ବିଧାନସଭାରେ ଉପସ୍ଥାପନ ହେଲା ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ୍। ସୁଭଦ୍ରା ଯୋଜନାରେ ଆହୁରି ୧୧୯୬ କୋଟି ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ହୋଇଛି। ନିଜ ସରକାରର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅନେକ ରେକର୍ଡ ସ୍ଥାପନ କରିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶା ଇତିହାସରେ ସର୍ବାଧିକ ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି ମୋହନ ସରକାର। ଓଡ଼ିଶାର ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨ ଲକ୍ଷ ୭୭ ହଜାର ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍ ପ୍ରସ୍ତୁତ ହୋଇଛି।

ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁରେ ଏହି ରେକର୍ଡ ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ୍ ସହ ୨,୫୮,୨୦୦ କୋଟିର ବଜେଟ୍ ପ୍ରସ୍ତୁତ କରିଥିଲା ବିଜୁ ଜନତା ଦଳ ସରକାର।ତେବେ ମୋହନ ସରକାରଙ୍କ ବଜେଟ୍ ଉପସ୍ଥାପନା କରିବାର ରେକର୍ଡ ନିଶା, ଅନେକ ସମାଲୋଚନାକୁ ଡାକି ଆଣିଛି। ପୂର୍ଣ୍ଣାଙ୍ଗ ବଜେଟର ମାତ୍ର ୪୫ ଦିନ ମଧ୍ୟରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବା, ଆଶ୍ଚର୍ୟ୍ୟ କଲା ଭଳି ପ୍ରସଙ୍ଗ। ତା ଠାରୁ ଅଧିକ ଆଶ୍ଚର୍ୟ୍ୟ କରୁଛି ଯେ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅର୍ଥାତ ୨୦୨୪ ମସିହାରେ ଚାରି ଚାରିଟି ବଜେଟ୍।

ପ୍ରଥମେ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର, ୮ ଫେବ୍ରୁଆରୀ ୨୦୨୪ରେ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ୍ ପାରିତ କରିଥିଲେନିର୍ବାଚନ ପରେ ମୋହନ ମାଝୀଙ୍କ ସରକାର ଜୁଲାଇ ୩୧ରେ ୯୫ ହଜାର କୋଟିର କାମଚଳା ବଜେଟ୍ ପାରିତ କଲେ।ପୁଣି ସେପ୍ଟମ୍ବର ୧୦ରେ ୨ ଲକ୍ଷ ୬୫ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ୍ ପାରିତ କରିବାର ଶ୍ରେୟ ନେଲା ବିଜେପି ସରକାର।କିନ୍ତୁ ସେତିକିରେ ମନ ଭରିଲାନି । ରେକର୍ଡ ନିଶାରେ ମସଗୁଲ୍ ମୋହନ ସରକାର, ମାତ୍ର ୪୫ ଦିନ ପରେ ଅତିରିକ୍ତ ବଜେଟ୍ ଧରି ଆସିଲେ।ଆଉ ନଭେମ୍ବର ୨୬ରେ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିଲେ ।

ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟିର ବ୍ୟବସ୍ଥା କରିଛନ୍ତି।
ସେହିଭଳି ମଧୁବାବୁ ପେନସନ୍ ଯୋଜନାରେ ୩୩୮ କୋଟି,ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି,
ଅଗ୍ନିଶମ ସେବାର ଆଧୁନିକୀ କରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି,ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି,ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଆବଣ୍ଟିତ କରିଛନ୍ତି।ଓଡ଼ିଶାରେ କେନ୍ଦ୍ରିୟ ଫୋର୍ସ ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟବରାଦ ବି ହୋଇଛି।
ଗୋଟିଏ ପଟେ ମୋଦୀ ସରକାର ବଜେଟ୍ ପ୍ରସ୍ତୁତରେ ଅଧିକ ଖର୍ଚ୍ଚ ହେଉଥିବାର ଦ୍ୱାହି ଦେଇ, ସ୍ୱତନ୍ତ୍ର ରେଲଓ୍ୱେ ବଜେଟକୁ ହଠାଇ ଦେଲେ। କିନ୍ତୁ ମୋହନ ମାଝୀ, ନିଜର ସାଢ଼େ ୫ ମାସର ମୁଖ୍ୟମନ୍ତ୍ରୀତ୍ୱ କାଳରେ ୩ଟି ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାରେ ଲାଗି ପଡିଛନ୍ତି।