ଓଡ଼ିଆ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ।ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ସ୍ୱତନ୍ତ୍ର। ଏହି ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଏହା ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଆସନ୍ତୁ ଜାଣିନେବା।ବାର ମାସରେ ତେର ପର୍ବରେ ବନ୍ଧା ଉତ୍କଳୀୟ ପରମ୍ପରା। ଉତ୍କଳୀୟ ସଂସ୍କୃତି ଧର୍ମୀୟ ଭାବନାରେ ପୂଜାବ୍ରତ ଆଧାରରେ ଲକ୍ଷ୍ମୀ ପୂଜାର ସ୍ଥାନ ହେଉଛି ଶ୍ରେଷ୍ଠ। ଧନଧାନ୍ୟ ଓ ଶ୍ରୀବୃଦ୍ଧି ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି।
ବିଷ୍ଣୁ ପୁରାଣ,ପଦ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ଭାଗବତ ଆଦିରେ ମହାଲକ୍ଷ୍ମୀଙ୍କର ବର୍ଣ୍ଣନା ରହିଛି।କୁହାଯାଏ ଯେଉଁଠି ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ସେଠି ଧନ-ସମ୍ପଦ,ଐଶ୍ୱର୍ଯ୍ୟ-ସମୃଦ୍ଧି ହୋଇଥାଏ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ।ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ,ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାଆନ୍ତି।ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନାର ପର୍ବ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଶରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଥାଏ। ପଦ୍ମପୁରାଣ ଅନୁସାରେ,ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ।
ସୁଦଶାର ଅର୍ଥ:
ସୁଦଶାର(ସୁ=ଭଲ, ଦଶା=ସମୟ) ଅର୍ଥ ଭଲ ସମୟ। ଗ୍ରାମାଞ୍ଚଳରେ କିନ୍ତୁ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇଯାଇଛି। ଫଳରେ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ସ୍ଥାନ ପାଇଛି।
ବ୍ରତର ବିଧାନ:
ଏହି ବ୍ରତରେ ସାଧାରଣ ଦ୍ରବ୍ୟ ଛଡ଼ା ଦଶ ଫୁଲ, ଦଶ ଫଳ, ଦଶ ଦୂର୍ବା, ଦଶ ଖିଅ ସୂତାର ଦଶ ଗଣ୍ଠିଯୁକ୍ତ ଡୋର ଓ ଦଶଟି ମଣ୍ଡାର ଆବଶ୍ୟକ ହୁଏ। ଏହି ବ୍ରତରେ ମହାଲକ୍ଷ୍ମୀଙ୍କୁ ପୂଜାକରିବା ସହ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରାଯିବାର ବିଧି ରହିଛି। ପୂଜା ଶେଷରେ ବିବାହିତା ନାରୀମାନେ ବ୍ରତଧାରଣ କରନ୍ତି।ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ ନାମରେ ଦଶଟି ଗଣ୍ଠି ପକାଯାଏ। ସେହି ନାମଗୁଡ଼ିକ ହେଲା ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନେସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ।
ଏହି ବ୍ରତ ପଛରେ ବିଦର୍ଭ ଦେଶ ନରପତି ନଳ ଓ ତାଙ୍କ ପାଟରାଣୀ ଦମୟନ୍ତୀଙ୍କ ଉତ୍ଥାନ-ପତନ କାହାଣୀ ରହିଛି। ଥରେ ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ପାଣି ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲେ। ବ୍ରତ ହଜାଇ ବିକଳ ଭାବେ କାନ୍ଦୁଥିବା ବେଳେ ନଳରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ।ବ୍ରତଟି କିନ୍ତୁ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ‘ଲକ୍ଷ୍ମୀଛଡ଼ା’ ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ।ବ୍ରତଦାନ ପରେ ରାଜା ଓ ରାଣୀଙ୍କର ଦୁର୍ଦ୍ଦଶା ଆରମ୍ଭ ହେଲା। ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବା ପରେ ସେମାନଙ୍କର ସମସ୍ତ ସୁଖ ସୌଭାଗ୍ୟ ଫେରି ଆସିଲା।ଏହି ବ୍ରତ କଲେ ବ୍ରତଧାରୀମାନେ ଉତ୍ତମ ପରିସ୍ଥତି ଓ ଶୁଭଫଳ ପ୍ରାପ୍ତ କରିଥାନ୍ତି ବୋଲି ବିଶ୍ୱାସ ରହିଛି।