍ଥିତିରେ କଥା କଥାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଛାଡ଼ପତ୍ରର ଆଉ ଏକ କାରଣ ହେଲା ଅବୈଧ ସମ୍ପର୍କ। ସୋସିଆଲ ମିଡିଆ ଯୁଗରେ ନୂଆ ନୂଆ ସମ୍ପର୍କ ଗଢ଼ିବା ଅତି ସହଜ ଏଥିପାଇଁ ଛାଡ଼ପତ୍ର ପରି ଘଟଣା ବୃଦ୍ଧି ପାଉଛି।

କୁହାଯାଏ ଛାଡପତ୍ର ହେବାର ବହୁ ପୂର୍ବରୁ ମାନସିକ ସ୍ତରରେ ପ୍ରଥମ ଛାଡପତ୍ର ହୋଇସାରିଥାଏ। ଡିଭୋର୍ସ ହେଉ କିମ୍ବା ଗ୍ରେ ଡିଭୋର୍ସ, ସଙ୍କେତ ପୂର୍ବରୁ ମିଳିବା ଆରମ୍ଭ ହୋଇଯାଏ। କମ୍ୟୁନିକେସନ୍ ଗ୍ୟାପ୍, ଦୀର୍ଘ ସମୟ ଧରି ପରସ୍ପର ମଧ୍ୟରେ ଦୂରତା, ପାରସ୍ପରିକ ସମନ୍ୱୟର ଅଭାବ, ପିଲାମାନେ ଘରୁ ବାହାରିବା ପରେ ଏକାକୀ ଅନୁଭବ କରିବା ଆଦି ଏହାର ସଙ୍କେତ। ଏହି ସଙ୍କେତ ଧୀରେ ଧୀରେ ସ୍ୱାମୀ-ସ୍ତ୍ରୀଙ୍କୁ ଛାଡପତ୍ର ଭଳି ସଙ୍ଗୀନ ସ୍ଥିତିକୁ ଟାଣିନିଏ।