Posts tagged AAP

କେତେ ଶିକ୍ଷିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ରାଜଧାନୀ ଦିଲ୍ଲୀର ରାଜଗାଦିରେ ବସିଲେ ରେଖା ଗୁପ୍ତା। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି। ବୁଧବାର ଦିନ ବିଧାନସଭା ପାର୍ଟି ବୈଠକ ପରେ ଭାରତୀୟ ଜନତା ପାର୍ଟି ରେଖା ଗୁପ୍ତାଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି।୨୦୨୫ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଜିତିଥିଲେ ରେଖା ଗୁପ୍ତା। ସେ ଏହି ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ବର୍ତ୍ତମାନ ସେ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ତଥା ବିଜେପିର ମହିମା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି।

୧୯୭୪ ମସିହାରେ ହରିୟାଣାର ଜିନ୍ଦ ଜିଲ୍ଲା ଅନ୍ତର୍ଗତ ନନ୍ଦଗଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରେଖା ଗୁପ୍ତା।ତାଙ୍କ ବାପା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଥିଲେ। ୧୯୭୬ ମସିହାରେ ରେଖାଙ୍କ ବାପାଙ୍କ ଚାକିରି ଦିଲ୍ଲୀରେ ହୋଇଥିଲା,ତେଣୁ ତାଙ୍କ ପରିବାର ଦିଲ୍ଲୀକୁ ଚାଲି ଆସିଥିଲେ।ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ପାଠ ଦିଲ୍ଲୀରେ ପଢ଼ିଛନ୍ତି।୧୯୯୮ ରେ ସେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ, ଯିଏ ସ୍ପେୟାର ପାର୍ଟସର କାରବାର ଚଳାନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପଢ଼ିଛନ୍ତି ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ।ସେ ଦୌଲତରାମ କଲେଜରୁ ବିକମ୍ କରିଥିଲେ।ଏହା ପରେ ସେ ୨୦୨୨ ମସିହାରେ ପ୍ରସିଦ୍ଧ ଚୌଧରୀ ଚରଣ ସିଂ ୟୁନିଭରସିଟି ଅଫ୍ ମେରଟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ।ପିଲାଦିନରୁ ସେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ର ସକ୍ରିୟ ସଦସ୍ୟ ରହିଆସିଛନ୍ତି। ସେ ସଂଗଠନର ଛାତ୍ର ୱିଙ୍ଗ ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି) ମାଧ୍ୟମରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୪-୯୫ ମସିହାରେ ସେ ଦୌଲତ ରାମ ମହାବିଦ୍ୟାଳୟର ସଚିବ ଭାବରେ ନିର୍ବାଚିତ ହୋଇଥିଲେ।ଏହା ପରେ,ସେ ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଚିବ ହୋଇଥିଲେ। ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ରେଖା ଗୁପ୍ତା ରାଜନୀତିରେ ଯାତ୍ରା ଆରମ୍ଭ କରିଥିଲେ।

ପରେ ସେ ମ୍ୟୁନିସିପାଲିଟି ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୦୭ ରେ ଉତ୍ତର ପିଟାମପୁରା (ୱାର୍ଡ ୫୪) ରୁ ଦିଲ୍ଲୀ କାଉନସିଲର ନିର୍ବାଚନରେ ଜିତିଥିଲେ। ରେଖା ଗୁପ୍ତା ୨୦୦୩-୨୦୦୪ ରୁ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଚିବ ଥିଲେ। ୨୦୦୪-୨୦୦୬ ମସିହାରେ ସେ ଯୁବମୋର୍ଚ୍ଚା ର ଜାତୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏପ୍ରିଲ୍ ୨୦୦୭ ରେ ସେ ବିଜେପି ଟିକେଟରେ ଉତ୍ତର ପିଟାମପୁରା ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ।ମ୍ୟୁନିସିପାଲିଟି କର୍ପୋରେସନରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୨୦୦୯ ରୁ ମହିଳା କଲ୍ୟାଣ ଏବଂ ଶିଶୁ ବିକାଶ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ମାର୍ଚ୍ଚ ୨୦୧୦ ରେ ତାଙ୍କୁ ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଥିଲା। ବର୍ତ୍ତମାନ ସେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ।

କେଜ୍ରିୱାଲ ହେବେ କି ପଞ୍ଜାବ ମୁଖ୍ୟମନ୍ତ୍ରୀ!

ପଞ୍ଜାବ ମୁହାଁ ହେବେ କି ଅରବିନ୍ଦ କେଜରୀୱାଲ?ଦୀଲ୍ଲି ଛାଡ଼ି ପଞ୍ଜାବ ଯିବେ କି ଆପ୍ ପୁରୋଧା?ଦୀଲ୍ଲିରୁ ହାରିଗଲା ପରେ, ପଞ୍ଜାବର ସି ଏମ୍ ସିଟରେ ବସିବେକି କେଜରିୱାଲ୍?ଦୀଲ୍ଲିରୁ ପରାଜିତ ହେବା ପରେ କେଜରିୱାଲଙ୍କୁ ନେଇ ଏମିତି ଚର୍ଚ୍ଚା ଗଣମାଧ୍ୟମକୁ ଖୋରାକ୍ ଯୋଗାଉଛି।କେଜରିୱାଲଙ୍କ ଦୀଲ୍ଲି ଦଖଲର ସ୍ୱପ୍ନ ପୂରଣ ନ ହେବା ପରେ ସେ ଏବେ ପଞ୍ଜାବକୁ ନେଇ ସ୍ୱପ୍ନ ଦେଖୁଥିବା ଚର୍ଚ୍ଚା। ଦୀଲ୍ଲୀରେ ୨୦୧୫ରୁ ଏକାକୀ କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି  ୨୦୨୫ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି।ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଛି ବିଜେପି। ଆପ୍‌ ଦିଲ୍ଲୀରେ ହାରିଥିବା ବେଳେ ଦଳର ମୁଖିଆ କେଜ୍ରିୱାଲ ବି  ନୂଆଦୀଲ୍ଲି ଆସନରେ ବି ପରାସ୍ତ ହୋଇଛନ୍ତି।

ଆପ୍‌ ଦିଲ୍ଲୀରେ ହାରିବା ପରେ ଏବେ ସମସ୍ତଙ୍କ ନଜର ପଞ୍ଜାବ ଉପରେ ରହିଛି। କାରଣ ଦିଲ୍ଲୀ ବ୍ୟତୀତ ଆପ୍‌ ପଞ୍ଜାବରେ ବି ସରକାର କରିଛି।ଦିଲ୍ଲୀର କ୍ଷମତା ହାତରୁ ଖସି ଯାଇଥିବାରୁ କୁହାଯାଉଛି ଯେ କେଜ୍ରିୱାଲ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି।ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହଟାଇ ସେ ରାଜ୍ୟରେ ଦାୟିତ୍ୱ ନେବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।

ଚର୍ଚ୍ଚା ଅନୁସାରେ, କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏହାପରେ ସେ ବିଧାନସଭା ଉପ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଲୁଧିଆନା ୱେଷ୍ଟ ଆସନ ଖାଲି ପଡ଼ିଛି। ୨୦୨୨ରେ ଏଠାରେ ଆପ୍‌ ଟିକେଟରେ ଗୁରପ୍ରୀତ ବାସି ଗୋଗି ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ଦେହାନ୍ତ ଯୋଗୁ ଏହି ଆସନ ଖାଲି ପଡ଼ିଛି। ଖୁବଶୀଘ୍ର ଏଠାରେ ଉପ ନିର୍ବାଚନ ହୋଇପାରେ। ଏହି ଉପ ନିର୍ବାଚନରେ କେଜ୍ରିୱାଲ ଆପ୍‌ରୁ ଲଢ଼ି ବିଧିବଦ୍ଧ ଭାବେ ପଞ୍ଜାବ ସରକାରରେ ସାମିଲ ହୋଇପାରନ୍ତି ।

ଏବେ ଆପର ଫୋକସରେ ପଞ୍ଜାବ।୨୦୨୨ ବିଧାନସଭା ନିର୍ବାଚନ ବେଳେ ଆପ୍‌ ପଞ୍ଜାବରେ ବଡ଼ ବିଜୟ ହାସଲ କରିଥିଲା।ରାଜ୍ୟର ୧୧୭ ବିଧାନସଭା ଆସନରୁ ଦଳ ଏକାକୀ ୯୨ଟି ସ୍ଥାନରେ ବାଜିମାତ କରିଥିଲା। କିନ୍ତୁ ଦିଲ୍ଲୀ ବିଧାନସଭାରେ ଆପର ପରାଜୟ ଦଳର ପଞ୍ଜାବ ୟୁନିଟରେ ଅସ୍ଥିରତା ସୃଷ୍ଟି କରିଛି। କିଛି ନେତା ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ନେତୃବୃନ୍ଦ ପଞ୍ଜାବ ସରକାରରେ ହସ୍ତକ୍ଷେପ ଜାରି ରଖିଛନ୍ତି।ଏବେ ଦିଲ୍ଲୀ ହାତରୁ ଖସି ଯିବାରୁ ଏହି ହସ୍ତକ୍ଷେପ ଆହୁରି ବଢ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି।ପଞ୍ଜାବ ଆପ୍‌ରେ ଦେଖାଯାଇଥିବା ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆପ୍‌ ସୁପ୍ରିମୋ କେଜ୍ରିୱାଲ ନିଜେ ସେଠାରେ ସରକାର ଚଳାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।