Category News

ବିଜେପିରେ ଦେବାଶିଷ,ସୁଜିତଙ୍କ ପରି ସେକେଣ୍ଡ ଚାନ୍ସ ନା ମମତାଙ୍କ ପରି ହେବେ ନିରାଶ

ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଦେବାଶିଷ ସାମନ୍ତରାୟ। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ଓ ରାଜ୍ୟସଭାରୁ 25 ତାରିଖରେ ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ଦେବାଶିଷ। ବିଜୁ ଜନତା ଦଳ ସହ ଦୀର୍ଘଦିନର ସମ୍ପର୍କ ଛିନ୍ନ କରି ବିଜେପିରେ ସାମିଲ ହୋଇଛନ୍ତି । ପାଣ୍ଡିଆନଙ୍କ ପାଇଁ ଦଳ ଛାଡ଼ିଥିବା ସିଧାସିଧା ସ୍ପଷ୍ଟ କରିଛନ୍ତି ଦେବାଶିଷ ।
 ବିଜେଡି ସହ ସମ୍ପର୍କ ଶେଷ, ବିଜେପିରୁ ରାଜ୍ୟସଭା ଯିବେ!
2000ରେ ବିଜେଡି ଟିକେଟରେ ତିର୍ତ୍ତୋଲ ଆସନରୁ ବିଧାୟକ ହୋଇଥିଲେ ଦେବାଶିଷ । 2009 ଏବଂ 2014ରେ ବିଜେଡି ଟିକେଟରେ କଟକ-ବାରବାଟୀ ଆସନରୁ ବିଧାନସଭା ଯାଇଛନ୍ତି । 2019ରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କଠାରୁ ପରାଜିତ ହେଲା ପରେ 2024ରେ କଟକ-ବାରବାଟୀ ଆସନରୁ ଦେବାଶିଷଙ୍କ ବଦଳରେ ପ୍ରକାଶ ବେହେରରାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଦେବାଶିଷଙ୍କୁ ବିଧାନସଭା ପରିବର୍ତ୍ତେ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ ପଟ୍ଟନାୟକ । 2024ରେ ରାଜ୍ୟସଭା ଯାଇଥିବା ଦେବାଶିଷଙ୍କ କାର୍ଯ୍ୟକାଳ 2030ରେ ସରୁଥିବା ବେଳେ ତା ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସୁଜିତ କୁମାରଙ୍କ ପରି ବିଜେପି ତାଙ୍କୁ ରି-ଇଲେକ୍ଟ କରିବା ନେଇ ସେ ଆଶାବାଦୀ ।

ରାଜ୍ୟସଭାରେ ଛିଣ୍ଡୁଛି ବିଜେଡି
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରୁ ହଟିଲା ପରେ ବିଧାନସଭା ସହ ରାଜ୍ୟସଭାରେ ବି ବିଜେଡି ଦୁର୍ବଳ ହେବାରେ ଲାଗିଛି । ପୂର୍ବରୁ ସୁଜିତ କୁମାର ଓ ମମତା ମହନ୍ତ ବିଜେଡିରୁ ଇସ୍ତଫା ଦେଲା ପରେ ଏବେ ରାଜ୍ୟସଭା ସାଂସଦ ଦେବାଶିଷ ମଧ୍ୟ ସମାନ ରାସ୍ତା ଆପଣେଇଛନ୍ତି । ବର୍ତ୍ତମାନ ବିଜେଡିର ରାଜ୍ୟସଭା ସାଂସଦ ସଂଖ୍ୟା 6 ରୁ 5 କୁ ଖସି ଆସିଛି । ସୁଲତା ଦେଓ,ମାନସ ମଙ୍ଗରାଜ,ଶୁଭାଶିଷ ଖୁଣ୍ଟିଆ,ସନ୍ତୃପ୍ତ ମିଶ୍ର ସସ୍ମିତ ପାତ୍ରଙ୍କୁ ମିଶାଇ ଏବେ ରାଜ୍ୟସଭାରେ ବିଜେଡିର 5 ସାଂସଦ ରହିଲେ । ସୁଜିତ କୁମାରଙ୍କ ଭଳି ଦେବାଶିଷ ସେକେଣ୍ଡ ଚାନ୍ସ ପାଆନ୍ତୁ କି ନ ପାଆନ୍ତୁ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେଡି ହାତରୁ ଖସିଥିବା ଏ ସିଟ୍ କିନ୍ତୁ ବିଜେପି ହାତେଇ ନେବା ଥୟ । ତେବେ ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଦେବାଶିଷ ସୁଜିତ କୁମାରଙ୍କ ପରି ରି ଇଲେକ୍ଟ ହେବେ କି ମମତାଙ୍କ ପରି କୋଣଠେସା ତାହା ସମୟ କହିବ ।

ଆଶ୍ରମରେ ରାଜନୀତି କରିବେ ପ୍ରଶାନ୍ତ

ପଲିଟିକାଲ ପରାମର୍ଶଦାତା ଭାବରେ ଦେଶବ୍ୟାପୀ ନାଁ କରିଥିବା ପ୍ରଶାନ୍ତ କିଶୋରଙ୍କ ଜୀବନରେ ନୂଆ ମୋଡ଼। ରାଜନୀତିରେ ବଡ଼ବଡ଼ ନେତାଙ୍କୁ ପରାମର୍ଶ ଦେଉଥିବା ପ୍ରଶାନ୍ତ ଏବେ ଆଶ୍ରମରେ। ବିହାରରେ ଏନଡିଏ ସରକାରଙ୍କ 6 ମାସ ପୂରଣ ହେବା ପରେ, ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଆଇଆଇଟି ପାଟନା ପାଖରେ ଥିବା ବିହାର ନବନିର୍ମାଣ ଆଶ୍ରମରେ ରହୁଛନ୍ତି । ଆଗାମୀ ନିର୍ବାଚନ ଯାଏଁ ସେ ଆଶ୍ରମରେ ରହିବେ। ଆଗାମୀ ବିଧାନସଭା ନିର୍ବାଚନରେ ​​ତାଙ୍କ ନୂତନ ଦଳ ନିଜର ସ୍ଥିତି ନପାଇବା ପର୍ଯ୍ୟନ୍ତ ସେ ସେଠାରୁ ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିବେ।

2014 ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ପାଇଁ କାମ କରୁଥିଲେ ପ୍ରଶାନ୍ତ । ଏହା ସହିତ ବିହାରରେ ନୀତିଶ କୁମାର, ଦିଲ୍ଲୀରେ ଅରବିନ୍ଦ କେଜ୍ରୀୱାଲ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ତାମିଲନାଡ଼ୁରେ ଏମ.କେ ଷ୍ଟାଲିନଙ୍କ ସହ ଦେଶର ବିଭିନ୍ନ ଦଳ ଓ ନେତାଙ୍କ ପାଇଁ ପଲିଟିକାଲ ଷ୍ଟ୍ରାଟେଜି କରିବାରେ ମାହିର ପ୍ରଶାନ୍ତ । ଆଇ-ପ୍ୟାକ୍‌ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ଦୁଇ ବର୍ଷ ପୂର୍ବେ ତାଙ୍କର ରାଜନୈତିକ ପରାମର୍ଶଦାତା ଚାକିରି ଛାଡି 2024 ମସିହାରେ ଜନ ସୂରଜ ପାର୍ଟି ଗଠନ କରିଥିଲେ। 48 ବର୍ଷୀୟ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ବିହାର ରାଜନୀତିରେ ଫେଲ୍ ମାରିଛନ୍ତି । ପ୍ରଶାନ୍ତ ପାଟନା ବିମାନବନ୍ଦର ନିକଟରେ ଥିବା ଏକ ବଡ଼ ବଙ୍ଗଳା ଶେଖପୁରା ହାଉସରୁ ଦଳକୁ ପରିଚାଳନା କରୁଥିଲେ। ଯାହା  ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ବିଜେପି ସାଂସଦ ଉଦୟ ସିଂହଙ୍କ ପରିବାରର ସମ୍ପତ୍ତି।ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଆଶ୍ରମରେ ରହିବେ। 

+2 ରେଜଲ୍ଟ : ସବୁଠୁ ଆଗରେ ବୌଦ୍ଧ

+2 ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନରେ ୮୮.୮୨%, କଳାରେ ୮୪.୫୦%, ବାଣିଜ୍ୟରେ ୮୮.୦୭% ଓ ଭୋକେସନାଲ ବା ଧନ୍ଦାମୂଳକ ଶିକ୍ଷାରେ ୭୭.୬୨% ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ମୋଟ୍ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି। ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in ୱେବସାଇଟରେ ଉପଲବ୍ଧ। ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ବର୍ଗରେ ମୋଟ୍‌ ୩,୯୮୦ ୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩,୪୧,୭୮୧ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।

  • କଳାରେ ସମ୍ବଲପୁର ଜିଲ୍ଲା ୮୯.୪୮% ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୭୭.୧୪% ରହିଛି।
  • ବିଜ୍ଞାନରେ ବାଲେଶ୍ଵର ଜିଲ୍ଲା ୯୬.୬୩% ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୭୭.୧୪% ରହିଛି ।
  • ବାଣିଜ୍ୟରେ ବୌଦ୍ଧ ଜିଲ୍ଲା ୧୦୦% ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବନିମ୍ନ ୭୭.୨୫% ଉତ୍ତୀର୍ଣ୍ଣ  ହାର ରହିଛି ।
  • ଧନ୍ଦାମୂଳକ ଶିକ୍ଷାରେ ନବରଙ୍ଗପୁର ଜିଲ୍ଲା ୧୦୦%ରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍ବନିମ୍ନ ୫୫.୨୨% ରହିଛି ।
  • ମେ ୨୧ ତାରିଖରୁ ଡିଜି ଲକର୍ ରୁ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ।
    ଜୁନ୍ ୧୫ ତାରିଖରୁ ମାର୍କସିଟ୍ ର ହାର୍ଡ କପି ନିଜ ନିଜ ଶିକ୍ଷାନୁଷ୍ଠାନରୁ ପାଇପାରିବେ ।
  • ଜୁଲାଇ ପ୍ରଥମ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ଓ ଉନ୍ନତି (Improvement) ପରୀକ୍ଷା ପାଇଁ ଆବେଦନ କରିପାରିବେ,ଏଥିନିମନ୍ତେ ମଇ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।
  • https://results.odisha.gov.in ଏବଂ https://results.digilocker.gov.in ୱେବସାଇଟ୍ ମାଧ୍ୟମରେ ରୋଲ୍ ନମ୍ବର ଓ ପଞ୍ଜୀକରଣ ନମ୍ବର ଦେଇ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ।

ଶ୍ରୀମନ୍ଦିର ପରମ୍ପରାକୁ ISKCONର ଚ୍ୟାଲେଞ୍ଜ !

ଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଯାଉଛି ଇସ୍କନ୍ (ISKCON) । ଦେଶ ଏବଂ ଦେଶ ବାହାରେ ଅଦିନିଆ ରଥଯାତ୍ରାର ଆୟୋଜନ କରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଅବମାନନା କରୁଛି। ଯାହାକୁ ନେଇ କ୍ଷୁବ୍ଧ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ମେ 23’ରେ ପଞ୍ଜାବର ଫିରୋଜପୁରରେ ହେବାକୁ ଥିବା ରଥଯାତ୍ରା ବନ୍ଦ କରିବାକୁ କଲେକ୍ଟରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ମାତ୍ର ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ଇସ୍କନ୍ ମନମାନି ବନ୍ଦ ହେଉନି ।

ଗଜପତିଙ୍କୁ  ଅବମାନନା

ଶାସ୍ତ୍ର ଏବଂ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଷାଢ ଶୁକ୍ଳ ଦ୍ୱୀତିୟା ତିଥିରେ ହିଁ ରଥଯାତ୍ରା ପାଳନ ହୁଏ । ଯାହା ଚଳିତ ବର୍ଷ ଜୁଲାଇ 16ରେ ଅନୁଷ୍ଠିତ ହେବ । ମାତ୍ର ଇସ୍କନ୍ (ISKCON) ପକ୍ଷରୁ ବିଭିନ୍ନ ସମୟରେ ଅଦିନରେ ରଥଯାତ୍ରା ହେଉଛି । ଇସ୍କନର ଆମେରିକା ଶାଖା ହ୍ୟୁଷ୍ଟନ୍ ସହରରେ ଆର୍ଟ କାର୍ ପ୍ୟାରେଡ ନାଁ ରେ ମିନିଟ୍ରକରେ ଜଗନ୍ନାଥଙ୍କୁ ବୁଲେଇଥିଲେ । ଏବେ ପଞ୍ଜାବରେ ମେ 23’ରେ ରଥଯାତ୍ରା କରିବାକୁ ନେଇ ବିବାଦ ତେଜୁଛି। ପୂର୍ବରୁ ଉତ୍ତରପ୍ରଦେଶରେ ମଧ୍ୟ ଅଦିନିଆ ରଥଯାତ୍ରା କରିଥିଲା ଇସ୍କନ୍। ଅଦିନରେ ରଥଯାତ୍ରା ନ କରିବାକୁ ପୁରୀ ଗଜପତି ଦିବ୍ୟସିଂହ ଦେବ 2025 ଅକ୍ଟୋବର 21 ରେ ଇସ୍କନର ଗଭଣ୍ଣିଂ ବଡ଼ି ଚେୟାମ୍ୟାନ୍ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖି ସ୍ନାନଯାତ୍ରା ଓ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କରିବାକୁ କହିଥିଲେ । ଯଦିଓ ଜୈଷ୍ଠ ପୂର୍ଣ୍ଣିମାରେ ସ୍ନନଯାତ୍ରା କରିବାକୁ ସେ ସମ୍ମତି ପ୍ରକାଶ କରିଥିଲେ ରଥଯାତ୍ରା ପାଳନ ନେଇ ନୀରବ ରହିଲେଗଜପତିଙ୍କ କଥାକୁ ବେଖାତିର କରି ଅଦିନରେ ଇସ୍କନ୍ ରଥଯାତ୍ରା କରୁଛି । ଉପଯୁକ୍ତ ବିଧି ବ୍ୟବସ୍ଥାରେ ରଥଯାତ୍ରା ନ କରି ପ୍ରଚାର ପ୍ରସାର ନାଁ ରେ ଜଗନ୍ନାଥଙ୍କୁ ଅବମାନନା କରାଯାଉଛି । ସ୍ୱତନ୍ତ୍ର ବିଧି ସହ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ହେଉଥିଲା ବେଳେ ମିନି ଟ୍ରକରେ ଜଗନ୍ନାଥଙ୍କୁ ବୁଲେଇ ଆର୍ଟ କାର୍ ପ୍ୟାରେଡ କରିଛି  ଆମେରିକା । 

 ମହାପ୍ରଭୁଙ୍କ ପରମ୍ପରା ସହ ଇସ୍କନ୍ ଖେଳୁଛି । ଏପରିକି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା କୁହାଯାଉଥିବା ଗଜପତିଙ୍କୁ ବି ଖାତିର କରୁନି । ଯେବେ ମନ ହେଉଛି ସେବେ ରଥଯାତ୍ରା କରୁଛି । 2025ରେ 80ରୁ ଅଧିକ ଥର ଅସମୟରେ ବିଦେଶରେ ରଥଯାତ୍ରା କରିଛି ଇସ୍କନ । ଏବେ ଦେଶ ଭିତରେ ଅଦିନରେ ତିନି ଥର ରଥଯାତ୍ରା ହେଲାଣି । ଧର୍ମ ପ୍ରଚାର ନାମରେ ଓଡ଼ିଶାର ସଂସ୍କୃତି ଓ ମୂଳ ପରମ୍ପରାକୁ ଇସ୍କନ୍ ବିକୃତ କରୁଥିବା ଅଭିଯୋଗ କରୁଛନ୍ତି ଜଗନ୍ନାଥ ପ୍ରେମୀ ।

ଧାନର MSP ବଢ଼ିଲା : ଓଡ଼ିଶା ସରକାରଙ୍କ ୬୮୫ କୋଟି ବଞ୍ଚିବ

ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କାର ବୋନସ୍ ଦେବାର ପ୍ରତିଶ୍ରୁତିରେ ଖିଲାଫ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ MSP ଯେତିକି ବଢୁଛି ରାଜ୍ୟ ସରକାରଙ୍କ ବୋନସ୍ ସେତିକି କମୁଛି । ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କରିବାକୁ କଥା ଦେଇ କଥା ରଖି ପାରୁ ନାହାନ୍ତି ସରକାର ।
2024 ମେ’ 5ରେ ବିଜେପି ପକ୍ଷରୁ 60 ପେଜର ମୋଦୀଙ୍କ ଗ୍ୟାରେଣ୍ଟି-2024 ଘୋଷଣାପତ୍ର ପ୍ରକାଶ ପାଇଥିଲା । ସେହି ଘୋଷଣା ପତ୍ରର 21ଟି ସଂକଳ୍ପ ମଧ୍ୟରେ ଦ୍ୱିତୀୟରେ ଥିଲା-ଧାନ
ଆମେ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ, ଏହି ନୀତି ଜରିଆରେ..

  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଧାର୍ଯ୍ୟ କରିବୁ
  • ମାନେ 2024 ମସିହାରେ ଧାନ କ୍ୱିଣ୍ଟାଲର ସର୍ବନିମ୍ନ ସହାୟକ(MSP) ଦର ଥିଲା-2300
  • ଓଡ଼ିଶାରେ ଯଦି ବିଜେପି ସରକାର ଆସିବ, ତାହେଲେ ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ ରାଜ୍ୟ ସରକାର 800 ଟଙ୍କାର ବୋନସ୍ ପ୍ରଦାନ କରିବେ
  • 12 ଜୁନ 2024ରେ ଶପଥ ନେଇ କ୍ୟାବିନେଟର ପ୍ରଥମ ବୈଠକରେ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନକୁ ମଞ୍ଜୁର ଦେଲେ ମୋହନ ସରକାର
  • 8 ଡିସେମ୍ବର 2024 ମସହିହାରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଚାଷୀମାନଙ୍କୁ 800 ଟଙ୍କାର ବୋନସ୍ ପ୍ରଦାନ କଲେ
    କିନ୍ତୁ ଏହା ପରବର୍ତ୍ତି ବର୍ଷ ମାନେ 2025 ଖରିଫ ଧାନ କିଣା ହେଲା ବେଳକୁ ମୋହନ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ପରିବର୍ତ୍ତେ 731 ଟଙ୍କା ଦେଲେ
  • ଆସନ୍ତା ଖରିଫ ଧାନ ଯେତେବେଳେ 2026 ଡିସେମ୍ବର ମାସରେ କିଣାଯିବ, ସେତେବେଳ 800 ଟଙ୍କାର ବୋନସ୍ ବଦଳରେ ସରକାର 659 ଟଙ୍କା ଦେବେ ।
  • ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ଦେବେ, 800 ଟଙ୍କାର ବୋନସ୍ ପ୍ରଦାନ ତାହା ସ୍ଥାୟୀ ରହିବ ନାହିଁ
  • ଅର୍ଥାତ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ଧାର୍ଯ୍ୟ MSP ଯେତେ ବଢ଼ିବ, ଓଡ଼ିଶାର ସରକାରଙ୍କ ବୋନସ୍ ରାଶି ସେତିକି କମିବ

ବର୍ଷ                 MSP      ବୋନସ୍         କ୍ୱିଣ୍ଟାଲ୍ ଦର

୨୦୨୪       ୨୩୦୦        ୮୦୦        ୩୧୦୦

୨୦୨୫       ୨୩୬୯        ୭୩୧        ୩୧୦୦

୨୦୨୬      ୨୪୪୧         ୬୫୯        ୩୧୦୦

  • ମେ 13 ତାରିଖରେ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ପାଇଛି
  • ଫଳରେ 2026 ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ଦର 2441 ଟଙ୍କା ହେବ
  • କିନ୍ତୁ ଓଡ଼ିଶା ସରକାର 2441 ଟଙ୍କା ସହ 800 ଟଙ୍କା ଦେବେ ନାହିଁ
  • ନିଜର ପ୍ରତିଶ୍ରୁତିକୁ ଭୁଲି 800 ଟଙ୍କା ବଦଳରେ 659 ଟଙ୍କା ପ୍ରଦାନ କରିବେ

                  କଥା ଦେଇ କଥା ରଖିଲେନି ମୋହନ ସରକାର

ବର୍ଷ                                           ବୋନସ୍                            

୨୦୨୪                                     ୮୦୦                          

୨୦୨୫                                      ୭୩୧                          

୨୦୨୬                                      ୬୫୯ 

 କଥା ଦେଇ କଥା ରଖୁନଥିବା ମୋହନ ସରକାର ଆସନ୍ତା ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ଦେବେ । କାରଣ କେନ୍ଦ୍ର କ୍ୟାବନେଟ୍ ନିଷ୍ପତ୍ତି ନେଇଛି ଯେ ଧାନର MSP କ୍ୱିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି ହେବ । ଓଡ଼ିଶା ସରକାର ବର୍ଷକୁ ପ୍ରାୟ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣୁଛନ୍ତି । ଯଦି ଧାନ କ୍ୱିଣ୍ଟାଲ ପିଛା 72 ଟଙ୍କା କମ୍ ବୋନସ୍ ଦେବେ, ତେବେ 95 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାରେ ଓଡ଼ିଶା ସରକାରଙ୍କ ବୋନସ୍ ପ୍ରଦାନ ରାଶି 684 କୋଟି ଟଙ୍କା ହ୍ରାସ ପାଇବ । ମୋହନ ମାଝୀଙ୍କ 685 କୋଟି ଟଙ୍କା ଆର୍ଥିକ ବୋଝକୁ କମାଇ ଦେଲେ ମୋଦୀ ସରକାର ।
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ