Posts tagged cancer

ଟି ବ୍ୟାଗରୁ ହୋଇପାରେ କ୍ୟାନ୍ସର

ଚା’ ପିଇବା ଭାରତୀୟ ଘରର ଏକ ନିତିଦିନିଆ ଅଭ୍ୟାସ। କପେ ଚା’ରୁ ହିଁ ଦିନଚର୍ଯ୍ୟା ଆରମ୍ଭ ହୁଏ।ଘରକୁ ଅତିଥି ଆସନ୍ତୁ କିମ୍ବା କୌଣସି ପାର୍ଟି ଫଙ୍ଗସନ, ଚା’ ନିହାତି ଦରକାର। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚା’ ଆପଣଙ୍କ ପାଇଁ ବିପଦଜନକ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି,ଟି ବ୍ୟାଗର ବାହାରୁଥିବା ମାଇକ୍ରୋପ୍ଲାଷ୍ଟିକ୍ କର୍କଟ ଏବଂ ବାଞ୍ଝପଣ ଭଳି ଗୁରୁତର ରୋଗର କାରଣ ହୋଇପାରେ।ବାର୍ସିଲୋନା ୟୁନିଭରସିଟିରା ବୈଜ୍ଞାନିକମାନେ ଟି- ବ୍ୟାଗକୁ ନେଇ ଏକ ଅଧ୍ୟୟନ କରିଥିଲେ। ଗରମ ପାଣିରେ ଟି ବ୍ୟାଗ ବୁଡ଼ାଇବା ଦ୍ୱାରା ଲକ୍ଷ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ ନିର୍ଗତ ହେଉଥିବା ଜଣାପଡ଼ିଛି। ଆଉ ଏହି ଛୋଟ ଛୋଟ ପ୍ଲାଷ୍ଟିକ କଣିବା ମାନବ ଶରୀରକୁ ପ୍ରବେଶ କରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସୃଷ୍ଟି କରିପାରେ।

ବୈଜ୍ଞାନିମାନେ ତିନି ପ୍ରକାରର ଟି ବ୍ୟାଗକୁ ନେଇ ଅଧ୍ୟୟନ କରିଥିଲେ -ନାଇଲନ୍, ପଲିପ୍ରୋପିଲିନ ଏବଂ ଦୋକାନ ବଜାରରେ ଉପଲବ୍ଧ ନିୟମିତ ଟି ବ୍ୟାଗ ।ଏହି ଚା ବ୍ୟାଗଗୁଡିକୁ ୯୫ ଡିଗ୍ରି ସେଣ୍ଟିଗ୍ରେଟରେ ପାଣିରେ ରଖାଗଲା।ଅଧ୍ୟୟନରୁ ଜଣାପଡ଼ିଛି ପଲିପ୍ରୋପିଲିନ ଟି ବ୍ୟାଗଗୁଡିକ ସବୁଠାରୁ ବିପଜ୍ଜନକ ଅଟେ, ଯାହା ମିଲିଲିଟର ପ୍ରତି ୧.୨ ବିଲିୟନ ମାଇକ୍ରୋପ୍ଲାଷ୍ଟିକ୍ ଛାଡିଥାଏ। ସେହିପରି ନାଇଲନ୍ ଟି ବ୍ୟାଗଗୁଡିକ ମିଲିଲିଟର ପିଛା ୮.୧୮ ମିଲିୟନ୍ ମାଇକ୍ରୋପ୍ଲାଷ୍ଟିକ୍ ନିର୍ଗତ କରିଥିଲା।

ମାଇକ୍ରୋପ୍ଲାଷ୍ଟିକ୍ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଜମା ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି।ଏହି କଣିକାଗୁଡ଼ିକ ଅନ୍ତନଳୀ କାନ୍ଥକୁ ନଷ୍ଟ କରି କୋଷରେ ପ୍ରବେଶ କରି ଡିଏନଏକୁ ପ୍ରଭାବିତ କରିପାରନ୍ତି। ଏହି କଣିକା ଗୁଡ଼ିକ କର୍କଟ, ବନ୍ଧ୍ୟାକରଣ ଏବଂ ଅନ୍ତନଳୀ ରୋଗ ସୃଷ୍ଟି କରିବାର ଅନେକ ଆଶଙ୍କା ଥିବାର ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ।କେବଳ ଏତିକି ନୁହେଁ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଖାଦ୍ୟ ଅନ୍ତନଳୀରେ ପ୍ରତିରକ୍ଷା ସ୍ତରକୁ ଦୁର୍ବଳ କରିପାରେ ଏବଂ କର୍କଟ କୋଷର ବିସ୍ତାରକୁ ତ୍ୱରାନ୍ୱିତ କରିପାରେ।ଏହା ବ୍ୟତୀତ ମାଇକ୍ରୋପ୍ଲାଷ୍ଟିକ୍ ପୁରୁଷମାନଙ୍କର ଶୁକ୍ରାଣୁକୁ ପ୍ରଭାବିତ କରିବା ସହ ସେମାନଙ୍କର ଗତିଶୀଳତା ହ୍ରାସ କରିଥାଏ। 

ମଦ ପିଇଲେ ହୁଏ,୬ ପ୍ରକାର କ୍ୟାନସର

ମଦ ସ୍ୱାସ୍ଥ୍ୟପକ୍ଷେ ହାନିକାରକ।ଏହି ନିଶା ପାଇଁ କେତେ ଯେ ଘର ଉଜୁଡ଼ି ଯାଉଛି କହିବା ମୁସ୍କିଲ।କେବଳ ଏତିକି ନୁହେଁ ଦେଶରେ ଅନେକ ସମୟରେ ମଦମୃତ୍ୟୁର ଅନେକ ମାମଲା ଆସୁଛି। ମଦ ପିଇବା ଦ୍ୱାରା ପରିବାର ତଥା ସମାଜରେ ଅଶାନ୍ତି ସୃଷ୍ଟି ହେଉଛି ବୋଲି ଦାବି କରି ଅନେକ ସାମାଜିକ ସଂଗଠନ ମଦ ବନ୍ଦ କରିବାକୁ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି। ହେଲେ ନିଜେ ସଚେତନ ନହେଲେ ନା କୌଣସି ସାମାଜିକ ସଂଗଠନ ନା କୌଣସି ପରିବାର ଲୋକ କାହାର ନିଶା ଛଡ଼ାଇ ପାରିବେ।ଏ ନିଶା ପାଇଁ ଜାଣିଶୁଣି ଲୋକେ ମରଣ ମୁହଁକୁ ଠେଲି ହୋଇଯାଉଛନ୍ତି।

ମଦ୍ୟପାନ କରୁଥିବା ଲୋକଙ୍କୁ କ୍ୟାନସରର ଅଧିକ ଭୟ ଥାଏ।ନିକଟରେ ଆମେରିକାରେ ଏହି ବିଷୟରେ ଏକ ଅଧ୍ୟୟନ କରାଯାଇଛି।ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ରିପୋର୍ଟ ୨୦୨୪ ଅନୁଯାୟୀ,କର୍କଟ ରୋଗର ସମସ୍ତ ପ୍ରକାର କେସରୁ ୫% ମଦ୍ୟପାନ ସହିତ ଜଡିତ।ମଦ୍ୟପାନ କରିବା ଦ୍ୱାରା ୬ ପ୍ରକାରର କର୍କଟ ରୋଗ ହୋଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଠିକ ସମୟରେ ଏହି ନିଶାରୁ ନିଜକୁ ମୁକ୍ତ କଲେ,ମଦ୍ୟପାନ ସମ୍ବନ୍ଧୀୟ କର୍କଟ ରୋଗ ହେବାର ଆଶଙ୍କା ୮% ପର୍ୟ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି।

ଆମେରିକାନ ଆସୋସିଏସନ ଫର କ୍ୟାନସର ରିସର୍ଚ୍ଚ ରିପୋର୍ଟ ଅନୁସାରେ,ମଦ ପିଇବା ଦ୍ୱାରା ମସ୍ତିଷ୍କ, ଗଳା, ସ୍ତନ,ମଳାଶୟ, ଯକୃତ ଓ ଖାଦ୍ୟ ନଳୀ କର୍କଟ ହେବାର ଆଶଙ୍କା ଅଧିକ ରହିଛି। ଯେଉଁ ଲୋକମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଫ୍ୟାଟି ଲିଭରର ସମସ୍ୟା ବଢ଼ି ଯାଇଥାଏ। ସବୁଠାରୁ ଆଶ୍ଚର୍ୟ୍ୟଜନକ ଏବଂ ଚିନ୍ତାଜନକ ବିଷୟ ହେଉଛି ଭାରତ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ଯେଉଁମାନେ ଭାବନ୍ତି ଯଦି ଆମେ କମ୍ ମଦ୍ୟପାନ କରୁ,ତେବେ ଆମ ସହିତ କିଛି ହେବ ନାହିଁ। ଏହା ଭାବିବା ଭୁଲ ବୋଲି ଏକ୍ସପର୍ଟ କହିଛନ୍ତି। ମଦ୍ୟପାନ ଏତେ ବିପଜ୍ଜନକ ଯେ ଏହା ଏହାର ପ୍ରଥମ ସିପ୍ରେ ପ୍ରଭାବ ଦେଖାଇବା ଆରମ୍ଭ କରେ।ମଦରେ ଥିବା ଆଲ୍କହଲ୍ ମାତ୍ରା ଶରୀରରେ ଗ୍ୟାଷ୍ଟ୍ରିକ୍ ଏସିଡ୍ ସୃଷ୍ଟି କରିଥାଏ। 

ସେହିପରି ଯକୃତର କାମ ହେଉଛି ଶରୀରର ମଇଳାକୁ ସଫା କରିବା। ସଠିକ୍ ହଜମ ପ୍ରକ୍ରିୟା,ମେଟାବୋଲିଜିମ୍,ବିଷାକ୍ତ ପଦାର୍ଥ ଅପସାରଣ ଏବଂ ପୁଷ୍ଟିକର ସଂରକ୍ଷଣରେ ସାହାଯ୍ୟ କରେ ଲିଭର। ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରଭାବିତ କରିବାରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଯଦି ପ୍ରତିଦିନ ମଦ୍ୟପାନ ଦ୍ୱାରା ଯକୃତକୁ ସିଧାସଳଖ କ୍ଷତି ପହଞ୍ଚେ। ଆଉ ଧୀରେ ଧୀରେ ସମସ୍ତ ପ୍ରକାର ରୋଗ ସୃଷ୍ଟି ହେବା ଆରମ୍ଭ ହୁଏ। ଆଉ ଧୀରେ ଧୀରେ ସବୁ ଅଙ୍ଗକୁ ମାଡ଼ିଯାଏ।

ସାବଧାନ୍! ଅସାବଧାନ ହୋଇ ଶାଢୀ ପିନ୍ଧିଲେ ହୋଇପାରେ କ୍ୟାନ୍ସର

ଭାରତୀୟ ସଂସ୍କୃତିରେ ଶାଢ଼ୀର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। କୌଣସ ବି ପ୍ରକାର ପାର୍ଟି, ଫଙ୍ଖସନ୍, ପର୍ବପର୍ବାଣୀ ଓ ପୂଜାପାଠରେ ମହିଳା ହୁଅନ୍ତୁ ଅବା ଝିଆମାନେ ସମସ୍ତେ ଶାଢ଼ୀ ପିନ୍ଧିବା ପାଇଁ ପସନ୍ଦ କରନ୍ତି। କେବଳ ଭାରତରେ ସୀମିତ ନୁହେଁ ଶାଢ଼ୀର ଜଲୱା, ପୂରା ବିଶ୍ୱରେ ଏବେ ଶାଢ଼ୀ ପିନ୍ଧିବାର ଟ୍ରେଣ୍ଡ ଚାଲିଛି। ବିଦେଶୀ ଲୋକମାନେ ମଧ୍ୟ ଭାରତର ସଂସ୍କୃତି ଆଉ ପରମ୍ପରାକୁ ଆପଣାଉଥିବା ଦେଖିବାକୁ ମିଳୁଛି। ଭାରତରେ ଘରେ ଘରେ ମହିଳାମାନେ ସବୁଦିନ ଶାଢ଼ୀ ପିନ୍ଧନ୍ତି। ବିଶେଷ କରି ଗାଁରେ ମହିଳାମାନେ ଅଧିକ ଶାଢ଼ୀ ପିନ୍ଧୁଥିବା ଦେଖିବାକୁ ମିଳେ।

ଶାଢ଼ୀ ପିନ୍ଧିବାର ଶୈଳୀ ଯୋଗୁଁ କ୍ୟାନସର ହେବାର ଭୟ ରହିଛି। ଏକଥା ଆପଣଙ୍କୁ ଭୟଭୀତ କରିପାରେ, ହେଲେ କଥାଟି ସମ୍ପୂର୍ଣ୍ଣ ସତ ।ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପେଟି କୋଟ ତଥା ଶାୟା ପାଇଁ କର୍କଟ ରୋଗ ହେବାର ଅନେକ ଆଶଙ୍କା ଥାଏ। ଶାୟା ପିନ୍ଧିବା ସମୟରେ ଯେଉଁମାନେ ଏହାକୁ ଜୋରରେ ବାନ୍ଧୁଛନ୍ତି ତାଙ୍କ ପାଇଁ କ୍ୟାନସର ରୋଗର ଆଶଙ୍କା ରହିଛି। ଜୋରରେ ସାୟାରେ ଗଣ୍ଠି ପକାଇଲେ ଚର୍ମ ସହ ଘଷି ହୋଇ କ୍ଷତ ସୃଷ୍ଟି ହୋଇଥାଏ, ଆଉ ଏହା ଆଗାମୀ ସମୟରେ କ୍ୟାନସର ମୁଖକୁ ଟାଣିନିଏ।ସୂଚନା ଅନୁସାରେ ଏହି ପ୍ରରକାର କ୍ୟାନସର ଭାରତୀୟ ମହିଳାଙ୍କ ଠାରେ ତୀଗ୍ର ଗତିରେ ବଢ଼ୁଥିବା ଦେଖିବାକୁ ମିଳୁଛି। ବିହାର ଓ ଝାଡ଼ଖଣ୍ଡର ମହିଳାମାନେ ଏହାର ଅଧିକ ଶିକାର ହେଉଥିବାର ଖବର ରହିଛି। କେବଳ ଏତିକି ନୁହେଁ ପୁରୁଷମାନେ ମଧ୍ୟ ଜିନ୍ସ ପରି ଟାଇଟ ପୋଷାକ ପିନ୍ଧିବା ଯୋଗୁଁ ଟେଷ୍ଟିକଲ କ୍ୟାନସର ରୋଗରେ ପୀଡ଼ିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଚିପା ପୋଷାକ ପିନ୍ଧିବା ଦ୍ୱାରା ଚର୍ମ ଉପରେ ଚା ସୃଷ୍ଟି ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ କ୍ୟାନସରରରେ ପରିଣତ ହୋଇଥାଏ।

ତେବେ ଏଇଠି ଏପରି କ୍ୟାନସରରୁ ବଞ୍ଚିବା ପାଇଁ ମହିଳାଙ୍କୁ ଶାଢ଼ୀ ପିନ୍ଧିବା ପାଇଁ ବାରଣ କରାଯାଇ ପାରିବ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ ମହିଳାମାନେ ଶାଢ଼ୀ ପିନ୍ଧିବାରେ କୌଣସି କ୍ଷତି ନାହିଁ, କିନ୍ତୁ ସାୟାକୁ ଢ଼ିଲା ବାନ୍ଧିବା ଜରୁରୀ। ଏହା ବ୍ୟତୀତ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ସନ୍ତୁଳିତ ଆହାର କରନ୍ତୁ। ଦିନ ସାରା ଗୋଟିଏ ସ୍ଥାନରେ ବସି ନରହି ଚଳାବୁଲା କରିବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ଏହାସହ ସମୟ ସମୟରେ କ୍ୟାନସର ସ୍କ୍ରିନିଂ କରିବା ମଧ୍ୟ ଭଲ।

ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ କ୍ୟାନ୍ସର!

ଖାଦ୍ୟରେ ଲୁଣ ପଡ଼ିନଥିଲେ ଖାଇବାର ସ୍ୱାଦ ବୋଲି କିଛି ନଥାଏ। ବିନା ଲୁଣରେ ଆଜି ଜୀବନର ପରିକଳ୍ପନା କରିବା ବି ଅସମ୍ଭବ। ଲୁଣ ପାଇଁ ଭାରତରେ ଦିନେ ହୋଇଥିଲା ଦେଶବ୍ୟାପୀ ଆନ୍ଦୋଳନ। ଏହାକୁ ଆପଣ ଦାଣ୍ଡି ଯାତ୍ର ବା ଲବଣ ସତ୍ୟାଗ୍ରହ ରୂପରେ ଜାଣନ୍ତି। ଏଥିରୁ ଜାଣି ପାରିବେ ଲୁଣ କେତେ ଜରୁରୀ। ତେବେ ଲୁଣ ଶରୀର ପାଇଁ ଯେତିକି ଜରୁରୀ, ସେତିକି ଭୟଙ୍କର ମଧ୍ୟ । କାରଣ ଅଧିକ ମାତ୍ରାରେ ଲୁଣ ସେବନ ମୃତ୍ୟୁର କୋଳକୁ ଟାଣି ନିଏ। ଲାଟେଷ୍ଟ ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଲୁଣ ପାଇଁ ପ୍ରତିବର୍ଷ  ପ୍ରାୟ ୧୯ ଲକ୍ଷ ଲୋକରୁ ଅଧିକଙ୍କ ଜୀବନ ଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡ଼ିଛି।

ମଣିଷ ଶରୀରର ସକ୍ରିୟ କୋଷିକା ଗୁଡ଼ିକ ପାଇଁ ଲୁଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। World Health Oranisationର ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ୫ ଗ୍ରାମ ଲୁଣ ଖାଇବା ଜରୁରୀ। ୫ ଗ୍ରାମ ଲୁଣରେ ପାଖାପାଖି ୨ ଗ୍ରାମ ସୋଡିୟମ ଥାଏ, ଯାହା ଏକ ଚାମଚ ସହ ସମାନ। ତେବେ ଲୋକମାନେ ଏହାର ଦୁଇ ଗୁଣ ଲୁଣ ସେବନ କରୁଥିବା କଥା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଲୋକମାନେ ପ୍ରତିଦିନ ୧୧ ଗ୍ରାମ ଲୁଣ ସେବନ କରନ୍ତି। ଆଉ ଏହି କାରଣରୁ ହୃଦରୋଗ, ଗ୍ୟାଷ୍ଟ୍ରିକ, କ୍ୟାନସର, ଓଷ୍ଟିଓ ପୋରସିସି, ମେଦ ବହୁଳତା, କିଡନୀ ରୋଗର ଭୟ ବଢ଼ିଯାଏ।

ଲୁଣ ପାଇଁ ପ୍ରତି ବର୍ଷ ୧୮.୯ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଜଣାପଡ଼ିଛି । ସିଧାସଳଖ ଲୁଣ ସହିତ ଏହି ମୃତ୍ୟୁ ଜଡ଼ିତ ନଥିଲେ ସୁଦ୍ଧା ଲୁଣ ଅଧିକ ଖାଇଲେ ଯେଉଁ ରୋଗର ସମ୍ଭାବନା ଥାଏ, ସେଥିରେ ଏହି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଆବଶ୍ୟକ ମାତ୍ରାରେ ଲୁଣ ସେବନ କରିବା ପାଇଁ ସବୁବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।