ହଟିଛି ଅପ୍ରତିଦ୍ଵନ୍ଦୀର ଟ୍ୟାଗ୍ । CM ନମ୍ବର 1 କୁହାଯାଉଥିବା ନବୀନ ପଟ୍ଟନାୟକ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ପାଓ୍ୱାର ଉପଭୋଗ କରିଥିବା ନେତା ଏବେ କ୍ଷମତାଠୁ ଦୂରରେ। ଲଗାତର ବିଜୟ ହାସଲ କରିଥିବା ନବୀନ ପଟ୍ଟନାୟକ, ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ପରାଜୟର ସ୍ୱାଦ ଚାଖିଛନ୍ତି। ତଥାପି ନବୀନ ବାବୁଙ୍କ ଫ୍ୟାନଙ୍କ ସଂଖ୍ୟା କିଛି କମ୍ ନୁହେଁ। ନବୀନଙ୍କ ପରାଜୟକୁ ତାଙ୍କର ସମର୍ଥକ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

୧୯୯୭ର ବୈଶାଖରେ ଓଡ଼ିଶା ରାଜନୀତିରେ ଧିରେ ଧିରେ ବୃଦ୍ଧି ପାଏ ଉଷ୍ମତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅସୁସ୍ଥତାରେ ବିଚଳିତ ହୁଅନ୍ତି ବିଜୁ ଅନୁଗତ। ୧୭ ଏପ୍ରିଲ ୧୯୯୭ରେ ବିଜୁ ବାବୁଙ୍କ ବିୟୋଗ ପରେ ଓଡ଼ିଶା ରାଜନୀତିରେ ସୃଷ୍ଟି ହୁଏ ବିରାଟ ଶୂନ୍ୟସ୍ଥାନ। ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବାଟ ଖୋଜୁ ଥାଆନ୍ତି ବିଜୁ ଅନୁଗତ। ଅନୁକମ୍ପାକୁ ଆଶ୍ରା କରିବାକୁ ଲୋଡ଼ା ପଡନ୍ତି, ବିଜୁଙ୍କ ପରିବାର ସଦସ୍ୟ। ମାତ୍ର ବିଜୁ ବାବୁଙ୍କ ସ୍ତ୍ରୀ ଜ୍ଞାନ ଦେବୀ,ବଡ ପୁଅ ପ୍ରେମ, ଝିଅ ଗୀତା ମେହେତା ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ସାଜନ୍ତି ଶେଷ ସାହାରା। ବିଜୁଙ୍କ ଅନୁଗାମୀ ଦିଲ୍ଲୀପ ରାୟଙ୍କର କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କରନ୍ତି ନବୀନ। ୧୯୯୭ ଜୁନରେ ବିଧିବଦ୍ଧ ଭାବେ ଜନତା ଦଳରେ ସାମିଲ୍ ହୁଅନ୍ତି।

୧୯୯୭ରୁ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ପଲିଟିକାଲ୍ କ୍ୟାରିୟର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ। ଆଉ ୧୯୯୮ NDA ସରକାରରେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ। ସେପଟେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ହଟି ସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଚଉକି। ଜେ.ବି.ଙ୍କୁ ରିପ୍ଲେସ କରି ମୁଖ୍ୟମନ୍ତ୍ରୀ ହୁଅନ୍ତି ଗିରିଧର ଗମାଙ୍ଗ। ମାତ୍ର ଅଞ୍ଜନା ମିଶ୍ର କେସ୍ ରାଜନୀତିରେ କଂଗ୍ରେକୁ ଢେର୍ ପଛକୁ ଠେଲିଦିଏ। ଅଞ୍ଜନାକୁ ପ୍ରସଙ୍ଗ କରି ରାଜନୀତିକୁ ଓହ୍ଲାଏ ବିଜୁ ଜନତା ଦଳ। BJD ଏବଂ BJPର ମେଣ୍ଟ ଆଗରେ ଚିତପଟାଙ୍ଗ ମାରେ କଂଗ୍ରେସ। ୨୦୦୦ ନିର୍ବାଚନରେ BJD ଏକାକି ୬୮ ସିଟ୍ ହାତେଇବା ସହ BJP ୩୮ ଟି ଆସନ ହାସଲ କରେ। କଂଗ୍ରେସ ମାତ୍ର ୨୬ଟି ଆସନରେ ସୀମିତ ରୁହେ। ସେଇଠୁ ହିଁ ଆରମ୍ଭ ହୁଏ ନବୀନଙ୍କ ମଙ୍ଗୁଆଳର ଯାତ୍ରା। BJD ସୁପ୍ରିମୋ ସାଜି ମୁଖ୍ୟମନ୍ତ୍ରୀ ହୁଅନ୍ତି ନବୀନ।

ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ସାଜିଥିଲେ ରିୟଲ୍ ହିରୋ। ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ବି ରାସ୍ତାରୁ ହଟାନ୍ତି ନବୀନ। ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା। ମିଡ୍ ନାଇଟ୍ ଅପରେସନ ନାଁରେ ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି ନବୀନ।

ମାତ୍ର ୨୦୨୪ନିର୍ବାଚନର ଫଳାଫଳରେ ଭିନ୍ନ କିଛି ଭେଟିଛନ୍ତି ନବୀନ। ଭୋଟରଙ୍କ ଆସ୍ଥା ହରେଇଛି ବିଜୁ ଜନତା ଦଳ। ନିଜେ ନବୀନ ପଟ୍ଟନାୟକ ବି ଚାଖିଛନ୍ତି ପରାଜୟର ସ୍ୱାଦ। ନବୀନଙ୍କୁ ରିପ୍ଲେସ୍ କରିଛନ୍ତି ମୋହନ ମାଝୀ।ମାତ୍ର ଅସ୍ଥିର ରାଜନୈତିକ ବାତାବରଣରୁ ଜନ୍ମଲାଭ କରିଥିବା ବିଜୁ ଜନତା ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟ ରାଜନୀତିରେ ଦିନେ ଅପରିଚିତ ଥିବା ନବୀନ ପଟ୍ଟନାୟକ,ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖୁ ଲେଖୁ ଅଟକି ଗଲେ ସିନା ତଥାପି ଏବେ ବି ଅନେକ କର୍ମୀଙ୍କ ମନରେ ସେଇ ଗୋଟାଏ ଗୀତ “ହେ ନବୀନ ବାବୁ ଆମେ ତମ ଫ୍ୟାନ୍”