ବିଜୁ ଜନତା ଦଳର ପରାଜୟ ପରେ ଆତ୍ମସମୀକ୍ଷା ବଦଳରେ ଚାଲିଛି ଦଳୀୟ କନ୍ଦଳ। ନବୀନ ପଟ୍ଟନାୟକଙ୍କର ସେନାପତି ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପତିଆରାକୁ ନେଇ ଉଠୁଛି ପ୍ରଶ୍ନ । ପଲଟିକ୍ସରେ ନଥିବା ପାଣ୍ଡିଆନ କିପରି ରାଜନୀତିରୁ ସନ୍ନ୍ୟାସ ନେଲେ ? ସଂଗଠନ ସମ୍ପାଦକ ପଦରୁ ବବି ଓହରିଲେ ନା’ ବିଦା କରାଗଲା ? ଏସବୁ ପ୍ରଶ୍ନ ଲୋକଙ୍କ ମନରେ ଏବେ ବି ଉଙ୍କି ମାରୁଛି। ଅନେକ ବିଜେଡି ନେତାଙ୍କ କହିବା କଥା, ପାଣ୍ଡିଆନ ହିଁ ନବୀନ ନିବାସରୁ ବିଜେଡିକୁ ପରିଚାଳନା କରୁଛନ୍ତି। ସେପଟେ ବବି ମଧ୍ୟ ନିଜର ଏକ ଟିମ୍ ଆଶା(ASA) ପ୍ରତିଷ୍ଠା କରିଛନ୍ତି।Aରେ ବିଧାୟକ ଅରୁଣ ସାହୁ, S ରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ A ରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।ଚର୍ଚ୍ଚା ହେଉଛି, ଏହି ତିନି ନେତା ଏବେ ବବିଙ୍କ ପେ-ରୋଲରେ ଅଛନ୍ତି। ବବିଙ୍କ ଇମେଜ୍ ମେକ-ଓଭର କାମରେ ସେମାନେ ଲାଗି ପଡିଛନ୍ତି।

ବବି ଏବେ ବି ପାୱାରରେ ଅଛନ୍ତି ବୋଲି ଏହି ତିନି ବିଚକ୍ଷଣ ନେତା ହିଁ ପ୍ରଚାର କରି ପାରିବେ। କାରଣ ନିର୍ବାଚନ ପରାଜୟ ପରେ ବବିଙ୍କୁ ଅନେକ ନେତା ଆଉ ଖାତିର କରୁ ନାହାଁନ୍ତି। ଜିଲ୍ଲା ସମୀକ୍ଷା ବୈଠକରେ ବବିଙ୍କୁ ଦେଖିବାକୁ ମିଳିଲା ନାହିଁ । ବବି କେବଳ ନିଜ ଉପସ୍ଥିତି ଜାହିର କରିବାକୁ ବୈଠକ ରୁମକୁ ମଝିରେ ମଝିରେ ଯାଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ କାନରେ କିଛି କହି ଦେଇ ଆସୁଥିଲେ। ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ଜିଲ୍ଲା ନେତାମାନେ ଜାଣିବେ ଯେ ଦେବୀ ମିଶ୍ର ମଧ୍ୟ ବବିଙ୍କ କଥା ମାନୁଛନ୍ତି।

ଏମିତି ନକଲେ ବି କେମିତି ଚାଲିବ ! କାରଣ ଗୋଟେ ମିଟିଂରୁ ବବିଙ୍କୁ ଉଠି ଯିବାକୁ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଥିବା ଚର୍ଚ୍ଚା ହେଉଛି। ଏ ହିନସ୍ଥାରୁ ବଞ୍ଚିବା ପାଇଁ ଅରୁଣ-ସଞ୍ଜୟ ଏବଂ ଅତନୁଙ୍କୁ ବବି ଦାସ ସାଙ୍ଗରେ ରଖି ଥାଇପାରନ୍ତି। ଲାଗୁଛି ବିଜୁ ଜନତା ଦଳ ହିଁ ପ୍ରତିଷ୍ଠା ହୋଇଛି କେବେଳ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ଅତନୁ ସବ୍ୟସାଚୀଙ୍କ ପାଇଁ। କାରଣ ପ୍ୟାରୀମୋହନ ମହାପାତ୍ରଙ୍କ ପିରିୟଡରେ ଏହି ତ୍ରିମୂର୍ତ୍ତିଙ୍କ ରାଜ୍ ଚାଲୁଥିଲା। ପ୍ୟାରୀ ବାବୁଙ୍କ ଖାସମ୍ ଖାସ ଥିଲେ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ। ଆଉ ଯୁବ ବିଜେଡିକୁ ମାଡି ବସିଥିଲେ ବାବୁ ସଞ୍ଜୟ ଦାସବର୍ମା।

ପ୍ୟାରୀ ବାବୁଙ୍କ ଆଉଟ୍ ପରେ କଳ୍ପତରୁ ଦାସଙ୍କ ସମୟରେ ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ବିଜେଡିର ସର୍ବେ-ସର୍ବା ହୋଇଗଲେ। ଏବେ ଅଡୁଆରେ ପଡିଥିବା ବବି-ପାଣ୍ଡିଆନଙ୍କର ବିଶ୍ୱସ୍ଥ ମଧ୍ୟ ଏହି ତ୍ରିମୂର୍ତ୍ତି।ଅରୁଣ, ସଞ୍ଜୟ ଏବଂ ଅତନୁ ମଧ୍ୟ ବିଜେଡି ବୈଠକରେ ବବିଙ୍କୁ ସପୋର୍ଟ କରୁଛନ୍ତି। ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଶଙ୍ଖ ଭବନ ବଦଳରେ ବବି ଦାସଙ୍କୁ ଯାଜପୁରକୁ ପଠାଗଲା। ବବି ଜାଣିଥିଲେ ଯେ ହେଡକ୍ୱାଟର ବଦଳରେ ଯାଯପୁର ଗଲେ ତାଙ୍କର ଇମେଜ୍ ଖସିଯିବ। ଏଥିପାଇଁ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ଆନୁଗତ୍ୟ ଦେଖାଇଲେ। ଟିମ୍ ଆଶା(ASA) ବବିଙ୍କ ଇମେଜ୍ ମେକ-ଓଭର ପାଇଁ ସଲିଡ୍ ପ୍ଲାନ କଲେ। ବବିଙ୍କ ଇଜ୍ଜତ୍ ଯେପରି ଠିକ ରହିବ, ସେଥିପାଇଁ ସଞ୍ଜୟ ଦାସବର୍ମା ପୁରୀ ଏବଂ ଅରୁଣ ସାହୁ ନୟାଗଡ ଯାଇ ଭର୍ଚ୍ଚୁଆଲରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେ।

କିନ୍ତୁ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ଶଙ୍ଖ ଭବନରେ ରହି ବବିଙ୍କୁ ନୀରବ ସମର୍ଥନ ଦେଲେ। ଏହି ଆଶା(ASA)କୁ ନେଇ ଚାଲିଛନ୍ତି ବବି। ତେବେ ଏହି ତ୍ରିମୂର୍ତ୍ତି, ବିଜୁ ଜନତା ଦଳର ଆଶା ବାଡ଼ି? ନା ବବିଙ୍କର ଆଶା-ଭରସା ?