Posts tagged HMPV Virus

କେତେ ମାରାତ୍ମକ HMPV

ସାରା ବିଶ୍ୱରେ ଏକ ଅଲିଭା ଦାଗ ଛାଡ଼ି ଯାଇଛି କରୋନା ଭାଇରସ।ଅଦୃଶ୍ୟ ଭାଇରସର ସଂକ୍ରମଣ ଥମି ଯାଇଛି, ହେଲେ ଭୟାବହତା ସମ୍ପର୍କରେ ମନେ ପଡ଼ିଲେ ଏବେ ବି ଦେହ ଶୀତେଇ ଉଠେ। କରୋନାରୁ ମିଳିଥିବା କଷ୍ଟ ଏବେ ସୁଦ୍ଧା ଭୁଲି ହେଉନଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଏକ ନୂଆ ଭାଇରସ କାୟା ବିସ୍ତାର କଲାଣି। ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚୀନ ଡାକ୍ତରଖାନା ଗୁଡ଼ିକର ଚିତ୍ର ଅତ୍ୟନ୍ତ ଭୟାନକ ଅଟେ। ଚାରିଆଡ଼େ ରୋଗୀଙ୍କର ଲମ୍ବା ଲାଇନ ଦେଖିବା ପାଇଁ ମିଳୁଛି।ଚୀନର ଲୋକମାନେ ବର୍ତ୍ତମାନ ମେଟାପ୍ରୟୁମୋ ଭାଇରସ ଓ ଅନେକ ପ୍ରକାର ଭାଇରସର ଶିକାର ହେଉଥିବା କୁହାଯାଉଛି।ଯେଉଁ ଭୂତାଣୁ ଦ୍ୱାରା ଅଧିକାଂଶ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି, ସେଥିରେ ଇନଫ୍ଲୁଏନଜା ଏବଂ ମାଇକୋପ୍ଲାସମା ଭଳି ଭାଇରସ୍ ଅନ୍ତର୍ଭୁକ୍ତ।ବର୍ତ୍ତମାନ ସମୟରେ ଭାରତରେ ମଧ୍ୟ ଏଚଏମପିଭି ଭାଇରସର ମାମଲା ସାମ୍ନାକୁ ଆସିବା ପରେ ଚିନ୍ତାରେ ଅଛନ୍ତି ଲୋକେ।

କର୍ଣ୍ଣାଟକର ବେଙ୍ଗାଲୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଦୁଇ ଜଣ ଶିଶୁ ଏହି ଭାଇରସର ଶିକାର ହୋଇଥିବା ସୂଚନା ମିଳିଛି । ଗୁଜୁରାଟରେ HMPVର ତୃତୀୟ ମାମଲା ଚିହ୍ନଟ ହୋଇଛି । ଏହି ନିରୀହ ପିଲାମାନେ ଚୀନ୍ କିମ୍ବା ଅନ୍ୟ କୌଣସି ଦେଶକୁ ଯାଇନାହାନ୍ତି କିମ୍ବା ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । କେଉଁଠିକି ମଧ୍ୟ ନଯାଇ ସଂକ୍ରମିତ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି । ତେବେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି, ଏହି ନମୁନା ଗୁଡିକ ସରକାରୀ ଲ୍ୟାବରେ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ।
ହଠାତ ଲୋକଙ୍କୁ ଛାନିଆ କରୁଥିବା ଏହି ଭାଇରସ କ’ଣ, କିପରି ବ୍ୟାପେ ଓ ନିରାକରଣ ସମ୍ପର୍କରେ ଆସନ୍ତୁ ଜାଣିବା

ପ୍ରଥମ ଥର ପାଇଁ ୨୦୦୧ରେ ଚିହ୍ନଟ ହୋଇଥିଲା ଏଚଏମପିଭି ଭାଇରସ୍। ଏହି ଭାଇରସ ମୁଖ୍ୟତଃ କାଶିବା, ଛିଙ୍କିବା,ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା କିମ୍ବା ହାତ ମିଳାଇବା ଦ୍ୱାରା ବ୍ୟାପିଥାଏ। ଏହା ପ୍ରାୟତଃ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି, ପିଲା ଏବଂ ବୃଦ୍ଧଙ୍କୁ ପ୍ରଭାବିତ କରିଥାଏ। ଏହି ଭାଇରସ୍ କରୋନା ପରି ଶ୍ୱାସ ସମ୍ମନ୍ଧୀୟ ରୋଗ ସୃଷ୍ଟି କରିପାରେ, କିନ୍ତୁ ଏହା କରୋନା ଅପେକ୍ଷା କମ୍ ବିପଜ୍ଜନକ ଅଟେ। ଥଣ୍ଡା ଦିନରେ ଏହି ରୋଗ ତୀବ୍ର ବେଗରେ ମାଡ଼ିଯାଏ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଏହି ରୋଗ ମାରାତ୍ମକ ହୋଇପାରେ।ଶ୍ୱାସକ୍ରିୟା ଯୋଗୁଁ ଏହି ରୋଗ ବ୍ୟାପିପାରେ। ଏହା ବ୍ୟତୀତ ରୋଗୀ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ଡେଇଁବାର ଅନେକ ସମ୍ଭାବନା ରହିଛି। ଏହି ଭାଇରସ ଫୁସଫୁସ ରୋଗରେ ପୀଡ଼ିତ ରୋଗୀଙ୍କୁ ଅଧିକ ପ୍ରଭାବିତ କରିବ। ବର୍ତ୍ତମାନ HMPV ପାଇଁ କୌଣସି ଟିକା ଉପଲବ୍ଧ ନାହିଁ। ଅନ୍ୟପଟେ ମନଇଚ୍ଛା ଆଣ୍ଟିଭାଇରାଲ୍ ଔଷଧ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ

ବିଶେଷଜ୍ଞମାନେ କହିଛନ୍ତି , ଏଚଏମପିଭି ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ ଏବଂ ପ୍ରାୟ ୪-୫ ବର୍ଷ ବୟସର ଶିଶୁ ଏହି ରୋଗର ଶିକାର ହୁଅନ୍ତି ।ଅବଶ୍ୟ ଏହି ଭାଇରସ କୋଭିଡ -୧୯ ପରି ମାରାତ୍ମକ ନୁହେଁ। HMPV କୁ ଶୀତଦିନେ ବ୍ୟାପୁଥିବା ଏକ ସାଧାରଣ ଭାଇରସ ଭାବରେ ବିବେଚନା କରାଯାଉଛି। ତେବେ ଭାରତ ସରକାର ଏ ସମ୍ପର୍କରେ ସତର୍କ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଭାଇରସ ସାଂଘାତିକ ନୁହେଁ, କିନ୍ତୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଚାଇନାରେ HMPV ବୃଦ୍ଧି ପାଉଥିବା ମାମଲା ମଧ୍ୟରେ ଜାନୁଆରୀ ୪ ରେ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ।