ମୋହନ ସରକାରକୁ ପୁରିଗଲା ୬ ମାସ। ମାତ୍ର କଣ ରହିଛି ରିପୋର୍ଟ କାର୍ଡ?କଣ କରୁଛନ୍ତି ସରକାର?ରଙ୍ଗ ବଦଳାଇବାରେ ଅଟକି ଯାଇଛି କି ନୂଆ ସରକାରର ରଙ୍ଗ?କୁଆଡ଼େ ଗଲା ଚିଟ୍ ଫଣ୍ଡ ପଇସା?କେତେ ଜଣଙ୍କୁ ବାନ୍ଧିଲାଣି ଇଡି ସିବିଆଇ?ଯୋଉ ପାଣ୍ଡିଆନଙ୍କୁ ନେଇ ଏତେ କଥା କୁହାଯାଉଥିଲେ ,ତାଙ୍କୁ ନେଇ କାହିଁକି ଚୁପ୍ ବସିଛି ବିଜେପି?ଅସ୍ମିତାର ଡେଙ୍ଗୁରା ପିଟୁଥିବା ବିଜେପି କେମିତି କଲା ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ?ଯୋଉ କୁଟ୍ଟେଙ୍କ ନାଁ ରେ ଗଦାଗଦା ଅଭିଯୋଗ କରୁଥିଲା ସେ ପୁଣି କେମିତି ହେଲେ bsf ig?ଏସବୁ କଥା ତ ଏବେ ଏମିତି ବ୍ୟାପିବାରେ ଲାଗିଛି କି, ଅନେକ ଲୋକ କୁହାକୁହି ହେଲେଣି ଭଲ ଥିଲା ବିଜୁ ଜନତା ଦଳର ସରକାର? ବିଜେପିର ଡବଲ ଇଞ୍ଜିନ୍ ସାଙ୍ଗକୁ ଡବଲ ଗେମ୍ ଅନେକ ଲୋକଙ୍କ ମୁଣ୍ଡରେ ପଶୁନି।

ତେବେ ଜୁନ୍ 12 ତାରିଖରେ ଶପଥ ନେଇଥିବା ଓଡ଼ିଶାର ନୁଆ ସରକାର ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସରକାରକୁ ୬ ମାସ ପୁରିଛି। ମାତ୍ର କଥା ଉଠୁଛି ଏ 6 ମାସରେ କେତେ ସଫଳ ନୁଆ ସରକାର?ପ୍ରତିଶ୍ରୁତି ପୂରଣରେ କେତେ ଆଗରେ ଅଛି ବିଜେପି। ନା କେବଳ ପୂର୍ବ ସରକାରକୁ ଗାଳି କରି ନିଜ ଦାୟିତ୍ୱ ଭୁଲି ଯାଉଛି।ଏମିତିରେ ବି ବିଜେପିର ଅନେକ ନେତାମନ୍ତ୍ରୀଙ୍କ କଥାରେ ତାଳ ମେଳ ରହୁନି। ଆଳୁକୁ ନେଇ ଯୋଗାଣ ମନ୍ତ୍ରୀ ମନଇଛା କଥାବାର୍ତ୍ତା କରୁଛନ୍ତି ତ ପୁଣି କେତେବେଳେ କ୍ରୀଡା ବିଭାଗରେ ବିଜୁ ପଟ୍ଟନାୟକଙ୍କ ନାଁ ରେ ଦିଆଯାଇଥିବା ପୁରସ୍କାରର ନାଁ ବଦଳିବାକୁ ନେଇ ଅବଗତ ନଥିବା କହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ।ତେବେ ଆଉ ଯାହା ହେଉ କି ନ ହେଉ ରଙ୍ଗ ବଦଳେଇବାରେ କିନ୍ତୁ ସରକାରଙ୍କର ଭାରି ଫୋକସ୍। ଯୋଉଥିପାଇଁ ଅନେକ ଲୋକ ଏହାକୁ ରଙ୍ଗ ବଦଳା ସରକାର କହିଲେଣି।

ତେବେ ମୋହନ ସରକାରଙ୍କ ଉପରେ ଅଧିକାଂଶ ଲୋକ ଖୁସି ନାହାନ୍ତି। ଯଦିଓ 24 ବର୍ଷର ସରକାରକୁ ବଦଳାଇ ଲୋକ ବିଜେପିକୁ ବାଛିଥିଲେ ତଥାପି ଏଇ କିଛି ଦିନର କାର୍ଯ୍ୟକଳାପ ଭିତରେ ସମସ୍ତଙ୍କର ଭାବନା ପ୍ରାୟ ବଦଳିଗଲାଣି। ସମସ୍ତଙ୍କର ଗୋଟିଏ ମତ- ଯେମିତି ସରକାର ଚାହୁଁଥିଲୁ,ସେମିତି ପାଇନୁ ।ନବୀନ ସରକାରଙ୍କଠାରୁ ମୋହନ ସରକାର ଯେ ଭଲ ଏକଥା କେହି ବି ଯେମିତି ମାନିବାକୁ ପ୍ରସ୍ତୁତ ନୁହେଁ। ଦଳମତ ନିର୍ବିଶେଷରେ ମୋହନ ସରକାରଙ୍କ ସହ ସେମାନଙ୍କର ଆବେଗ ଯୋଡି ହୋଇପାରିନି। ଓଲଟି ମୋହନ ସରକାରଙ୍କ ସହ ତୁଳନା କରି ସେମାନେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି। ୨୪ ବର୍ଷର ବିଜେଡି ସରକାରଙ୍କ ଗର୍ବ ଓ ଅହଂକାରରେ ସେମାନେ ଅତିଷ୍ଠ ଥିଲେ ମଧ୍ୟ ନବୀନଙ୍କ ପ୍ରତି ଭଲ ପାଇବା ଲୋକଙ୍କର ତୁଟିନି, ବରଂ ସେହି ଭଲପାଇବା ଆହୁରି ବଢ଼ିଛି।

ଯଦି ମୋହନଙ୍କ ରିପୋର୍ଟ କାର୍ଡ ଦେଖାଯାଏ ତେବେ 6 ମାସ ଭିତରେ ମାତ୍ର 4 ଟି ପ୍ରତିଶ୍ରୁତି ପୂରଣ କରିଛନ୍ତି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା,ରତ୍ନଭଣ୍ଡାର ଖୋଲିବା ସହ 5 ଶହ କୋଟିର କର୍ପସ ଫଣ୍ଡ ବି ଗଠନ ହୋଇଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ସହ ଧାନର msp ବଢାଇଛନ୍ତି। ମାତ୍ର ଏଇ ଚାରୋଟିକୁ ଛାଡିଦେଲେ ସେମିତି କିଛି ଆଖିଦୃଶିଆ କାମ କରିନି ବିଜେପି।ବିଜୁ ଜନତା ଦଳର ସରକାର ସମୟରେ ଯୋଉ ଆଇନ୍ ବ୍ୟବସ୍ଥାକୁ ନେଇ ବିଜେପି ହୋ ହାଲ୍ଲା କରୁଥିଲା ନିଜେ ସରକାରକୁ ଆସିଲା ପରେ ସେମିତି କିଛି ବି ସୁଧୁରୁନି। ଏମିତିକି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାରିବା ଘଟଣାରେ ବିଜେପିର ଆଭିମୁଖ୍ୟ କୁ ନେଇ ପ୍ରଶ୍ନବାଚୀ ଉଠିଛି।ପ୍ରଶାସନିକ ବ୍ୟବସ୍ଥାରେ ବି ସ୍ଥାଣୁତା। ନୂଆ ସରକାର ଯେମିତି ଚଳଚଞ୍ଚଳ ହେବା କଥା ତାହା ହୋଇପାରିନାହିଁ। ବ୍ଲକ୍ ଅଫିସଠାରୁ ଲୋକସେବା ଭବନ ସବୁଠି ସମାନ ଅବସ୍ଥା। ରଙ୍ଗ ଓ ନାଁ ବଦଳେଇବା,ସୁଭଦ୍ରା ଯୋଜନାର ପ୍ରଚାର ଏବଂ କାର୍ଯ୍ୟକାରିତା ବ୍ୟସ୍ତତା ଛଡ଼ା ଅନ୍ୟ କୌଣସି ଯୋଜନା ବା ଉନ୍ନୟନ କାର୍ଯ୍ୟରେ ସେଭଳି ଆଗଭର ଥିବା ଦେଖିବାକୁ ମିଳିନି। ଖୋଦ୍ ତୃତୀୟ ମହଲାରେ ଫାଇଲ୍ କାମରେ ଶିଥିଳତା ଦେଖିବାକୁ ମିଳୁଛି। ବିଜେପି ନେତା ଏବେ କେବଳ ଟ୍ରାନ୍ସଫର ପୋଷ୍ଟିଂରେ ବ୍ୟସ୍ତ। ସେମିତି ନ ହେଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗ ଉଠେଇ ନ ଥାଆନ୍ତେ।

ପୂର୍ବ ସରକାରରେ ଚାଲିଥିବା କୁଶାସନ ବ୍ୟବସ୍ଥା ଭଙ୍ଗାଯିବ ବୋଲି ଭାଷଣବାଜି କରାଯାଉଥିଲେ ମଧ୍ୟ ତାହା ଭାଷଣରେ ସୀମିତ ରହିଛି। ଓଡ଼ିଆ ଅସ୍ମିତା ପ୍ରଚାର ଧୂଆଁବାଣ ସାଜିଛି।ଗୁରୁତ୍ୱପୂଣ୍ଣ ପଦରେ ଅଛନ୍ତି ଅଣ ଓଡ଼ିଆ। କେବଳ ଫଟ ଉଠାଇବାରେ ବ୍ୟସ୍ତ ରହୁଛନ୍ତି ଅନେକ ନେତା। ମନ୍ତ୍ରୀଙ୍କର ତ କଥାରେ ତାଳମେଳ ବି ରହୁନି।ସବୁଠୁ ବଡ଼ କଥା ହେଉଛି ଚିଟ୍ ଫଣ୍ଡ ଭଳି ପ୍ରସଙ୍ଗ ଯାହାକୁ ବିଜେପି ପ୍ରସଙ୍ଗ କରିତିଲା ସେଥିରେ ବି ଚିଟିଂ କରିଛି ବିଜେପି।କେବଳ ରଙ୍ଗ ବଦଳାଇବା ଏବଂ ପୂର୍ବ ସରକାରକୁ ଗାଳି କରିବାରେ ବ୍ୟସ୍ତ ଥିବା ବିଜେପି ଆଗକୁ କି ରଙ୍ଗ ରାଜନୀତିରେ ଆଣିଛି ତହା ଦେଖିବା ବାକି।