ମା ଦୁର୍ଗାଙ୍କ ଆଗମନକୁ ନେଇ ସମସ୍ତେ ଚଳଚଞ୍ଚଳ। ପାର୍ବଣର ଋତୁରେ, ସମସ୍ତେ ଦେବୀ ପୂଜାରେ ମଗ୍ନ। ଗାଁଠୁ ଆରମ୍ଭ କରି ସହର ଯାଏଁ,ସବୁଠି ପାର୍ବଣର ଭିଡ଼। ରୀତିନୀତିରେ ପାଳନ ହେଇଛି ନବରାତ୍ରୀ। ୯ ଦିନ ଧରି ମା ଦୁର୍ଗାଙ୍କୁ ବିଭିନ୍ନ ବେଶରେ ଆରାଧନା କରାଯାଇଛି। ତେବେ ଆପଣ ଜାଣନ୍ତି କି କଣ ଏହି ନବରାତ୍ରୀର ରହସ୍ୟ?କାହିଁକି୯ ଦିନ ଧରି ମାଙ୍କ ବିଭିନ୍ନ ରୁପର ଆରାଧନା କରାଯାଏ।! ଯଦିଓ ବିଜୟା ଦଶମୀରେ ଆମେ ଦଶହରା ପାଳୁ ତେବେ ତା ପୁର୍ବରୁ ମଧ୍ୟ ୯ ଦିନ ଧରି ମାଙ୍କ ବିଭିନ୍ନ ବେଶରେ ଆରାଧନା କରାଯାଏ।

କୁହାଯାଏ ମହିଷାଷୁର ନିଜ ତପସ୍ୟାରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ଅମର ବର ମାଗିଥିଲା। ମାତ୍ର ଅମରତ୍ୱ ପରିବର୍ତ୍ତେ,ଅନ୍ୟ କିଛି ବି ମାଗି ନେବାକୁ ବ୍ରହ୍ମା ତାଙ୍କୁ ଆଦେଶ ଦେଇଥିଲେ। ମହିଷାଷୁର ବର ମାଗି ନେଇଥିଲା କି? ଦେବତା, ନର କି ଅସୁର କେହି ବି ତାକୁ ବଦ୍ଧ କରିପାରିବେ ନାହିଁ।ବରଦାନ ପରେ ମହିଷୋସୁର ଦୌରାତ୍ମ ବଢିବାରେ ଲାଗିଲା। ସେ ଦେବଲୋକରେ ଅତ୍ୟାଚାର କରିବା ସହ ଇନ୍ଦ୍ରପୁରୀ ମଧ୍ୟ ଦାଖଲ କଲା। ବ୍ରହ୍ମାଙ୍କ ବରଦାନ କାରଣରୁ ମହିଷାଷୁରକୁ ବଦ୍ଧ କରିବା କାହା ଦ୍ୱାରା ସମ୍ଭବ ନଥିଲା। ସୃଷ୍ଟିକୁ ବିନାଶ ମୁହଁରୁ ରକ୍ଷା କରିବା ପାଇଁ ତ୍ରିଦେବ ନିଜ ଶକ୍ତି ବଦଳରେ ଜଣେ ନାରୀଙ୍କୁ ସୃଷ୍ଟି କରିଥିଲେ।ଯାହାଙ୍କ ନାଁ ଥିଲା ଦୁର୍ଗା। ସେ ଏତେ ସୁନ୍ଦର ଥିଲେ ଯେ ମହିଷାସୁର ତାଙ୍କୁ ବିବାହ କରିବାକୁ ଇଛା ପ୍ରକଟ କରିଥିଲା। ମାତ୍ର ଦୁର୍ଗା ଦେବୀ ମହିଷାସୁର ଆଗରେ ସର୍ତ୍ତ ରଖିଥିଲେ,ଯଦି ଯୁଦ୍ଧରେ ତାଙ୍କୁ ହରାଇ ଦେବ ତେବେ ଯାଇ ସେ ମହିଷାସୁରକୁ ବିବାହ କରିବେ। ଦୁର୍ଗାଙ୍କ ସର୍ତ୍ତକୁ ମାନି ନେଇ ସେ ଦେବୀଙ୍କ ସହ ଯୁଦ୍ଧ କରିଥିଲା। ଏହି ଯୁଦ୍ଧ ୯ ଦିନ ଧରି ଚାଲିଲା ପରେ ଦଶମ ଦିନରେ ମା ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ। ଯାହାକୁ ଆମେ ବିଜୟା ଦଶମୀ ବୋଲି କହୁ।

ବିଜୟା ଦଶମୀର ପୂର୍ବରୁ ୯ ଦିନ ଧରି ଯୋଉ ଯୁଦ୍ଧ ଚାଲିଥିଲା ସେ ଉଦ୍ଧେଶ୍ୟରେ ହିଁ ନବରାତ୍ରୀ ପାଳନ କରାଯାଏ । କୁହାଯାଏ ସେ ୯ ଦିନ ଧରି ମା ଦୁର୍ଗା ଭିନ୍ନ ଭିନ୍ନ ରୁପରେ ମହିଷାସୁର ସହ ଯୁଦ୍ଧ କରିଥିଲେ। ଭିନ୍ନ ଭିନ୍ନ ଅବତାରରେ ଦେବୀ ଦୁର୍ଗାଙ୍କୁ ମହିଷାଷୁର ସହ ଯୁଦ୍ଧ କରିବାକୁ ପଡ଼ିଥିଲା । ସେଥିପାଇଁ ମା ଦୁର୍ଗାଙ୍କ ଏହି ୯ ଦିନର ବିଭିନ୍ନ ରୂପରେ ନବରାତ୍ରୀ ପାଳନ କରାଯାଏ ।

- ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରାଯାଏ । ଏହି ଦିନ ମା’ଙ୍କ ଡାହାଣ ହାତରେ ତ୍ରିଶୁଳ ଏବଂ ବାମ ହାତରେ ପଦ୍ମ ରହିଥାଏ ।
- ଦେବୀ ବ୍ରହ୍ମଚାରିଣୀଙ୍କୁ ନବରାତ୍ରୀର ଦ୍ୱିତୀୟ ଦିନରେ ପୂଜା କରାଯାଏ। ମାତା ବ୍ରହ୍ମଚାରିଣୀଙ୍କ ଗୋଟିଏ ହାତରେ ପଦ୍ମ ଓ ଅନ୍ୟ ହାତରେ କମଣ୍ଡଳ ଧରିଥାନ୍ତି। ତାଙ୍କୁ ସଠିକ୍ ଉପାସନା କରି ଭକ୍ତମାନଙ୍କର ସମସ୍ତ ଅସୁବିଧା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।
- ନବରାତ୍ରୀର ତୃତୀୟ ଦିନରେ ମାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଏ। ମସ୍ତକରେ ଅର୍ଦ୍ଧଚନ୍ଦ୍ର ବିରାଜମାନ ହୋଇଥାଏ । ହାତରେ ଖଡ୍ଗ, ତ୍ରିଶୁଳ, ଗଦା, ଧନୁ, ତୀର ଏବଂ ପଦ୍ମ ରହିଥାଏ।
- ନବରାତ୍ରୀର ଚତୁର୍ଥ ଦିନରେ କୁଷ୍ମାଣ୍ଡା ଏବଂ ପଞ୍ଚମ ଦିନରେ ସ୍କନ୍ଦମାତା ବେଶରେ ମା ପୁଜା ପାଆନ୍ତି।
- ନବରାତ୍ରୀର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ । ସେହି ଦିନ ମା ଙ୍କ ରଙ୍ଗ ସ୍ବର୍ଣ୍ଣ ପରି ଉଜ୍ଜ୍ୱଳ ଦିଶେ ଏବଂ ଚାରିଟି ବାହୁ ରହିଥାଏ। ତାଙ୍କ ହାତ ଅଭୟ ମୁଦ୍ରା, ବର ମୁଦ୍ରା, ଖଡ୍ଗ ଏବଂ ପଦ୍ମ ଫୁଲ ରହିଥାଏ ।
- ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରୀଙ୍କୁ ପୂଜା କରାଯାଏ । ମାତା କାଳରାତ୍ରୀଙ୍କର ତିନୋଟି ଆଖି ଏବଂ ଚାରି ବାହୁ ରହିଛି । ମା ତାଙ୍କ ହାତରେ ଖଣ୍ଡା, ଲୁହା ଅସ୍ତ୍ର, ଅଭୟ ମୁଦ୍ରା ଏବଂ ବର ମୁଦ୍ରା ରହିଥାଏ।
- ନବରାତ୍ରୀର ଅଷ୍ଟମ ଦିନରେ ମାତା ମହାଗୌରୀଙ୍କୁ ପୂଜା କରାଯାଏ। ମାତା ବଳଦ ସବାରୀ କରିଥାନ୍ତି । ରଙ୍ଗ ମଧ୍ୟ ଧଳା ହୋଇଥାଏ। ମାତା ମହାଗୌରୀ ଅଭୟ ମୁଦ୍ରା, ତ୍ରିଶୁଳ, ଡମ୍ବରୁ ଏବଂ ବର ମୁଦ୍ରାଙ୍କୁ ଚାରି ହାତରେ ଧରିଥାନ୍ତି ।
- ନବରାତ୍ରୀ ପର୍ବର ନବମ ତଥା ଶେଷ ଦିନରେ ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମାତାଙ୍କର ୧୦ଟି ବାହୁ ରହିଥିବା ବେଳେ ପଦ୍ମ, ଚକ୍ର, ଗଦା ଏବଂ ଶଙ୍ଖ ଧରିଥାନ୍ତି। ଦେବୀ ସିଦ୍ଧିଦାତ୍ରୀ ସିଂହ ଉପରେ ଆରୋହଣ କରନ୍ତି।
ନବରାତ୍ରୀର ଶେଷରେ ବିଜୟା ଦଶମୀ ପାଳନ ହୁଏ। କୁହାଯାଏ ଏହିଦିନ ମା ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ।