ହରିୟାଣା ବିଧାନସଭାରେ, ଭାରତର ସବୁଠୁ ଧନୀ ମହିଳା

ହରିୟାଣାର ହିସାର ଆସନ ଜିତିଲେ ଦେଶର ସବୁଠାରୁ ଧନୀ ମହିଳା। ସ୍ୱାଧୀନ ଭାବରେ ଲଢ଼ି ବିଜୟୀ ହୋଇଛନ୍ତି ସାବିତ୍ରୀ ଜିନ୍ଦଲ। ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ, ବିଧାନସଭା ଆସନ ଅକ୍ତିଆର କରିଛନ୍ତି ସାବିତ୍ରୀ ଦେବୀ। ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମ ନିବାସ ରାରାଙ୍କୁ ୧୮,୯୪୪ ଖଣ୍ଡ ଭୋଟ୍‌‌ରେ ପରାସ୍ତ କରିଛନ୍ତି ସାବିତ୍ରୀ ଜିନ୍ଦଲ।

ହିସାର ହାସଲ

ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଇଣ୍ଡଷ୍ଟ୍ରିୟାଲିଷ୍ଟ ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କର ମା’। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୯ ବିଲିୟନ୍‌ ଡଲାରରୁ ଅଧିକ। ଭାରତର ୫ମ ଧନୀ ବ୍ୟକ୍ତି ଭାବେ ସାବିତ୍ରୀ ଜିନ୍ଦଲଙ୍କୁ ଦର୍ଶାଇଛି ବ୍ଲୁମବର୍ଗ ବିଲେନିୟର। ୭୪ ବର୍ଷିୟା ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଜିନ୍ଦଲ ଗ୍ରୁପର ମୁଖ୍ୟ। ୨୦୦୫ରେ ସାବିତ୍ରୀ ଦେବୀଙ୍କ ସ୍ୱାମୀ ଓ.ପି ଜିନ୍ଦଲଙ୍କର ପରଲୋକ ହେଇଥିଲା। ସେବେଠୁ କମ୍ପାନୀର କମାଣ ସାବିତ୍ରୀ ଜିନ୍ଦଲଙ୍କ ହାତରେ।

ବ୍ୟବସାୟ ସହିତ ରାଜନୀତିରେ ଖୁବ ସକ୍ରିୟ ସାବିତ୍ରୀ ଦେବୀ। ହିସାର ବିଧାନସଭା ଆସନରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସାବିତ୍ରୀ ଦେବୀ। ହେଲେ ଟିକେଟ ନମିଳିବାରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ କଂଗ୍ରେସ ଟିକେଟରୁ ଲଢ଼ି ୨ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି ସାବିତ୍ରୀ। ଭୂପିନ୍ଦର ସିଂ ହୁଡ୍ଡାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି।

ଜିନ୍ଦଲ ଫାଉଣ୍ଡେସନ୍‌ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟା, ଗ୍ରାମୀଣ ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନ ରହିଛି। ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାର ସାବିତ୍ରୀ ଜିନ୍ଦଲଙ୍କୁ ସମ୍ମାନିତ କରିଛନ୍ତି।

ହିସାରକୁ ଜିନ୍ଦଲ ପରିବାରର ଗଡ଼ ବୋଲି କୁହାଯାଏ। ସାବିତ୍ରୀଙ୍କ ସ୍ୱାମୀ ଓମ୍ ପ୍ରକାଶ ଜିନ୍ଦଲ ଏହି ଆସନରୁ ୩ ଥର ନିର୍ବାଚିତ ହୋଇଛନ୍ତି । ସେହି ଆସନରୁ ସାବିତ୍ରୀ ମଧ୍ୟ ଥରେ ନିର୍ବାଚିତ ହୋଇଥିଲେ। ଏହି ଆସନରେ ୨୦ ବର୍ଷ ଧରି ଜିନ୍ଦଲ ପରିବାରର ଦବଦବା ରହିଆସିଛି । ପୁଣି ଥରେ ଏଥର ନିର୍ବାଚନ ଜିତି, ହିସାର ଅକ୍ତିଆର କରିଛନ୍ତି ସାବିତ୍ରୀ ଜିନ୍ଦଲ। ବିଜୟୀ ହେବା ପରେ ନିଜର ସୋସିଆଲ୍ ମଡିଆ ଏକ୍ସ ହ୍ୟାଣ୍ତଲରେ ଭୋଟ୍‌ ଦେଇଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *