କୁଆଡ଼େ ଯାଉଛି ବାରବାଟି ଷ୍ଟାଡ଼ିୟମର ଅଧା ଟିକେଟ

ଚୋରାରେ ବିକ୍ରି ହେଉଛି କି  ବାରବାଟି ଷ୍ଟାଡିୟମ୍ ଟିକେଟ?କାହିଁକି ଟିକେଟ ପାଉନାହାନ୍ତି ସାଧାରଣ ଜନତା?ଷ୍ଟାଡିୟମ ସିଟର କାପାସିଟି କେତେ?ଓସିଏର କହିବା ଅନୁଯାୟୀ ୪୪ ହଜାର ୫୭୪ ଜଣଙ୍କ ପାଇଁ ସିଟ୍ ଥିବାବେଳେ କାହିଁକି ବିକ୍ରି ହେଉଛି ଅଧା ଟିକେଟ?ବାକି ଟିକେଟ ସବୁ ଯାଉଛି କୁଆଡ଼େ?ହେଉନି ତ ବଡ଼ ଧରଣର କଳାବଜାରୀ?ଏସବୁ ପ୍ରଶ୍ନ ଏବେ ପ୍ରତିଟି କ୍ରିକେଟ ଲଭରଙ୍କ ମନରେ ଉଙ୍କି ମାରିବା ସ୍ବାଭାବିକ।

ବାରବାଟି ଷ୍ଟାଡିୟମରେ ଇଂଲଣ୍ଡ ଇଣ୍ଡିଆ ମ୍ୟାଚକୁ ନେଇ କ୍ରିକେଟ ଲଭରଙ୍କ ଭିତରେ ଉତ୍ସାହ ବଢିବାରେ ଲାଗିଛି।ଟିକେଟ ବିକ୍ରି ସମୟରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଅନେକ ଜଣ ନିରାଶ ବି ହୋଇଛନ୍ତି।ନିର୍ଦ୍ଧାରିତ ସଂଖ୍ୟକ ଟିକେଟ ଠାରୁ ଅଧିକ ଲୋକଙ୍କ ଭିଡ଼ ହେତୁ ଅପ୍ରିତିକର ପରିସ୍ଥିତି ବି ସୃଷ୍ଟି ହୋଇଛି। ମାତ୍ର ଆପଣ ଜାଣନ୍ତି କି ବାରବାଟୀ ଷ୍ଟାଡିୟମରେ କେତେ ଲୋକ ବସିପାରିବେ?ମ୍ୟାଚ୍ ପାଇଁ କେତେ ଟିକେଟ ବିକ୍ରି ହେଉଛି?ବାକି ଜାଗା କ’ଣ ଖାଲି ପଡ଼ୁଛି? କ୍ରିକେଟ କଳାଜାରିକୁ ନେଇଯୋଉ ଅଭିଯୋଗ ହେଉଛି ତାହା ସତ କି?

କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ ତାରିଖରେ  ଭାରତ ଓ ଇଂଲଣ୍ଡ ମଧ୍ୟରେ ଓ୍ୱାନ ଡେ କ୍ରିକେଟ ମ୍ୟାଚ୍‌।ଏହି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ତରଫରୁ ଟିକେଟ୍‌ ବିକ୍ରି ଓ ବଣ୍ଟନ ଚାଲିଛି। ତେବେ ଷ୍ଟାଡିୟମର ସିଟ ସଂଖ୍ୟାକୁ ନେଇ ଏବେବି ଅନେକ ଜଣ ଅନ୍ଧାରରେ ଅଛନ୍ତି।ସୂଚନା ଅନୁସାରେ ବାରବାଟୀ ଷ୍ଟାଡିୟମରେ ପ୍ରାୟ ୬୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ଅଛି। ଗ୍ୟାଲେରୀର ସିମେଣ୍ଟ ପାହାଚରେ ଜଣଙ୍କ ପାଇଁ ଚିହ୍ନିତ ଜାଗାରେ ଦୁଇରୁ ଅଧିକ ଲୋକ ବସିପାରିବେ।ଦର୍ଶକଙ୍କୁ ଆରାମ ଦେବା ପାଇଁ ଏପରି ହୋଇଥାଏ ବୋଲି କୁହାଯାଇଥାଏ।ମାତ୍ର ସେ ସିଟ ଭିନ୍ନ ପ୍ରୋସେସରେ ବିକ୍ରି ହେବାର ଅଭିଯୋଗ ହୁଏ। ତେବେ ଏହା ଉପରେ କୌଣସି କର୍ତ୍ତୃପକ୍ଷ ସରଜମିନ ତଦନ୍ତ କରି ନାହାନ୍ତି କି ଷ୍ଟାଡିୟମରେ ପ୍ରକୃତରେ କେତ ଲୋକଙ୍କ ବସିବା ପାଇଁ ସ୍ଥାନ ଅଛି ସେ ନେଇ ପୁଲିସ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣପତ୍ର ମିଳି ନାହିଁ।

ଆନୁମାନିକ ଭାବେ 60 ହଜାର ଆକଳନ କରାଯାଉଥିଲା ବେଳେ  ଓଡ଼ିଶା କ୍ରିକେଟ ଆସୋସିଏସନର ତଥ୍ୟ ଅନୁଯାୟୀ ଷ୍ଟାଡିୟମର କାପାସିଟି ୪୫ ହଜାର ।ଯଦିଓ ବାରବାଟୀ ଷ୍ଟ୍ରାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଦେଖି ଫେରିଥିବା ଅନେକ ଜାଣିବା ଶୁଣିବା ଦର୍ଶକ କହନ୍ତି ଯେ ୫୫ରୁ ୬୦ ହଜାର ଲୋକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିଥାନ୍ତି।ମାତ୍ର ଓସିଏର ତଥ୍ୟ କିନ୍ତୁ ଭିନ୍ନ କଥା କହେ।ଏମିତିରେ ଦେଖିବାକୁ ଗଲେ ଷ୍ଟାଡିୟମର କାପାସିଟି ନେଇ ପୂର୍ତ୍ତ ବିଭାଗ କୌଣସି ସାର୍ଟିଫିକେଟ ଦେଇନାହିଁ। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବାହିନୀ ମଧ୍ୟ ସିଟ ସଂଖ୍ୟାକୁ ନେଇ କେବେ ସାର୍ଟିଫିକେଟ ଦେଇନାହାଁନ୍ତି। ଓସିଏ ଯଦିଓ ସିଟ୍ ସଂଖ୍ୟା 45 ହଜାର ବୋଲି କହେ ମାତ୍ର ବିଭିନ୍ନ ସମୟରେ ଓସିଏର କାର୍ଯ୍ୟକଳାପରୁ ଇଣ୍ଟାନ୍ୟାସନାଲ୍ କ୍ରିକେଟ ମ୍ୟାଚ୍‌ରେ ଟିକଟ କଳାବଜାରୀ ହୁଏ ବୋଲି ପ୍ରତି ଥର ଅଭିଯୋଗ ହୋଇଥାଏ।

ସବୁଠୁ ସନ୍ଦେହଜନକ କଥା ହେଉଛି ଷ୍ଟାଡିୟମରେ ୪୪ ହଜାର ୫୭୪ ଜଣ ଦର୍ଶକ ବସିବେ ବୋଲି କୁହାଯାଏ। ମାତ୍ର ବିକ୍ରି ପାଇଁ ଟିକେଟ୍‌ ଥାଏ ୨୪ ହଜାର। ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଏହି ଟିକେଟ ବିକ୍ରି ହୁଏ। ଅନେକ ଥର ଦେଖାଗଲାଣି ଯେ ଅନ୍‌ ଲାଇନ୍‌ ଟିକଟ ବିକ୍ରି ଆରମ୍ଭ ହେବାର କେଇ ମିନିଟ୍‌ ମଧ୍ୟରେ ତାହା ଶେଷ ହୋଇଯାଏ। ଏଥିରେ ବି ଘୋଟାଲା ହେବାର ଅଭିଯୋଗ ଆସେ ।ସେହିପରି ଅଫ୍‌ ଲାଇନ୍‌ ଟିକେଟ୍‌ ବିକ୍ରିକୁ ନେଇ ମଧ୍ୟ ପ୍ରତି ଥର ଅସନ୍ତୋଷ ପଦାକୁ ଆସେ। ଲୋକେ ରାତିରୁ ଲାଇନ୍‌ ଲଗେଇ ଠିଆ ହୋଇଥିବେ। ବିକ୍ରି ଝରକା ଖୋଲିବାର ଘଣ୍ଟେ ଭିତରେ ଟିକେଟ ସରିଯାଏ। ଏଭଳି ଘଟଣାରୁ ସନ୍ଦେହ ହୁଏ ଯେ ଓସିଏ କର୍ତ୍ତୃପକ୍ଷ ଟିକେଟ କଳାବଜାରୀ କରନ୍ତି।ଆଉ ଏମିତିରେ ବି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସହିତ ଅନୁବନ୍ଧିତ ଅନେକ ସଂସ୍ଥାଙ୍କ ମଧ୍ୟରେ ଟିକେଟ ବଣ୍ଟନ ହୋଇଥାଏ। ଓସିଏ ସହିତ ଏବେ ପ୍ରାୟ ୭୦ଟି ସଂସ୍ଥା ଅନୁବନ୍ଧିତ ରହିଛନ୍ତି। ଯେଉଁମାନେ ମୋଟ ଉପରେ ୧୦ ହଜାର ୬୫୦ ଟିକଟ ନିଅନ୍ତି।ବିକ୍ରି ହେବ ୨୪ ହଜାର ୬୯୨, ବଣ୍ଟାଯିବ ୧୦ ହଜାର ୬୫୦, ମିଶି ହେଲା ୩୫ ହଜାର ୩୪୨। ଏହାର ଅର୍ଥ ଘୋଷିତ କାପାସିଟିର ଆହୁରି ୧୦ ହଜାର ଉପରେ ଟିକଟ କାରବାର ଅନ୍ଧାରରେ ହେଉଥିବ।

ତେବେ କଥା ହେଉଛଇ ଏହି ୧୦ ହଜାର ଟିକଟ କ’ଣ ଭିଆଇପିଙ୍କୁ ଦିଆଯାଏ?ରାଜ୍ୟର ୧୪୭ ବିଧାୟକ, ରାଜ୍ୟସଭାର ୧୦ ଓ ଲୋକସଭାର ୨୧ ସାଂସଦ, ୩୦ରୁ କିଛି ଅଧିକ ବିଭାଗର ମୁଖ୍ୟ ବା ସଚିବ, ଉଚ୍ଚ ପଦସ୍ଥ ପୁଲିସ, ଡିଜି ଅଫିସର ବଡ଼ ପଦବୀଧାରୀ, ମହାଧିବକ୍ତା ବା ଏଜି ଅଫିସର ବଡ଼ ପଦବୀଧାରୀ, ହାଇକୋର୍ଟର ୨୨ ଜଣ ବିଚାରପତି ଓ ଏମାନଙ୍କର ପିଲାଝିଲାଙ୍କୁ ମିଶେଇଲେ ବି ୧୦ ହଜାର ହେବ ନାହିଁ। ସେହିଭଳି ମ୍ୟାଚ୍‌ ବିବରଣୀ ସଂଗ୍ରହ କରିବାକୁ କେତେ ସାମ୍ବାଦିକଙ୍କୁ ଏମିତି ପାସ୍‌ ଦିଆଯାଏ କି? ସେମାନଙ୍କ ସଂଖ୍ୟା ମଧ୍ୟ ୨୦୦ ଟପିବ ନାହିଁ। ତା’ ହେଲେ ସେସବୁ ଟିକଟ ହୁଏ କ’ଣ? ତେବେ କଳାବଜାରୀକୁ ନେଇ ହେଉଥିବ ଅଭିଯେୋଗ ଆଉ ସତ ନୁହେଁ ତ?

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *