ରାଜଧାନୀ ଦିଲ୍ଲୀର ରାଜଗାଦିରେ ବସିଲେ ରେଖା ଗୁପ୍ତା। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି। ବୁଧବାର ଦିନ ବିଧାନସଭା ପାର୍ଟି ବୈଠକ ପରେ ଭାରତୀୟ ଜନତା ପାର୍ଟି ରେଖା ଗୁପ୍ତାଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି।୨୦୨୫ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଜିତିଥିଲେ ରେଖା ଗୁପ୍ତା। ସେ ଏହି ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ବର୍ତ୍ତମାନ ସେ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ତଥା ବିଜେପିର ମହିମା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି।

୧୯୭୪ ମସିହାରେ ହରିୟାଣାର ଜିନ୍ଦ ଜିଲ୍ଲା ଅନ୍ତର୍ଗତ ନନ୍ଦଗଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରେଖା ଗୁପ୍ତା।ତାଙ୍କ ବାପା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଥିଲେ। ୧୯୭୬ ମସିହାରେ ରେଖାଙ୍କ ବାପାଙ୍କ ଚାକିରି ଦିଲ୍ଲୀରେ ହୋଇଥିଲା,ତେଣୁ ତାଙ୍କ ପରିବାର ଦିଲ୍ଲୀକୁ ଚାଲି ଆସିଥିଲେ।ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ପାଠ ଦିଲ୍ଲୀରେ ପଢ଼ିଛନ୍ତି।୧୯୯୮ ରେ ସେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ, ଯିଏ ସ୍ପେୟାର ପାର୍ଟସର କାରବାର ଚଳାନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପଢ଼ିଛନ୍ତି ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ।ସେ ଦୌଲତରାମ କଲେଜରୁ ବିକମ୍ କରିଥିଲେ।ଏହା ପରେ ସେ ୨୦୨୨ ମସିହାରେ ପ୍ରସିଦ୍ଧ ଚୌଧରୀ ଚରଣ ସିଂ ୟୁନିଭରସିଟି ଅଫ୍ ମେରଟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ।ପିଲାଦିନରୁ ସେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ର ସକ୍ରିୟ ସଦସ୍ୟ ରହିଆସିଛନ୍ତି। ସେ ସଂଗଠନର ଛାତ୍ର ୱିଙ୍ଗ ଅଖିଲ ଭାରତ ବିଦ୍ୟା ପରିଷଦ (ଏବିଭିପି) ମାଧ୍ୟମରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୪-୯୫ ମସିହାରେ ସେ ଦୌଲତ ରାମ ମହାବିଦ୍ୟାଳୟର ସଚିବ ଭାବରେ ନିର୍ବାଚିତ ହୋଇଥିଲେ।ଏହା ପରେ,ସେ ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଚିବ ହୋଇଥିଲେ। ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ରେଖା ଗୁପ୍ତା ରାଜନୀତିରେ ଯାତ୍ରା ଆରମ୍ଭ କରିଥିଲେ।

ପରେ ସେ ମ୍ୟୁନିସିପାଲିଟି ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୦୭ ରେ ଉତ୍ତର ପିଟାମପୁରା (ୱାର୍ଡ ୫୪) ରୁ ଦିଲ୍ଲୀ କାଉନସିଲର ନିର୍ବାଚନରେ ଜିତିଥିଲେ। ରେଖା ଗୁପ୍ତା ୨୦୦୩-୨୦୦୪ ରୁ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଚିବ ଥିଲେ। ୨୦୦୪-୨୦୦୬ ମସିହାରେ ସେ ଯୁବମୋର୍ଚ୍ଚା ର ଜାତୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏପ୍ରିଲ୍ ୨୦୦୭ ରେ ସେ ବିଜେପି ଟିକେଟରେ ଉତ୍ତର ପିଟାମପୁରା ୱାର୍ଡରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ।ମ୍ୟୁନିସିପାଲିଟି କର୍ପୋରେସନରେ କାଉନସିଲର ହେବା ପରେ ତାଙ୍କୁ ୨୦୦୭-୨୦୦୯ ରୁ ମହିଳା କଲ୍ୟାଣ ଏବଂ ଶିଶୁ ବିକାଶ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । ମାର୍ଚ୍ଚ ୨୦୧୦ ରେ ତାଙ୍କୁ ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଥିଲା। ବର୍ତ୍ତମାନ ସେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ।